ETV Bharat / state

ଶ୍ରୁତିବାଧିତ ସ୍କୁଲ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ: କଥା କୁହେ ହାତ, ନୀରବତାରେ ଗଢୁଛନ୍ତି ଗଜାନନ

ବିପିନ ବିହାରୀ ଶ୍ରୁତିବାଧିତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଦୋକାନରୁ ମୂର୍ତ୍ତି କିଣିବା ପରିବର୍ତ୍ତେ ନିଜ କଳ୍ପନାରେ ମାଟିକୁ ଆକାର ଦେଇ ଗଢୁଛନ୍ତି ଗଣେଶ । ରିପୋର୍ଟ ବିକାଶ ଦାସ

Ganesh Puja 2026
ଶ୍ରୁତିବାଧିତଙ୍କ ହାତରେ ଗଜାନନ (ETV Bharat)
author img

By ETV Bharat Odisha Team

Published : September 1, 2026 at 5:25 PM IST

2 Min Read
Choose ETV Bharat

Ganesh Puja 2026 ଭୁବନେଶ୍ବର: ଗଣେଶ ପୂଜା ପାଇଁ ଏବେ ବଜାରରେ ମୂର୍ତ୍ତି କିଣିବାକୁ ଭିଡ଼ । କିନ୍ତୁ ଏଠି ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । କଥା କହିବାକୁ ଶବ୍ଦ ନାହିଁ, ଶୁଣିବାକୁ କାନ ନାହିଁ। ହେଲେ ସ୍ୱପ୍ନ ଦେଖିବାରେ କୌଣସି ସୀମା ନାହିଁ। ଠାର ଓ ଇସାରାରେ ଭାବ ବିନିମୟ କରୁଥିବା ଏହି ପିଲାମାନେ ଏବେ ବ୍ୟସ୍ତ ଅଛନ୍ତି ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଗଢିବାରେ। ଭୁବନେଶ୍ୱର ବିପିନ ବିହାରୀ ଶ୍ରୁତିବାଧିତ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ ।

ଭୁବନେଶ୍ୱର ସ୍କୁଲ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ: କଥା କୁହେ ହାତ, ନୀରବତାରେ ଗଢୁଛନ୍ତି ଗଜାନନ (ETV Bharat Odisha)

ଶ୍ରୁତିବାଧିତଙ୍କ ହାତରେ ଗଜାନନ

ଦୋକାନରୁ ମୂର୍ତ୍ତି କିଣିବା ପରିବର୍ତ୍ତେ ନିଜ କଳ୍ପନାରେ ମାଟିକୁ ଆକାର ଦେଇ ଗଢୁଛନ୍ତି ଗଣେଶ । କେହି ମାଟି ଚକଟୁଛନ୍ତି ତ ଆଉ କେହି ରୂପ ଦେଉଛନ୍ତି । କାହା ମୁହଁରେ ହସ, ତ କାହା ଆଖିରେ ଏକାଗ୍ରତା । ଶବ୍ଦର କୋଳାହଳ ନାହିଁ କେବଳ ନୀରବତା ଭିତରେ ଚାଲିଛି ସୃଜ ନ। ସେମାନଙ୍କ ହାତର ଯାଦୁରେ ଜୀବନ୍ତ ହେଉଛନ୍ତି ଗଜାନନ । ସେମାନଙ୍କ ନୀରବତା ଭିତରୁ ଜନ୍ମ ନେଉଛି ଏକ ସୁନ୍ଦର ସୃଜନ।

Hearing Impaired Children In Bhubaneswar Make Eco Friendly Ganesh Idols
ଭୁବନେଶ୍ୱର ବିପିନ ବିହାରୀ ଶ୍ରୁତିବାଧିତ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଗଢୁଛନ୍ତି ଗଜାନନ (ETV Bharat Odisha)

ଛାତ୍ରୀ ଦୀପା ବେହେରା କୁହନ୍ତି ‘‘ଆମେ ସମସ୍ତେ ମିଶି ଗଣେଶ ମୂର୍ତ୍ତି ତିଆରି କରୁଛୁ। ଏହା ଆମକୁ ବହୁତ ଖୁସି ଦେଇଥାଏ। ପ୍ରତିବର୍ଷ ଗଣେଶ ହେଉ କି ସରସ୍ୱତୀ ମୂର୍ତ୍ତି ନିଜ ହାତରେ ଗଢ଼ିବା ଆମକୁ ବହୁତ ଆତ୍ମସନ୍ତୋଷ ଦେଇଥାଏ’’ ।

Hearing Impaired Children In Bhubaneswar Make Eco Friendly Ganesh Idols
ଭୁବନେଶ୍ୱର ବିପିନ ବିହାରୀ ଶ୍ରୁତିବାଧିତ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଗଢୁଛନ୍ତି ଗଜାନନ (ETV Bharat Odisha)

ଛାତ୍ରୀ ଅନୀତା ସାହୁ କୁହନ୍ତି ‘‘ମୂର୍ତ୍ତି ପାଇଁ ଆମେ ମାଟି, ନଡ଼ା, ବାଲି ବ୍ୟବହାର କରୁଛୁ। ଶିକ୍ଷକ-ଶିକ୍ଷୟିତ୍ରୀ ଆମକୁ ସହଯୋଗ କରୁଛନ୍ତି। ବଜାରରୁ କିଣିବା ଅପେକ୍ଷା ନିଜ ହାତେ ଗଢ଼ିବାରେ ଅଧିକ ଖୁସି ମିଳେ’’।

ନୀରବତା ଭିତରୁ ଆତ୍ମବିଶ୍ୱାସର ସ୍ୱର

ଅଗଷ୍ଟ ୧୬ ତାରିଖରୁ ଛାତ୍ରଛାତ୍ରୀ ମାନେ ଗଜାନନଙ୍କ ମୂର୍ତ୍ତି ଗଢା କାମ ଆରମ୍ଭ କରିଛନ୍ତି। ଇଣ୍ଟରନେଟରୁ ନିଜ ପସନ୍ଦର ଡିଜାଇନ ଖୋଜି ସେହି ଅନୁସାରେ ମୂର୍ତ୍ତି ଗଢୁଛନ୍ତି। କ୍ଲାସ ସରିବା ପରେ ଖାଲି ସମୟରେ ଏକାଠି ହୋଇ କାମ ଆରମ୍ଭ କରନ୍ତି ପିଲାମାନେ । ସ୍କୁଲ ପଡ଼ିଆରୁ ମାଟି ଖୋଳି ଆଣିବା ପରେ ମନପସନ୍ଦର ଡିଜାଇନ କରିଥାନ୍ତି । ଏହାପରେ ଶିକ୍ଷକ ମାନେ ସେମାନଙ୍କୁ ନଡ଼ା ଯୋଗାଇ ଦେଇଥାନ୍ତି । ମୂର୍ତ୍ତି ଶୁଖିବା ପରେ ବଜାରରୁ ରଙ୍ଗ କିଣି ଆଣି ପିଲାଙ୍କୁ ଦେଇଥାନ୍ତି ଶିକ୍ଷୟତ୍ରୀ । କେବଳ ସାଜସଜ୍ଜାର ଖର୍ଚ୍ଚ ବହନ କରିଥାଏ ସ୍କୁଲ ।

Hearing Impaired Children In Bhubaneswar Make Eco Friendly Ganesh Idols
ଭୁବନେଶ୍ୱର ବିପିନ ବିହାରୀ ଶ୍ରୁତିବାଧିତ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଗଢୁଛନ୍ତି ଗଜାନନ (ETV Bharat Odisha)

ଶିକ୍ଷୟିତ୍ରୀ କାବେରୀ ଜେନା କହିଛନ୍ତି, “ପିଲାମାନେ ନିଜେ ନିଜେ ଗଣେଶ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି। ଖାଲି ସମୟ ମିଳିଲେ ପିଲାମାନେ ଏକାଠି ହୋଇ ମୂର୍ତ୍ତି ତିଆରିରେ ଲାଗି ପଡ଼ୁଛନ୍ତି । ଏହା ସେମାନଙ୍କ ସୃଜନଶୀଳତା ଓ କୌଶଳ ବିକାଶରେ ସହାୟକ ହେଉଛି। କେବଳ ମୂର୍ତ୍ତି ଗଢିବା ନୁହେଁ ଗଣେଶ ପୂଜା ଦିନ ସ୍କୁଲ ପରିସରରେ ଆଖି ଝଲସିବା ଭଳି ସାଜସଜ୍ଜା କରିଥାନ୍ତି ଛାତ୍ରଛାତ୍ରୀ । ଏହା ନିଶ୍ଚିତ ଆମ ସ୍କୁଲ ପାଇଁ ଗୌରବର କଥା ’’।

