ବିପଦରେ ଜିଓ ସିନ୍ଥେଟିକ ୱାଲ ! ନିଆଁ ଲାଗିବା ପରେ ସୁରକ୍ଷା ଚିନ୍ତାରେ କେନ୍ଦ୍ରାପଡ଼ାର ସମୁଦ୍ରକୂଳିଆ ଲୋକ
କେନ୍ଦ୍ରାପଡ଼ା ରାଜନଗର ପେଣ୍ଠଠାରେ ୨୦୧୮ରେ ୩୨ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଜିଓ ସିନ୍ଥେଟିକ ୱାଲ୍ । ପ୍ରାକୃତିକ ବିପର୍ଯ୍ୟୟରୁ ସମୁଦ୍ର କୂଳିଆ ଜନବସତି ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିଲା।

Published : January 7, 2026 at 5:38 PM IST
ରିପୋର୍ଟ: ରାଧାକାନ୍ତ ମହାନ୍ତି
Geosynthetic Wall Kendrapara କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସମୁଦ୍ରକୂଳ ପେଣ୍ଠ ନିକଟ ବଙ୍ଗୋପସାଗର କୂଳରେ ଥିବା ଓଡିଶାର ଏକ ମାତ୍ର ଜିଓ ସିନ୍ଥେଟିକ୍ ୱାଲରେ ଗତ ରବିବାର ରାତିରେ ନିଆଁ ଲାଗି ଯାଇଥିଲା । ପ୍ରଥମ ଦିନ ଦୀର୍ଘ ୮ ଘଣ୍ଟାର ପରିଶ୍ରମ ଓ ଦ୍ଵିତୀୟ ଦିନରେ ଦୀର୍ଘ ୯ ଘଣ୍ଟା ଧରି ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଚେଷ୍ଟା ଚଳାଇଥିଲା । ତଥାପି ମଧ୍ୟ କୁହୁଳୁଥିବା ନିଆଁର ଭୟ ସରିନାହିଁ । ବାରମ୍ବାର ଏପରି ଅଗ୍ନିକାଣ୍ଡ ଘଟୁଥିବାରୁ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କେନ୍ଦ୍ରାପଡ଼ାରେ ଜିଓ ସିନ୍ଥେଟିକ ୱାଲ ଭାରତର ଦ୍ୱିତୀୟ ଓ ଓଡିଶାର ଏକମାତ୍ର ଜିଓ ସିନ୍ଥେଟିକ ୱାଲ ଅଟେ । ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଥିବାରୁ ଏହାର ପ୍ରତିକାର ପାଇଁ ୨୦୧୮ ମସିହାରେ ଏହାର ନିର୍ମାଣ କରାଯାଇଥିଲା । ପୁର୍ବରୁ ୨୦୧୯ ମସିହା ଓ ୨୦୨୨ ମସିହାରେ ଏଥିରେ ନିଆଁ ଲାଗିଥିଲା । ତେଣୁ ଏହାର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜିଓ ସିନ୍ଥେଟିକ ୱାଲ କ'ଣ ?
କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ସମୟରେ ବାତ୍ୟା, ବନ୍ୟା ଓ ଭୟଙ୍କର ସାମୁଦ୍ରିକ ଝଡ଼ ସୁନାମୀ କାରଣରୁ ସମୁଦ୍ର ଜୁଆର ମାଡିଆସିବାରୁ କୂଳ କ୍ଷୟ ପ୍ରାପ୍ତ ହେବା ସହିତ ଉପକୂଳବର୍ତ୍ତୀ ଗ୍ରାମ ସମୁଦ୍ର ମଧ୍ୟରେ ଲୀନ ହେବାରେ ଲାଗିଥିଲା । ଏହି ସମସ୍ୟାର ସମାଧାନ ପାଇଁ ୨୦୧୮ ମସିହାରେ ସରକାର କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠ ଠାରେ ୩୨ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ଏକ ଜିଓ ସିନ୍ଥେଟିକ ବନ୍ଧ ନିର୍ମାଣ କରିଥିଲେ । ଯାହାକି ଏକ ବିରାଟ ପଥର ବନ୍ଧ ଅଟେ । ଏହା ସମୁଦ୍ର ଜୁଆରର କୂଳ ଖାଇବାରେ ଏହି ବନ୍ଧ ପ୍ରତିବନ୍ଧକ ସାଜିବା ସହିତ ପେଣ୍ଠ ଓ ରାଜନଗର ଭଳି ଅନେକ ଗ୍ରାମର ସୁରକ୍ଷା ପାଇଁ ପ୍ରାଚୀର ଭାବେ କାର୍ଯ୍ୟ କରୁଛି ।

