କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ; ହାତୀନଦୀରେ ପ୍ରବଳ ବନ୍ୟା
ଉପରମୁଣ୍ଡରେ ଅବିରତ ପ୍ରବଳ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ପ୍ରକଳ୍ପର ମଙ୍ଗଳପୁର ବ୍ୟାରେଜରେ ଜଳଧାରଣ କ୍ଷମତା ଶୀର୍ଷସୀମାରେ ପହଞ୍ଚିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାରେଜର ୪ଟି ଗେଟ୍ ଖୋଲାଯାଇଛି । ରିପୋର୍ଟ- ଅଜିତ କୁମାର ସିଂହ


Published : August 24, 2026 at 8:27 PM IST
|Updated : August 24, 2026 at 8:34 PM IST
ଭବାନୀପାଟଣା: ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାରଠାରୁ ରବିବାର ସକାଳ ସୁଦ୍ଧା ଜିଲ୍ଲାରେ ମୋଟ ୧୦୨୩ ମିମି ବର୍ଷା ରେକର୍ଡ ହୋଇଛି। ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୩୪୫ ମିମି, ଜୟପାଟଣାରେ ୨୦୦ ମିମି, କଲମପୁରରେ ୧୪୬ ମିମି, ଜୁନାଗଡ଼ରେ ୧୦୫ ମିମି ଏବଂ କୋକସରାରେ ୧୦୨ ମିମି ବର୍ଷା ରେକର୍ଡ ହୋଇଛି।
ଖୋଲାହେଲା ଇନ୍ଦ୍ରାବତୀ ବ୍ୟାରେଜର ୪ଟି ଗେଟ୍
ଲଗାଣ ବର୍ଷାର ପ୍ରଭାବରେ ଥୁଆମୂଳ ରାମପୁର, ଜୟପାଟଣା, କଲମପୁର, ଜୁନାଗଡ଼ ଓ କୋକସରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ସ୍ଥାନରେ ଚାଷଜମି ଜଳମଗ୍ନ ହୋଇଥିବା ବେଳେ ବର୍ଷାଜଳ ନିଷ୍କାସନରେ ସମସ୍ୟା ଯୋଗୁଁ ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି। ଅନ୍ୟପଟେ, ଉପରମୁଣ୍ଡରେ ଅବିରତ ପ୍ରବଳ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ପ୍ରକଳ୍ପର ମଙ୍ଗଳପୁର ବ୍ୟାରେଜରେ ଜଳଧାରଣ କ୍ଷମତା ଶୀର୍ଷସୀମାରେ ପହଞ୍ଚିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାରେଜର ୪ଟି ଗେଟ୍ ଖୋଲାଯାଇଥିବା ବେଳେ ପ୍ରତି ସେକେଣ୍ଡରେ ୪୧୨ କ୍ୟୁମେକ୍ସ ପାଣି ହାତୀନଦୀକୁ ଛଡ଼ାଯାଉଛି। ଫଳରେ ହାତୀନଦୀରେ ବନ୍ୟାଜଳ ପ୍ରବାହ ବେଶ୍ ତୀବ୍ର ହୋଇଛି।
ଲଗାଣ ବର୍ଷାର ପ୍ରଭାବରେ ଇନ୍ଦ୍ରାବତୀ ପ୍ରକଳ୍ପର ପାୱାର ହାଉସରୁ ଗତକାଲି ସକାଳଠାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଛି। ଧର୍ମଗଡ଼ ଉପଖଣ୍ଡର ହାତୀନଦୀ ସମେତ ମୁଦ୍ରା ନଦୀ, ବେହେରା ନଦୀ, କମଳ ନଦୀ ଓ ହାଲେର ଜୋରରେ ମଧ୍ୟ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳରେ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଫଳରେ ଧାନ ସମେତ ବିଭିନ୍ନ ଫସଲ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି। ଚାଷଜମିରେ ପାଣି ଜମି ରହିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଲଗାଣ ବର୍ଷା
