ରାଖୀରେ ଭଉଣୀଙ୍କୁ ଭେଟି: ନୟାଗଡ଼ରୁ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ 'ସୁଭଦ୍ରା'ର ପଞ୍ଚମ କିସ୍ତି
ନୟାଗଡ଼ ଜିଲ୍ଲା ଲାଠିପଡ଼ା ଠାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ୫,୧୬୩ କୋଟିରୁ ଊର୍ଦ୍ଧ୍ୱ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି । ରିପୋର୍ଟ: ବିଶ୍ବଭୂଷଣ ମହାପାତ୍ର

Published : August 28, 2026 at 9:39 PM IST
SUBHADRA YOJANA 5TH INSTALLMENT, ନୟାଗଡ଼: ରାଖୀ ପୂର୍ଣ୍ଣିମା ଅବସରରେ ଭାଇଟିଏ ନିଜ ଭଉଣୀକୁ କିଛି ଉପହାର ଦେଇଥାଏ । ଠିକ୍ ସେହିପରି ଓଡ଼ିଶାର ଶାସନ ମୁଖ୍ୟ ଭାବେ ରକ୍ଷା ବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ମତେ ଏକ ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ କହିଛନ୍ତି ।
ଆଜି ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଓ ବିଧାୟକଙ୍କ ଗହଣରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି । ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ୫,୧୬୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି ।
ଉପସ୍ଥିତ ସୁଭଦ୍ରା ମା’ ଓ ଭଉଣୀ ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ,“ସୁଭଦ୍ରା ଯୋଜନା କେବଳ ଟଙ୍କା ଆବଣ୍ଟନର ଅବସର ନୁହେଁ, ଏହା ହେଉଛି ନାରୀ ସଶକ୍ତିକରଣର ପ୍ରତୀକ ଏବଂ ରାଜ୍ୟର ଅଧା ଜନସଂଖ୍ୟା ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତା ।’
ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ,“ସୁଭଦ୍ରା ହେଉଛି ମା ଓ ଭଉଣୀ ମାନଙ୍କ ସ୍ୱପ୍ନ, ସମ୍ମାନ ଓ ସ୍ୱାବଲମ୍ବୀ ପ୍ରତୀକ । ରାଖୀ ପୂର୍ଣ୍ଣିମା ଅବସରରେ ଆମ ବସ୍ ରେ ମା’ ଓ ଭଉଣୀ ମାନଙ୍କ ପାଇଁ ମାଗଣା ଯାତ୍ରା ସୁବିଧା କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ସୁଭଦ୍ରା ଆଜି ମହିଳାମାନଙ୍କୁ ନିଜେ ନିଷ୍ପତ୍ତି ନେବାର ଓ ଉଦ୍ୟୋଗୀ ବନିବାର ସୁଯୋଗ ପ୍ରଦାନ କରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସୁଭଦ୍ରା ହେବ ବିକାଶର ମୂଳପିଣ୍ଡ,’ ବୋଲି ସେ କହିଥିଲେ ।
ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ଧାର୍ଯ୍ୟ ସମୟ ପୂର୍ବରୁ ଲକ୍ଷପତି ଦିଦି ଟାର୍ଗେଟ୍ ହାସଲ କରି ରେକର୍ଡ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇ କହିଥିଲେ ଯେ,“ଟେଲିଭିଜନରେ ମୁଖ୍ୟମନ୍ତ୍ରୀଙ୍କ ବୋଟ୍ ଓ ଖାଲିପାଦରେ ବନ୍ୟା ଗସ୍ତ ଦେଖି ସଂସଦରେ ସାଂସଦ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।“
କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଥିଲେ ଯେ,“ମାତୃ ଶକ୍ତିର ଜାଗରଣ ହେଲେ ସମାଜର ବିକାଶ ହୁଏ । ଆଜି ଦେଶରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମାତୃଶକ୍ତିର ସମ୍ମାନ କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି ହୋଇଛି ।“
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାର ସଫଳ ସୁଭଦ୍ରା ହିତାଧିକାରୀ ଓ ପ୍ରଶିକ୍ଷିତ ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ । Subhadra Annual report ୨୦୨୫-୨୬, SBI Survey Report ଏବଂ ସୁଭଦ୍ରା ସମୀକ୍ଷା ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଏବଂ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ; 1,03,00000 ମହିଳାଙ୍କ ଆକାଉଣ୍ଟକୁ ଗଲା ପଞ୍ଚମ କିସ୍ତି
ଏହା ମଧ୍ୟ ପଢ଼ନ୍ତୁ: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ରକ୍ଷା ବନ୍ଧନ ଉତ୍ସବ: ପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାଖୀ ପିନ୍ଧାଇଲେ ଭଉଣୀ ସୁଭଦ୍ରା
ଇଟିଭି ଭାରତ, ନୟାଗଡ଼

