ଆବର୍ଜନାରେ ଅଣନିଶ୍ବାସୀ ଭବାନୀପାଟଣା ବାସିନ୍ଦା, 20ଟି ୱାର୍ଡରୁ ଉଠୁନି ଅଳିଆ
କୁଢ କୁଢ ଅଳିଆ ସାଙ୍ଗକୁ ନର୍ଦ୍ଦମା ପାଣି ଭର୍ତ୍ତି ଡ୍ରେନ ଗନ୍ଧରେ ଅସ୍ତବ୍ୟସ୍ତ କଳାହାଣ୍ଡି ଜିଲ୍ଲାର 20ଟି ୱାର୍ଡର ବାସିନ୍ଦା । ସଫେଇ କାର୍ଯ୍ୟରେ ଅବହେଳା ପାଇଁ ଅନେକ ଅଭିଯୋଗ ହେଉଛି ।

Published : March 3, 2026 at 2:48 PM IST
ରିପୋର୍ଟ: ଅଜିତ କୁମାର ସିଂ
ଭବାନୀପାଟଣା: ଅଳିଆ ଆବର୍ଜନା ଘେରରେ ଭବାନୀପାଟଣା ସହର । କୁଢ କୁଢ ଅଳିଆ ସାଙ୍ଗକୁ ନର୍ଦ୍ଦମା ପାଣି ଭର୍ତ୍ତି ଡ୍ରେନ ଗନ୍ଧରେ ଅସ୍ତବ୍ୟସ୍ତ ଜନଜୀବନ । ସଫେଇ କାର୍ଯ୍ୟରେ ଅବହେଳା ଯୋଗୁଁ ଏପରି ହେଉଥିବା ନେଇ ଅନେକ ଅଭିଯୋଗ ହେଉଛି । ମାତ୍ର ଠିକା ସଂସ୍ଥାର ଅବହେଳା ଯୋଗୁଁ କଳାହାଣ୍ଡି ଜିଲ୍ଲାର ୨୦ଟି ୱାର୍ଡରେ କୁଢ କୁଢ ଆବର୍ଜନା ପଡ଼ି ରହିଛି । ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ କାର୍ଯ୍ୟ ଅବହେଳା ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ଠାରୁ ଫାଇନ ସଂଗ୍ରହ କରାଯିବ ବୋଲି ପୌରପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି ।
୨୦ଟି ୱାର୍ଡରେ କୁଢ କୁଢ ଆବର୍ଜନା:
କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାର ବିଭିନ୍ନ ସ୍ଥାନରେ ଆବର୍ଜନା ପଡ଼ି ରହିଛି । ଏନେଇ ସଫେଇରେ ଅବହେଳା ଯୋଗୁଁ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି । ଗତ କିଛି ମାସ ଧରି ଠିକା ସଂସ୍ଥାର ଅବହେଳା ଯୋଗୁଁ ୨୦ଟି ୱାର୍ଡରେ କୁଢ କୁଢ ଆବର୍ଜନା ଜମି ରହିଛି । ସଫେଇ ଭଲ ଭାବେ ହେଉନଥିବାରୁ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭବାନୀପାଟଣା ସହରର ବାହାଦୁର ବଗିଚାପଡ଼ା, ମହାବୀରପଡ଼ା, ପରଦେଶୀପଡ଼ା, ଦର୍ପଣସାଗରପଡ଼ା, ଗୋପବନ୍ଧୁ ନଗର ବଡ଼ପଡ଼ା, ବଜାରପଡ଼ା, ଚମାରପଡ଼ା, ଇରିଗେସନ କଲୋନୀ ସମେତ ବିଭିନ୍ନ ପଡ଼ାରେ ସଫେଇ କାର୍ଯ୍ୟ ଠପ୍ ହୋଇପଡିଛି ।

