GMAPV କାର୍ଯ୍ୟକ୍ରମର ସମୀକ୍ଷା; ୨୦୨୭ ମାର୍ଚ୍ଚ ସୁଦ୍ଧା ୨୨୦୦ ସ୍କୁଲ ପାଇଁ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
GMAPV ଯୋଜନାର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳମାନେ ସାପ୍ତାହିକ ରିପୋର୍ଟ ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ପ୍ରତି ମାସରେ ଥରେ ସମୀକ୍ଷା କରିବେ । ରିପୋର୍ଟ: ଭବାନୀ ଶଙ୍କର ଦାସ


Published : July 8, 2026 at 10:42 PM IST
GMAPV Program Review ଭୁବନେଶ୍ବର: ମାର୍ଚ୍ଚ ୨୦୨୭ ସୁଦ୍ଧା ୨୨୦୦ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଜମି ଯୋଗାଇ ଦେବେ ଜିଲ୍ଲାପାଳ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯୋଜନାର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳମାନେ ସାପ୍ତାହିକ ରିପୋର୍ଟ ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ପ୍ରତି ମାସରେ ଥରେ ସମୀକ୍ଷା କରିବେ । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ' ପ୍ରକଳ୍ପକୁ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରୁଛନ୍ତି । ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ପର୍ଯ୍ୟାୟରେ ଯେଉଁ ୨୨୦୦ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ସ୍ଥିରୀକୃତ ହୋଇଛି । ସେହି ସମସ୍ତ ବିଦ୍ୟାଳୟ ପାଇଁ ମାର୍ଚ୍ଚ ୨୦୨୭ ସୁଦ୍ଧା ଜମି ଚିହ୍ନଟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟର ଅଗ୍ରଗତି ପାଇଁ ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ ଏହାର ତଦାରଖ କରିବେ । ଏକ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ନିଜେ ପ୍ରତି ମାସରେ ଏହି ପ୍ରକଳ୍ପର ସମୀକ୍ଷା କରିବେ ।

ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରାୟ ୨୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରିଛନ୍ତି । ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜାତୀୟ ଶିକ୍ଷା ନୀତି - ୨୦୨୦ ଓ ଶିକ୍ଷା ଅଧିକାର - ୨୦୦୯ ର ଲକ୍ଷ୍ୟ ପୂରଣ ପାଇଁ ପଞ୍ଚାୟତ ସ୍ତରରେ ବିଶ୍ୱସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ଏହି ଯୋଜନାର ମୂଳ ଲକ୍ଷ୍ୟ । ବର୍ତ୍ତମାନ ସୁଦ୍ଧା ୩୨୨ଟି ସ୍କୁଲ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇ କାମ ଆରମ୍ଭ ହୋଇଛି । ତେଣୁ ବାକିତକ ବିଦ୍ୟାଳୟ ପାଇଁ ତୁରନ୍ତ ଜମିର ଚିହ୍ନଟ କରିବା ପାଇଁ ଜିଲ୍ଲାପାଳମାନେ ଗୁରୁତ୍ୱ ଦେଇ ଉଦ୍ୟମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜମି ଚିହ୍ନଟ ପ୍ରକ୍ରିୟାରେ ସ୍ଥାନୀୟ ବିଧାୟକମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହା ଦ୍ୱାରା ଜମି ଚିହ୍ନଟ ପ୍ରକ୍ରିୟା ସହଜ ଏବଂ ତ୍ୱରାନ୍ୱିତ ହେବ ।

ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି, "ଏହି ପ୍ରକଳ୍ପର ସଫଳତା ପାଇଁ ଜିଲ୍ଲାପାଳମାନଙ୍କ ସକ୍ରିୟ ଉଦ୍ୟମ ଏକାନ୍ତ ଜରୁରୀ । ସମସ୍ତେ ଏହାକୁ ଗୁରୁତ୍ୱର ସହ ନେଇ ଧାର୍ଯ୍ୟ ଟାର୍ଗେଟ ପୂରଣ କରନ୍ତୁ ।" ୨୨୦୦ ବିଦ୍ୟାଳୟକୁ ଖୁବଶୀଘ୍ର ନିର୍ମାଣ କରିବା ପାଇଁ ପ୍ରଶାସନିକ କଳ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବାର ଲକ୍ଷ୍ୟ ରହିଛି । ବୈଠକରେ ଭିସି ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଏନ. ତିରୁମାଲା ଓ OSEPAର ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳମାନେ ଭିସି ମାଧ୍ୟମରେ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ- ବିଏମସିର ବନୀକରଣ, ମିୟାଓ୍ୱାକି ପଦ୍ଧତିରେ 2.5 ଏକର ଜମିରେ ଲାଗିଲା ୮ ହଜାର ଗଛ
ଏହା ମଧ୍ୟ ପଢ଼ନ୍ତୁ- ବନ ସୃଷ୍ଟି ନାଁରେ ଏକର ଏକର ବନ ନଷ୍ଟ: ବିଭାଗ କହୁଛି, ଘଟଣାର ତଦନ୍ତ ହେବ
ଇଟିଭି ଭାରତ, ଭୁବନେଶ୍ବର

