ଶ୍ରୀକୃଷ୍ଣଙ୍କ ସହ ଜଡିତ ରଣପା ନୃତ୍ୟ: ପ୍ରଶଂସା ସାଉଁଟୁଛି ଗଞ୍ଜାମ, କେବେ ପ୍ରତିଷ୍ଠା ହେବ ପ୍ରଶିକ୍ଷଣ କେନ୍ଦ୍ର ?
ଲୋକନୃତ୍ୟ ରଣପା ପାଇଁ ଦେଶବିଦେଶରେ ଅନନ୍ୟ ପରିଚୟ ପାଇଛି ଗଞ୍ଜାମ ଜିଲ୍ଲା । ନୂଆଦିଲ୍ଲୀଠୁ ନେଇ ଲଣ୍ଡନ ପ୍ରଦର୍ଶିତ ହୋଇଛି ରଣପା । କଳାକାରଙ୍କ ପ୍ରଶିକ୍ଷଣ ପାଇଁ ପ୍ରତିଷ୍ଠା ହୋଇପାରିନି ପ୍ରଶିକ୍ଷଣ କେନ୍ଦ୍ର ।

Published : February 24, 2026 at 6:18 PM IST
ସ୍ପେଶାଲ ଷ୍ଟୋରୀ: ସମୀର କୁମାର ଆଚାର୍ଯ୍ୟ
Ranapa Dance ବ୍ରହ୍ମପୁର: ଲୋକକଳା ଓ ଲୋକନୃତ୍ୟର ଗନ୍ତାଘର ଗଞ୍ଜାମ । ରଣପା, କାଠପାଦ, ଘୋଡାନାଚ ଏପରି ଅନେକ ଲୋକନୃତ୍ୟକୁ ନେଇ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ପାଇଛି ଗଞ୍ଜାମ ଜିଲ୍ଲା । ରଣପା ନୃତ୍ୟ ଦେଖିବାକୁ ଯେତିକି ଚିତାକର୍ଷକ, ପରିବେଷଣ ସେତିକି କଷ୍ଟସାଧ୍ୟ । ଦୁଇ ବାଉଁଶ ଉପରେ ଠିଆ ହୋଇ ଅତ୍ୟନ୍ତ ସତର୍କତାର ସହିତ ସନ୍ତୁଳନ ରକ୍ଷା କରି ରଣପା ନୃତ୍ୟ ପରିବେଷଣ କରନ୍ତି କଳାକାର । ଲଣ୍ଡନଠୁ ନେଇ ନ୍ୟୁଜିଲାଣ୍ଡ...ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ଜଡିତ ଥିବା ଏହି ନୃତ୍ୟ ଦିଲ୍ଲୀ ଦରବାରରେ ପ୍ରଦର୍ଶିତ ହୋଇ ବାଃ ବାଃ ସାଉଁଟିଥିବା ଏହି ନୃତ୍ୟ ଯେପରି ରାଜ୍ୟ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛି । କଳାକାରଙ୍କ ଦାବି କେବେ ପ୍ରତିଷ୍ଠା ହେବ ପ୍ରଶିକ୍ଷଣ କେନ୍ଦ୍ର ?
ରଣପା ନୃତ୍ୟ, ଗଞ୍ଜାମର ପରିଚୟ:
ଗଞ୍ଜାମ ଜିଲ୍ଲାର ପୁରାତନ ଲୋକନୃତ୍ୟ ଭାବରେ ଦେଶବିଦେଶରେ ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିପାରିଛି ରଣପା ନୃତ୍ୟ । ଦୁଇଟି ବାଉଁଶବାଡିରେ ଏହାର କଳାକାର ମାନେ ଦୀର୍ଘ ସମୟ ଧରି ଠିଆ ହୋଇ ଢୋଲ, ବାଦ୍ୟ, ମହୁରୀ, ଝାଞ୍ଜର ତାଳେ ତାଳେ ଘଣ୍ଟା ଘଣ୍ଚା ଧରି ନୃତ୍ୟ କରିବାର ଦୃଶ୍ୟ ସତରେ ଅତ୍ୟନ୍ତ ଚିତାକର୍ଷକ । କେବଳ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁଥିବା ଏହି ନୃତ୍ୟ ବର୍ଷତମାମ ରାଜ୍ୟ ଠାରୁ ଆରମ୍ଭ କରି ଦେଶ ଏବଂ ବିଦେଶରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଏହି ନୃତ୍ୟକୁ ପରିବେଷଣ କରାଯାଇଥାଏ ।

ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଦାବି:
ପ୍ରଶିକ୍ଷଣ କେନ୍ଦ୍ରର ଅଭାବ ଯୋଗୁଁ ଧୀରେ ଧୀରେ କଳାକାର ଏହି ନୃତ୍ୟ ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ବର୍ତ୍ତମାନ ସମୟରେ ହାତଗଣତି କଳାକାର ଓ ଟିମ୍ ଦେଖିବାକୁ ମିଳୁଛି । ତେବେ ଗଞ୍ଜାମ ଜିଲ୍ଲାର ବଡକୁଶସ୍ଥଳୀ, ନରେନ୍ଦ୍ରପୁରର ବାସିନ୍ଦା ଏହି ପାରମ୍ପରିକ ରଣପା ନୃତ୍ୟ କିପରି ବଞ୍ଚି ରହିବ ଏଥିପାଇଁ ଉଦ୍ୟମ କରୁଛନ୍ତି । ଅନ୍ୟପଟେ ଏହି ଲୋକନୃତ୍ୟ ପାଇଁ ନାଁ କରିଥିବା ଅଞ୍ଚଳ ହେଉ ଅବା ଏହାର ଆଖପାଖ ଅଞ୍ଚଳରେ ରଣପା ପ୍ରଶିକ୍ଷଣ କେନ୍ଦ୍ର କରିବାକୁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଛି । କିନ୍ତୁ ତାହା ପୂରଣ ହୋଇପାରୁନାହିଁ ।

ଉତ୍ପତ୍ତି ସ୍ଥଳ କିମ୍ୱା ଆଖପାଖ ଅଞ୍ଚଳରେ ଏକ ସ୍ୱତନ୍ତ୍ର ରଣପା ପ୍ରଶିକ୍ଷଣ ସଂସ୍ଥା ସ୍ଥାପନା କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ତାହାକୁ କରାଯାଇପାରିନାହିଁ । ଏପରିକି ରାଜ୍ୟ ସରକାର ଅନ୍ୟ ଲୋକକଳା ଓ ଲୋକନୃତ୍ୟର ବିକାଶ ପ୍ରତି ଗୁରୁତ୍ୱ ଦେଉଥିଲେ ମଧ୍ୟ ଏହି ଲୋକନୃତ୍ୟ ପ୍ରତି ଆର୍ଥିକ ସହାୟତା ହେଉ ଅବା ପ୍ରଶିକ୍ଷଣ ସୁବିଧା ପାଇଁ ବ୍ୟବସ୍ଥା ଆଖିଦୃଶିଆ ହୋଇନଥିବା କୁହନ୍ତି ଲୋକକଳା ଗବେଷକ ।
‘ସ୍ବତନ୍ତ୍ର କଳାକେନ୍ଦ୍ର ପ୍ରତିଷ୍ଠା କରନ୍ତୁ ସରକାର’:
ଲୋକକଳା ଗବେଷକ ବିଘ୍ନେଶ୍ୱର ସାହୁ କୁହନ୍ତି, ‘ଏହି ପ୍ରାଚୀନ କଳାର ସଂରକ୍ଷଣ କରିବା ଆବଶ୍ୟକ । ଏଥିପାଇଁ ଏକ ସ୍ବତନ୍ତ୍ର କଳା କେନ୍ଦ୍ର ପ୍ରତିଷ୍ଠା କରାଯିବା ଆବଶ୍ୟକତା ରହିଛି । ଏଥିସହ ଏହି କଳା ସହ ଜଡିତ ଥିବା କଳାକାର ଓ ଗୁରୁଙ୍କ ସହ ସରକାର ଆଲୋଚନା କରି ତାଲିମ ଦିଆଯାଇପାରିଲେ ଏହି କଳା ଆହୁରି ଦୀର୍ଘସ୍ଥାୟୀ ହୋଇପାରିବ ।’

କେବେ ରାଜ୍ୟ ବାହାରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା ?
ମୁଖ୍ୟତଃ ରଣପା ନୃତ୍ୟର ଗୁରୁ ଭାବରେ ପଦ୍ମଶ୍ରୀ ସ୍ୱର୍ଗତ ଭଗବାନ ସାହୁଙ୍କୁ ଜଣାଯାଏ । ୧୯୫୮ ମସିହାରେ ପ୍ରଥମଥର ପାଇଁ ରଣପ୍ପା ନୃତ୍ୟ ଦେଶର ରାଜଧାନୀ ଦିଲ୍ଲୀର ଜନପଥ ଠାରେ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିଥିଲା । ଏହାପରେ ଏହି ନୃତ୍ୟ ଦେଶର ପ୍ରମୁଖ ଉତ୍ସବ, ମହୋତ୍ସବ ଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ ପରିବେଷିତ ହୋଇଆସୁଛି ।

