କଳାହାଣ୍ଡି ଜିଲ୍ଲାର ଅଧିକାଂଶ ମଣ୍ଡିରେ ଅଖା ସଙ୍କଟ; ଶୋଷଣର ଶୀକାର ଚାଷୀ
ମିଲର୍ସଙ୍କ ପକ୍ଷରୁ ଆସୁଥିବା ଅଖା ବ୍ୟବହାର ଯୋଗ୍ୟ ହେଉନଥିବା ବେଳେ ନିଜ ବସ୍ତା ଦେଇ ଫେରସ୍ତ ପାଉ ନାହାନ୍ତି ଚାଷୀ । ଏପରିକି ବାହାରୁ ବସ୍ତା କିଣି ଚାଷୀ ଖର୍ଚ୍ଚାନ୍ତ ହେଉଛନ୍ତି ।


Published : January 8, 2026 at 1:52 PM IST
ଭବାନୀପାଟଣା(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲାରେ ଶୋଷଣର ଶୀକାର ହେଉଛି ଚାଷୀ । ଗୋଟିଏ ପଟେ ମଣ୍ଡିରୁ ଧାନ ଉଠାଣ ହେଉନଥିବା ବେଳେ ଅନ୍ୟପଟେ ମଣ୍ଡିରେ ଏବେ ଅଖା ବସ୍ତା ସଙ୍କଟ ଦେଖା ଦେଇଛି । ମିଲର୍ସଙ୍କ ପକ୍ଷରୁ ଆସୁଥିବା ଅଖା ବ୍ୟବହାର ଯୋଗ୍ୟ ହେଉନଥିବା ବେଳେ ନିଜ ବସ୍ତା ଦେଇ ଫେରସ୍ତ ପାଉ ନାହାନ୍ତି ଚାଷୀ । ଏପରି ବି ନିଜେ ବାହାରୁ ବସ୍ତା କିଣି ଖର୍ଚ୍ଚାନ୍ତ ହେଉଛନ୍ତି । ସେପଟେ ପ୍ରଶାସନ ସବୁ ଜାଣି ବି ନିରବ ରହିଛି ।
ନଭେମ୍ବର ୨୯ ତାରିଖ ଠାରୁ କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡି ଖୋଲା ଯାଇଥିଲା । ଚାଷୀଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଥିଲା । ବାପ-ପୁଅ ରାତି ଅନିଦ୍ରା, ହେଲେ ମୁଗୁରା ମୁହଁ ମେଲା ଭଳି, ସରକାରଙ୍କ ଅନେକ ଚେଷ୍ଟା ସତ୍ତ୍ବେ କେଉଁଠାରେ ମଣ୍ଡିରୁ ଧାନ ଉଠୁନି ତ କେଉଁଠି ଏପର୍ଯ୍ୟନ୍ତ ଧାନ ରଖିବା ପାଇଁ ସଠିକ ବ୍ୟବସ୍ଥା ନାହିଁ । ଆଉ କଡ଼ାକଡ଼ି ତଦାରଖ ପରେ ମଧ୍ୟ କଟନୀ ଛଟନୀ ସାଙ୍ଗକୁ ମିଲର୍ସଙ୍କର ମନମାନି ଖବର ସାମ୍ନାକୁ ଆସୁଛି
। ଅଖା ବସ୍ତାକୁ ନେଇ ଏବେ ସଙ୍କଟ ଦେଖା ଦେଇଛି । ବ୍ୟବହାର ଯୋଗ୍ୟ ବସ୍ତା ଚାଷୀଙ୍କୁ ମିଲର୍ସ ଯୋଗାଉ ନଥିବା ବେଳେ ବଜାରରୁ ବସ୍ତା କିଣି ଖର୍ଚ୍ଚାନ୍ତ ହେଉଛି ଚାଷୀ ।

କଳାହାଣ୍ଡି ଜିଲ୍ଲାରେ ଅଖା ବସ୍ତାର ଅଭାବ ଧାନ କିଣାରେ ଏକ ବଡ଼ ସମସ୍ୟା ପାଲଟିଛି । କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନରେ ରାଜ୍ୟରେ ଦ୍ବିତୀୟରେ ରହିଛି । ଚଳିତ ବର୍ଷ ପାଣିପାଗ ଭଲ ଥିବା କାରଣରୁ ଚାଷ କାମ ମଧ୍ୟ ଭଲ ହୋଇଥିଲା । ଅମଳ ଧାନକୁ ନେଇ ଚାଷୀ ଉତ୍ସାହିତ ହୋଇ ଟୋକନ ଅନଲାଇନ କରି ଏବେ ଧାନ ବିକ୍ରି ପାଇଁ ମଣ୍ଡିକୁ ଯିବାକୁ ଲାଗିଛନ୍ତି । ହେଲେ ଅଖା ବସ୍ତାର ଅଭାବ ଏବେ ଏକ ସମସ୍ୟା ହୋଇ ଛିଡ଼ା ହୋଇଛି । ଫଳରେ ମଣ୍ଡିରେ ମଧ୍ୟ ଚାଷୀ ହଇରାଣ ହେଉଥିବା ଅଭିଯୋଗ ଆଣିଛନ୍ତି । ଧାନ କ୍ରୟ ପାଇଁ ପ୍ରଶାସନ ମଣ୍ଡି ବ୍ୟବସ୍ଥା କରିଥିବା ବେଳେ ମିଲର୍ସଙ୍କ ମନମାନି କାରଣରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜିଲ୍ଲାରେ ଗତ ନଭେମ୍ବର ମାସରୁ ୨୩୦ଟି ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଛି ଯୋଗାଣ ବିଭାଗ । ହେଲେ ମିଲର୍ସଙ୍କ ମନମାନି ଯୋଗୁଁ ଅନେକ ମଣ୍ଡିରେ ଧାନ ପଡ଼ି ରହୁଛି । ଦାୟିତ୍ୱରେ ଥିବା ମିଲର୍ସ ମଣ୍ଡିକୁ ଅଖା ବସ୍ତା ପଠାଇ ଥିବାବେଳେ ଅନେକ ବସ୍ତା ଛିଣ୍ଡା, ଫଟା ଥିବାବେଳେ ସେଥିରେ ଧାନ ରଖିବା ସମ୍ଭବ ନୁହେଁ । ଗୋଟିଏ ବଣ୍ଡଲରେ ୫୦ଟି ଅଖା ବସ୍ତା ରହୁଥିବା ବେଳେ ୩୦ଟି ବସ୍ତା ବ୍ୟବହାରଯୋଗ୍ୟ ନୁହେଁ । ଯାହାକି ମଣ୍ଡିରେ ଥିବା ଗୋଦାମ ଗୃହ ମଧ୍ୟରେ ଫିଙ୍ଗି ଦିଆଯାଇଛି । ଭବାନୀପାଟଣା ସଦର ମହକୁମାଠାରୁ ମାତ୍ର ୧୦ କିମି ଦୂରରେ ଥିବା ଦାଦପୁର ମଣ୍ଡିର ଚିତ୍ର ଓ ମଣ୍ଡିକୁ ଯୋଗାଣ ହେଉଥିବା ବାସ୍ତାକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ ବସ୍ତା ନାଁରେ ଚାଷୀଙ୍କୁ କିଭଳି ଶୋଷଣ କରାଯାଉଛି । ଚାଷୀ ନିଜ ପଇସାରେ ବସ୍ତା ପ୍ରତି ୨୦ରୁ ୨୨ ଟଙ୍କା ଦେଇ ନୂଆ ଅଖା ବସ୍ତା କିଣି ମଣ୍ଡିକୁ ଧାନ ନେଇ ଯାଉଥଲେ ହେଁ, ସମ୍ପୃକ୍ତ ମିଲର୍ସ ବସ୍ତା ଫେରସ୍ତ କରୁନଥିବା ବେଳେ ଅଖା ବସ୍ତାରେ ଏକ ବଡ ଜାଲିଆତି ଚାଲିଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଏନେଇ ପ୍ୟାକ୍ସ ଅଧିକାରୀଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି । ମିଲର୍ସ ଚାଷୀ କିମ୍ବା ଅଧିକାରୀଙ୍କ କଥା ଶୁଣୁନଥିବା ପ୍ରକାଶ କରିଛନ୍ତି । ଏହା କେବଳ ଏହି ଗୋଟିଏ ଧାନ ମଣ୍ଡିର କଥା ନୁହେଁ ବରଂ ଜିଲ୍ଲାର ସମସ୍ତ ୨୩୦ଟି ଧାନ ମଣ୍ଡିମାନଙ୍କରେ ସମାନ ଅବସ୍ଥା ରହିଛି ।
