ଜାରି ରହିଛି ପ୍ରବଳ ବର୍ଷା; ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ସଜାଗ ସରକାର, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଧୀନସ୍ଥ ଷ୍ଟେଟ ଇମର୍ଜେନ୍ସି ଅପରେସନ ସେଣ୍ଟର ସମସ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ସହ ସମନ୍ୱୟ ରଖି ପରିସ୍ଥିତିର ନିରୀକ୍ଷଣ କରୁଛି । ରିପୋର୍ଟ: ଭବାନୀ ଶଙ୍କର ଦାସ

Published : July 4, 2026 at 10:41 PM IST
Heavy rains continue, ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ସୁଦୃଢ଼ ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟ ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ ଅଧୀନସ୍ଥ ଷ୍ଟେଟ ଇମର୍ଜେନ୍ସି ଅପରେସନ ସେଣ୍ଟର (SEOC) ସମସ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ସହ ସମନ୍ୱୟ ରକ୍ଷା କରି ୨୪ ଘଣ୍ଟିଆ ପରିସ୍ଥିତିର ନିରୀକ୍ଷଣ କରୁଛି । ସେପଟେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି ।
ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଗତ ୨୪ ଘଣ୍ଟାରେ ଅର୍ଥାତ ଜୁଲାଇ ୪ ତାରିଖ ସକାଳ ୮ଟା ୩୦ ସୁଦ୍ଧା ରାଜ୍ୟରେ ହାରାହାରି ୨୪.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବରଗଡ଼ ଜିଲ୍ଲାର ସୋହେଲା ବ୍ଲକରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ହୋଇଛି । ରାଜ୍ୟର ୬ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ଏବଂ ୩୮ଟି ବ୍ଲକ ସହ ୩ଟି ସହରାଞ୍ଚଳର ୪ଟି କେନ୍ଦ୍ରରେ ୫୦ରୁ ୧୦୦ ମିଲିମିଟର ମଧ୍ୟରେ ବର୍ଷା ରେକର୍ଡ ହୋଇଛି । ଜୁଲାଇ ୧ରୁ ୪ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୯୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଏହା ସ୍ୱାଭାବିକ ହାର ୪୩.୭ ମିଲିମିଟର ତୁଳନାରେ ୧୧୫.୮ ପ୍ରତିଶତ ଅଧିକ ରହିଛି ।

ରାଜ୍ୟର ସମସ୍ତ ପ୍ରମୁଖ ନଦୀ ବର୍ତ୍ତମାନ ସତର୍କ ସ୍ତରରୁ ତଳେ ପ୍ରବାହିତ ହେଉଛନ୍ତି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । ରେଡ, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ସମସ୍ତ ଜିଲ୍ଲାରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସଜାଗ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଭାବେ ଜଳବନ୍ଦୀ, ତଳିଆ ଅଞ୍ଚଳରେ ଜଳଜମା, ସହରାଞ୍ଚଳର ଅଣ୍ଡରପାସ୍ ବନ୍ଦ, କଚ୍ଚା ରାସ୍ତା ଓ ଦୁର୍ବଳ ସଂରଚନାର କ୍ଷୟକ୍ଷତି, ଫସଲର ସମ୍ଭାବ୍ୟ କ୍ଷତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ସେହିପରି ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା, ପାଣିପାଗ ସମ୍ବନ୍ଧୀୟ ସରକାରୀ ସୂଚନା ଉପରେ ନଜର ରଖିବା ଏବଂ ସମସ୍ତ ପରାମର୍ଶକୁ ପାଳନ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରାଯାଇଛି ।
ଜୁଲାଇ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି । ଷ୍ଟେଟ ଇମର୍ଜେନ୍ସି ଅପରେସନ ସେଣ୍ଟର ସମସ୍ତ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ପରିସ୍ଥିତି ଉପରେ ସତତ ନଜର ରଖିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସାମଗ୍ରିକ ପରିସ୍ଥିତି ସ୍ୱାଭାବିକ ରହିଛି । ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଜୁଲାଇ ୯ ତାରିଖରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚୂଡାନ୍ତ
ଏହା ମଧ୍ୟ ପଢନ୍ତୁ:ଫ୍ଲାସ ଫ୍ଲଡ୍ ଓ ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ପାଣ୍ଠି; ଭୂସ୍ଖଳନ ପରିଚାଳନା ଜ୍ଞାନ ଆହରଣ ପାଇଁ ଉତ୍ତର-ପୂର୍ବ ରାଜ୍ୟ ଯିବେ ଅଧିକାରୀ
ଇଟିଭି ଭାରତ, ଭୁବନେଶ୍ବର