ତଥ୍ୟ ଅନୁସାରେ କେନ୍ଦ୍ରପଡା ଜିଲ୍ଲାରେ ମୋଟ ୭୪୪.୩୭ କି.ମି ପରିବ୍ୟାପ୍ତ ଲୁଣା ତଟବନ୍ଧ ଅଛି । ଏହି ବନ୍ଧ ଅସୁରକ୍ଷିତ ହୋଇପଡିବାରୁ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାର ୪୫୫ ଗ୍ରାମାଞ୍ଚଳରେ ସମୁଦ୍ର ଓ ନଦୀ ଜଳ ପଶିଆସୁଛି । ଏଥିସହିତ ଜିଲ୍ଲାରେ ଉଭୟ ରାଜନଗର ଓ ମହାକାଳପଡ଼ାର ମୋଟ ୬୪ଟି ଗ୍ରାମକୁ ସୁନାମୀ ପ୍ରବଣ ବୋଲି ଚିହ୍ନଟ କରାଯାଇଥିବାର ରିପୋର୍ଟ ପ୍ରକାଶ ପାଇଥିଲା ।

ଜିଓ ସିନ୍ଥେଟିକ ୱାଲର ନିର୍ମାଣ ଓ ମରାମତି:
- ୨୦୧୮ ମସିହାରେ ଜିଓ ସିନ୍ଥେଟିକ ୱାଲ ନିର୍ମାଣ
- ୱାଲର ଗାବିୟନ ବକ୍ସରୁ ପଥର ବାହାରିବା କାରଣରୁ ମରାମତି । ଖର୍ଚ୍ଚ: ୪ କୋଟି ୬୫ ଲକ୍ଷ ଟଙ୍କା
- ୨୦୧୯ ମସିହା ଅଗଷ୍ଟରେ ଟ୍ୟୁବୱାଲରେ ପ୍ରଥମ ଅଗ୍ନିକାଣ୍ଡ । ମରାମତି ଖର୍ଚ୍ଚ: ୩ କୋଟି ୨୮ ଲକ୍ଷ ଟଙ୍କା

ସମୁଦ୍ର ଭିତରେ ଲୀନ ହେଇଛି 7ଟି ଗାଁ:
ପେଣ୍ଠର ସିନ୍ଥେଟିକ ୱାଲରେ ଦୁଇଦିନ ଧରି ନିଆଁ ଲାଗିଥିଲା । ଦୁଇଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେଲେ ମଧ୍ୟ ନିଆଁ ଲିଭି ନଥିଲା । ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦିଅନ୍ତୁ । ସମୁଦ୍ର କୂଳ ଲଂଘୁଥିବାରୁ ସରକାର ଲୋକମାନଙ୍କ ସୁରକ୍ଷା ପାଇଁ ପେଣ୍ଠ ଠାରେ ୨୦୧୮ ମସିହାରେ ଜିଓ ସିନ୍ଥେଟିକ ୱାଲ ନିର୍ମାଣ କରିଥିଲେ । ଏହି ସମୁଦ୍ର ଭିତରେ ସାତୋଟି ଗାଁ ମଧ୍ୟ ଆଗରୁ ଲୀନ ହୋଇଯାଇଛି । " ଆମ ଆଖିଆଗରେ ଯଉଦିଆ, କାନପୁର, ଗୁଆତଳଢି଼ଅ ଭଳି ଗାଁ ଏଇ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛନ୍ତି । ମାତ୍ର ଏହି ଜିଓ ସିନ୍ଥେଟିକ ୱାଲ ନିର୍ମାଣ ହେବା ଦିନଠାରୁ ସମୁଦ୍ର ଆଉ କୂଳ ଖାଉନି ଏବଂ ଆମେ ଟିକେ ସୁରକ୍ଷିତ ଅଛୁ । ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ସରକାର ଏହାର ନିରାକରଣ କରାନଗଲେ ଆମେ ମଧ୍ୟ ବୁଡିଯିବୁ" ବୋଲି କହିଛନ୍ତି ପେଣ୍ଠ ଗାଁ ବାସିନ୍ଦା ସୂର୍ଯ୍ୟମଣି ବେହେରା ।

