ଗୋପାଳପୁର ଗଣଦୁଷ୍କର୍ମରୁ ପୀତବାସ ହତ୍ୟାକାଣ୍ଡ, ୨୦୨୫ରେ 'କ୍ରାଇମ ହଟସ୍ପଟ୍' ଗଞ୍ଜାମ !
୨୦୨୫ରେ ଗଞ୍ଜାମ ଛାତିରେ ଲାଗିଛି କ୍ରାଇମ କଳଙ୍କ । ଗଣଦୁଷ୍କର୍ମ, ବୀଭତ୍ସ ହତ୍ୟାକାଣ୍ଡ ଓ ଅପହରଣ, ଅପରାଧ ଗ୍ରାଫକୁ କରିଥିଲା ଉପର ମୁହାଁ । ଜିଲ୍ଲାର ଚର୍ଚ୍ଚିତ ଅପରାଧ ଘଟଣାବଳୀ ଉପରେ ନଜର

Published : December 23, 2025 at 1:27 PM IST
ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ
Ganjam Crime 2025 ବ୍ରହ୍ମପୁର: କ୍ୟାଲେଣ୍ଡରରୁ ଲିଭିଯିବ ୨୦୨୫ ବର୍ଷ । ହେଲେ ଲିଭିବନି ୨୦୨୫ରେ ଗଞ୍ଜାମ ଦେହରେ ଲାଗିଥିବା ଅପବାଦର ଦାଗ । ଗଣଦୁଷ୍କର୍ମଠୁ ବୀଭତ୍ସ ହତ୍ୟାକାଣ୍ଡ... ଅପହରଣଠୁ ମହାଦୁର୍ନୀତି... ହତ୍ୟାକାଣ୍ଡଠୁ ଦୁର୍ଘଟଣା..., ଏଭଳି ଅନେକ ଅପରାଧିକ ଦୃଶ୍ୟର ମୁକସାକ୍ଷୀ 'ଗଞ୍ଜାମ' । ରାଜନୈତିକ ବିବାଦରୁ ଗୁଳିର ଶବ୍ଦରେ କମ୍ପିଥିଲା ଗଞ୍ଜାମ.. ପୂର୍ବ ଶତ୍ରୁତାକୁ ନେଇ ବିଚ୍ ରାସ୍ତାରେ ଗଡ଼ିଲା ମୁଣ୍ଡ .. ସମ୍ପର୍କରେ ଲାଗିଥିଲା ରକ୍ତର ଛିଟା..ଏଭଳି ଅନେକ ଘଟଣା ଜିଲ୍ଲାର ଅପରାଧ ଗ୍ରାଫ୍କୁ ବଢାଇ ଦେଇଥିଲା । ୨୦୨୫ ମସିହାରେ ଗଞ୍ଜାମର କିଛି ଚର୍ଚ୍ଚିତ ହତ୍ୟାକାଣ୍ଡ ଏବଂ ଡେଥ୍ ମିଷ୍ଟ୍ରି ଓ ଅପରାଧକୁ ନେଇ ଇଟିଭି ଭାରତର ଅପରାଧ ଡାଏରୀ 'YearEnder 2025' ।
ବିଶ୍ୱରେ ନିନ୍ଦିତ ହୋଇଥିଲା ଗୋପାଳପୁର ବେଳାଭୂମି:
୨୦୨୫ ବର୍ଷର ଘଟଣା ମଧ୍ୟରେ ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା ଗଞ୍ଜାମ ଗୋପାଳପୁର ବେଳାଭୂମିର ଗଣଦୁଷ୍କର୍ମ ଘଟଣା । ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଗୋପାଳପୁରର ମୁଣ୍ଡ ନୁଆଇଁ ଦେଇଥିଲା ଜଣେ କଲେଜ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲା । ସେଦିନ ଥିଲା ଜୁନ୍ ୧୫ ରବିବାର ସନ୍ଧ୍ୟା । ଜଣେ ଛାତ୍ରୀ ନିଜର ପୁରୁଷ ବନ୍ଧୁ ସହ ବେଳାଭୂମି ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ୧୦ ଜଣ ଆସାମୀ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣା ପରେ ପରେ ଓଡ଼ିଶାରେ ନାରୀ ଅସୁରକ୍ଷିତ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସରକାରଙ୍କ ଆଡଭାଇଜରୀ ପରେ ଗୋପାଳପୁର ବେଳାଭୂମି ବିଶ୍ବରେ ନିନ୍ଦିତ ହୋଇଥିଲା । ଜିଲ୍ଲାରୁ ରାଜ୍ୟ ଏବଂ ଦେଶ ତଥା ବିଦେଶରେ ଲଜ୍ଜିତ ହେବାକୁ ପଡ଼ିଥିଲା ।
ଦୁଷ୍କର୍ମ ମାମଲାରେ ଥିଲେ 4 ନାବାଳକ:
ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ 4 ଜଣ ନାବାଳକ । ମାମଲା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ତଦନ୍ତ କରିବା ସହିତ ପରବର୍ତ୍ତୀ ଚାର୍ଜସିଟ୍ ଦାଖଲ ହୋଇଥିଲା । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ ।

୨୦୨୫ ଓଡ଼ିଶାର ହାଇପ୍ରୋଫାଲ୍ ହତ୍ୟାକାଣ୍ଡ ଭିତରେ ସବୁଠୁ ଚର୍ଚ୍ଚାରେ ରହିଥିଲା ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ । ସେଦିନ ଥିଲା ଅକ୍ଟୋବର 6 ତାରିଖ ସୋମବାର କୁମାର ପୂର୍ଣ୍ଣିମା ରାତି । ରାତି ପ୍ରାୟ ୧୦ଟାରେ ଆଇନଜୀବୀ ପୀତବାସ ତାଙ୍କ ସ୍କୁଟିରେ ବ୍ରହ୍ମପୁର ବୈକୁଣ୍ଠନଗର ସ୍ଥିତ ଘରକୁ ଫେରୁଥିଲେ । ଜନଗହଳିପୂର୍ଣ୍ଣ ବୈକୁଣ୍ଠନଗର ଛକ ନିକଟରେ ଦୁର୍ବୃତ୍ତମାନେ ମୋଟର ସାଇକଲରେ ଆସି ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାରେ ସାରା ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ ସହିତ ନ୍ୟାସନାଲ ବାର କାଉନସିଲ୍ ଘଟଣାକୁ ନିନ୍ଦା କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା ।
ପୀତବାସ ହତ୍ୟା ଘଟଣା ରହସ୍ୟ ପର୍ଦ୍ଦାଫାସ ରହିଥିଲା ଚର୍ଚ୍ଚାରେ:
ଅକ୍ଟୋବର ୨୨ରେ ପୀତବାସ ହତ୍ୟା ଘଟଣାରୁ ପରଦା ହଟାଇଥିଲା ପୋଲିସ । ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସ୍ପଷ୍ଟ କରିଥିଲା ପୋଲିସ । ସେହିପରି ପୂର୍ବତନ ବ୍ରହ୍ମପୁର ମେୟର ଶିବ ଶଙ୍କର ଦାଶ, ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ ଏବଂ ସାର୍ପସୁଟର କୁରୁପତି ଭୂୟାଁଙ୍କ ସମେତ ଏହି ହତ୍ୟା ମାମଲାରେ ଏବେ ମୋଟ ୧୬ ଅଭିଯୁକ୍ତଙ୍କୁ ଗିରଫ କରିବା ଚର୍ଚ୍ଚାର ବିଷୟ ପାଲଟିଥିଲା ।
2025ରେ ଗଞ୍ଜାମ ଉପରେ ଲାଗିଥିଲା ରକ୍ତଛିଟା:
- ଜାନୁଆରୀ ୧୬: ଆସିକା ଥାନା ରାଇପଲ୍ଲୀ ଗ୍ରାମର ଶତ୍ରୁଘ୍ନ ପାତ୍ରଙ୍କ ୩୫ ବର୍ଷୀୟା ଝିଅ ଲକ୍ଷ୍ମୀ ମହାନ୍ତିଙ୍କୁ ନିଜ ଭାଇ ବାବାଜୀ ପାତ୍ର ସୁରଟରୁ ଆସି ହତ୍ୟା କରିଥିଲା ।
- ମାର୍ଚ୍ଚ ୫: ଖଲ୍ଲିକୋଟ ଥାନା ହରିପୁରରେ ନାଏକ ସରପଞ୍ଚ ମୀନତି କୁମାରୀ ଦାସଙ୍କ ସ୍ୱାମୀ ରବୀନ୍ଦ୍ର ଦାସଙ୍କୁ ହତ୍ୟା କରିଥିଲେ ନିଜର ଦୁଇ ପୁତୁରା ।
- ମାର୍ଚ୍ଚ ୧୮: ବଡଗଡ ଥାନା ଖାରିପଲ୍ଲୀ ଗାଁରେ ଗୋଷ୍ଠୀ ସଂଘର୍ଷରେ ବାପା ଖଦାଳ ବେହେରା(୬୪) ତାଙ୍କ ପୁଅ ରତ୍ନାକର ବେହେରା (୩୯) ଓ ଅନ୍ୟ ଗୋଷ୍ଠୀର ଉମେଶ ବେହେରା (୪୪)ଙ୍କ ସନ୍ଦେହଜନକ ମୃତ୍ୟୁ । ଗୁଣିଗାରେଡି ସନ୍ଦେହରେ ୧୩ ଗିରଫ ।
- ମାର୍ଚ୍ଚ ୩୦: କବିସୂର୍ଯ୍ୟନଗର ପଥରପଲ୍ଲି ରାସ୍ତାରେ ବିଜେପି ନେତା ଲକ୍ଷ୍ମୀ ନାରାୟଣ ପାଇକରାୟଙ୍କୁ ଗୁଳି ହତ୍ୟା କରିଥିଲେ ସୁପାରି କିଲର୍ ।
- ଏପ୍ରିଲ୍ ୧୧: କୋଦଳା ଥାନା ବାଦପଲ୍ଲୀ ଗାଁରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସାନ ଭାଇ ଲିପୁନ ରାଉତକୁ ପିଟି ପିଟି ହତ୍ୟା କରିଥିଲା ବଡ଼ ଭାଇ କୈଳାସ ।
- ଏପ୍ରିଲ ୨୭: ବେଗୁନିଆପଡା ଥାନା ସୁମଣ୍ଡଳ ଅଞ୍ଚଳର ଦୁଇ ଭାଇ ସଞ୍ଜୟ ବାରିକ ଓ ଅଜୟ ବାରିକଙ୍କୁ ଅତି ନିର୍ମମ ଭାବରେ ହତ୍ୟା ପରେ ମୃତଦେହକୁ ପାଳ ପକାଇ ନିଆଁ ଲଗାଇ ପୋଡି ଦେଇଥିଲେ ଦୁର୍ବୃତ୍ତ ।
