ETV Bharat / state

ଗନ୍ଧମାର୍ଦ୍ଧନର ଜଡିବୁଟିରେ କ୍ୟାନ୍ସର୍ ଚିକିତ୍ସାର ନୂଆ ଆଶା, ଏନିମଲ୍ ଟ୍ରାଏଲ୍ ସଫଳ ହେଲେ ୩ ମାସରେ ହ୍ୟୁମାନ୍ ଟ୍ରାଏଲ୍

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫ ବର୍ଷର ଗବେଷଣାରେ ମିଳିଲା ଏନିମଲ୍ ଟ୍ରାଏଲରୁ ଉତ୍ସାହଜନକ ଫଳ। ସଫଳ ହେଲେ CCRAS ସ୍ୱୀକୃତିପ୍ରାପ୍ତ ହସ୍ପିଟାଲ ସହ ଆରମ୍ଭ କରାଯିବ ହ୍ୟୁମାନ୍ ଟ୍ରାଏଲ। ରିପୋର୍ଟ - ବାଦଶାହା ଜୁଶମନ ରାଣା

GANDHAMARDAN CANCER RESEARCH
ଗନ୍ଧମାର୍ଦ୍ଧନର ଜଡିବୁଟିରେ କ୍ୟାନ୍ସର୍ ଚିକିତ୍ସାର ନୂଆ ଆଶା, ଏନିମଲ୍ ଟ୍ରାଏଲ୍ ସଫଳ ହେଲେ ୩ ମାସରେ ହ୍ୟୁମାନ୍ ଟ୍ରାଏଲ୍ (ETV Bharat Odisha)
author img

By ETV Bharat Odisha Team

Published : July 8, 2026 at 8:44 PM IST

3 Min Read
Choose ETV Bharat

ସମ୍ବଲପୁର: କ୍ୟାନ୍ସର ଏକ ମାରାତ୍ମକ ଓ ବ୍ୟୟବହୁଳ ଚିକିତ୍ସା ଆବଶ୍ୟକ କରୁଥିବା ରୋଗ। ଏହି ରୋଗର ଫଳପ୍ରଦ ଚିକିତ୍ସା ଖୋଜିବା ଦିଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଭାଗ ଏକ ଆଶାର କିରଣ ଦେଖାଇଛି। ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଧନ ପର୍ବତରେ ମିଳୁଥିବା ଦୁର୍ଲଭ ଔଷଧୀୟ ଉଦ୍ଭିଦ ଉପରେ ଗତ ୫ ବର୍ଷ ଧରି ଚାଲିଥିବା ଗବେଷଣାରେ ଏନିମଲଅ ଟ୍ରାଏଲରୁ ଉତ୍ସାହଜନକ ଫଳ ମିଳିଛି। ବର୍ତ୍ତମାନ ୩୫ ଦିନର ଏନିମଲ ଟ୍ରାଏଲ ଉତ୍ସାହଜନକ ସଫଳ ହୋଇଥିବା ବେଳେ ଆହୁରି ୯୦–୯୫ ଦିନର ଗବେଷଣା ବାକି ରହିଛି। ଏହା ସମ୍ପୂର୍ଣ୍ଣ ସଫଳ ହେଲେ କୌଣସି ଏକ CCRAS(Central Council for Research in Ayurvedic Sciences) ସ୍ୱୀକୃତିପ୍ରାପ୍ତ ହସ୍ପିଟାଲ ସହ MOU ସ୍ୱାକ୍ଷର କରି ହ୍ୟୁମାନ୍ ଟ୍ରାଏଲ ଆରମ୍ଭ କରାଯିବ।

ଗନ୍ଧମାର୍ଦ୍ଧନର ଜଡିବୁଟିରେ କ୍ୟାନ୍ସର୍ ଚିକିତ୍ସାର ନୂଆ ଆଶା, ଏନିମଲ୍ ଟ୍ରାଏଲ୍ ସଫଳ ହେଲେ ୩ ମାସରେ ହ୍ୟୁମାନ୍ ଟ୍ରାଏଲ୍ (ETV Bharat Odisha)
  • ୫୦ରୁ ୫ଟି ଔଷଧୀୟ ବୃକ୍ଷରେ ମିଳିଲା କ୍ୟାନ୍ସର ପ୍ରତିରୋଧ ସମ୍ଭାବନା

