ପ୍ରଗତି ପାଇଁ ପ୍ରତିଜ୍ଞା 2026; ଧରିତ୍ରୀ ମାଆର ସୁରକ୍ଷା ପାଇଁ ନୂତନ ବର୍ଷର ନୂଆ ସଂକଳ୍ପ
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ 'ପ୍ରଗତି ପାଇଁ ପ୍ରତିଜ୍ଞା-2026' କାର୍ଯ୍ୟକ୍ରମ । ପରିବେଶ ସୁରକ୍ଷା ସହ ପ୍ଲାଷ୍ଟିକ ବର୍ଜନ ପାଇଁ ନୂଆ ପଦକ୍ଷେପ । ଶପଥ ନେବାକୁ ଆହ୍ୱାନ ।

Published : December 27, 2025 at 8:09 PM IST
ସ୍ପେଶାଲ ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ
Ganjam District Environment Drive ବ୍ରହ୍ମପୁର/ଗଞ୍ଜାମ: ନୂଆବର୍ଷ ପାଇଁ ନୂଆ ପ୍ରତିଜ୍ଞା । ପରିବେଶ ସୁରକ୍ଷା ସହ ପ୍ଲାଷ୍ଟିକ ବର୍ଜନ ପାଇଁ ନୂଆ ପଦକ୍ଷେପ । ନୂଆ ବର୍ଷରେ ପରିବେଶ ସୁରକ୍ଷା ପ୍ରତି ଲୋକମାନଙ୍କୁ ସଚେତନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଆରା ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି "ପ୍ରଗତି ପାଇଁ ପ୍ରତିଜ୍ଞା ୨୦୨୬": ଧରିତ୍ରୀ ମାଆ ପ୍ରତି ମୋର ନୂତନ ବର୍ଷର ପ୍ରତିଜ୍ଞା; କାର୍ଯ୍ୟକ୍ରମ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ QR କୋର୍ଡ ଜାର କରାଯାଇଛି । ପରିବେଶ ସୁରକ୍ଷା ପାଇଁ କିପରି ନିଜର କର୍ତ୍ତବ୍ୟ କରିବେ ସେନେଇ QR କୋର୍ଡରେ ସ୍କାନ୍ କରି ଶପଥ ନେବାକୁ ଆହ୍ୱାନ କରାଯାଇଛି ।
ନୂଆବର୍ଷରେ ନିଆରା ପଦକ୍ଷେପ ସ୍ବରୁପ ଗଞ୍ଜାମ ଜିଲ୍ଲା ପ୍ରଶାସନ 'ପ୍ରଗତି ପାଇଁ ପ୍ରତିଜ୍ଞା-୨୦୨୬' କାର୍ଯ୍ୟକ୍ରମ ଆରମ୍ଭ କରିଛି । ନୂତନ ବର୍ଷରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସମୟରେ ଫୁଲତୋଡା, ମିଠା ସହିତ ଉପହାର ଆଣିବାକୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବାରଣ କରିବା ସହ ଏଥିପାଇଁ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହାର ପ୍ରତି ବଦଳରେ ଗଞ୍ଜାମ ଜିଲ୍ଲାବାସୀ ଧରିତ୍ରୀ ମାଆଙ୍କ ସୁରକ୍ଷା ପାଇଁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ଗଞ୍ଜମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଏକ ନିଆରା ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । କିପରି ପ୍ରତ୍ୟେକ ଜିଲ୍ଲାବାସୀ 'ପ୍ରଗତି ପାଇଁ ପ୍ରତିଜ୍ଞା-୨୦୨୬' ନିଆରା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରିବେ ଏବଂ କ'ଣ ଶପଥ ନେବେ ସେନେଇ ଗଞ୍ଜାମ ଜିଲ୍ଲାପାଳ ବିସ୍ତୃତ ଭାବରେ କହିଛନ୍ତି ।

ନୂତନ ବର୍ଷ ପାଇଁ ପ୍ରଗତି ପାଇଁ ପ୍ରତିଜ୍ଞା-2026:
ଗଞ୍ଜାମ ଜିଲ୍ଲ ପ୍ରଶାସନ ପକ୍ଷରୁ ଏକ QR କୋର୍ଡ ପ୍ରସ୍ତୁତ କରାଯାଇଛି । ଜିଲ୍ଲାର ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଏହି QR କୋର୍ଡକୁ ନିଜର ମୋବାଇଲ ସ୍କାନରେ ସ୍କାନ୍ କରିବା ପରେ ସେଥିରେ ନିଜର ନାମ ସହିତ ଇ-ମେଲ, ମୋବାଇଲ ନମ୍ୱର ପ୍ରଦାନ କରି ନିଜର ପ୍ରତିଜ୍ଞା କରିବେ ।