- ମେ ୨: ଗୋପାଳପୁର ଥାନା ନୂଆ କରାପଲ୍ଲୀରେ ଏକ ତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ନାବାଳିକାକୁ ଶାବଳ ଭୁସି ହତ୍ୟା କରିଥିଲା ଯୁବକ ।
- ମେ ୨୮: ବେଗୁନିଆପଡ଼ା ଥାନା ଗୋପାଳପୁର ଗ୍ରାମରେ ପାରିବାରିକ କଳହକୁ ନେଇ ସ୍ୱାମୀକୁ ୪୦ ବର୍ଷୀୟ ନାରାୟଣ ଭୂୟାଁଙ୍କୁ ସ୍ତ୍ରୀ ରୀନା ହତ୍ୟା କରିଥିଲା ।
- ଜୁନ୍ ୫: ଜଗନ୍ନାଥପ୍ରସାଦ ଥାନା ଚଢ଼େୟାପଲ୍ଲୀ ଗାଁ ଦାଣ୍ଡରେ ଶାଳୀ ବିଜୟଲକ୍ଷ୍ମୀ ତ୍ରିପାଠୀ (୪୦) ଙ୍କୁ ହାଣି ହତ୍ୟା କରିଥିଲା ଭିଣୋଇ ରାମଚନ୍ଦ୍ର ତ୍ରିପାଠୀ (୫୦) ।
- ଜୁନ୍ ୫: ଖଲ୍ଲିକୋଟ ବ୍ଳକ୍ ନାଇକାଣୀପଲ୍ଲୀ ମାଗୁରା ସାହିରେ ୮୫ ବର୍ଷୀୟ ଜେଜେ ମାଆ ଅନି ସ୍ୱାଇଁଙ୍କୁ ହତ୍ୟା କରିଥିଲା ନାତି ଚିତ୍ରସେନ ସ୍ୱାଇଁ (୩୨) ।
- ଜୁନ୍ ୧୭: ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମରେ ସ୍ୱାମୀ ଅମର ନାୟକଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରି ଧରାପଡ଼ିଥିଲେ ପତ୍ନୀ ଅଞ୍ଜନା ।
- ଜୁଲାଇ ୨: ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡ ନିକଟ ଏକ ଘରୋଇ ଲଜରେ ୨୪ ବର୍ଷୀୟ ଯୁବତୀଙ୍କୁ ୨୦ ଥର ଛୁରି ଭୁସି ହତ୍ୟା ।
- ଅଗଷ୍ଟ ୨: ରମ୍ଭା ଥାନା ବି. ବାହାଡାପଲ୍ଲୀ ଗ୍ରାମର ମୁଖିଆ ବି. ମନୁ ପ୍ରଧାନଙ୍କୁ ରେଳ ଫାଟକ ନିକଟରେ ହତ୍ୟା କରାଯାଇଥିଲା ।
- ଅଗଷ୍ଟ ୧୧: ନିମଖଣ୍ଡି ଥାନା ଶକ୍ତିନଗର ଶ୍ରୀମା ନଗରରେ ସାଧୁ ସ୍ୱାଇଁଙ୍କ ସ୍ତ୍ରୀ ଗାୟତ୍ରୀ (୩୩)ଙ୍କୁ ପ୍ରେମିକ ଶାନ୍ତନୁ ପାତ୍ର (୨୯) ହତ୍ୟା କରିଥିଲା ।
- ନଭେମ୍ବର ୧୬: କବିସୂର୍ଯ୍ୟନଗର ଥାନା ବରିଡ଼ା-ଏ ଗୋପାଳ ନଗରରେ ମଦ ପାଇଁ ବାପା ପଦ୍ମନାଭ ସାହୁ (୮୫)ଙ୍କୁ ନେବାକୁ ଛୁରିରେ ଭୁସି ହତ୍ୟା କରିଥିଲା ପୁଅ ରମେଶ ସାହୁ (୪୦) ।
2025 ଜୁନରେ ଦୁଷ୍କର୍ମ ଘଟଣା ଉପରେ ନଜର ପକାନ୍ତୁ...
