ETV Bharat / state

ଶ୍ରୀକୃଷ୍ଣଙ୍କ ସହ ଜଡିତ ରଣପା ନୃତ୍ୟ: ପ୍ରଶଂସା ସାଉଁଟୁଛି ଗଞ୍ଜାମ, କେବେ ପ୍ରତିଷ୍ଠା ହେବ ପ୍ରଶିକ୍ଷଣ କେନ୍ଦ୍ର ?

ଲୋକନୃତ୍ୟ ରଣପା ପାଇଁ ଦେଶବିଦେଶରେ ଅନନ୍ୟ ପରିଚୟ ପାଇଛି ଗଞ୍ଜାମ ଜିଲ୍ଲା । ନୂଆଦିଲ୍ଲୀଠୁ ନେଇ ଲଣ୍ଡନ ପ୍ରଦର୍ଶିତ ହୋଇଛି ରଣପା । କଳାକାରଙ୍କ ପ୍ରଶିକ୍ଷଣ ପାଇଁ ପ୍ରତିଷ୍ଠା ହୋଇପାରିନି ପ୍ରଶିକ୍ଷଣ କେନ୍ଦ୍ର ।

Ganjam Ranapa Dance
ରଣପା ନୃତ୍ୟ (ETV Bharat Odisha)
author img

By ETV Bharat Odisha Team

Published : February 24, 2026 at 6:18 PM IST

4 Min Read
Choose ETV Bharat

ସ୍ପେଶାଲ ଷ୍ଟୋରୀ: ସମୀର କୁମାର ଆଚାର୍ଯ୍ୟ

Ranapa Dance ବ୍ରହ୍ମପୁର: ଲୋକକଳା ଓ ଲୋକନୃତ୍ୟର ଗନ୍ତାଘର ଗଞ୍ଜାମ । ରଣପା, କାଠପାଦ, ଘୋଡାନାଚ ଏପରି ଅନେକ ଲୋକନୃତ୍ୟକୁ ନେଇ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ପାଇଛି ଗଞ୍ଜାମ ଜିଲ୍ଲା । ରଣପା ନୃତ୍ୟ ଦେଖିବାକୁ ଯେତିକି ଚିତାକର୍ଷକ, ପରିବେଷଣ ସେତିକି କଷ୍ଟସାଧ୍ୟ । ଦୁଇ ବାଉଁଶ ଉପରେ ଠିଆ ହୋଇ ଅତ୍ୟନ୍ତ ସତର୍କତାର ସହିତ ସନ୍ତୁଳନ ରକ୍ଷା କରି ରଣପା ନୃତ୍ୟ ପରିବେଷଣ କରନ୍ତି କଳାକାର । ଲଣ୍ଡନଠୁ ନେଇ ନ୍ୟୁଜିଲାଣ୍ଡ...ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ଜଡିତ ଥିବା ଏହି ନୃତ୍ୟ ଦିଲ୍ଲୀ ଦରବାରରେ ପ୍ରଦର୍ଶିତ ହୋଇ ବାଃ ବାଃ ସାଉଁଟିଥିବା ଏହି ନୃତ୍ୟ ଯେପରି ରାଜ୍ୟ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛି । କଳାକାରଙ୍କ ଦାବି କେବେ ପ୍ରତିଷ୍ଠା ହେବ ପ୍ରଶିକ୍ଷଣ କେନ୍ଦ୍ର ?

ଶ୍ରୀକୃଷ୍ଣଙ୍କ ସହ ଜଡିତ ରଣପା ନୃତ୍ୟ: ପ୍ରଶଂସା ସାଉଁଟୁଛି ଗଞ୍ଜାମ, କେବେ ପ୍ରତିଷ୍ଠା ହେବ ପ୍ରଶିକ୍ଷଣ କେନ୍ଦ୍ର ? (ETV Bharat Odisha)

ରଣପା ନୃତ୍ୟ, ଗଞ୍ଜାମର ପରିଚୟ:

