ETV Bharat / state

ପ୍ରଶାସନିକ ଓ ସୁଶାସନ ସଂସ୍କାର କମିଟିର ସୁପାରିସ; କେବିସି ଢାଞ୍ଚାରେ ହେବ ‘ସୁସ୍ଥ ପଞ୍ଚାୟତ’ ପ୍ରତିଯୋଗିତା, ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ସମ୍ମାନିତ

ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ୱାସ୍ଥ୍ୟ ପ୍ରଦର୍ଶନ କରୁଥିବା କିମ୍ବା ସବୁଠାରୁ ଦ୍ରୁତ ଉନ୍ନତି କରିଥିବା ପଞ୍ଚାୟତ, ପୌରସଂସ୍ଥା ଓ ବିଧାନସଭା କ୍ଷେତ୍ରଗୁଡ଼ିକ ଅଂଶଗ୍ରହଣ କରିବେ । ରିପୋର୍ଟ-ଭବାନୀ ଶଙ୍କର ଦାସ

healthy panchayat competition to be held in kbc format in odisha-winner-to-be-felicitated-by chief minister
କେବିସି ଢାଞ୍ଚାରେ ହେବ ‘ସୁସ୍ଥ ପଞ୍ଚାୟତ’ ପ୍ରତିଯୋଗିତା, ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ସମ୍ମାନିତ (Etv Bharat)
author img

By ETV Bharat Odisha Team

Published : July 1, 2026 at 8:38 PM IST

2 Min Read
Choose ETV Bharat

ଭୁବନେଶ୍ୱର: ପଞ୍ଚାୟତ ଓ ସହରାଞ୍ଚଳ ମଧ୍ୟରେ ସ୍ୱାସ୍ଥ୍ୟ ସେବାକୁ ନେଇ ସୁସ୍ଥ ପ୍ରତିଯୋଗିତାର ଆୟୋଜନ ହେବ । ଏଥିପାଇଁ 'କୌନ ବନେଗା କରୋଡ଼ପତି ବା କେବିସି' ଢାଞ୍ଚାରେ ଏକ ବୃହତ ଟେଲିଭିଜନ ପ୍ରତିଯୋଗିତା ଆୟୋଜନ କରିବାକୁ ପଡିବ । ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ପ୍ରଶାସନିକ ଓ ସୁଶାସନ ସଂସ୍କାର କମିଟି । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ୱାସ୍ଥ୍ୟ ପ୍ରଦର୍ଶନ କରୁଥିବା କିମ୍ବା ସବୁଠାରୁ ଦ୍ରୁତ ଉନ୍ନତି କରିଥିବା ପଞ୍ଚାୟତ, ପୌରସଂସ୍ଥା ଓ ବିଧାନସଭା କ୍ଷେତ୍ରଗୁଡ଼ିକ ଅଂଶଗ୍ରହଣ କରିବେ । ରାଜ୍ୟସ୍ତରରେ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ । ଏହା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ସହ ଅନ୍ୟ ପଞ୍ଚାୟତମାନଙ୍କୁ ପ୍ରେରଣା ମିଳିବ ବୋଲି କମିଟି ମତ ଦେଇଛି ।

ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟରେ କହିଛି, "ପ୍ରତିଯୋଗିତାକୁ ବର୍ଷବ୍ୟାପୀ ଟେଲିଭିଜନ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରଣ କରାଯିବ । କେବିସି ଭଳି ଏକାଧିକ ପର୍ଯ୍ୟାୟରେ ପ୍ରତିଯୋଗିତା ହେବ । ପ୍ରତ୍ୟେକ ଜିଲ୍ଲାରୁ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଓ ସ୍ୱାସ୍ଥ୍ୟ ସୂଚକରେ ସର୍ବାଧିକ ଉନ୍ନତି କରିଥିବା ପଞ୍ଚାୟତ ଓ ପୌରସଂସ୍ଥାକୁ ଚୟନ କରାଯିବ । ସେମାନେ ବିଶେଷଜ୍ଞଙ୍କ ସମ୍ମୁଖରେ ନିଜ ସଫଳତାର ଅନୁଭୂତି ଓ କାର୍ଯ୍ୟପଦ୍ଧତି ଉପସ୍ଥାପନ କରିବେ । ବିଶେଷଜ୍ଞଙ୍କ ମୂଲ୍ୟାଙ୍କନ ସହ ଏସ୍‌ଏମ୍‌ଏସ୍ ଭୋଟିଂ ମାଧ୍ୟମରେ ଲୋକଙ୍କ ମତାମତକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହା ପରେ ପର୍ଯ୍ୟାୟକ୍ରମେ ବିଜେତାଙ୍କୁ ବାଛି ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ସମ୍ମାନିତ କରାଯିବ । କମିଟିର ମତରେ, ଏହାଦ୍ୱାରା ପ୍ରତିଯୋଗିତା ସହ ସଫଳ ମଡେଲଗୁଡ଼ିକ ସମଗ୍ର ରାଜ୍ୟରେ ପ୍ରସାରିତ ହେବ ।

