ପ୍ରଦୂଷଣ ଯାଞ୍ଚ ଭ୍ୟାନ୍ ଆଗରେ ପ୍ରବଳ ଭିଡ଼...ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି ଗାଡି ଚାଳକ
ପ୍ରଦୂଷଣ ଯାଞ୍ଚ ଭ୍ୟାନ୍ ଆଗରେ ପ୍ରବଳ ଭିଡ଼ । ଘଣ୍ଟା ଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗାଡି ଚାଳକ । ଅବଧି ବୃଦ୍ଧି ହୋଇଥିଲେ ବି ଲୋକେ ଛାନିଆ ।


Published : December 28, 2025 at 6:24 PM IST
ଭୁବନେଶ୍ୱର:ପ୍ରଦୂଷଣ ଯାଞ୍ଚ ଭ୍ୟାନ୍ ଆଗରେ ଗାଡିର ଲମ୍ବା ଭିଡ । ପ୍ରଦୂଷଣ ଯାଞ୍ଚ ପାଇଁ ସରକାର ଡେଡ ଲାଇନ ଦେବା ପରେ ଲୋକେ ଛାନିଆ । କାଳେ କଣ ଅସୁବିଧା ହେବ ସେଥିପାଇଁ ପଲ୍ୟୁସନ ଟେଷ୍ଟିଂ ଭ୍ୟାନ ଆଗରେ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନ ଲଗେଇ ସାର୍ଟିଫିକେଟ ବାହାର କରୁଛନ୍ତି । ପିୟୁସି ସାର୍ଟିଫିକେଟ ଧରି ଶାନ୍ତିରେ ଘରକୁ ଫେରୁଛନ୍ତି। ବିନା ପିୟୁସିରେ ପେଟ୍ରୋଲ ମନା.. ନିୟମର ଅବଧି ବୃଦ୍ଧି ପାଇଥିଲେ ମଧ୍ୟ ଟେଷ୍ଟିଂ ସେଣ୍ଟର ଆଗରେ ସକାଳ 6 ଟାରୁ ଲାଇନ ଲଗାଉଛନ୍ତି ଲୋକେ ।
ଫେବୃଆରୀ ପହିଲାରୁ ପିୟୁସି ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ। ସରକାରଙ୍କ ଏଭଳି ଘୋଷଣା ପରେ ହଇରାଣରେ ପଡିଛନ୍ତି ସାଧାରଣ ଜନତା । ଏପଟେ ଟ୍ରାଫିକ ଫାଇନ ଥିଲେ କୌଣସି ପିୟୁସି ସାର୍ଟିଫିକେଟ ମିଳିବ ନାହିଁ ବୋଲି କୁହାଯାଉଛି । ତେଣୁ ଟ୍ରାଫିକ ଥାନା ଆରଟିଓ ସମ୍ମୁଖରେ ମଧ୍ୟ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଯାହା ବି ହେଉ, ପିୟୁସି ବାହାର କରିବା ଏବଂ ପୁରୁଣା ଫାଇନ କ୍ଲିଅର କରିବା ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ପଲ୍ୟୁସନ ଟେଷ୍ଟିଂ ଭ୍ୟାନ ଆଗରେ ଲମ୍ବା ଭିଡ
ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ପଲ୍ୟୁସନ ଟେଷ୍ଟିଂ ଭ୍ୟାନ ଆଗରେ ଲୋକେ ଘଣ୍ଟା ଘଣ୍ଟା ଧରି ଭିଡ଼ କରୁଛନ୍ତି । ଯେମିତି ହେଉ ପ୍ରଦୂଷଣ ପ୍ରମାଣପତ୍ରଟିଏ ଧରି ପାଇବାକୁ ଧାଡ଼ି ବାନ୍ଧି ନିଜ ପାଳି ଆସିବାକୁ ଅପେକ୍ଷା କରିଥାନ୍ତି ଗାଡ଼ି ଚାଳକ। ଦିନ ଥିଲା କାଁ ଭାଁ ଭାବ ଲୋକମାନେ ନିଜ ଗାଡିର ପ୍ରଦୂଷଣ ଯାଞ୍ଚ ପାଇଁ ଆସୁଥିଲେ । ଏବେ ତେଲ ମିଳିବନି ବୋଲି ସେହି ଭୟରେ ଟେଷ୍ଟିଂ ଭ୍ୟାନ ଆଗରେ ଭିଡ଼ ଲଗାଇଛନ୍ତି । ଧିରେ ଧିରେ ଗୁରୁତ୍ୱ ହରାଉଥିବା ପିୟୁସି ସାର୍ଟିଫିକେଟ୍ ଏବେ ଲୋକମାନଙ୍କର ଅତ୍ୟନ୍ତ ଦରକାରୀ ଜିନିଷ ହୋଇପଡିଛି । କିନ୍ତୁ ଗାଡ଼ିରେ ଯଦି ଫାଇନ ପଡ଼ିଥିବ ତାକୁ ନଭରିବା ଯାଏଁ ପଲ୍ୟୁସନ ସାର୍ଟିଫିକେଟ କରିପାରିବେ ନାହିଁ । ତେଣୁ କିଛି ଚାଳକ ନିରାଶ ହୋଇ ଫେରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏପଟେ ସରକାର କହିଛନ୍ତି ଯେ, ପିୟୁସି ସାର୍ଟିଫିକେଟ ନଥିଲେ କୌଣସି ଗାଡିକୁ ତେଲ ମିଳିବ ନାହିଁ । ତେବେ ପଲ୍ୟୁସନ ଟେଷ୍ଟି୍ଂ ପାଇଁ ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟରର ବ୍ୟବସ୍ଥା କରାଯିବ । ଏକ ମାସ ପର୍ଯ୍ୟନ୍ତ ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ଏଥିସହିତ ଅଳ୍ପଦିନ ମଧ୍ୟରେ ପିୟୁସି ଷ୍ଟିକରର ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ସରକାର ।

ଜଣେ ଗା଼ଡିଚାଳକ କହିଛନ୍ତି, ସକାଳ 6 ଟାରୁ ଆସି ଲମ୍ବା ଲାଇନରେ ଛିଡା ହୋଇଥିଲେ । 10ଟାରେ ତାଙ୍କର ସାର୍ଟିଫିକେଟ ବାହାରିଲା । ତେବେ ଏତେ ଲମ୍ବା ଲାଇନରେ ଛିଡା ହେବା ପାଇଁ କଷ୍ଟ ଲାଗୁଛି । ରାଜ୍ୟ ସରକାର ଆହୁରି ସମୟ ଦେବା ଆବଶ୍ୟକ । ଏତେ କମ ସମୟ ମଧ୍ୟରେ ସାର୍ଟିଫିକେଟ କରିବା ସମ୍ଭବପର ନୁହେଁ । ତାଛଡା ସରକାର ଆହୁରି ଟେଷ୍ଟିଂ ସେଣ୍ଟର କରନ୍ତୁ ବୋଲି ସେ କହିଛନ୍ତି ।
ପିୟୁସି ସାର୍ଟିଫିକେଟ ବାଧ୍ୟତାମୂଳକ କରିବା ପରି ପୂର୍ବରୁ ମଧ୍ୟ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବ୍ୟାନ, ନୋ ହେଲମେଟ ନୋ ପେଟ୍ରୋଲ ଆଦି ନିୟମ ଲାଗୁ କରିଥିଲେ ରାଜ୍ୟ ସରକାର। କିନ୍ତୁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ନଥିବାରୁ ଏସବୁ ନିୟମ ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରି ନ ଥିଲା । ଯାହା ଫଳରେ ଲୋକେ ଦିନ କେଇଟା ପରେ ସମସ୍ତ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଗଲେ । ତେବେ ଏହି ନିୟମର ଯେ ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ ସେନେଇ ସନ୍ଦେହ ସୃଷ୍ଟି ହେଉଛି ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ଫେବୃଆରୀରେ ସବୁ ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର, ବିରୋଧରେ ମନ୍ତ୍ରୀଙ୍କ ବାସଭବନ ଘେରିଲା ନବ ନିର୍ମାଣ ଛାତ୍ର ସଂଘଠନ
ଏହା ମଧ୍ୟ ପଢନ୍ତୁ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି: ଫେବୃଆରୀ 1 ପର୍ଯ୍ୟନ୍ତ ବଢିଲା PUCC ଅବଧି