ଗଞ୍ଜାମ ଜିଲ୍ଲାର ପୁରାତନ ଲୋକନୃତ୍ୟ ଭାବରେ ଦେଶବିଦେଶରେ ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିପାରିଛି ରଣପା ନୃତ୍ୟ । ଦୁଇଟି ବାଉଁଶବାଡିରେ ଏହାର କଳାକାର ମାନେ ଦୀର୍ଘ ସମୟ ଧରି ଠିଆ ହୋଇ ଢୋଲ, ବାଦ୍ୟ, ମହୁରୀ, ଝାଞ୍ଜର ତାଳେ ତାଳେ ଘଣ୍ଟା ଘଣ୍ଚା ଧରି ନୃତ୍ୟ କରିବାର ଦୃଶ୍ୟ ସତରେ ଅତ୍ୟନ୍ତ ଚିତାକର୍ଷକ । କେବଳ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁଥିବା ଏହି ନୃତ୍ୟ ବର୍ଷତମାମ ରାଜ୍ୟ ଠାରୁ ଆରମ୍ଭ କରି ଦେଶ ଏବଂ ବିଦେଶରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଏହି ନୃତ୍ୟକୁ ପରିବେଷଣ କରାଯାଇଥାଏ ।

Ranapa Dance
ରଣପା ନୃତ୍ୟ ପ୍ରଦର୍ଶନ (ETV Bharat Odisha)

ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଦାବି:

ପ୍ରଶିକ୍ଷଣ କେନ୍ଦ୍ରର ଅଭାବ ଯୋଗୁଁ ଧୀରେ ଧୀରେ କଳାକାର ଏହି ନୃତ୍ୟ ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ବର୍ତ୍ତମାନ ସମୟରେ ହାତଗଣତି କଳାକାର ଓ ଟିମ୍‌ ଦେଖିବାକୁ ମିଳୁଛି । ତେବେ ଗଞ୍ଜାମ ଜିଲ୍ଲାର ବଡକୁଶସ୍ଥଳୀ, ନରେନ୍ଦ୍ରପୁରର ବାସିନ୍ଦା ଏହି ପାରମ୍ପରିକ ରଣପା ନୃତ୍ୟ କିପରି ବଞ୍ଚି ରହିବ ଏଥିପାଇଁ ଉଦ୍ୟମ କରୁଛନ୍ତି । ଅନ୍ୟପଟେ ଏହି ଲୋକନୃତ୍ୟ ପାଇଁ ନାଁ କରିଥିବା ଅଞ୍ଚଳ ହେଉ ଅବା ଏହାର ଆଖପାଖ ଅଞ୍ଚଳରେ ରଣପା ପ୍ରଶିକ୍ଷଣ କେନ୍ଦ୍ର କରିବାକୁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଛି । କିନ୍ତୁ ତାହା ପୂରଣ ହୋଇପାରୁନାହିଁ ।

Ranapa Dance
କଳାକାର (ETV Bharat Odisha)

ଉତ୍ପତ୍ତି ସ୍ଥଳ କିମ୍ୱା ଆଖପାଖ ଅଞ୍ଚଳରେ ଏକ ସ୍ୱତନ୍ତ୍ର ରଣପା ପ୍ରଶିକ୍ଷଣ ସଂସ୍ଥା ସ୍ଥାପନା କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ତାହାକୁ କରାଯାଇପାରିନାହିଁ । ଏପରିକି ରାଜ୍ୟ ସରକାର ଅନ୍ୟ ଲୋକକଳା ଓ ଲୋକନୃତ୍ୟର ବିକାଶ ପ୍ରତି ଗୁରୁତ୍ୱ ଦେଉଥିଲେ ମଧ୍ୟ ଏହି ଲୋକନୃତ୍ୟ ପ୍ରତି ଆର୍ଥିକ ସହାୟତା ହେଉ ଅବା ପ୍ରଶିକ୍ଷଣ ସୁବିଧା ପାଇଁ ବ୍ୟବସ୍ଥା ଆଖିଦୃଶିଆ ହୋଇନଥିବା କୁହନ୍ତି ଲୋକକଳା ଗବେଷକ ।

‘ସ୍ବତନ୍ତ୍ର କଳାକେନ୍ଦ୍ର ପ୍ରତିଷ୍ଠା କରନ୍ତୁ ସରକାର’:

ଲୋକକଳା ଗବେଷକ ବିଘ୍ନେଶ୍ୱର ସାହୁ କୁହନ୍ତି, ‘ଏହି ପ୍ରାଚୀନ କଳାର ସଂରକ୍ଷଣ କରିବା ଆବଶ୍ୟକ । ଏଥିପାଇଁ ଏକ ସ୍ବତନ୍ତ୍ର କଳା କେନ୍ଦ୍ର ପ୍ରତିଷ୍ଠା କରାଯିବା ଆବଶ୍ୟକତା ରହିଛି । ଏଥିସହ ଏହି କଳା ସହ ଜଡିତ ଥିବା କଳାକାର ଓ ଗୁରୁଙ୍କ ସହ ସରକାର ଆଲୋଚନା କରି ତାଲିମ ଦିଆଯାଇପାରିଲେ ଏହି କଳା ଆହୁରି ଦୀର୍ଘସ୍ଥାୟୀ ହୋଇପାରିବ ।’

Ranapa Dance
ରଣପା ନୃତ୍ୟ (ETV Bharat Odisha)

କେବେ ରାଜ୍ୟ ବାହାରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା ?

ମୁଖ୍ୟତଃ ରଣପା ନୃତ୍ୟର ଗୁରୁ ଭାବରେ ପଦ୍ମଶ୍ରୀ ସ୍ୱର୍ଗତ ଭଗବାନ ସାହୁଙ୍କୁ ଜଣାଯାଏ । ୧୯୫୮ ମସିହାରେ ପ୍ରଥମଥର ପାଇଁ ରଣପ୍ପା ନୃତ୍ୟ ଦେଶର ରାଜଧାନୀ ଦିଲ୍ଲୀର ଜନପଥ ଠାରେ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିଥିଲା । ଏହାପରେ ଏହି ନୃତ୍ୟ ଦେଶର ପ୍ରମୁଖ ଉତ୍ସବ, ମହୋତ୍ସବ ଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ ପରିବେଷିତ ହୋଇଆସୁଛି ।

Ranapa Dance
ରଣପା ନୃତ୍ୟ (ETV Bharat Odisha)


ରଣପା ନୃତ୍ୟ ପାଇଁ ବର୍ଷେ ପର୍ଯ୍ୟନ୍ତ ଅଭ୍ୟାସ କରିବାକୁ ପଡେ...

ଗଞ୍ଜାମ ଜିଲ୍ଲାର ନରେନ୍ଦ୍ରପୁର ଲୋକନୃତ୍ୟର ଗୁରୁ ରାଜେନ୍ଦ୍ର କୁମାର ପାତ୍ର କୁହନ୍ତି, ‘୧୯୫୪ ମସିହାରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ବଡକୁଶସ୍ଥଳୀ ଗାଁରେ ପଦ୍ମଶ୍ରୀ ସ୍ୱର୍ଗତ ଭଗବାନ ସାହୁଙ୍କ ଅନୁଷ୍ଠାନ ରହିଛି । ରଣପା ନୃତ୍ୟ କହିଲେ ସିଧାସଳଖ ବଡକୁଶସ୍ଥଳୀର ଭଗବାନ ସାହୁଙ୍କୁ ବୁଝାଇଥାଏ । ଏପରିକି ରଣପାର ସ୍ଥାନ ଅନ୍ୟ କୌଣସି ନୃତ୍ୟ ନେଇପାରିବେ ନାହିଁ । କୌଣସି କଳାକାର ଏହାକୁ ପରିବେଷଣ କରିବାକୁ ଚାହିଁଲେ ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ଏହାକୁ ଅଭ୍ୟାସ କରିବାକୁ ପଡିଥାଏ ।’

Ranapa Dance
ରଣପା ନୃତ୍ୟ (ETV Bharat Odisha)

ଗଞ୍ଜାମରେ ରଣପା ନୃତ୍ୟର 3 ଟ୍ରୁଫ:

ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ ରଣପା ନୃତ୍ୟର ତିନୋଟି ଟ୍ରୁଫ୍ ବା ଟିମ୍‌ ରହିଛି । ସେମାନେ ହେଲେ ରଣପା ନୃତ୍ୟର ଗୁରୁ ଭଗବାନ ସାହୁଙ୍କ 3 ଶିଷ୍ୟ ରାଜେନ୍ଦ୍ର କୁମାର, ଶରତ ମହାପାତ୍ର ଓ ରାଜେନ୍ଦ୍ର ମହାପାତ୍ରଙ୍କ ଟ୍ରୁଫ୍‌ । ଗୋଟିଏ ଟିମରେ 14ରୁ ଅଧିକ କଳାକାର ଥାଆନ୍ତି ।