ପ୍ରତ୍ୟେକ ପଞ୍ଚାୟତ ଓ ପୌର ୱାର୍ଡର ସ୍ୱାସ୍ଥ୍ୟ ସ୍ଥିତିକୁ ବର୍ଷକୁ ଦୁଇଥର ଆକଳନ କରାଯିବ

ଏଥିପାଇଁ କମିଟି 'ପପୁଲେସନ୍ ହେଲ୍ଥ ଆଣ୍ଡ ୱେଲନେସ ସ୍କୋର (PHWS)' ନାମରେ ଏକ ନୂଆ ସ୍ୱାସ୍ଥ୍ୟ ସୂଚକାଙ୍କ ପ୍ରସ୍ତାବ ଦେଇଛି । ପ୍ରତ୍ୟେକ ପଞ୍ଚାୟତ ଓ ପୌର ୱାର୍ଡର ସ୍ୱାସ୍ଥ୍ୟ ସ୍ଥିତିକୁ ବର୍ଷକୁ ଦୁଇଥର ଆକଳନ କରାଯିବ । ଏହି ସ୍କୋର ଆଧାରରେ ପଞ୍ଚାୟତ, ବ୍ଲକ, ଜିଲ୍ଲା, ବିଧାନସଭା କ୍ଷେତ୍ର ଓ ରାଜ୍ୟସ୍ତରର ର଼୍ୟାଙ୍କିଂ ପ୍ରସ୍ତୁତ ହେବ । ପ୍ରତିବର୍ଷ ଜାନୁଆରୀ ୧ ଓ ଜୁନ୍ ୧ରେ ଏହି ସ୍କୋର ସାର୍ବଜନୀନ କରାଯିବ । ସ୍ୱାସ୍ଥ୍ୟ ସ୍କୋର ପ୍ରସ୍ତୁତି ବେଳେ କେବଳ ହସ୍ପିଟାଲର କାର୍ଯ୍ୟଦକ୍ଷତାକୁ ନୁହେଁ, ବରଂ ଲୋକଙ୍କ ସ୍ୱାସ୍ଥ୍ୟ, ରକ୍ତଚାପ, ଡାଇବେଟିସ୍ ନିୟନ୍ତ୍ରଣ, ରକ୍ତହୀନତା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଆୟୁଷ୍ମାନ, ପରିବେଶର ଗୁଣବତ୍ତା, ବାୟୁ ଓ ପାଣିର ଗୁଣ, ହସ୍ପିଟାଲରେ ଡାକ୍ତର ଓ ଔଷଧ ଉପଲବ୍ଧତା, ଆମ୍ବୁଲାନ୍ସ ସେବା, ରୋଗୀଙ୍କୁ ସେବା ମିଳିବାର ସମୟ ଆଦିକୁ ବିଚାରକୁ ନିଆଯିବ । ଏପରିକି ସାଟେଲାଇଟ୍ ତଥ୍ୟ ଓ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ବାୟୁ ଓ ଜଳର ଗୁଣବତ୍ତା ମଧ୍ୟ ମାପିବାକୁ ସୁପାରିସ କରାଯାଇଛି ।

କମିଟି କହିଛି, ବର୍ତ୍ତମାନ ରାଜ୍ୟର ୩୭୫ଟି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୭୫ ପ୍ରତିଶତ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ରହିଛି । ଦୁର୍ଗମ ଅଞ୍ଚଳରେ ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ରାଜ୍ୟବ୍ୟାପୀ ଭର୍ଚୁଆଲ୍ ଟେଲି-କନ୍ସଲଟେସନ୍ ନେଟୱର୍କ ଗଠନ, ଅନଲାଇନ୍ ଡାକ୍ତର ପରାମର୍ଶ ଏବଂ ଫୋନ୍, ୱେବସାଇଟ୍ କିମ୍ବା କିଓସ୍କ ମାଧ୍ୟମରେ ଆଗୁଆ ଆପଏଣ୍ଟମେଣ୍ଟ ବ୍ୟବସ୍ଥା କରିବାକୁ ମଧ୍ୟ ସୁପାରିସ କରାଯାଇଛି । ଏହା ଦ୍ୱାରା ରୋଗୀଙ୍କ ସମୟ ଓ ଖର୍ଚ୍ଚ ହ୍ରାସ ପାଇବ । ସ୍ୱାସ୍ଥ୍ୟ ସେବାର ତ୍ରୁଟିକୁ ତୁରନ୍ତ ଚିହ୍ନଟ କରି ସମାଧାନ କରିବା ପାଇଁ 'ପବ୍ଲିକ୍ ଦେଲ୍ଥ କମାଣ୍ଡ ସେଣ୍ଟର' ସ୍ଥାପନ କରିବାକୁ ମଧ୍ୟ କମିଟି ପ୍ରସ୍ତାବ ଦେଇଛି ।

ଏହି କେନ୍ଦ୍ର ମାଧ୍ୟମରେ ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥାର ରିୟଲ୍-ଟାଇମ୍ ନିରୀକ୍ଷଣ କରାଯିବ । କେଉଁଠି ସମସ୍ୟା ଦେଖାଦେଲେ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନିଆଯିବ । ଏହି ସମସ୍ତ ସଂସ୍କାରମୂଳକ ପଦକ୍ଷେପକୁ ପ୍ରଥମେ କେନ୍ଦୁଝର ଜିଲ୍ଲାର ଗୋଟିଏ ବ୍ଲକରେ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ ହେବ । ପରେ ପର୍ଯ୍ୟାୟକ୍ରମେ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବାକୁ କମିଟି ସୁପାରିସ କରିଛି । ରିପୋର୍ଟଟି ସରକାରଙ୍କ ବିଚାର ପାଇଁ ପ୍ରଦାନ କରାଯାଇଛି ।

ଇଟିିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ବିଧାନସଭା ପରିସରରେ ଆଧୁନିକ ଫିଜିଓଥେରାପି କେନ୍ଦ୍ର, ବିଧାୟକଙ୍କ ସ୍ୱାସ୍ଥ୍ୟ ସେବାରେ ନୂଆ ପଦକ୍ଷେପ