ବଞ୍ଜାରୀଘାଟିରେ ଓଲଟିଲା LPG ଗ୍ୟାସ ଟ୍ୟାଙ୍କର, ଲିକ୍ ଭୟ ?
ବିଶାଖାପାଟଣାରୁ ବଲାଙ୍ଗୀର ଯାଉଥିବା ବେଳେ ବଞ୍ଜାରୀଘାଟିରେ LPG ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

Published : December 11, 2025 at 12:50 PM IST
KALAHANDI LPG GAS TANKER OVERTURNS କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ବଞ୍ଜାରୀଘାଟିରେ ଓଲଟିଲା LPG ଗ୍ୟାସ ଟ୍ୟାଙ୍କର । ବିଶାଖାପାଟଣାରୁ ବଲାଙ୍ଗୀର ଯାଉଥିବା ବେଳେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ପରେ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଛି । ଏନେଇ ଲୋକେ ଭୟଭୀତ ରହିଥିବା ବେଳେ, ଅଗ୍ନିଶମ ବାହିନୀ ଓ ପୋଲିସ ସମେତ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତନ୍ତି।
ଗ୍ୟାସ ଲିକ୍ ଭୟ:
କଳାହାଣ୍ଡି ଜିଲ୍ଳା ନର୍ଲା ଥାନା ଅନ୍ତର୍ଗତ ଛତିଗୁଡ଼ା ସିକେର କୁପା ରାଜ୍ୟ ରାଜପଥ ୬ରେ ଥିବା ବଞ୍ଜାରୀଘାଟିରେ LPG ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଛି । ଟ୍ୟାଙ୍କରଟି ବିଶାଖାପାଟଣାରୁ ବଲାଙ୍ଗିର ଯାଉଥିଲା । ମାତ୍ର ଭାରସ୍ୟାମ ହରାଇ ବଞ୍ଜାରୀ ମନ୍ଦିର ନିକଟରେ ଓଲଟି ପଡିଥିବା ବେଳେ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଭୟ ପାର୍ଶ୍ଵରେ ଗାଡ଼ିକୁ ଅଟକାଇ ରଖିଥିଲେ । ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଞ୍ଚଳର ଲୋକଙ୍କ ସହିତ ଆଲୋଚନା କରିଛନ୍ତି ।
ଅଟକି ରହିଛି ଶହ ଶହ ଗାଡ଼ି:
ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବା ପରେ ଗ୍ୟାସ ନିର୍ଗତ ଯୋଗୁଁ ସେହି ରାସ୍ତାରେ ଯାନବାହାନ ଚଳାଚଳ ଉପରେ ପୋଲିସ ରୋକ୍ ଲଗାଇଛି । ଫଳର ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହାନ ଅଟକି ରହିଛି । ଏଥିଯୋଗୁଁ କଳାହାଣ୍ଡି ଓ ରାୟଗଡା ଜିଲ୍ଳା ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇପଡ଼ିଛି । ସେପଟେ ବିପିସିଏଲର ଏକ ସ୍ଵତନ୍ତ୍ର ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ ଲିକ ଉପରେ ଯାଞ୍ଚ କରୁଛନ୍ତି ।

ଭୟଭୀତ ନହେବାକୁ ଉପଜିଲ୍ଲାପାଳଙ୍କ ପରାମର୍ଶ
ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା କହିଛନ୍ତି," ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛୁ । ଉଭୟପାର୍ଶ୍ବରେ ରାସ୍ତା ବନ୍ଦ କରଯାଇଛି । ବିଦ୍ୟୁତ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ, ପୋଲିସ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ଉପସ୍ଥିତ ଅଛନ୍ତି । ବିପିସିଏଲର ଏକ ଟିମ୍ ମଧ୍ୟ ଆସି ପହଞ୍ଚିବେ। ଗ୍ୟାସ ଲିକ୍ ହେଲା ଭଳି ଲାଗୁନି । ଆମେ ଲୋକଙ୍କୁ ଅନୁରୋଧ କରିଛୁ ଭୟଭୀତ ହୁଅନ୍ତୁ ନାହିଁ ଏବଂ ଆସନ୍ତାକାଲି ସୁଦ୍ଧା ଏହି ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ସ୍ବାଭାବିକ ହେବ ।"

ଏହା ମଧ୍ୟ ପଢନ୍ତୁ: |
ଇଟିଭି ଭାରତ,କଳାହାଣ୍ଡି