ଏନେଇ ଦାଦପୁର ଅଞ୍ଚଳର ଚାଷୀ ବାଳି ଗୌଡ କହିଛନ୍ତି ଯେ,"ଧାନ ପାଇଁ ନିଜେ ବସ୍ତା କିଣିକି ଆଣିବାକୁ ପଡୁଛି । ମଣ୍ଡିରୁ ଆମକୁ ବସ୍ତା ମିଳୁନାହିଁ । ଯେଉଁ ବସ୍ତା ମଣ୍ଡି ଆମକୁ ଦେଉଛି, ସେହି ବସ୍ତା ଧାନ ରଖିବା ଯୋଗ୍ୟ ନୁହେଁ । କାରଣ ଅଧିକାଂଶ ମଣ୍ଡିରେ ଦେଉଥିବା ବସ୍ତା ଚିରା ଫଟା ବାହାରୁଛି । ତେଣୁ ଆମେ ବାଧ୍ୟ ହୋଇ ବସ୍ତା ପିଛା ୨୦ ଟଙ୍କା ଦେଇ କିଣି କି ମଣ୍ଡିକୁ ଦେଉଛୁ, ହେଲେ ନାଁ ସେ ବସ୍ତା ଫେରସ୍ତ ମିଳୁଛି, ନାଁ ତା ବାବଦକୁ ଟଙ୍କା ମିଳୁଛି," ବୋଲି ସେ ପ୍ରକାଶ କରିଛନ୍ତି ।

ସେପଟେ ଏନେଇ ଅନ୍ୟଜଣେ ଚାଷୀ ଟିକଚନ ମାଝୀ କହିଛନ୍ତି ଯେ," ମୋତେ ପ୍ୟାକ୍ସ ପକ୍ଷରୁ ବସ୍ତା ଦିଆଯାଇଥିଲା ହେଲେ ସେହି ବସ୍ତା ବ୍ଯବହାର ଯୋଗ୍ୟ ନୁହେଁ। ଚିରା ଫଟା ବସ୍ତାକୁ ସିଲେଇ କରି ଆମେ ଧାନ ନେଇ ଆସିଲା ବେଳକୁ ଅଧା ଧାନ ଗଳି ଯାଉଛି । ବାଧ୍ୟହୋଇ ବସ୍ତା କିଣିକି ଆଣିବାକୁ ପଡୁଛି ଏବଂ ଥରେ ସେହି ବସ୍ତା ମଣ୍ଡିକୁ ଆସିବା ପରେ ଫେରସ୍ତ ମିଳୁନି," ବୋଲି ସେ ପ୍ରକାଶ କରିଛନ୍ତି ।
ସେପଟେ ଏନେଇ ଚାଷୀ ନେତା ଟିକେଲାଲ ସାହୁ କହିଛନ୍ତି ଯେ,"ଗତବର୍ଷ ମଣ୍ଡି ସମୟରେ ୩୫ ହଜାର ଧାନ ବସ୍ତା ଚାଷୀ କିଣିକି ମଣ୍ଡିକୁ ଦେଇଥିଲା । ଗୋଟିଏ ବ୍ୟାଗ୍ ର ମୂଲ୍ୟ ୨୦ରୁ ୨୫ ଟଙ୍କା ହେଲେ ସମୁଦାୟ ପ୍ରାୟ ୭ ଲକ୍ଷ ଟଙ୍କା ସିଧାଳଖ ଲାଭ ପାଇଲା ମିଲର୍ସ। ଏହି ଲାଭ ଯୋଗୁଁ ଚାଷୀଙ୍କୁ ବସ୍ତା କିଣିବା ପାଇଁ ବାଧ୍ୟ କରାଯାଉଛି। କାରଣ ଚାଷୀ ପାଖେ ସମୟ କମ ରାହିଛି, କାରଣ କେମିତି ଧାନ ଉଠିବ ସେ ଚିନ୍ତାରେ ଚାଷୀ ରହିଛି," ବୋଲି ସେ ପ୍ରକାଶ କରିଛନ୍ତି ।
ସେପଟେ ଏନେଇ କଳାହାଣ୍ଡି ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି ଯେ," ପ୍ରତି ପ୍ୟାକ୍ସ ମାନଙ୍କର ଗନି ବ୍ୟାଗ୍ ପାଈଁ ଗୋଟିଏ ରେଜିଷ୍ଟର ମେଣ୍ଟେନ ହେଉଛି। କେଊଁ ମିଲର୍ସ କେତେ ଗନି ଦେଉଛନ୍ତି କେଊଁ ଚାଷୀ କେତେ ଗନି ଦେଲେ ବା କେତେ ନେଲେ ସେ ସବୁ ତଥ୍ୟ ରଖାଯାଉଛି। ଯଦି ବି କେଉଁଠି କିଛି ସମସ୍ୟା ରହିଛି ମୁଁ ଡିଆରସିଏସ ଙ୍କୁ କହିବି ସେ ତଦାରଖ କରିବେ ବୋଲି ସେ ପ୍ରକାଶ କରିଛନ୍ତି " ।
ଏହା ମଧ୍ୟ ପଢ଼ନ୍ତୁ- ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ବିବାଦ, ଧାନ କିଣିବାକୁ ମନା କରିଦେଲେ ମିଲର୍ସ
ଏହା ମଧ୍ୟ ପଢ଼ନ୍ତୁ- ଖରିଫ ଧାନ ସଂଗ୍ରହର ସିଏସଙ୍କ ସମୀକ୍ଷା; କୃଷକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ମଣ୍ଡି ସୁପରିଚାଳନା କରିବାକୁ ନିର୍ଦ୍ଦେଶ
ଇଟିଭି ଭାରତ, କଳାହାଣ୍ଡି

