ETV Bharat / state

ବିପଦରେ ଜିଓ ସିନ୍ଥେଟିକ ୱାଲ ! ନିଆଁ ଲାଗିବା ପରେ ସୁରକ୍ଷା ଚିନ୍ତାରେ କେନ୍ଦ୍ରାପଡ଼ାର ସମୁଦ୍ରକୂଳିଆ ଲୋକ

କେନ୍ଦ୍ରାପଡ଼ା ରାଜନଗର ପେଣ୍ଠଠାରେ ୨୦୧୮ରେ ୩୨ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଜିଓ ସିନ୍ଥେଟିକ ୱାଲ୍ । ପ୍ରାକୃତିକ ବିପର୍ଯ୍ୟୟରୁ ସମୁଦ୍ର କୂଳିଆ ଜନବସତି ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିଲା।

fear grips in coastal area of kendrapara as fire accident occured in Geosythetic wall
2 ଦିନ ଧରି ଜଳିଲା ଜିଓ ସିନ୍ଥେଟିକ ୱାଲ, ସୁରକ୍ଷା ଚିନ୍ତାରେ କେନ୍ଦ୍ରାପଡ଼ାବାସୀ (ETV Bharat Odisha)
author img

By ETV Bharat Odisha Team

Published : January 7, 2026 at 5:38 PM IST

3 Min Read
Choose ETV Bharat

ରିପୋର୍ଟ: ରାଧାକାନ୍ତ ମହାନ୍ତି

Geosynthetic Wall Kendrapara କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସମୁଦ୍ରକୂଳ ପେଣ୍ଠ ନିକଟ ବଙ୍ଗୋପସାଗର କୂଳରେ ଥିବା ଓଡିଶାର ଏକ ମାତ୍ର ଜିଓ ସିନ୍ଥେଟିକ୍ ୱାଲରେ ଗତ ରବିବାର ରାତିରେ ନିଆଁ ଲାଗି ଯାଇଥିଲା । ପ୍ରଥମ ଦିନ ଦୀର୍ଘ ୮ ଘଣ୍ଟାର ପରିଶ୍ରମ ଓ ଦ୍ଵିତୀୟ ଦିନରେ ଦୀର୍ଘ ୯ ଘଣ୍ଟା ଧରି ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଚେଷ୍ଟା ଚଳାଇଥିଲା । ତଥାପି ମଧ୍ୟ କୁହୁଳୁଥିବା ନିଆଁର ଭୟ ସରିନାହିଁ । ବାରମ୍ବାର ଏପରି ଅଗ୍ନିକାଣ୍ଡ ଘଟୁଥିବାରୁ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେନ୍ଦ୍ରାପଡ଼ାରେ ଜିଓ ସିନ୍ଥେଟିକ ୱାଲ ଭାରତର ଦ୍ୱିତୀୟ ଓ ଓଡିଶାର ଏକମାତ୍ର ଜିଓ ସିନ୍ଥେଟିକ ୱାଲ ଅଟେ । ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଥିବାରୁ ଏହାର ପ୍ରତିକାର ପାଇଁ ୨୦୧୮ ମସିହାରେ ଏହାର ନିର୍ମାଣ କରାଯାଇଥିଲା । ପୁର୍ବରୁ ୨୦୧୯ ମସିହା ଓ ୨୦୨୨ ମସିହାରେ ଏଥିରେ ନିଆଁ ଲାଗିଥିଲା । ତେଣୁ ଏହାର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

2 ଦିନ ଧରି ଜଳିଲା ଜିଓ ସିନ୍ଥେଟିକ ୱାଲ, ସୁରକ୍ଷା ଚିନ୍ତାରେ କେନ୍ଦ୍ରାପଡ଼ାବାସୀ (ETV Bharat Odisha)

ଜିଓ ସିନ୍ଥେଟିକ ୱାଲ କ'ଣ ?

କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ସମୟରେ ବାତ୍ୟା, ବନ୍ୟା ଓ ଭୟଙ୍କର ସାମୁଦ୍ରିକ ଝଡ଼ ସୁନାମୀ କାରଣରୁ ସମୁଦ୍ର ଜୁଆର ମାଡିଆସିବାରୁ କୂଳ କ୍ଷୟ ପ୍ରାପ୍ତ ହେବା ସହିତ ଉପକୂଳବର୍ତ୍ତୀ ଗ୍ରାମ ସମୁଦ୍ର ମଧ୍ୟରେ ଲୀନ ହେବାରେ ଲାଗିଥିଲା । ଏହି ସମସ୍ୟାର ସମାଧାନ ପାଇଁ ୨୦୧୮ ମସିହାରେ ସରକାର କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠ ଠାରେ ୩୨ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ଏକ ଜିଓ ସିନ୍ଥେଟିକ ବନ୍ଧ ନିର୍ମାଣ କରିଥିଲେ । ଯାହାକି ଏକ ବିରାଟ ପଥର ବନ୍ଧ ଅଟେ । ଏହା ସମୁଦ୍ର ଜୁଆରର କୂଳ ଖାଇବାରେ ଏହି ବନ୍ଧ ପ୍ରତିବନ୍ଧକ ସାଜିବା ସହିତ ପେଣ୍ଠ ଓ ରାଜନଗର ଭଳି ଅନେକ ଗ୍ରାମର ସୁରକ୍ଷା ପାଇଁ ପ୍ରାଚୀର ଭାବେ କାର୍ଯ୍ୟ କରୁଛି ।

Geosythetic wall
ଜିଓ ସିନ୍ଥେଟିକ ୱାଲ (ETV Bharat Odisha)

ତଥ୍ୟ ଅନୁସାରେ କେନ୍ଦ୍ରପଡା ଜିଲ୍ଲାରେ ମୋଟ ୭୪୪.୩୭ କି.ମି ପରିବ୍ୟାପ୍ତ ଲୁଣା ତଟବନ୍ଧ ଅଛି । ଏହି ବନ୍ଧ ଅସୁରକ୍ଷିତ ହୋଇପଡିବାରୁ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାର ୪୫୫ ଗ୍ରାମାଞ୍ଚଳରେ ସମୁଦ୍ର ଓ ନଦୀ ଜଳ ପଶିଆସୁଛି । ଏଥିସହିତ ଜିଲ୍ଲାରେ ଉଭୟ ରାଜନଗର ଓ ମହାକାଳପଡ଼ାର ମୋଟ ୬୪ଟି ଗ୍ରାମକୁ ସୁନାମୀ ପ୍ରବଣ ବୋଲି ଚିହ୍ନଟ କରାଯାଇଥିବାର ରିପୋର୍ଟ ପ୍ରକାଶ ପାଇଥିଲା ।

Geosythetic wall
ଜିଓ ସିନ୍ଥେଟିକ ୱାଲ (ETV Bharat Odisha)

ଜିଓ ସିନ୍ଥେଟିକ ୱାଲର ନିର୍ମାଣ ଓ ମରାମତି:

  • ୨୦୧୮ ମସିହାରେ ଜିଓ ସିନ୍ଥେଟିକ ୱାଲ ନିର୍ମାଣ
  • ୱାଲର ଗାବିୟନ ବକ୍ସରୁ ପଥର ବାହାରିବା କାରଣରୁ ମରାମତି । ଖର୍ଚ୍ଚ: ୪ କୋଟି ୬୫ ଲକ୍ଷ ଟଙ୍କା
  • ୨୦୧୯ ମସିହା ଅଗଷ୍ଟରେ ଟ୍ୟୁବୱାଲରେ ପ୍ରଥମ ଅଗ୍ନିକାଣ୍ଡ । ମରାମତି ଖର୍ଚ୍ଚ: ୩ କୋଟି ୨୮ ଲକ୍ଷ ଟଙ୍କା
fear grips in coastal area of kendrapara as fire accident occured in Geosythetic wall
2 ଦିନ ଧରି ଜଳିଲା ଜିଓ ସିନ୍ଥେଟିକ ୱାଲ, ସୁରକ୍ଷା ଚିନ୍ତାରେ କେନ୍ଦ୍ରାପଡ଼ାବାସୀ (ETV Bharat Odisha)

ସମୁଦ୍ର ଭିତରେ ଲୀନ ହେଇଛି 7ଟି ଗାଁ:

ପେଣ୍ଠର ସିନ୍ଥେଟିକ ୱାଲରେ ଦୁଇଦିନ ଧରି ନିଆଁ ଲାଗିଥିଲା । ଦୁଇଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେଲେ ମଧ୍ୟ ନିଆଁ ଲିଭି ନଥିଲା । ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦିଅନ୍ତୁ । ସମୁଦ୍ର କୂଳ ଲଂଘୁଥିବାରୁ ସରକାର ଲୋକମାନଙ୍କ ସୁରକ୍ଷା ପାଇଁ ପେଣ୍ଠ ଠାରେ ୨୦୧୮ ମସିହାରେ ଜିଓ ସିନ୍ଥେଟିକ ୱାଲ ନିର୍ମାଣ କରିଥିଲେ । ଏହି ସମୁଦ୍ର ଭିତରେ ସାତୋଟି ଗାଁ ମଧ୍ୟ ଆଗରୁ ଲୀନ ହୋଇଯାଇଛି । " ଆମ ଆଖିଆଗରେ ଯଉଦିଆ, କାନପୁର, ଗୁଆତଳଢି଼ଅ ଭଳି ଗାଁ ଏଇ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛନ୍ତି । ମାତ୍ର ଏହି ଜିଓ ସିନ୍ଥେଟିକ ୱାଲ ନିର୍ମାଣ ହେବା ଦିନଠାରୁ ସମୁଦ୍ର ଆଉ କୂଳ ଖାଉନି ଏବଂ ଆମେ ଟିକେ ସୁରକ୍ଷିତ ଅଛୁ । ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ସରକାର ଏହାର ନିରାକରଣ କରାନଗଲେ ଆମେ ମଧ୍ୟ ବୁଡିଯିବୁ" ବୋଲି କହିଛନ୍ତି ପେଣ୍ଠ ଗାଁ ବାସିନ୍ଦା ସୂର୍ଯ୍ୟମଣି ବେହେରା

Fire Department extinguishing fire at Geosythetic wall
ଜିଓ ସିନ୍ଥେଟିକ ୱାଲରେ ଲାଗିଥିବା ନିଆଁକୁ ଲିଭାଉଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ (ETV Bharat Odisha)

ଭୟଭୀତ ଉପକୂଳବାସୀ:

କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ବ୍ଲକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅଟନ୍ତି । ୧୯୬୭ ଓ ୧୯୭୧ ମସିହାରେ ସମୁଦ୍ର ମାଡି ଆସିବାରୁ ପେଣ୍ଠ ନିକଟବର୍ତ୍ତୀ ସାତଭାୟା ଅଞ୍ଚଳର କିଛି ଗାଁର ପ୍ରାୟ ଦେଢ଼ ଶହ ଲୋକ ସମୁଦ୍ର ଭିତରକୁ ଭାସି ଯାଇଥିଲେ । ପ୍ରାୟ ୫୦୦ ଲୋକଙ୍କର କୌଣସି ପତ୍ତା ମିଳିନଥିଲା । " ଏହିସବୁ ତିକ୍ତ ଅନୁଭୂତିକୁ ନେଇ, ପେଣ୍ଠ ନିକଟରେ ଜନବସତି ସମୁଦ୍ର ପତ୍ତନ ଠାରୁ ଆହୁରି ନିମ୍ନରେ ଥିବା କିଛି ଗାଁ ଭୟଭୀତ ଅବସ୍ଥାରେ ରହୁଛନ୍ତି ବୋଲି" କୁହନ୍ତି ପରିବେଶବିତ ଅମରବର ବିଶ୍ୱାଳ

ବାରମ୍ବାର କ୍ଷତିଗ୍ରସ୍ତ ହେଉଛି ଜିଓ ସିନ୍ଥେଟିକ ୱାଲ:

ପରିବେଶବିତଙ୍କ କହିବା କଥା "ରାଜ୍ୟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକର ସୁରକ୍ଷା ପାଇଁ ଜିଓ ସିନ୍ଥେଟିକ ୱାଲ ନିର୍ମାଣ କରିଥିଲେ । କିଛି ଦୁର୍ବୃତ୍ତ ଏଠାରେ ନିଶା ସେବନ ସହିତ ନିଆଁ ଲଗାଇ ଦେଉଛନ୍ତି, ଯେଉଁଥିପାଇଁ ଏହାର ସ୍ଥାୟିତ୍ୱ ଓ ଶକ୍ତି କ୍ଷୟ ହେଉଛି । ଏହାର ସୁରକ୍ଷା ପାଇଁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପୋଲିସର ଉପସ୍ଥିତି ନିହାତି ଦରକାର ।"