ଲଗାଣ ବର୍ଷା ଚାଷୀଙ୍କ ଆଶା ଉପରେ ପାଣି ପକାଇଦେଇଛି । ବେହେରା ନଦୀରେ ବନ୍ୟାଜଳ ବଢ଼ିବାରୁ କଳାହାଣ୍ଡିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡୋକରିଚଞ୍ଚୁରାକୁ ସଂଯୋଗ କରୁଥିବା ରାସ୍ତା ଧୋଇଯାଇଛି । ଫଳରେ ପର୍ଯ୍ୟଟନସ୍ଥଳୀକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି କୋକସରା ଅଞ୍ଚଳରେ ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବର୍ଷା ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇଦେଇଛି। ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।
ତେବେ ବର୍ଷାଜଳ ହ୍ରାସ ପାଇବା ପରେ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସବିଶେଷ ଆକଳନ କରାଯିବ ବୋଲି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ଲଗାଣ ବର୍ଷା, ଉଛୁଳିଥିବା ନଦୀ ଓ ଜଳମଗ୍ନ ଚାଷଜମି ପ୍ରକୃତିର ଏହି ତାଣ୍ଡବ କଳାହାଣ୍ଡିର ଜନଜୀବନ ଓ ଚାଷୀଙ୍କ ଜୀବିକାକୁ ଗଭୀର ଭାବେ ପ୍ରଭାବିତ କରିଛି।
ଏନେଇ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ କହିଛନ୍ତି ଯେ, "ଆମର ପ୍ରଥମେ ୟେଲୋ ୱାର୍ଣ୍ଣିଂ ଥିଲା। ତା'ପରେ ଅରେଞ୍ଜ ୱାର୍ଣ୍ଣିଂ ଆସିଲା। ୨୨, ୨୩, ୨୪ ତିନି ଦିନ ଏଠି ୩୮.୫ ମିମି ବର୍ଷା ହୋଇଥିଲା। ଆଉ ୨.୯୬ ଏଭରେଜ୍ ମିଲିମିଟର ଥିଲା। ୨୩ ତାରିଖରେ ଅଧିକ ବର୍ଷା ହୋଇଥିଲା। ଆଜି ଅର୍ଥାତ୍ ୨୪ ତାରିଖ ବର୍ଷା କମିଯାଇଛି। ୪୭୧.୩ ମିଲିମିଟର ଟୋଟାଲ ଆଉ ୩୬.୨୮ ଏଭରେଜ୍ ବର୍ଷା ରହିିଛି । ୨୩ ତାରିଖ ଦିନ ବେଶି ବର୍ଷା ହୋଇଥିଲା । ଜୁନାଗଡ଼ରେ ୧୦୫.୬ ମିମି, କୋକସରାରେ ୧୦୨ମିମି, କଲମପୁରରେ ୧୯୬.୪, ଜୟପାଟଣାରେ ୨୦୦ ମିଲିମିଟର ବର୍ଷା ରେକର୍ଡ଼ କରଯାଇଥିଲା ।"
ଅତିରିକ୍ତ ଜିଲ୍ଲାପାଳ "ଆହୁରି କହିଛନ୍ତି, ଏଥିରେ ୭ଟି ଜିପି, ୧୬ଟି ଭିଲେଜ୍ ଏବଂ ୨୯୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ବେଶି ଲୋକ କଲମପୁର ବ୍ଲକରୁ ହିଁ ହୋଇଛନ୍ତି । ତଳିଆ ଅଞ୍ଚଳରୁ ଆମେ କିଛି ଲୋକଙ୍କୁ ଉଦ୍ଧାର କରିଛୁ । ସେମାନଙ୍କୁ ଦୁଇଟି ଅସ୍ଥାୟୀ ଶିବିରରେ ରଖା ଯାଇଛି । ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବି ଦିଆଯାଇଛି ।"
ଇଟିଭି ଭାରତ, ଭବାନୀପାଟଣା
ଏହା ମଧ୍ୟ ପଢନ୍ତୁ ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ଵର୍ଷା ସମ୍ଭାବନା, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