ରଣପା ନୃତ୍ୟ ପାଇଁ ବର୍ଷେ ପର୍ଯ୍ୟନ୍ତ ଅଭ୍ୟାସ କରିବାକୁ ପଡେ...
ଗଞ୍ଜାମ ଜିଲ୍ଲାର ନରେନ୍ଦ୍ରପୁର ଲୋକନୃତ୍ୟର ଗୁରୁ ରାଜେନ୍ଦ୍ର କୁମାର ପାତ୍ର କୁହନ୍ତି, ‘୧୯୫୪ ମସିହାରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ବଡକୁଶସ୍ଥଳୀ ଗାଁରେ ପଦ୍ମଶ୍ରୀ ସ୍ୱର୍ଗତ ଭଗବାନ ସାହୁଙ୍କ ଅନୁଷ୍ଠାନ ରହିଛି । ରଣପା ନୃତ୍ୟ କହିଲେ ସିଧାସଳଖ ବଡକୁଶସ୍ଥଳୀର ଭଗବାନ ସାହୁଙ୍କୁ ବୁଝାଇଥାଏ । ଏପରିକି ରଣପାର ସ୍ଥାନ ଅନ୍ୟ କୌଣସି ନୃତ୍ୟ ନେଇପାରିବେ ନାହିଁ । କୌଣସି କଳାକାର ଏହାକୁ ପରିବେଷଣ କରିବାକୁ ଚାହିଁଲେ ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ଏହାକୁ ଅଭ୍ୟାସ କରିବାକୁ ପଡିଥାଏ ।’

ଗଞ୍ଜାମରେ ରଣପା ନୃତ୍ୟର 3 ଟ୍ରୁଫ:
ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ ରଣପା ନୃତ୍ୟର ତିନୋଟି ଟ୍ରୁଫ୍ ବା ଟିମ୍ ରହିଛି । ସେମାନେ ହେଲେ ରଣପା ନୃତ୍ୟର ଗୁରୁ ଭଗବାନ ସାହୁଙ୍କ 3 ଶିଷ୍ୟ ରାଜେନ୍ଦ୍ର କୁମାର, ଶରତ ମହାପାତ୍ର ଓ ରାଜେନ୍ଦ୍ର ମହାପାତ୍ରଙ୍କ ଟ୍ରୁଫ୍ । ଗୋଟିଏ ଟିମରେ 14ରୁ ଅଧିକ କଳାକାର ଥାଆନ୍ତି ।

ରଣପା ନୃତ୍ୟ ସମ୍ପର୍କରେ:
ରଣପା ଏକ ଲୋକନୃତ୍ୟ । ଏଥିରେ କଳାକାର ମାନେ ପ୍ରାୟ 6 ଫୁଟ ଲମ୍ବର କାଠ ବା ବାଉଁଶରେ ଭୂମିରୁ 2ରୁ 3 ହାତ ଉଚ୍ଚତାରେ କରାଯାଇଥିବା ଖାନ୍ଦି ଉପରେ ଗୋଡ ରଖିଥାନ୍ତି । କଳାକାରଙ୍କ ପାଦକୁ ପାଦୁକା ଉପରେ ରଖି ଦଉଡିରେ ବାନ୍ଧି ଦିଆଯାଇଥାଏ । ବାଦ୍ୟ ଓ ଗୀତର ତାଳେ ତାଳେ ନୃତ୍ୟ ଶିଳ୍ପୀମାନେ କଳା ପରିବେଷଣ କରିଥାନ୍ତି । ଯେଉଁଥିରେ ଆଗକୁ ପଛକୁ ଚାଲିବା, ବୁଲିବା, ଡେଇଁବା, ଲଢିବା ଆଦି କୌଶଳ ପ୍ରଦର୍ଶନ କରିଥାନ୍ତି । ଏହି ଟିମ୍ର 8 ଜଣ କଳାକାର ରଣପା ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଅନ୍ୟ କଳାକାର ଢୋଲ, ଝାଞ୍ଜ, ମହୁରି ତାଳେ ତାଳେ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ କଳାକଳେବର କହ୍ନେଇ ସଙ୍ଗୀତ ଗାଇଥାନ୍ତି ।