ଗନ୍ଧମାର୍ଦ୍ଧନ ପର୍ବତ ଅଞ୍ଚଳରେ ବସବାସ କରୁଥିବା ପାରମ୍ପରିକ ବୈଦ୍ୟମାନେ ଆୟୁର୍ବେଦିକ ପଦ୍ଧତିରେ କ୍ୟାନ୍ସର ଚିକିତ୍ସା କରୁଥିବା ଦାବି କରୁଥିବାରୁ ସେମାନଙ୍କ ସହଯୋଗରେ ଗବେଷଣା ଆରମ୍ଭ ହୋଇଥିଲା। ପ୍ରଥମେ ୫୦ଟି ଔଷଧୀୟ ବୃକ୍ଷ ଚିହ୍ନଟ କରାଯାଇଥିଲା। ଦୀର୍ଘ ଗବେଷଣା ପରେ ସେଥିରୁ ୫ଟି ବୃକ୍ଷରେ କ୍ୟାନ୍ସର ବିରୋଧୀ କ୍ରିୟାଶୀଳତା ଥିବା ଜଣାପଡ଼ିଛି। ଏହାପରେ ସେହି ଉଦ୍ଭିଦଗୁଡ଼ିକର ନିର୍ଯାସକୁ ନେଇ ମୂଷା ଉପରେ ଏନିମଲ୍ ଟ୍ରାଏଲ ଆରମ୍ଭ କରାଯାଇଛି।

GANDHAMARDAN CANCER RESEARCH
ଗନ୍ଧମାର୍ଦ୍ଧନର ଜଡିବୁଟିରେ କ୍ୟାନ୍ସର୍ ଚିକିତ୍ସାର ନୂଆ ଆଶା, ଏନିମଲ୍ ଟ୍ରାଏଲ୍ ସଫଳ ହେଲେ ୩ ମାସରେ ହ୍ୟୁମାନ୍ ଟ୍ରାଏଲ୍ (ETV Bharat Odisha)
  • ୨୦୧୯ରୁ ଆରମ୍ଭ ହୋଇଥିବା ଗବେଷଣା

ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ କୁମାର ନାଏକଙ୍କ କହିବା ଅନୁଯାୟୀ, ୨୦୧୯ ମସିହାରେ ଏହି ଗବେଷଣା ଆରମ୍ଭ ହୋଇଥିଲା। ପ୍ରଥମେ ୫୦ଟି ଔଷଧୀୟ ବୃକ୍ଷ ଉପରେ ଅଧ୍ୟୟନ କରାଯାଇଥିବା ବେଳେ ବର୍ତ୍ତମାନ ୫ଟି ଚୟନିତ ଉଦ୍ଭିଦକୁ ନେଇ ଗବେଷଣା ଚାଲିଛି। ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ବାୟୋଟେକ୍ନୋଲୋଜି ବିଭାଗ, ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଏବଂ ICMR (Indian Council of Medical Research) ପକ୍ଷରୁ ପାଣ୍ଠି ମିଳିଛି। ଏନିମଲ ଟ୍ରାଏଲ ପାଇଁ Animal Ethical Committee, CPCSEA, ICMRNISER ପକ୍ଷରୁ ଅନୁମତି ମଧ୍ୟ ମିଳିଛି। ଏହି ଗବେଷଣାରେ AIIMS ଭୁବନେଶ୍ୱର, SOAAyush ବିଭାଗ, Central Ayurvedic Research Institute (ଭୁବନେଶ୍ୱର ଓ କୋଲକାତା) ଏବଂ ହାଇଦ୍ରାବାଦର IICT (Indian Institute of Chemical Technology) ଭଳି ପ୍ରମୁଖ ସଂସ୍ଥା ସହଯୋଗ କରୁଛନ୍ତି।

  • ପ୍ରଥମ ପର୍ଯ୍ୟାୟରେ ବ୍ରେଷ୍ଟ କ୍ୟାନ୍ସରକୁ ପ୍ରାଥମିକତା

ଯଦିଓ ଏହି ଗବେଷଣା ସମସ୍ତ ପ୍ରକାର କ୍ୟାନ୍ସର ପାଇଁ ଉଦ୍ଦିଷ୍ଟ, ତଥାପି ପ୍ରଥମ ପର୍ଯ୍ୟାୟରେ ବ୍ରେଷ୍ଟ କ୍ୟାନ୍ସରକୁ ପ୍ରାଥମିକତା ଦିଆଯାଇଛି। ଏହି ଔଷଧୀୟ ଫର୍ମୁଲେସନ ପାଇଁ ପେଟେଣ୍ଟ ଆବେଦନ ମଧ୍ୟ କରାଯାଇଛି।