Ranapa Dance
ରଣପା କଳାକାର (ETV Bharat Odisha)

ରଣପା ନୃତ୍ୟ ସମ୍ପର୍କରେ:

ରଣପା ଏକ ଲୋକନୃତ୍ୟ । ଏଥିରେ କଳାକାର ମାନେ ପ୍ରାୟ 6 ଫୁଟ ଲମ୍ବର କାଠ ବା ବାଉଁଶରେ ଭୂମିରୁ 2ରୁ 3 ହାତ ଉଚ୍ଚତାରେ କରାଯାଇଥିବା ଖାନ୍ଦି ଉପରେ ଗୋଡ ରଖିଥାନ୍ତି । କଳାକାରଙ୍କ ପାଦକୁ ପାଦୁକା ଉପରେ ରଖି ଦଉଡିରେ ବାନ୍ଧି ଦିଆଯାଇଥାଏ । ବାଦ୍ୟ ଓ ଗୀତର ତାଳେ ତାଳେ ନୃତ୍ୟ ଶିଳ୍ପୀମାନେ କଳା ପରିବେଷଣ କରିଥାନ୍ତି । ଯେଉଁଥିରେ ଆଗକୁ ପଛକୁ ଚାଲିବା, ବୁଲିବା, ଡେଇଁବା, ଲଢିବା ଆଦି କୌଶଳ ପ୍ରଦର୍ଶନ କରିଥାନ୍ତି । ଏହି ଟିମ୍‌ର 8 ଜଣ କଳାକାର ରଣପା ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଅନ୍ୟ କଳାକାର ଢୋଲ, ଝାଞ୍ଜ, ମହୁରି ତାଳେ ତାଳେ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ କଳାକଳେବର କହ୍ନେଇ ସଙ୍ଗୀତ ଗାଇଥାନ୍ତି ।

Ranapa Dance
ମଞ୍ଚରେ ରଣପା ନୃତ୍ୟ ପ୍ରଦର୍ଶନ କରୁଛନ୍ତି କଳାକାର (ETV Bharat Odisha)

‘ରଣପା ନୃତ୍ୟରେ ସୁନାମ ପାଇଛୁ’

ରଣପା ନୃତ୍ୟ କରୁଥିବା କଳାକାର ଦୀପକ କୁମାର ପାତ୍ର କୁହନ୍ତି, ‘ଗଞ୍ଜାମ ଜିଲ୍ଲାରେ ରଣପା ବେଶ ଲୋକପ୍ରିୟ ଲୋକନୃତ୍ୟ ଭାବରେ ସୁପରିଚିତ । ମୁଖ୍ୟତଃ ଏହି ନୃତ୍ୟ ଶିକ୍ଷାଗ୍ରହଣ କରିବାକୁ ବହୁତ କଷ୍ଟ ଅନୁଭବ ହୋଇଥାଏ । ଏହି ନୃତ୍ୟକୁ ପରିବେଷଣ କରିବା ପାଇଁ କଳାକର ମାନଙ୍କୁ ସେମାନେ ନିଜ ନିଜର ଶରୀରକୁ ସନ୍ତୁଳନ ରକ୍ଷା କରିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ରଣପା ନୃତ୍ୟ ପରିବେଷଣ କରି ଅନେକ ସୁନାମ ପାଇଛୁ ।’

Ranapa Dance
ଭଗବାନ ସାହୁ (ETV Bharat Odisha)

ରଣପା ପଛରେ ଗୁରୁ ଭଗବାନ ସାହୁ:

ଗଞ୍ଜାମ ଲୋକକଳାର ଗବେଷକ ତଥା ବରିଷ୍ଠ ସ୍ତମ୍ଭକାର ବିଘ୍ନେଶ୍ୱର ସାହୁ କୁହନ୍ତି, ‘ଓଡ଼ିଶାରେ ଯେତିକି ଲୋକକଳା ରହିଛି ତାହାକୁ ସାମଗ୍ରିକ ଭାବରେ ଦେଖିଲେ ସାରା ବିଶ୍ୱରେ ସେତିକି ପରିମାଣର ଲୋକନୃତ୍ୟର ପ୍ରକାର ଭେଦ ଦେଖିବାକୁ ମିଳେନାହିଁ । ମୁଖ୍ୟତଃ ଏସିଆ ମହାଦେଶରେ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ସର୍ବାଧିକ ଭାବରେ ଦେଖିବାକୁ ମିଳିଥାଏ । ମୁଖ୍ୟତଃ ରଣପା ନୃତ୍ୟକୁ ପରିଚିତ କରାଇବାରେ ପଦ୍ମଶ୍ରୀ ସ୍ୱର୍ଗତ ଭଗବାନ ସାହୁଙ୍କ ପ୍ରମୁଖ ଭୂମିକା ରହିଛି ।’

ରଣପା ପ୍ରକାର ଭେଦ:

  • ରଣପା
  • ଯୋଡି ରଣପା
  • ଏକକ ରଣପା
  • ଦଳଗତ ରଣପା
Ranapa Dance
ରଣପା ନୃତ୍ୟ ପ୍ରଦର୍ଶନ (ETV Bharat Odisha)

ଲୋପ ପାଉଛି ଲୋକକଳା:

ଲୋକକଳା ଗବେଷକଙ୍କ କହିବା ଅନୁଯାୟୀ, ଗଞ୍ଜାମରେ ପୂର୍ବରୁ 62 ରୁ 64 ଲୋକକଳା ଓ ଲୋକନୃତ୍ୟ ରହିଥିଲା । ସେଥିରୁ ପ୍ରାୟ 30ଟି ଲୋପ ପାଇବାକୁ ବସିଲାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠାନର କଳାକାରଙ୍କୁ ବ୍ୟକ୍ତିଗତ ଭାବେ ସହାୟତା ପ୍ରଦାନ କରୁଛନ୍ତି । ଯାହାକି ପର୍ଯ୍ୟାପ୍ତ ନୁହେଁ ।

ଏହା ମଧ୍ୟ ପଢନ୍ତୁ:

ଭଞ୍ଜମାଟିର ଅନନ୍ୟ ଲୋକକଳା, ନୃତ୍ୟ-ଚିତ୍ର-ହସ୍ତକଳାର ଅପୂର୍ବ ସମନ୍ବୟ ‘ପଶୁମୁଖା’

ଅଙ୍ଗାରରେ ଚିତ୍ର ଅଙ୍କନରୁ ଅନ୍ତର୍ଜାତୀୟ ଭିଜୁଆଲ ଆର୍ଟିଷ୍ଟ, ଗଞ୍ଜାମ କଳା ସଂସ୍କୃତି ଓ ଜଙ୍ଗଲ ସୁରକ୍ଷାରେ ଚିତ୍ରଶିଳ୍ପୀ ସ୍ଥିତଧୀ ରଥ

ଲୋକନୃତ୍ୟ ସାଧିକା ନୂରି ପାଣିଗ୍ରାହୀ, ହଜିବାକୁ ବସିଥିବା ନୃତ୍ୟକୁ ଦେଖାଉଛନ୍ତି ଦିଗ

କଳାକାରରୁ ସାଧକ: ୧୦୭ ବର୍ଷରେ ବି କୃଷ୍ଣନାମରେ ଲୀନ, ପଦ୍ମଶ୍ରୀ ଗୋପିନାଥ

ଗଞ୍ଜାମ ଜିଲ୍ଲାର ଲୋକକଳାରୁ ବଞ୍ଚାଇ ରଖିବାକୁ ଆବଶ୍ୟକତା ରହିଛି । ସରକାର ଯଦି କଳାକାରଙ୍କ ପ୍ରତି ପ୍ରୋତ୍ସାହନ ଯୋଗାଇବା ସହ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରନ୍ତେ ଲାଭ ପାଇପାରନ୍ତେ ରଣପା କଳାକାର ।

ଇଟିଭି ଭାରତ, ବ୍ରହ୍ମପୁର