ETV Bharat / state

ଭୁବନେଶ୍ୱର ହେବ 'ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର', ଆଉ ଦୌଡ଼ିବାକୁ ପଡ଼ିବନି କୋଲକାତା କିମ୍ବା ହାଇଦ୍ରାବାଦ୍

ପ୍ରସ୍ତାବିତ ଭିସା ସେଣ୍ଟର ବରମୁଣ୍ଡା ବସ୍ ଟର୍ମିନାଲ୍ ବିଲ୍‌ଡିଂରେ କାର୍ଯ୍ୟକ୍ଷମ ହେବ । ଓଡିଶା ସରକାର ୩ ହଜାର ବର୍ଗଫୁଟ ଜାଗା ଯୋଗାଇବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Global Visa Application Centre
ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର (File pic)
author img

By ETV Bharat Odisha Team

Published : December 15, 2025 at 3:48 PM IST

|

Updated : December 15, 2025 at 4:41 PM IST

2 Min Read
Choose ETV Bharat

GLOBAL VISA APPLICATION CENTRE ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସିଖବର ! ଆନ୍ତର୍ଜାତିକ ଯାତ୍ରା ସମ୍ପର୍କିତ ସୁବିଧାକୁ ସହଜ ଓ ସୁଲଭ କରିବା ଦିଗରେ ଓଡ଼ିଶା ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ସୋମବାର) ଅନୁମୋଦନ ପ୍ରଦାନ କରିଛନ୍ତି ।

ଏହି ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟବାସୀଙ୍କୁ ଭିସା ସମ୍ପର୍କିତ କାମ ପାଇଁ ଆଉ କୋଲକତା, ଦିଲ୍ଲୀ, ମୁମ୍ବାଇ କିମ୍ବା ହାଇଦ୍ରାବାଦ ଭଳି ଦୂର ସହରକୁ ଯିବାକୁ ପଡିବ ନାହିଁ । ପ୍ରସ୍ତାବିତ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍ଡିଙ୍ଗ୍‌ରେ ସ୍ଥାପିତ ହେବ । ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାର ପ୍ରାୟ ୩ ହଜାର ବର୍ଗଫୁଟ୍ ଜାଗା ଯୋଗାଇଦେବେ । ରାଜ୍ୟ ସରକାରଙ୍କ ଏହି ସହଯୋଗ ମାଧ୍ୟମରେ ଭିସା ସେବା ସଂସ୍ଥା ଶୀଘ୍ର କାର୍ଯ୍ୟାରମ୍ଭ କରିପାରିବ ବୋଲି ଆଶା କରାଯାଉଛି ।


ଗତ କିଛି ବର୍ଷ ଧରି ଓଡ଼ିଶାରୁ ଶିକ୍ଷା, ଚିକିତ୍ସା, ଚାକିରି, ପର୍ଯ୍ୟଟନ ଓ ବ୍ୟବସାୟ ଉଦ୍ଦେଶ୍ୟରେ ବିଦେଶ ଯାଉଥିବା ଲୋକଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। ତେବେ ରାଜ୍ୟରେ ଭିସା ଆପ୍ଲିକେସନ ସେଣ୍ଟର ନଥିବାରୁ ଆବେଦକମାନଙ୍କୁ ଭିସା ଫର୍ମ ଦାଖଲ, ବାୟୋମେଟ୍ରିକ୍ ତଥ୍ୟ ଦେବା ଓ ସାକ୍ଷାତକାର ପାଇଁ ଅନ୍ୟ ସହରକୁ ଯିବାକୁ ପଡୁଥିଲା । ଏହା ଫଳରେ ଅଧିକ ସମୟ, ଧନ ଓ ଅସୁବିଧା ସହିବାକୁ ପଡୁଥିଲା ।