  • ଏନିମଲ ଟ୍ରାଏଲର ୨ ପର୍ଯ୍ୟାୟ ସମ୍ପୂର୍ଣ୍ଣ

ପ୍ରଫେସର ନାଏକଙ୍କ କହିବା ଅନୁଯାୟୀ, ଏନିମଲ ଟ୍ରାଏଲରେ Acute, Sub-acute, Chronic ଓ Sub-chronic; ଏଭଳି ୪ଟି ପର୍ଯ୍ୟାୟ ରହିଛି। ବର୍ତ୍ତମାନ AcuteSub-acute ପର୍ଯ୍ୟାୟ ସମାପ୍ତ ହୋଇଛି। ୩୫ ଦିନର ଗବେଷଣା ଶେଷ ହୋଇଥିବା ବେଳେ ଆଗକୁ ୯୦–୯୫ ଦିନର Chronic Sub-chronic ପର୍ଯ୍ୟାୟ ଚାଲିବ। ଏହି ସମୟରେ ଔଷଧର ପାର୍ଶ୍ୱପ୍ରତିକ୍ରିୟା ଅଛି କି ନାହିଁ, ତାହା ସ୍ପଷ୍ଟ ହେବ। ପରେ ଔଷଧର କ୍ରିୟାଶୀଳତାର ମେକାନିଜମ ଉପରେ ପରୀକ୍ଷା କରାଯିବ।

GANDHAMARDAN CANCER RESEARCH
ଗନ୍ଧମାର୍ଦ୍ଧନର ଜଡିବୁଟିରେ କ୍ୟାନ୍ସର୍ ଚିକିତ୍ସାର ନୂଆ ଆଶା, ଏନିମଲ୍ ଟ୍ରାଏଲ୍ ସଫଳ ହେଲେ ୩ ମାସରେ ହ୍ୟୁମାନ୍ ଟ୍ରାଏଲ୍ (ETV Bharat Odisha)
  • CCRAS ହସ୍ପିଟାଲରେ ହେବ ହ୍ୟୁମାନ ଟ୍ରାଏଲ

ଏନିମଲ ଟ୍ରାଏଲ ସଫଳ ହେଲେ ଦେଶର ୩୦ଟି CCRAS ସ୍ୱୀକୃତିପ୍ରାପ୍ତ ହସ୍ପିଟାଲ ମଧ୍ୟରୁ ଗୋଟିଏ ସହ MOU ସ୍ୱାକ୍ଷର କରାଯିବ। ପରେ ଟେକ୍ନୋଲୋଜି ଟ୍ରାନ୍ସଫର କରି ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ। CCRAS ପକ୍ଷରୁ ଗବେଷଣା ସମ୍ପର୍କିତ କେତେକ ତଥ୍ୟ ମଧ୍ୟ ମଗାଯାଇଛି। ସମସ୍ତ ପ୍ରକ୍ରିୟା ଆୟୁଷ ମନ୍ତ୍ରାଳୟ ଓ ICMRର ଗାଇଡ୍‌ଲାଇନ୍ ଅନୁଯାୟୀ କରାଯିବ।

  • ୩ ପର୍ଯ୍ୟାୟରେ ହେବ ହ୍ୟୁମାନ ଟ୍ରାଏଲ
  1. ପ୍ରଥମ ପର୍ଯ୍ୟାୟ: ୨୦–୩୦ ଜଣ ରୋଗୀଙ୍କ ଉପରେ ପରୀକ୍ଷାମୂଳକ ପ୍ରୟୋଗ
  2. ଦ୍ୱିତୀୟ ପର୍ଯ୍ୟାୟ: ପାର୍ଶ୍ୱପ୍ରତିକ୍ରିୟା ନଥିଲେ ୨୦୦–୩୦୦ ଜଣ ରୋଗୀଙ୍କ ଉପରେ ପରୀକ୍ଷା
  3. ତୃତୀୟ ପର୍ଯ୍ୟାୟ: ୪୦୦୦–୫୦୦୦ ଜଣ ରୋଗୀଙ୍କ ଉପରେ ବୃହତ୍ ଆକାରର ପରୀକ୍ଷା

ସମସ୍ତ ପର୍ଯ୍ୟାୟ ସଫଳ ହେଲେ ଏହାକୁ କ୍ଲିନିକାଲ ବ୍ୟବହାର ପାଇଁ ଅନୁମୋଦନ କରାଯିବ। ସମଗ୍ର ପ୍ରକ୍ରିୟା ପାଇଁ ପ୍ରାୟ ଆଉ ଏକ ବର୍ଷ ସମୟ ଲାଗିପାରେ।

GANDHAMARDAN CANCER RESEARCH
ଗନ୍ଧମାର୍ଦ୍ଧନର ଜଡିବୁଟିରେ କ୍ୟାନ୍ସର୍ ଚିକିତ୍ସାର ନୂଆ ଆଶା, ଏନିମଲ୍ ଟ୍ରାଏଲ୍ ସଫଳ ହେଲେ ୩ ମାସରେ ହ୍ୟୁମାନ୍ ଟ୍ରାଏଲ୍ (ETV Bharat Odisha)
  • କେମିତି ହେଉଛି ଏନିମଲ ଟ୍ରାଏଲ ?