କ'ଣ ପ୍ରତିଜ୍ଞା କରିବେ:
- ମୁଁ ଥରେ ବ୍ୟବହାର ହେଉଥିବା ବା ସିଙ୍ଗିଲ୍ ୟୁଉଜ୍ ପ୍ଲାଷ୍ଟିକ୍ ବ୍ୟାଗ ବ୍ୟବହାର ବନ୍ଦ କରିବି ଏବଂ ସବୁବେଳେ କପଡ଼ା କିମ୍ବା ଝୋଟ ତିଆରି ବ୍ୟାଗ୍ ବ୍ୟବହାର କରିବି ।
- ମୁଁ ଡିସପୋଜେବଲ୍ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବାରୁ ଦୂରେଇ ରହିବି ଏବଂ ମୋର ନିଜସ୍ୱ ପୁନଃଯୋଗ୍ୟ (refillable) ବୋତଲ ବ୍ୟବହାର କରିବି ।
- ମୁଁ ଯେକୌଣସି ସାର୍ବଜନୀନ ସ୍ଥାନରେ ଅଳିଆ ନ ପକାଇବାକୁ କଡ଼ାକଡ଼ି ପାଳନ କରିବି ଏବଂ ସର୍ବଦା ଡଷ୍ଟବିନ ବ୍ୟବହାର କରିବି । ଏହାସହ ଅନ୍ୟମାନଙ୍କୁ ମଧ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ଅଳିଆ ନ ପକାଇବାକୁ ଅନୁରୋଧ କରିବି ।
- ଆବଶ୍ୟକ ନଥିବା ସମୟରେ ମୁଁ ଲାଇଟ୍, ପଙ୍ଖା ଏବଂ ବୈଦ୍ୟୁତିକ ଉପକରଣଗୁଡ଼ିକୁ ବନ୍ଦ କରିବି ଏବଂ ମୋର ବିଦ୍ୟୁତ୍ ବ୍ୟବହାର କମ କରିବି । ଅଯଥାରେ ବିଦ୍ୟୁତ୍ ଅପଚୟ କରିବି ନାହିଁ ।
- ମୁଁ ସପ୍ତାହରେ ଅତି କମରେ 2 ଦିନ ସାର୍ବଜନୀନ ପରିବହନ/କାରପୁଲିଂ କିମ୍ବା ଅଳ୍ପ ଦୂରତା ଯିବା ପାଇଁ ଚାଲିଚାଲି କିମ୍ବା ସାଇକେଲ ବ୍ୟବହାର କରିବି ।
- ମୁଁ 2026 ମସିହାରେ ପ୍ରତି ମାସରେ ଅତି କମରେ ଗୋଟିଏ ଗଛ ଲଗାଇବି ଏବଂ ତାହାର ଯତ୍ନ ନେବି ।
ପ୍ରତିଜ୍ଞା ନେଉଥିବା ବ୍ୟକ୍ତିମାନେ ଏହି ସମୟରେ ନିଜର ମତାମତ ପ୍ରଦାନ କରିବାକୁ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି ।

ପ୍ରତିଜ୍ଞା ନେଲେ ମିଳିବ ପ୍ରମାଣପତ୍ର:
ପ୍ରତିଜ୍ଞା ନେବା ପରେ ତୁରନ୍ତ ଗଞ୍ଜାମ ଜିଲ୍ଲାପାଳଙ୍କ ସ୍ୱାକ୍ଷର ରହିଥିବା ଇ-ପ୍ରମାଣପତ୍ର ମିଳିବ । ପ୍ରମାଣପତ୍ରକୁ ଅଟୋ ଡାଉନଲୋଡ୍ କରି ନିଜ ପାଖରେ ରଖିପାରିବେ ।
ନୂଆବର୍ଷର ନୂତନ ପ୍ରତିଜ୍ଞା:
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ କହିବା କଥା, ପ୍ରତ୍ୟେକ ବର୍ଷ ସମସ୍ତେ କିଛି ନା କିଛି ନୂତନ ପ୍ରତିଜ୍ଞା ନେଇଥାନ୍ତି । ଚଳିତବର୍ଷ ପ୍ରକୃତିର ସୁରକ୍ଷା ପାଇଁ ସମସ୍ତେ କିଭଳି ପ୍ରତିଜ୍ଞାବଦ୍ଧ ହେବେ ସେନେଇ "ପ୍ରଗତି ପାଇଁ ପ୍ରତିଜ୍ଞା ୨୦୨୬" କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଛୋଟ ପ୍ରୟାସ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀଙ୍କ ନିକଟକୁ ଏକ ଗାଇଡଲାଇନ୍ ଜାରି କରାଯାଇଛି । ଜନସାଧାରଣ ବହୁ ସଂଖ୍ୟାରେ ଏଥିରେ ଅଂଶ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏହା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ବିଭିନ୍ନ ଫୋରମ୍ରେ ସମସ୍ତେ ନିଜ ନିଜ ମଧ୍ୟରେ ସେୟାର କରୁଥିବା ଦେଖାଯାଇଛି । ଏହି କାର୍ଯ୍ୟକ୍ରମ ଅଧିକ ମାତ୍ରାରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ଜିଲ୍ଲାପାଳ ।

