ଗାଁକୁ ଗ୍ରାସ କଲାଣି ଗୋବରୀ ନଦୀ.. ଭିଟାମାଟିର ସୁରକ୍ଷା ଚିନ୍ତାରେ ମଧୁରକୁଳ ଗ୍ରାମବାସୀ
ନଦୀର ଡାହାଣ ପାର୍ଶ୍ୱ ପ୍ରବଳ ବେଗରେ ଗାଁ ଆଡ଼କୁ ମାଡ଼ି ଆସୁଛି । ଇତି ମଧ୍ୟରେ ୫ଟି ପରିବାର ନିଜର ଭିଟାମାଟି ହରାଇ ସମ୍ପୂର୍ଣ୍ଣ ବାସହରା ହୋଇ ପଡିଲେଣି । ରିପୋର୍ଟ-ରାଧାକାନ୍ତ ମହାନ୍ତି


Published : August 26, 2026 at 2:33 PM IST
କେନ୍ଦ୍ରାପଡ଼ା: କୂଳ ଖାଉଛି ଗୋବରୀ ନଦୀ । ଗାଁ ଆଡକୁ ମାଡି ମାଡି ଆସୁଛି । ଦିନକୁ ଦିନ କରାଳ ରୂପ ନେଉଛି । ତାର ଭୟଙ୍କର ରୂପ ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ମଧୁରକୁଳ ଗାଁ ଲୋକେ । ଯେଉଁ ଗୋବରୀ ଦିନେ ସେମାନଙ୍କର ସୁଖ ଦୁଃଖର ସାଥୀ ଥିଲା, ଆଜି ତାର କରାଳ କାୟା ଗାଁକୁ ଗ୍ରାସ କରିବାକୁ ବସିଛି । ଗୋବରୀର ଏ ରୂପ ଦେଖି ଗାଁ ଲୋକେ ଭିଟାମାଟି ଛାଡ଼ି ଚାଲିଯିବାକୁ ଭାବୁଛନ୍ତି । ହେଲେ ଯିବେ କୁଆଡେ ? ରହିବେ କେଉଁଠି ? ନଦୀ ବନ୍ଧରେ ପଥର ପ୍ୟାକିଙ୍ଗ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଦାବି କରି ଆସୁଛନ୍ତି ଗାଁ ଲୋକେ । ହେଲେ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଇତି ମଧ୍ୟରେ ଗୋବରୀ ପାଇଁ ଅନେକ ପରିବାର ବାସହରା ହେଲେଣି । ଯେଉଁମାନେ ଭିଟାମାଟି ଲୋଭରେ ଗାଁରେ ରହିଛନ୍ତି, ସେମାନେ କେବଳ ପ୍ରଶାସନର ସହାୟତାକୁ ଅପେକ୍ଷା କରିଛନ୍ତି ।
ବିପଦସଙ୍କୁଳ ଗାଁ, ଭୟରେ ବାସିନ୍ଦା
କେନ୍ଦ୍ରାପଡ଼ା ସଦର ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତର ମଧୁରକୁଳ ଗାଁ। କେନ୍ଦାପଡା ସହରଠାରୁ ମାତ୍ର 16 କିମି ଦୂର। ଗାଁ ମୁଣ୍ଡ ଦେଇ ବହି ଯାଉଛି ଗୋବରୀ ନଦୀ । ଦିନକୁ ଦିନ ଗୋବରୀ ତାର କାୟା ବିସ୍ତାର କରୁଛି । ଗତ ୧୦ ବର୍ଷ ଧରି ନଦୀ ନିରନ୍ତର କୂଳ ଖାଇବା ଯୋଗୁଁ ଗ୍ରାମର ସ୍ଥିତି ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଛି। ନଦୀର ଡାହାଣ ପାର୍ଶ୍ୱ ପ୍ରବଳ ବେଗରେ ଗାଁ ଆଡ଼କୁ ମାଡ଼ି ଆସୁଥିବାରୁ ଇତି ମଧ୍ୟରେ ୫ଟି ପରିବାର ନିଜର ଭିଟାମାଟି ହରାଇ ସମ୍ପୂର୍ଣ୍ଣ ବାସହରା ହୋଇ ପଡିଲେଣି । ଏହା ସହିତ ପ୍ରାୟ ୨୦୦ ଗୁଣ୍ଠ ମୂଲ୍ୟବାନ ଚାଷ ଓ ଆବାସିକ ଜମି ଗୋବରୀ ନଦୀ ଗର୍ଭରେ ଲୀନ ହୋଇ ସାରିଲାଣି । ଯେଉଁମାନେ ଗାଁରେ ରହୁଛନ୍ତି ସେମାନେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । ହୁଏତ ଆଉ କେତେଦିନ ପରେ ତାଙ୍କ ବାସସ୍ଥାନ ବି ନଦୀ ଆଁରେ ବିଲୀନ ହୋଇ ଯାଇପାରେ !