ଗତ ଜାନୁଆରୀରୁ ଏନିମଲ ଟ୍ରାଏଲ ଆରମ୍ଭ ହୋଇଛି। ସ୍ୱତନ୍ତ୍ର ପ୍ରଜାତିର ମୂଷା ଦେହରେ ପ୍ରଥମେ କ୍ୟାନ୍ସର ସେଲ ସୃଷ୍ଟି କରାଯାଉଛି। ପରେ ସେହି ସେଲ ଉପରେ ଔଷଧୀୟ ଉଦ୍ଭିଦର ନିର୍ଯାସ ପ୍ରୟୋଗ କରାଯାଉଛି। ଏଥିରୁ ଉତ୍ସାହଜନକ ଫଳ ମିଳିଥିବା ପ୍ରଫେସର ନାଏକ କହିଛନ୍ତି।

  • ରିସର୍ଚ୍ଚ ସ୍କୋଲାର କଣ କହିଲେ ?

ରିସର୍ଚ୍ଚ ସ୍କୋଲାର ଇସାରା ନାଏକଙ୍କ କହିବା ଅନୁଯାୟୀ, ଚୟନିତ ଔଷଧୀୟ ବୃକ୍ଷଗୁଡ଼ିକୁ ନେଇ ଏକ Poly-herbal Formulation ପ୍ରସ୍ତୁତ କରାଯାଇଛି। ଏହାକୁ ଲଙ୍ଗ, ବ୍ରେଷ୍ଟ ଓ ଓରାଲ କ୍ୟାନ୍ସର ସେଲ ସମେତ ବିଭିନ୍ନ କ୍ୟାନ୍ସର ସେଲରେ ପରୀକ୍ଷା କରାଯାଇଛି। ସେଲ କଲଚରରେ ଏହା ଶକ୍ତିଶାଳୀ Anti-cancer Activity ଦେଖାଇଛି। ପରେ BALB/c ମୂଷାରେ ବ୍ରେଷ୍ଟ କ୍ୟାନ୍ସର ଟ୍ୟୁମର ସୃଷ୍ଟି କରି Poly-herbal Formulation ପ୍ରୟୋଗ କରାଯାଇଥିବା ବେଳେ ଟ୍ୟୁମର ବୃଦ୍ଧି ହ୍ରାସ ପାଇଥିବା ଦେଖାଯାଇଛି।

GANDHAMARDAN CANCER RESEARCH
ଗନ୍ଧମାର୍ଦ୍ଧନର ଜଡିବୁଟିରେ କ୍ୟାନ୍ସର୍ ଚିକିତ୍ସାର ନୂଆ ଆଶା, ଏନିମଲ୍ ଟ୍ରାଏଲ୍ ସଫଳ ହେଲେ ୩ ମାସରେ ହ୍ୟୁମାନ୍ ଟ୍ରାଏଲ୍ (ETV Bharat Odisha)

ଏନିମଲ୍ ଟ୍ରାଏଲ ସଫଳ ହେଲେ ଆସନ୍ତା ୩ ମାସ ମଧ୍ୟରେ ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ। ଏହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୯ରୁ ୧୧ ମାସ ସମୟ ଲାଗିପାରେ। ସଫଳତା ମିଳିଲେ ଏହା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଭାଗ ପାଇଁ ଏକ ବଡ଼ ସଫଳତା ହେବ।

  • ୪୦ ଜଣ ଗବେଷକଙ୍କ ଟିମ୍, ବୈଦ୍ୟମାନଙ୍କ ସହଯୋଗ

ଏହି ଗବେଷଣା ଟିମରେ ପ୍ରତ୍ୟୁଷ ପ୍ରଜ୍ଞାଦୀପ୍ତ, ନେହାରାଣୀ ନାଏକ, ଇସାରା ନାଏକ, ଅଙ୍କିତା ଅଗ୍ରୱାଲ, ଦିବ୍ୟରଞ୍ଜନ ସାହୁ, ଅଭିଜିତ ସାହୁ, ରେଶମା ପ୍ରଧାନ, ସ୍ୱରାଜ ବାବୁଙ୍କ ସମେତ ୪୦ ଜଣ ରିସର୍ଚ୍ଚ ସ୍କୋଲାର ସାମିଲ ଅଛନ୍ତି। ବରଗଡ଼ର ଗନ୍ଧମାର୍ଦ୍ଧନ ଅଞ୍ଚଳର ବୈଦ୍ୟ ଦେବାନନ୍ଦ ସାହୁ, ପରାଶର ସାହୁଙ୍କ ସମେତ ଅନେକ ପାରମ୍ପରିକ ବୈଦ୍ୟ ମଧ୍ୟ ଏହି ଗବେଷଣାରେ ସହଯୋଗ କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ... ସୌମ୍ୟ ହତ୍ୟା ମାମଲା; ଚାର୍ଜଶିଟ୍ ପୂର୍ବରୁ କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ, ଜେଲରେ ଜେରାରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଇଟିଭି ଭାରତ, ସମ୍ବଲପୁର