"ଭୁବନେଶ୍ୱରରେ ଭିସା ଅପ୍ପଲିକେସନ ସେଣ୍ଟର ଖୋଲିବା ନିଶ୍ଚିତ ଭାବରେ ଏକ ଖୁସିର ଖବର । ଭିସା ଇଣ୍ଟରଭିୟୁ ପାଇଁ ମୁଁ ଏବେ କଲିକତା ଯାଇକି ଫେରିଲି । ଯେହେତୁ ଇଣ୍ଡିଗୋ ଫ୍ଲାଇଟ ଅସୁବିଧା ହୋଇଥିଲା ଏବଂ ଟ୍ରେନ ଟିକେଟ ନମିଳିବାରୁ ମୁଁ ବାଧ୍ୟ ହୋଇ ରୋଡରେ ଯାଇ ଭିସା ଇଣ୍ଟରଭିୟୁ ଦେଇକି ଆସିଲି । ଯାହା ପାଇଁ ମୁଁ ତିନି ଦିନ ଅଫିସରୁ ଛୁଟି ନେବା ସହ ମୋତେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା," କହିଛନ୍ତି ରୂପଶ୍ରୀ ସ୍ୱାଇଁ । ରୂପଶ୍ରୀ ଆସନ୍ତା ଜାନୁଆରୀ ମାସରେ ୟୁରୋପ ବୁଲି ଯିବାକୁ ଚାହୁଁଥିବା କହିଛନ୍ତି ।


ଭୁବନେଶ୍ୱରରେ ଭିସା ସେଣ୍ଟର ସ୍ଥାପନ ନେଇ ରାଜ୍ୟବାସୀ, ବିଶେଷକରି ଛାତ୍ରଛାତ୍ରୀ, ପେଶାଜୀବୀ ଓ ଯୁବକମାନଙ୍କ ପକ୍ଷରୁ ବହୁଦିନ ଧରି ଦାବି ହୋଇଆସୁଥିଲା । ଏହି ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।


ଏହି ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ସ୍ଥାପନ ଦ୍ୱାରା ଭୁବନେଶ୍ୱର ଆନ୍ତର୍ଜାତିକ ସେବା କେନ୍ଦ୍ର ଭାବେ ଆହୁରି ସୁଦୃଢ଼ ହେବା ସହ ରାଜ୍ୟର ଆର୍ଥିକ ଓ ପର୍ଯ୍ୟଟନ ବିକାଶକୁ ମଧ୍ୟ ନୂତନ ଗତି ମିଳିବ ବୋଲି ଆଶା କରାଯାଉଛି ।

ଗ୍ଲୋବାଲ୍ ଭିସା ଆବେଦନ କେନ୍ଦ୍ର କ'ଣ ?

ଗ୍ଲୋବାଲ୍ ଭିସା ଆବେଦନ କେନ୍ଦ୍ର (VAC) ହେଉଛି ଏକ ଅନୁମୋଦିତ ସେବା ସୁବିଧା ଯାହା ଭିସା ଆବେଦନର ପ୍ରଶାସନିକ ଦିଗଗୁଡ଼ିକୁ ପରିଚାଳନା କରେ । ଏହା ସାଧାରଣତଃ ଆପଣଙ୍କ ଭିସା ଯାତ୍ରାର ପ୍ରଥମ ପଦକ୍ଷେପ, କାଗଜପତ୍ର ପରିଚାଳନା, ବାୟୋମେଟ୍ରିକ୍ ନାମଲେଖା ଏବଂ ଆବେଦନ ଲଜିଷ୍ଟିକ୍ସ ସୁବିଧା ପ୍ରଦାନ କରିଥାଏ । ତେବେ ଦୂତାବାସ କିମ୍ବା କନସୁଲେଟ୍ ସ୍ୱାଧୀନ ଭାବରେ ଆପଣଙ୍କ ଆବେଦନ ସମୀକ୍ଷା କରନ୍ତି ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି।

ଏହା ବି ପଢନ୍ତୁ- ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ, ଓଡ଼ିଶାରେ ହେବ କୋଇଲା ଗ୍ୟାସିଫିକେସନ୍ ପ୍ରୋଜେକ୍ଟ: ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ୱର

Last Updated : December 15, 2025 at 4:41 PM IST