ଗୋଟିଏ ପଟେ ଜମି ହରାଇବାର ଦୁଃଖ ଓ ଅନ୍ୟପଟେ କୁମ୍ଭୀର ଆତଙ୍କ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି। କାରଣ ୨୦୨୪ରେ ଗୋବରୀ ନଦୀରେ ଏକ କୁମ୍ଭୀର ଦେଖିବାକୁ ମିଳିଥିଲା । ଏକ ଗାଈକୁ ଆକ୍ରମଣ କରୁଥିବା ବେଳେ ଗ୍ରାମବାସୀ ଦେଖି ଗାଇଟିକୁ ଉଦ୍ଧାର କରିଥିଲେ । ଏବେ ବି ବେଳେବେଳେ ନଈରେ କୁମ୍ଭୀର ଦେଖିବାକୁ ମିଳେ । ତେଣୁ କୁମ୍ଭୀର ଆଶଙ୍କା ମନରୁ ଯାଉନି । ଏପଟେ ନଦୀକୂଳ ଧସିବା ଯୋଗୁଁ ବାକି ରହି ଯାଇଥିବା ଘରଗୁଡ଼ିକ ପ୍ରତି ମଧ୍ୟ ନିରନ୍ତର ବିପଦ ଘନେଇ ଆସୁଛି । ଏଥିସହିତ ଚାଷଜମି ନଦୀରେ ମିଶିଯିବାରୁ ଅନେକ ଚାଷୀ ନିଜର ଜୀବିକା ହରାଇଛନ୍ତି।

'ଆଜି ଯେଉଁଠି ନଦୀ ଅଛି, ଆମେ ସେଠି ବେଙ୍ଗେଳା ବୁଲାଉଥିଲୁ'
ଗାଁର ଜଣେ ବୟସ୍କ ବ୍ୟକ୍ତି ଗୋବିନ୍ଦ ଦାସ କୁହନ୍ତି, "ଆମେ ଦେଖି ଆସୁଛୁ, ନଈ କୂଳ ଖାଇ ଖାଇ ଆସୁଛି । ଆଜି ଯେଉଁଠି ନଦୀ ଅଛି ଆମେ ସେଠି ଦିନେ ୧୦-୧୨ଟା ବଳଦ ନେଇ ବେଙ୍ଗଳା ବୁଲାଉଥିଲୁ । ହେଲେ ଆଜି ସବୁ ନଦୀ ଗର୍ଭରେ ବିଲୀନ । ନଈ ଆମ ବାରିପଟେ ୪-୫ଟି ଗହୀର ଆଖଡ଼ା ପରେ ଥିଲା। ସବୁ ନଈ ଖାଇଗଲା । ଏବେ ନଈ ଆସି ଆମ ପାଖରେ ପହଞ୍ଚି ଗଲାଣି। ଆମର ବି ଦାଦା ପୁଅ ଭାଇ, ଆମେ ଭାଇ ଭିତରୁ କେତେଜଣ ବାହାରକୁ ପଳେଇଲେଣି । ସରକାର ଯଦି ନଦୀବନ୍ଧରେ ସ୍ପର କରିଦିଅନ୍ତେ ତାହେଲେ ପାଣି ଅଟକି ଯାଆନ୍ତା । ଆମମାନେ ଏଠାରେ ରହିପାରନ୍ତୁ ।"

ସେ ଆହୁରି କହିଛନ୍ତି, "ଯେଉଁ ପଥର ବନ୍ଧ କରାଯାଇଛି ତାହା ଅଧାପନ୍ତରିଆ ରହିଛି । ନଦୀ ସ୍ରୋତ ଯୋଗୁ କାମ ଠିକରେ ରହିଲାନି, ଯାହା ଫଳରେ ଠିକାଦାରର କ୍ଷତି ହେଲା । ସେ ତରବରିଆ କାମ କଲା, ତା ପୁଣି ଅଧା । ଅଳ୍ପ କିଛି ପଥର ପକାଇ କାମ ଛାଡ଼ି ଚାଲିଗଲା । ଏହି ନିମ୍ନମାନର କାମ ଯୋଗୁଁ ନଦୀ ପୁଣିଥରେ ଗ୍ରାମ ଆଡ଼କୁ ମାଡ଼ିଆସୁଛି। ଯଦି ପ୍ରଶାସନ ତୁରନ୍ତ ଏଠାରେ ସ୍ଥାୟୀ ପଥର ସ୍ପର ନିର୍ମାଣ ନକରେ ତେବେ ବଳକା ପରିବାର ମଧ୍ୟ ନିଜର ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ" ବୋଲି କହିଛନ୍ତି ଗୋବିନ୍ଦ ଦାସ ।

ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଉଛି, ତୁରନ୍ତ କାମ ହେବ
ଏନେଇ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରାକେଶ ମଲ୍ଲିକଙ୍କୁ ପଚାରିବାରୁ ସେ କହନ୍ତି,"ସେଠାରେ ଦୁଇବର୍ଷ ତଳେ କାମ ହୋଇଥିଲା । କେତେଟା ଜାଗାରେ ବନ୍ଧ ଧସି ଯାଇଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ । ଘଟଣାସ୍ଥଳକୁ JE, SDO ଯାଇ ତଦନ୍ତ କରିଥିଲେ । ତଦନ୍ତ ପରେ ବିଭାଗ ପକ୍ଷରୁ ଏହି କାମର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଉଛି । ଏହା ପରେ ଆମେ ତୁରନ୍ତ ଟେଣ୍ଡର ଡାକି ସୁରକ୍ଷା କାମ ଆରମ୍ଭ କରିବୁ। ଏଥିପାଇଁ ଅନ୍ଲାଇନ୍ ଟେଣ୍ଡର ହେବ । ନିୟମ ଅନୁଯାୟୀ ଯେମିତି ହେବା କଥା ତାହା ହେବ" ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି।

ଯାହା ବି ହେଉ, ଗୋବରୀ ନଦୀର କରାଳ ଗ୍ରାସରୁ ମଧୁରକୁଳ ଗ୍ରାମକୁ ରକ୍ଷା କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାୟୀ ପ୍ରତିକାର କରିବାକୁ ଗାଁ ଲୋକେ ଦାବି କରୁଥିବାବେଳେ ପ୍ରଶାସନର ପ୍ରତିଶ୍ରୁତି କେବେ ବାସ୍ତବ ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା।
ଇଟିଭି ଭାରତ, କେନ୍ଦ୍ରାପଡ଼ା
ଏହା ମଧ୍ୟ ପଢନ୍ତୁ ବନ୍ୟା ଘେରରେ ଘର; ଉଜୁଡ଼ା ବାସସ୍ଥାନକୁ ସଜାଡ଼ିବେ କେମିତି, ଚିନ୍ତାରେ ବନ୍ୟା ବିପନ୍ନ - FLOOD AFFECTED FAMILY JAJPUR
ଏହା ମଧ୍ୟ ପଢନ୍ତୁ ହଠାତ୍ ମାଡ଼ି ଆସିଲା ବନ୍ୟା ଜଳ, ଜଳପ୍ରଳୟରୁ ଜୀବନ ବାଜି ଲଗାଇ ବୃଦ୍ଧଙ୍କୁ ଉଦ୍ଧାର କଲା ବେଗୁନିଆ ଅଗ୍ନିଶମ ବାହିନୀ - FLOOD IN KHORDHA

