ପାରାଦ୍ୱୀପରେ ହେବ ଗ୍ରୀନ ହାଇଡ୍ରୋଜେନ ଜେଟି; ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ପ୍ରକଳ୍ପଟି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବାର ଆଶା କରାଯାଉଛି ।


Published : February 27, 2026 at 5:34 PM IST
ଭୁବନେଶ୍ୱର: ପୂର୍ବଦୟରୁ ହେବ ନବ ଭାରତର ଉଦୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସ୍ଲୋଗାନର ବାସ୍ତବତା ଏବେ ଓଡ଼ିଶାରେ ପ୍ରତିଫଳିତ ହେବାକୁ ଯାଉଛି । ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ଆଖି ଆଗରେ ରଖି ଓଡିଶାକୁ ମୋଦି ସରକାରଙ୍କ ବଡ଼ ଭେଟି । ବିକଶିତ ଓଡିଶା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାକୁ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ପକ୍ଷରୁ ବନ୍ଦର ସହର ପାରାଦ୍ୱୀପ ଠାରେ ଏକ 'ଗ୍ରୀନ ହାଇଡ୍ରୋଜେନ ଜେଟି' ବିକଶିତ କରାଯିବାକୁ ଘୋଷଣା କରାଯାଇଛି । ଏନେଇ ବିଭାଗ ପକ୍ଷରୁ ୭୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପାରାଦ୍ୱୀପ ବନ୍ଦରକୁ ଏକ ସବୁଜ ଶକ୍ତି କାର୍ଗୋ କେନ୍ଦ୍ରରେ ବିକଶିତ କରିବା ଲାଗି ଏହି ପ୍ରକଳ୍ପ ଡିଜାଇନ କରାଯାଇଛି ।
ଏପଟେ ପାରାଦ୍ୱୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍, ଆମୋନିଆ ଏବଂ ଅନ୍ୟାନ୍ୟ ତରଳ କାର୍ଗୋ ପରିଚାଳନା ଉଦ୍ଧେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୯୭.୧୭ କୋଟିର ଏକ ଜେଟି ଅନୁମୋଦନ ଲାଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ବନ୍ଦର ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଏନେଇ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Heartfelt Gratitude to Hon’ble Prime Minister @narendramodi Ji and Hon’ble Union Minister for Ports, Shipping & Waterways @sarbanandsonwal ji for approving a ₹797.17 crore dedicated jetty at Paradeep Port for handling green hydrogen, ammonia and other liquid cargo.
— Mohan Charan Majhi (@MohanMOdisha) February 27, 2026
With a…
ଗ୍ରୀନ ହାଇଡ୍ରୋଜେନ ଜେଟିରେ କି ବ୍ୟବସ୍ଥା ଉପଲବ୍ଧ ହେବ-
ପ୍ରସ୍ତାବିତ ଭିତ୍ତିଭୂମିରେ ଏକ ସବୁଜ କାର୍ଗୋ ଜେଟି ରହିବ । ୪ ଏମଟିପିଏ ସମର୍ପିତ ଜେଟି ପ୍ରକଳ୍ପ ସହିତ ପାରାଦ୍ୱୀପ ବନ୍ଦର ଜାତୀୟ ସବୁଜ ହାଇଡ୍ରୋଜେନ ମିଶନକୁ ସାକାର ରୂପ ଦେବ । ଗ୍ରୀନ ହାଇଡ୍ରୋଜେନ, ଆମୋନିଆ ଏବଂ ଅନ୍ୟାନ୍ୟ ତରଳ କାର୍ଗୋ ପରିବହନ ପାଇଁ ସ୍ୱତନ୍ତ୍ର ଜେଟି ବିକଶିତ କରାଯିବ । ଏହି ପ୍ରକଳ୍ପ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା ବିଲ୍ଡ-ଅପରେଟ-ଟ୍ରାନ୍ସଫର (ବିଓଟି) ଆଧାରରେ କାର୍ଯ୍ୟକାରୀ କରାଯିବ । ପ୍ରସ୍ତାବିତ ପ୍ରକଳ୍ପରେ ବାର୍ଷିକ ୪ ନିୟୁତ ଟନ୍ ମାଲ ପରିଚାଳନା କ୍ଷମତା ରହିବ । ପାରାଦ୍ୱୀପ ବନ୍ଦରକୁ ଏକ ସବୁଜ ଶକ୍ତି କାର୍ଗୋ କେନ୍ଦ୍ର ଭାବରେ ବିକଶିତ କରିବା ଲାଗି ଏହି ପ୍ରକଳ୍ପକୁ ଡିଜାଇନ୍ କରାଯାଇଛି ।
ଏହା ସହିତ ପ୍ରସ୍ତାବିତ ଭିତ୍ତିଭୂମିରେ ଏକ ସ୍ୱତନ୍ତ୍ର ଜେଟି, ସଂରକ୍ଷଣ ପ୍ରଣାଳୀ, ପାଇପଲାଇନ, ପରିଚାଳନା ଉପକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ ହେବ । ଜେଟିର ଏକ୍ସଟ୍ରିମ୍ ଏଣ୍ଡ ଡଲଫିନ୍ ମଧ୍ୟରେ କେନ୍ଦ୍ରରୁ କେନ୍ଦ୍ର ଦୂରତା ୨୭୯ ମିଟର ଏବଂ ବର୍ଥ ସମ୍ମୁଖରେ ୧୪.୩ ମିଟର ଡ୍ରେଜ୍ ଗଭୀରତା ରହିବ ଯାହାଦ୍ୱାରା ତରଳ କାର୍ଗୋ ଜାହାଜର ସୁରକ୍ଷିତ ପରିଚାଳନା ସମ୍ଭବ ହେବ । ନିର୍ମାଣ ପର୍ଯ୍ୟାୟରେ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ପ୍ରକଳ୍ପ ମୂଲ୍ୟର ୨୦% ସମତୁଲ୍ୟ ପୁଞ୍ଜି ସହାୟତା ପ୍ରଦାନ କରିବେ, ଯାହାର ପରିମାଣ ୧୫୯.୪୩ କୋଟି ଟଙ୍କା । ପ୍ରକଳ୍ପଟି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବାର ଆଶା କରାଯାଉଛି । ଭଳି ଅନେକ ସୁବିଧା ଉପଲବ୍ଧ ହେବ ।
"ପାରାଦ୍ୱୀପ ବନ୍ଦରରେ ଗ୍ରିନ ଜେଟି ପରିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ, ଏହା ଦ୍ୱାରା ଗ୍ରୀନ ହାଇଡ୍ରୋଜେନ ଭଳି ତରଳ ପଦାର୍ଥ ବାହାର ଦେଶ ଏବଂ ରାଜ୍ୟକୁ ରପ୍ତାନୀ ହୋଇପାରିବ । ପୂର୍ବଦୟର ବିକାଶରେ ଓଡ଼ିଶାର ଭାଗ ଅଧିକ । ଓଡ଼ିଶାର ଯେଉଁ ବନ୍ଦର ରହିଛି ତାକୁ କିଭଳି ଚଳଚଞ୍ଚଳ କରାଯାଇପାରିବ, ସେହି ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଗ୍ରୀନ ଏନେର୍ଜି କ୍ଷେତ୍ରରେ ଏକ ରିଭଲୁସନ ହୋଇପାରିବ । ଗ୍ରୀନ ଏନେର୍ଜି ରପ୍ତାନୀ ହୋଇପାରିବ ପଡୋଶୀ ଦେଶ ମାନଙ୍କୁ ଏହା ବେଶ ସହାୟକ ହେବ । ପ୍ରଦ୍ୟୁଷଣକୁ ରୋକିବାରେ ଏହା ସହାୟକ ହେବ । ଓଡିଶା ଅର୍ଥନୀତିକୁ ସାହାଯ୍ୟ କରିବ ନିଯୁକ୍ତି ସୃଷ୍ଟି କରିବ । ଓଡିଶାରୁ ଉତ୍ପାଦନ ହୋଇ ବାହାର ରାଜ୍ୟ ଦେଶକୁ ଯାଇପାରିବ," ବୋଲି ଅର୍ଥନୈତିକ ବିଶେଷଜ୍ଞ ରାଜୀବ ସାହୁ କହିଛନ୍ତି ।
ଏହା ବି ପଢନ୍ତୁ-ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର
ଇଟିଭି ଭାରତ, ଭୁବନେଶ୍ୱର