ଜିଲ୍ଲାପାଳ ଭି. କୀର୍ତ୍ତି ଓ୍ବାସନ କହିଛନ୍ତି, "ଯେଉଁମାନେ ଶପଥ ନେଇଛନ୍ତି ସେମାନେ ତାଙ୍କ ପ୍ରତିଜ୍ଞା କେତେଦୂର କାର୍ଯ୍ୟକାରୀ କରୁଛନ୍ତି, ସେନେଇ ସେମାନଙ୍କ ସହିତ ଆଗାମୀ ଦିନରେ ଆଲୋଚନା କରାଯିବ ।"
ସରକାରୀ କାର୍ଯ୍ୟାଳୟ ହେବ ପ୍ଲାଷ୍ଟିକ ମୁକ୍ତ:
ଗଞ୍ଜାମ ଜିଲ୍ଲାପାଳଙ୍କ କହିବା କଥା, ନୂଆବର୍ଷରେ ଗଞ୍ଜାମ ଜିଲ୍ଲାକୁ ସୁନ୍ଦର ସବୁଜ ଜିଲ୍ଲା ହିସାବରେ ପରିଣତ କରିବା ସହିତ ପ୍ଲାଷ୍ଟିକ୍ ବ୍ୟବହାରକୁ ବହୁତ ମାତ୍ରାରେ କମ୍ କରିପାରିବା ପାଇଁ ଏଭଳି ଉଦ୍ୟମ କରାଯାଇଛି । ଜିରୋ-ପ୍ଲାଷ୍ଟିକ୍ ବ୍ୟବହାର ପ୍ରଚେଷ୍ଟା ସରକାରୀ କାର୍ଯ୍ୟାଳୟରୁ ଆରମ୍ଭ ହେବ । ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରୁ ପ୍ଲାଷ୍ଟିକ ମୁକ୍ତ କରାଯିବା । ପ୍ରଗତି ପାଇଁ ପ୍ରତିଜ୍ଞା କେବଳ ବାର୍ତ୍ତାରେ ନ ରହି କାର୍ଯ୍ୟରେ ପରିଣତ କରିବା ପାଇଁ ଚେଷ୍ଟିତ ହେବାକୁ ଆହ୍ୱାନ କରାଯାଇଛି ।

ଜିଲ୍ଲା ପ୍ରଶାସନ ପଦକ୍ଷେପକୁ ସ୍ୱାଗତ:
ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ପ୍ରଦୀପ ଶତପଥୀଙ୍କ କହିବା କଥା, "ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରୁଛୁ । ବର୍ତ୍ତମାନ ଆମେ ଯେଉଁ ପରିବେଶରେ ଜୀବନ ଧାରଣ କରୁଛେ ତାହା ପ୍ରଦୂଷିତ ହେବାରେ ଲାଗିଛି । ଆବଶ୍ୟକତା ନଥାଇ ଗାଡି ଚାଳାଇବା ଦ୍ବାରା ପ୍ରଦୂଷଣ ବଢ଼ୁଛି । ଶୀତତାପ ନିୟନ୍ତ୍ରିତ ମେସିନ୍ର ବହୁଳ ବ୍ୟବହାର କରାଯାଉଛି । ସିଙ୍ଗଲ୍ ୟୁଜର୍ ପ୍ଲାଷ୍ଟିକ୍ ଏବଂ ପଲିଥିନ ବ୍ୟବହାର ଫଳେ ପରିବେଶ ଉପରେ କୁପ୍ରଭାବ ପଡ଼ୁଛି । ବର୍ତ୍ତମାନର ସ୍ଥିତିରେ ଆମେ ନିଜକୁ ସୁରକ୍ଷିତ ରଖିବା ସହିତ ଆମ ପରିବେଶକୁ ସୁରକ୍ଷିତ ରଖିବା ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ପ୍ରତିଜ୍ଞା ନେବା ଉଚିତ । ବିଭିନ୍ନ କାରଣରୁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ଆମେ ଯଦି ସଚେତନ ନହେବା ତା'ହେଲେ ପରିବେଶରେ ବଞ୍ଚିବା କଷ୍ଟକର ହୋଇପଡିବ । ଆଗାମୀ ପୀଢି ପାଇଁ ଏହା ବିପଦ ସୃଷ୍ଟି କରିବ ।"
ବ୍ରହ୍ମପୁର ସହରର ୪ ନମ୍ୱର ୱାର୍ଡର କର୍ପୋରେଟର ସଂନ୍ଧ୍ୟାରାଣୀ ଶୁକ୍ଲଙ୍କ କହିଛନ୍ତି, "ଜିଲ୍ଲାପାଳଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ମୁଁ ନିଜେ ଏହାର ସଂଙ୍କଳ୍ପ ନେଇଛି । ପରିବେଶ ପ୍ରତି ସଚେତନତା ହେବା ପାଇଁ ସମସ୍ତେ ପ୍ରତିଜ୍ଞା କରିବା ଆବଶ୍ୟକ ।"
ଇଟିଭି ଭାରତ, ବ୍ରହ୍ମପୁର