ପଥରବନ୍ଧ ମଧ୍ୟରେ ନିଆଁ:
ରାଜନଗର ଅଗ୍ନିଶମ ବିଭାଗ ମୁଖ୍ୟ ରୋହିତ କୁମାର ନାୟକ କହିଛନ୍ତି,"ସୋମବାର ସକାଳ ୬.୧୫ ମିନିଟରେ ଏହି ଜିଓ ସିନ୍ଥେଟିକ ୱାଲରେ ନିଆଁ ଲାଗିଥିବା ଆମକୁ ଖବର ମିଳିଥିଲା । ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ନିଆଁ ଲିଭାଇଥିଲୁ । ପୁଣିଥରେ ଅପରାହ୍ଣ 3ଟା ବେଳେ ସେଠାରେ ନିଆଁ ଥିବା ଖବର ପାଇ ପୁଣି ସନ୍ଧ୍ୟାରେ ନିଆଁ ଲିଭାଇଥିଲୁ । ଏହା ପରେ ପୁଣି ମଙ୍ଗଳବାର ଦିନତମାମ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା । ଏଠାରେ ପଥର ମଧ୍ୟରେ ଥିବା ରଶି ଭିତରେ ଭିତରେ ନିଆଁ ରହୁଥିବାର ଭୟ ରହୁଛି । ତେଣୁ ନିଆଁ ଲିଭାଇବା ପାଇଁ ଆମେ ଯେତେ ପାଣି ଓ ଫୋମ ବ୍ୟବହାର କଲେ ମଧ୍ୟ କେଉଁ ସ୍ଥାନରୁ ନିଆଁ କୁହୁଳି କୁହୁଳି ଲାଗୁଛି ଆମେ ତାର ଟେର ପାଉନୁ । ସବୁ ପଥର ଉଠାଇ କାମ କରିବା ମଧ୍ୟ ସମ୍ଭବ ହେଉନାହିଁ । ଜେସିବି ମେସିନ ଆଣି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ କିଛି ସ୍ଥାନରେ ଖେଳାଇ କାମ କରୁଛୁ ।"

ପୋଲିସ ପାଟ୍ରୋଲିଂର ଆବଶ୍ୟକତା:
ଗାଁ ଲୋକଙ୍କ କହିବା ଅନୁଯାୟୀ ଏଠାରେ ପ୍ରତିଦିନ ରାତି ୧୨ରୁ ୩ଟା ମଧ୍ୟରେ କିଛି ଅସାମାଜିକ ବ୍ୟକ୍ତି ଏଠାରେ ନିଶା ସେବନ କରିବା ସହିତ ନିଆଁ ଲଗାଉଛନ୍ତି । ତଟବନ୍ଧ ବିଭାଗ ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ମଲ୍ଲ କହିଛନ୍ତି," ଜିଓ ସିନ୍ଥେଟିକ ୱାଲର ଗ୍ୟାବିୟନ ବକ୍ସର ୱେୟାର ଭିତରପଟେ ରହୁଥିବାରୁ ଭିତରେ କିଛି ନିଆଁ ରହିଯାଉଛି । ଯାହାଫଳରେ ପୁଣି କୁହୁଳି ନିଆଁ ବାହାରୁଛି । ଆମେ ପୋଲିସ ପ୍ରଶାସନ ନିକଟରେ ପାଟ୍ରୋଲିଂ ବ୍ୟବସ୍ଥା ବଢ଼ାଇବା ପାଇଁ ଅନୁରୋଧ କରିବୁ । ଏଠାରେ ଯାହା ବି ଘଟଣା ଘଟିଛି ବା କ୍ଷୟକ୍ଷତି ହୋଇଛି ସେନେଇ ମୁଁ ଉପରୀସ୍ଥ ଅଧିକାରୀଙ୍କୁ ଜଣାଇ ତଦାରଖ କରାଇବୁ ।"

ଏହା ମଧ୍ୟ ପଢନ୍ତୁ: ସମୁଦ୍ରରେ ଲୀନ ହେବାକୁ ଯାଉଛି 'ସିନ୍ଥେଟିକ୍ ୱାଲ', ଭୟରେ କେନ୍ଦ୍ରାପଡାର ଦେଢଲକ୍ଷ ବାସିନ୍ଦା

ଇଟିଭି ଭାରତ,କେନ୍ଦ୍ରାପଡା