ଆବର୍ଜନା ଯୋଗୁଁ ସହରବାସୀ ହଇରାଣ:
୨୮୮ ଜଣ କର୍ମଚାରୀଙ୍କୁ ସଫେଇ ନିମନ୍ତେ ଠିକାସଂସ୍ଥା ନିୟୋଜିତ କରିଥିବା ଦର୍ଶାଇ 48 ଲକ୍ଷ ଟଙ୍କାର ବିଲ ନେଉଛି । ହେଲେ ଆବର୍ଜନା ଯୋଗୁଁ ସହରବାସୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତ ମାସରେ ସଫେଇ କାର୍ଯ୍ୟରେ ଅବହେଳା ନେଇ ସମ୍ପୃକ୍ତ ଠିକାସଂସ୍ଥା ଠାରୁ ୫ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ ପୌର ନିର୍ବାହୀ ଅଧିକାରୀ । ଏହା ପରେ ମଧ୍ୟ ଏହି ଠିକାସଂସ୍ଥାର ବେଖାତିର ମନୋଭାବ ଯୋଗୁଁ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
କାର୍ଯ୍ୟ ଅବହେଳା ଯୋଗୁଁ ଫାଇନ:
ଭବାନୀପାଟଣା ବାସିନ୍ଦା ମହମ୍ମଦ ସାହେବ କହିଛନ୍ତି, "ଭବାନୀପାଟଣା ସହରର ୨୦ ଟି ୱାର୍ଡରେ ବିଭିନ୍ନ ଗଳିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଯେଉଁ ଭଳି ଭାବରେ ସଫେଇ ହେବା କଥା ତାହା ହୋଇ ପାରୁନାହିଁ । ଯେଉଁ ଏଜେନ୍ସି ଦାୟିତ୍ୱ ନେଇଛି ସେ ଠିକ୍ ଭାବରେ କାର୍ଯ୍ଯ କରୁନାହିଁ । ସଠିକ କାର୍ଯ୍ୟ ନ କରିବାରୁ ପୌରପରିଷଦ ପକ୍ଷରୁ ଠିକା ସଂସ୍ଥାକୁ ୫ ଲକ୍ଷ ଟଙ୍କାର ଫାଇନ ଲଗାଯାଇଥିଲା । କିନ୍ତୁ ଏହା ପରେ ବି ସଫେଇ କାର୍ଯ୍ଯ ଠିକ ଭାବରେ ହେଉନାହିଁ । ଏପରି ଅବସ୍ଥା ଲାଗି ରହିଲେ ଲୋକମାନେ ଶୀଘ୍ର ରୋଗାକ୍ରାନ୍ତ ହେବେ ।" ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡ଼ିଛି ବୋଲି ଭବାନୀପାଟଣା ବାସିନ୍ଦା କହିଛନ୍ତି ।

ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ:
ସେହିପରି ଅନ୍ୟ ଜଣେ ବାସିନ୍ଦା ପ୍ରୀତମ ବେହେରା କହିଛନ୍ତି,"ବାହାଦୁର ବଗିଚା ପଡ଼ାରୁ ଗାନ୍ଧୀମାର୍ଗକୁ ଯିବା ମୁଖ୍ୟ ରାସ୍ତାରେ ସ୍ୱଳ୍ପ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୁଏ । ହେଲେ ଏଥିପ୍ରତି ପୌରପରିଷଦ କେବେ ଦୃଷ୍ଟି ଦେଉନାହିଁ । କେବେ ମଧ୍ୟ ଡ୍ରେନ୍ ସଫା ହେଉ ନାହିଁ । ମାସ ମାସ ଧରି ଅଳିଆ ଆବର୍ଜନା ପଡି ରହୁଛି ତଥାପି କେହି ଦୃଷ୍ଟି ଦେଉ ନାହାନ୍ତି । ଏପରି ଏହା କେବଳ ଗୋଟିଏ ଅଞ୍ଚଳ ନୁହେଁ ୨୦ଟି ୱାର୍ଡରେ ସମାନ ଅଳିଆ ଆବର୍ଜନା ପଡି ରହୁଛି ।" ପରିମଳ ବ୍ୟବସ୍ଥାରେ ପୌରପରିଷଦ ସଂପୂର୍ଣ୍ଣ ଫେଲ ମାରିଛି ବୋଲି ସେ କହିଛନ୍ତି ।

'ଅନିୟମିତତା ଦେଖିଲା ମୁଁ ପଦକ୍ଷେପ ନେଉଛି':
ଭବାନୀପାଟଣା ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ କହିଛନ୍ତି,"ଅଳିଆ ଆବର୍ଜନା ସଫେଇ ଚାଲିଛି । ବିଗତ ୮ ଦିନ ମଧ୍ୟରେ ଭବାନୀପାଟଣାରେ ୪୦ଟି ଡଷ୍ଟବିନ ରଖିଛୁ । କିଛିଟା ଅଞ୍ଚଳରେ ଡ୍ରେନ ସଫେଇ ହୋଇନାହିଁ । ଏହା ଦେଖିବା ମାତ୍ରେ ପଦକ୍ଷେପ ଗ୍ରହଣ କରୁଛି । ଚନ୍ଦନ ସିକ୍ୟୁରିଟି ଭୁବନେଶ୍ୱରର ଏକ ସଂସ୍ଥା ସେ ସଫେଇ କାର୍ଯ୍ୟର ଦାୟିତ୍ୱ ନେଇଛନ୍ତି । ସମସ୍ତ ୱାର୍ଡ ପରିଦର୍ଶନ କରିବା ପରେ ଠିକା ସଂସ୍ଥା ଉପରେ ଫାଇନ ଲଗା ଯାଇଛି ।" ଆଉ ବର୍ତ୍ତମାନ କାମ ସଠିକ ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି

