ନକଲି ସୁନାରେ ୨.୧୨ କୋଟିର ଗୋଲ୍ଡ ଲୋନ୍ ଠକେଇ: EOW ପଞ୍ଝାରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର
ସତ୍ୟବ୍ରତଙ୍କୁ ବାଲେଶ୍ଵର ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ରିପୋର୍ଟ-ସତ୍ୟଜିତ ରାଉତ

Published : August 31, 2026 at 7:03 PM IST
EOW ARRESTED BANK MANAGER, ଭୁବନେଶ୍ୱର: ନକଲି ସୁନା ଅଳଙ୍କାର ବନ୍ଧକ ରଖି ୨ କୋଟି ୧୨ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ୍ ନେବା ଅଭିଯୋଗରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋଡ଼ା ଶାଖାର ତତ୍କାଳୀନ ଶାଖା ପରିଚାଳକ ସତ୍ୟବ୍ରତ ଭୋଇଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ଆଜି (ସୋମବାର) ଗିରଫ୍ କରିଛି । ସତ୍ୟବ୍ରତଙ୍କୁ ବାଲେଶ୍ଵର ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଇଓଡବ୍ଲ୍ୟୁ ପକ୍ଷରୁ ଜାରି ପ୍ରେସ ରିଲିଜ ଅନୁଯାୟୀ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବାଲେଶ୍ୱର ରିଜିଓନାଲ୍ ଅଫିସ୍ର ମୁଖ୍ୟ ଆଶୁତୋଷ ସୁଶୀଲ କୁମାର ପଟ୍ଟନାୟକଙ୍କ ଲିଖିତ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଅଗଷ୍ଟ ୨୧ରେ
ମାମଲା (ନଂ.୧୨/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ଅନୁସାରେ, ୨୦୨୩ ଜୁନ୍ ରୁ ୨୦୨୪ ଜୁନ୍ ମଧ୍ୟରେ କେନ୍ଦୁଝର ଜୋଡ଼ା ଶାଖାର ତତ୍କାଳୀନ ଶାଖା ପରିଚାଳକ ସତ୍ୟବ୍ରତ ଭୋଇ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ନକଲି ତଥା ଭେଜାଲ ସୁନା ଅଳଙ୍କାର ବନ୍ଧକ ରଖି ୧୦୦ଟି ଗୋଲ୍ଡ ଲୋନ୍ ମଞ୍ଜୁର କରିଥିଲେ । ଏହି ଋଣ ବାବଦରେ ମୋଟ ୨ କୋଟି ୧୨ ଲକ୍ଷ ୨୯ ହଜାର ୯୦୦ ଟଙ୍କା ବିତରଣ କରାଯାଇଥିବା ଅଭିଯୋଗ ହୋଇଛି ।

ତଦନ୍ତରୁ ଜଣାପଡ଼ିଛି ଯେ, ନିୟମ ଉଲ୍ଲଂଘନ କରି ନକଲି ସୁନାରେ ଏହି ଋଣଗୁଡ଼ିକ ମଞ୍ଜୁର କରାଯାଇଥିଲା । ଅନେକ ଋଣ ଫାଇଲ୍ରେ ଆବଶ୍ୟକ ଦଲିଲପତ୍ର, KYC ଏବଂ ପ୍ରକୃତ ଋଣଗ୍ରହିତାଙ୍କ ଦସ୍ତଖତ ନଥିବା, ତଦନ୍ତରେ ସାମ୍ନାକୁ ଆସିଛି । ଏପରିକି Gold Pouch In-Out Register ମଧ୍ୟ ଠିକ୍ ଭାବେ ରଖାଯାଇନଥିଲା । ସତ୍ୟବ୍ରତ ୨୦୨୨ ସେପ୍ଟେମ୍ବର ୧୨ରୁ ଜୋଡ଼ା ଶାଖାର ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ । ବ୍ୟାଙ୍କର ସମସ୍ତ କାର୍ଯ୍ୟ ସହ ଗ୍ରାହକଙ୍କ ଯୋଗ୍ୟତା ଓ KYC ଯାଞ୍ଚ, ବନ୍ଧକ ସୁନାର ମୂଲ୍ୟାୟନ ଓ ଯାଞ୍ଚ, ଗୋଲ୍ଡ ଲୋନ୍ ମଞ୍ଜୁର ଓ ବିତରଣ, ଋଣ ସମ୍ପର୍କିତ ଦଲିଲର ସୁରକ୍ଷିତ ସଂରକ୍ଷଣ ଏବଂ ବନ୍ଧକ ସୁନାର ଯୁଗ୍ମ ହେପାଜତ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ ଥିଲା ।
ତଦନ୍ତ ଅନୁସାରେ, ଋଣ ମଞ୍ଜୁର ପରେ ଟଙ୍କା ପ୍ରଥମେ ସମ୍ପୃକ୍ତ ଋଣଗ୍ରହିତାଙ୍କ ଖାତାରେ ଜମା କରାଯାଉଥିଲା । ପରେ ସେମାନଙ୍କ ଅଜାଣତରେ କିମ୍ବା ସମ୍ମତି ବିନା ସେହି ଟଙ୍କା ଅନ୍ୟ ଖାତାକୁ ସ୍ଥାନାନ୍ତର କରାଯାଉଥିଲା । ଶେଷରେ ସେହି ଟଙ୍କା ଅଭିଯୁକ୍ତ ସତ୍ୟବ୍ରତ ଓ ତାଙ୍କ ସହଯୋଗୀଙ୍କ ଆକାଉଣ୍ଟକୁ ଯାଇଥିବା ତଦନ୍ତରୁ ଜଣାପଡ଼ିଛି । ଏହିପରି ଭାବେ ବ୍ୟାଙ୍କର ଋଣ ଟଙ୍କା ହଡ଼ପ କରିବା ସହ ଟଙ୍କାର ପ୍ରକୃତ ଟ୍ରେଲ୍ ଲୁଚାଇବାକୁ ଉଦ୍ୟମ କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ।
ତେବେ ମୋଟ ୧୦୦ଟି ଗୋଲ୍ଡ ଲୋନ୍ ଆକାଉଣ୍ଟ ମଧ୍ୟରୁ ୨୩ଟି ଆକାଉଣ୍ଟ ବନ୍ଦ ହୋଇଥିବା ବେଳେ ୭୬ଟି ଆକାଉଣ୍ଟ ଏବେ ବି ବକେୟା ରହିଛି । ୨୦୨୬ ଅଗଷ୍ଟ ୧୮ ସୁଦ୍ଧା ଏହି ୭୬ଟି ସକ୍ରିୟ ଖାତାର ମୋଟ ବକେୟା ରାଶି ୧ କୋଟି ୯୭ ଲକ୍ଷ ୫୦ ହଜାର ୬୩୬ ଟଙ୍କା ୭୧ ପଇସା ରହିଛି ।

ଏହି ଠକେଇରେ ଅଭିଯୁକ୍ତ ସତ୍ୟବ୍ରତଙ୍କ ସହ ଅନ୍ୟ ଷଡ଼ଯନ୍ତ୍ରକାରୀଙ୍କ ଭୂମିକା ଥିବା ତଦନ୍ତରୁ ଜଣାପଡ଼ିଛି । ମାମଲାର ତଦନ୍ତ ଜାରି ରଖିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଛି ।
ଏହା ମଧ୍ୟ ପଢ଼ନ୍ତୁ- ବହୁଗୁଣ ଲାଭ ଦେବା ଆଳରେ ୨ଶହ କୋଟି ଠକେଇ; ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା EOW
ଏହା ମଧ୍ୟ ପଢ଼ନ୍ତୁ- ଫେକ୍ ସୁନା ଋଣ କରି SBIରୁ ୫.୨୧ କୋଟି ହଡ଼ପ ମାମଲା, ଆଉ ଦୁଇ ଅଧିକାରୀଙ୍କୁ ଗିରଫ କଲା EOW
ଏହା ମଧ୍ୟ ପଢ଼ନ୍ତୁ- DMF ଆକାଉଣ୍ଟରୁ ୯.୫୬ କୋଟି ହଡ଼ପ ଘଟଣା: ଛତିଶଗଡ଼ରୁ ଆଉ ଦୁଇ ଜଣଙ୍କୁ ଗିରଫ କଲା EOW
ଇଟିଭି ଭାରତ, ଭୁବନେଶ୍ବର