‘ରଣପା ନୃତ୍ୟରେ ସୁନାମ ପାଇଛୁ’
ରଣପା ନୃତ୍ୟ କରୁଥିବା କଳାକାର ଦୀପକ କୁମାର ପାତ୍ର କୁହନ୍ତି, ‘ଗଞ୍ଜାମ ଜିଲ୍ଲାରେ ରଣପା ବେଶ ଲୋକପ୍ରିୟ ଲୋକନୃତ୍ୟ ଭାବରେ ସୁପରିଚିତ । ମୁଖ୍ୟତଃ ଏହି ନୃତ୍ୟ ଶିକ୍ଷାଗ୍ରହଣ କରିବାକୁ ବହୁତ କଷ୍ଟ ଅନୁଭବ ହୋଇଥାଏ । ଏହି ନୃତ୍ୟକୁ ପରିବେଷଣ କରିବା ପାଇଁ କଳାକର ମାନଙ୍କୁ ସେମାନେ ନିଜ ନିଜର ଶରୀରକୁ ସନ୍ତୁଳନ ରକ୍ଷା କରିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ରଣପା ନୃତ୍ୟ ପରିବେଷଣ କରି ଅନେକ ସୁନାମ ପାଇଛୁ ।’

ରଣପା ପଛରେ ଗୁରୁ ଭଗବାନ ସାହୁ:
ଗଞ୍ଜାମ ଲୋକକଳାର ଗବେଷକ ତଥା ବରିଷ୍ଠ ସ୍ତମ୍ଭକାର ବିଘ୍ନେଶ୍ୱର ସାହୁ କୁହନ୍ତି, ‘ଓଡ଼ିଶାରେ ଯେତିକି ଲୋକକଳା ରହିଛି ତାହାକୁ ସାମଗ୍ରିକ ଭାବରେ ଦେଖିଲେ ସାରା ବିଶ୍ୱରେ ସେତିକି ପରିମାଣର ଲୋକନୃତ୍ୟର ପ୍ରକାର ଭେଦ ଦେଖିବାକୁ ମିଳେନାହିଁ । ମୁଖ୍ୟତଃ ଏସିଆ ମହାଦେଶରେ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ସର୍ବାଧିକ ଭାବରେ ଦେଖିବାକୁ ମିଳିଥାଏ । ମୁଖ୍ୟତଃ ରଣପା ନୃତ୍ୟକୁ ପରିଚିତ କରାଇବାରେ ପଦ୍ମଶ୍ରୀ ସ୍ୱର୍ଗତ ଭଗବାନ ସାହୁଙ୍କ ପ୍ରମୁଖ ଭୂମିକା ରହିଛି ।’
ରଣପା ପ୍ରକାର ଭେଦ:
- ରଣପା
- ଯୋଡି ରଣପା
- ଏକକ ରଣପା
- ଦଳଗତ ରଣପା

ଲୋପ ପାଉଛି ଲୋକକଳା:
ଲୋକକଳା ଗବେଷକଙ୍କ କହିବା ଅନୁଯାୟୀ, ଗଞ୍ଜାମରେ ପୂର୍ବରୁ 62 ରୁ 64 ଲୋକକଳା ଓ ଲୋକନୃତ୍ୟ ରହିଥିଲା । ସେଥିରୁ ପ୍ରାୟ 30ଟି ଲୋପ ପାଇବାକୁ ବସିଲାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠାନର କଳାକାରଙ୍କୁ ବ୍ୟକ୍ତିଗତ ଭାବେ ସହାୟତା ପ୍ରଦାନ କରୁଛନ୍ତି । ଯାହାକି ପର୍ଯ୍ୟାପ୍ତ ନୁହେଁ ।
ଗଞ୍ଜାମ ଜିଲ୍ଲାର ଲୋକକଳାରୁ ବଞ୍ଚାଇ ରଖିବାକୁ ଆବଶ୍ୟକତା ରହିଛି । ସରକାର ଯଦି କଳାକାରଙ୍କ ପ୍ରତି ପ୍ରୋତ୍ସାହନ ଯୋଗାଇବା ସହ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରନ୍ତେ ଲାଭ ପାଇପାରନ୍ତେ ରଣପା କଳାକାର ।
ଇଟିଭି ଭାରତ, ବ୍ରହ୍ମପୁର