- ଜୁନ 4: ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ 4 ଅଭିଯୁକ୍ତ ଗିରଫ ।
- ଜୁନ୍ ୧୧: ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜ ବାପା ହିଁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବାପା ଜେଲରେ।
- ଜୁନ୍ ୧୫: ଗୋପାଳପୁର ବେଳାଭୂମିର ଗଣଦୁଷ୍କର୍ମ ଘଟଣା ସାରା ଦେଶକୁ ଚକିତ କରିଥିଲା ।
- ଜୁନ 25: ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ ମାମଲାରେ ଜଣେ ନକଲି ଡାକ୍ତର ଏବଂ 2 ଜଣ ମହିଳା ଗିରଫ ।
- ଜୁନ୍ 30: ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ 11 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ମାମୁଁ ପୁଅ ଗିରଫ ।
- ଜୁନ ୨୯: ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ 17 ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ମୁରଲୀ ବେହେରାକୁ କୋର୍ଟଚାଲାଣ ।
ଜାନୁଆରୀ ୨୩ରେ ଦୁର୍ବୃତ୍ତମାନେ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ୪ ଜଣ ଯୁବକଙ୍କୁ ଅପହଣ କରି ଚିକିଟି ଅଞ୍ଚଳରେ ରଖିଥିଲେ । ୨ କୋଟି ଟଙ୍କା ପାଇଁ ମୁଣ୍ଡ ବନ୍ଧକ ରଖି ୪ ଜଣ ଯୁବକଙ୍କୁ ଗତ ୪ ଦିନ ଧରି ଅକଥନୀୟ ନିର୍ଯାତନା ସହ ବିଷାକ୍ତ ସାପ ଦେଖାଇ ସାପ କାମୁଡାରେ ମାରିଦେବାକୁ ଧମକ ଦେଉଥିଲେ । ଜଣେ ଅପହୃତ ଜାନୁଆରୀ ୨୬ରେ ଖସି ଆସି ଚିକିଟି ଫାଣ୍ଡି ପୋଲିସକୁ ଘଟଣା ଜଣାଇଥିଲା । ଘଟଣାର ପର୍ଦ୍ଦାଫାସ ହେବା ସହିତ ୧୨ ଜଣ ଗିରଫ ହୋଇଥିଲେ ।

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ:
ସେପ୍ଟେମ୍ବର ୨୯ ରାତିରେ ବ୍ରହ୍ମପୁର ଏସ୍.ପି ସର୍ବଣା ବିବେକ ଏମ୍ ଙ୍କୁ ସୂଚନା ମିଳଥିଲା ଆମ ରାଜ୍ୟର ଶତାଧିକ ପରୀକ୍ଷାର୍ଥୀଙ୍କୁ ନେଇ ତିନୋଟି ବସ୍ରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ନିଆଯାଉଛି । ସେଠାକୁ ରାଜ୍ୟ ପୋଲିସର ଏସ୍. ଆଇ. ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଆସିବ ଏବଂ ଆଶାୟୀମାନେ ତାହା ଆଧାରରେ ପ୍ରସ୍ତୁତ ହେବା ପରେ ପରୀକ୍ଷା କେନ୍ଦ୍ରକୁ ଆସିବେ । ଅର୍ଥାତ ପ୍ରଶ୍ନପତ୍ର ପୂର୍ବରୁ ସେମାନଙ୍କୁ ଜଣାଥିବ ଓ ପରୀକ୍ଷା ହଲରେ ସହଜରେ ଉତ୍ତର ଲେଖି ସେମାନେ କୃତକାର୍ଯ୍ୟ ହୋଇଯିବେ । ଯାହାକୁ ନେଇ ବ୍ରହ୍ମପୁର ପୋଲିସର ସ୍ୱତନ୍ତ୍ର ଟିମ୍ ଶ୍ରୀକାକୁଲମ୍ରେ ପହଞ୍ଚି ତିନୋଟି ବସ୍କୁ ଅଟକାଇବା ସହ ସମସ୍ତ ଆଶାୟୀ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ନେଇ ଆସିଥିଲା । ଗିରଫ ହୋଇଥିଲେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ମୋଟ ୧୧୭ । ମାସେ ଜେଲ୍ରେ ରହିବା ପରେ ଜାମିନ୍ରେ ମୁକୁଳିଥିଲେ ପରୀକ୍ଷାର୍ଥୀ । ଗୋଳନ୍ଥରା ଥାନାରେ ମାମଲା ରୁଜୁ ପରେ ଏହା ପୋଲିସ ହାତରୁ କ୍ରାଇମବ୍ରାଞ୍ଚ ଓ ପରେ ସିବିଆଇକୁ ହସ୍ତାନ୍ତର ହୋଇଛି । ଏହି ଘଟଣାରେ ବିଜେପି ସରକାରଙ୍କୁ ଘେରିଥିଲେ ବିରୋଧୀ । ମାମଲା ଏବେ ସିବିଆଇ କୋର୍ଟରେ ବିଚାରଧୀନ ରହିଥିବା ବେଳେ ଏହାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ୧୧ ଜଣ ସହଯୋଗୀ ଏବେ ଭୁବନେଶ୍ବର ଝାରପଡ଼ା ଜେଲ୍ରେ ଅଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