ଭୟଭୀତ ଉପକୂଳବାସୀ:
କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ବ୍ଲକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅଟନ୍ତି । ୧୯୬୭ ଓ ୧୯୭୧ ମସିହାରେ ସମୁଦ୍ର ମାଡି ଆସିବାରୁ ପେଣ୍ଠ ନିକଟବର୍ତ୍ତୀ ସାତଭାୟା ଅଞ୍ଚଳର କିଛି ଗାଁର ପ୍ରାୟ ଦେଢ଼ ଶହ ଲୋକ ସମୁଦ୍ର ଭିତରକୁ ଭାସି ଯାଇଥିଲେ । ପ୍ରାୟ ୫୦୦ ଲୋକଙ୍କର କୌଣସି ପତ୍ତା ମିଳିନଥିଲା । " ଏହିସବୁ ତିକ୍ତ ଅନୁଭୂତିକୁ ନେଇ, ପେଣ୍ଠ ନିକଟରେ ଜନବସତି ସମୁଦ୍ର ପତ୍ତନ ଠାରୁ ଆହୁରି ନିମ୍ନରେ ଥିବା କିଛି ଗାଁ ଭୟଭୀତ ଅବସ୍ଥାରେ ରହୁଛନ୍ତି ବୋଲି" କୁହନ୍ତି ପରିବେଶବିତ ଅମରବର ବିଶ୍ୱାଳ ।
ବାରମ୍ବାର କ୍ଷତିଗ୍ରସ୍ତ ହେଉଛି ଜିଓ ସିନ୍ଥେଟିକ ୱାଲ:
ପରିବେଶବିତଙ୍କ କହିବା କଥା "ରାଜ୍ୟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକର ସୁରକ୍ଷା ପାଇଁ ଜିଓ ସିନ୍ଥେଟିକ ୱାଲ ନିର୍ମାଣ କରିଥିଲେ । କିଛି ଦୁର୍ବୃତ୍ତ ଏଠାରେ ନିଶା ସେବନ ସହିତ ନିଆଁ ଲଗାଇ ଦେଉଛନ୍ତି, ଯେଉଁଥିପାଇଁ ଏହାର ସ୍ଥାୟିତ୍ୱ ଓ ଶକ୍ତି କ୍ଷୟ ହେଉଛି । ଏହାର ସୁରକ୍ଷା ପାଇଁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପୋଲିସର ଉପସ୍ଥିତି ନିହାତି ଦରକାର ।"
ପଥରବନ୍ଧ ମଧ୍ୟରେ ନିଆଁ:
ରାଜନଗର ଅଗ୍ନିଶମ ବିଭାଗ ମୁଖ୍ୟ ରୋହିତ କୁମାର ନାୟକ କହିଛନ୍ତି,"ସୋମବାର ସକାଳ ୬.୧୫ ମିନିଟରେ ଏହି ଜିଓ ସିନ୍ଥେଟିକ ୱାଲରେ ନିଆଁ ଲାଗିଥିବା ଆମକୁ ଖବର ମିଳିଥିଲା । ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ନିଆଁ ଲିଭାଇଥିଲୁ । ପୁଣିଥରେ ଅପରାହ୍ଣ 3ଟା ବେଳେ ସେଠାରେ ନିଆଁ ଥିବା ଖବର ପାଇ ପୁଣି ସନ୍ଧ୍ୟାରେ ନିଆଁ ଲିଭାଇଥିଲୁ । ଏହା ପରେ ପୁଣି ମଙ୍ଗଳବାର ଦିନତମାମ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା । ଏଠାରେ ପଥର ମଧ୍ୟରେ ଥିବା ରଶି ଭିତରେ ଭିତରେ ନିଆଁ ରହୁଥିବାର ଭୟ ରହୁଛି । ତେଣୁ ନିଆଁ ଲିଭାଇବା ପାଇଁ ଆମେ ଯେତେ ପାଣି ଓ ଫୋମ ବ୍ୟବହାର କଲେ ମଧ୍ୟ କେଉଁ ସ୍ଥାନରୁ ନିଆଁ କୁହୁଳି କୁହୁଳି ଲାଗୁଛି ଆମେ ତାର ଟେର ପାଉନୁ । ସବୁ ପଥର ଉଠାଇ କାମ କରିବା ମଧ୍ୟ ସମ୍ଭବ ହେଉନାହିଁ । ଜେସିବି ମେସିନ ଆଣି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ କିଛି ସ୍ଥାନରେ ଖେଳାଇ କାମ କରୁଛୁ ।"
ପୋଲିସ ପାଟ୍ରୋଲିଂର ଆବଶ୍ୟକତା:
ଗାଁ ଲୋକଙ୍କ କହିବା ଅନୁଯାୟୀ ଏଠାରେ ପ୍ରତିଦିନ ରାତି ୧୨ରୁ ୩ଟା ମଧ୍ୟରେ କିଛି ଅସାମାଜିକ ବ୍ୟକ୍ତି ଏଠାରେ ନିଶା ସେବନ କରିବା ସହିତ ନିଆଁ ଲଗାଉଛନ୍ତି । ତଟବନ୍ଧ ବିଭାଗ ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ମଲ୍ଲ କହିଛନ୍ତି," ଜିଓ ସିନ୍ଥେଟିକ ୱାଲର ଗ୍ୟାବିୟନ ବକ୍ସର ୱେୟାର ଭିତରପଟେ ରହୁଥିବାରୁ ଭିତରେ କିଛି ନିଆଁ ରହିଯାଉଛି । ଯାହାଫଳରେ ପୁଣି କୁହୁଳି ନିଆଁ ବାହାରୁଛି । ଆମେ ପୋଲିସ ପ୍ରଶାସନ ନିକଟରେ ପାଟ୍ରୋଲିଂ ବ୍ୟବସ୍ଥା ବଢ଼ାଇବା ପାଇଁ ଅନୁରୋଧ କରିବୁ । ଏଠାରେ ଯାହା ବି ଘଟଣା ଘଟିଛି ବା କ୍ଷୟକ୍ଷତି ହୋଇଛି ସେନେଇ ମୁଁ ଉପରୀସ୍ଥ ଅଧିକାରୀଙ୍କୁ ଜଣାଇ ତଦାରଖ କରାଇବୁ ।"
ଇଟିଭି ଭାରତ,କେନ୍ଦ୍ରାପଡା