Hearing Impaired Children In Bhubaneswar Make Eco Friendly Ganesh Idols
ଭୁବନେଶ୍ୱର ବିପିନ ବିହାରୀ ଶ୍ରୁତିବାଧିତ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଗଢୁଛନ୍ତି ଗଜାନନ (ETV Bharat Odisha)

ପ୍ରତିଭା କେବେ ଅକ୍ଷମ ନୁହେଁ

ବିପିନ ବିହାରୀ ଶ୍ରୁତିବାଧିତ ସରକାରୀ ସ୍କୁଲରେ ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସର୍ବମୋଟ ୧୫୦ ଜଣ ପିଲା ପାଠ ପଢୁଛନ୍ତି। ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପିଲା ମୁଖ୍ୟତଃ ଏହି ମୂର୍ତ୍ତି ଗଢିବା କାମରେ ନିୟୋଜିତ ଅଛନ୍ତି ।

ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ରାୟ କୁହନ୍ତି, “ଆମ ସ୍କୁଲର ପିଲାମାନେ ମୂର୍ତ୍ତି ଗଢ଼ିବାରେ ଆଗ୍ରହ ଦେଖାଉଛନ୍ତି। ଯେଉଁ ପିଲାମାନଙ୍କର ଇଚ୍ଛା ହେଉଛି ସେମାନେ ଆସି ଏହି କାମରେ ସାମିଲ ହେଉଛନ୍ତି। ସେମାନଙ୍କ ଦକ୍ଷତା ବଢ଼ାଇବା ପାଇଁ ଆମେ କେବଳ ଗାଇଡ୍‌ କରୁଛୁ। ପିଲାମାନେ ନିଜ ପ୍ରତିଭାରେ ନିଜେ ମୂର୍ତ୍ତି ଗଢ଼ୁଛନ୍ତି।”

Hearing Impaired Children In Bhubaneswar Make Eco Friendly Ganesh Idols
ଭୁବନେଶ୍ୱର ବିପିନ ବିହାରୀ ଶ୍ରୁତିବାଧିତ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଗଢୁଛନ୍ତି ଗଜାନନ (ETV Bharat Odisha)

ଏହା କେବଳ ଏକ ପୂଜା ପ୍ରସ୍ତୁତି ନୁହେଁ ଏହା ହେଉଛି ନିଜ ଭିତରେ ଥିବା ପ୍ରତିଭାକୁ ପ୍ରମାଣ କରିବାର ସୁଯୋଗ। ଶବ୍ଦ ନଥାଇ ବି ସେମାନଙ୍କ ହାତ କଥା କହୁଛି। ସୁଯୋଗ ମିଳିଲେ ପ୍ରତିଭା କେବେ ଅକ୍ଷମ ହୁଏନା ବୋଲି ମାଟି ଗଣେଶ ମାଧ୍ୟମରେ ବଡ ବାର୍ତ୍ତା ଦେଉଛନ୍ତି ଛାତ୍ରଛାତ୍ରୀ ।

Hearing Impaired Children In Bhubaneswar Make Eco Friendly Ganesh Idols
ଭୁବନେଶ୍ୱର ବିପିନ ବିହାରୀ ଶ୍ରୁତିବାଧିତ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଗଢୁଛନ୍ତି ଗଜାନନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ବ୍ରହ୍ମପୁରରେ ଆକର୍ଷଣ ସାଜିବେ ଲାଲବାଗଚା ରାଜା, 32 ଫୁଟର ଗଣେଶ ମୂର୍ତ୍ତି ନିର୍ମାଣ କରୁଛି ଅଶୋକ ନଗର ପୂଜା କମିଟି

ଏହା ମଧ୍ୟ ପଢନ୍ତୁ ବାଲେଶ୍ଵରରେ ଧୁମଧାମରେ ପାଳନ ହେଲା ରାମ ନବମୀ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ସହର

ଇଟିଭି ଭାରତ, ଭୁବନେଶ୍ବର