ପାରଳାଖେମୁଣ୍ଡିରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ: 70 ଜୁଆଡି ଗିରଫ, ନଗଦ 12 ଲକ୍ଷ ଜବତ
ଗତକାଲି ରାତିରେ ଚଢାଉ କରିଥିଲା ପାରଳାଖେମୁଣ୍ଡି ପୋଲିସ । କଲ୍ୟାଣ ମଣ୍ଡପରେ ଚାଲିଥିଲା ଜୁଆ ଆଡ୍ଡା । ରିପୋର୍ଟ: ହରିହର ପଟ୍ଟନାୟକ

Published : October 12, 2026 at 12:06 PM IST
ଗଜପତି: ଜୁଆ ଆଡ୍ଡା ଉପରେ ବଡ଼ଧରଣର ଚଢାଉ । ଗତକାଲି(ରବିବାର) ରାତିରେ ପାରଳାଖେମୁଣ୍ଡି ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୭୦ ଜଣ ଜୁଆଡିକୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୧୨ ଲକ୍ଷ ଟଙ୍କା, ୯ଟି କାର, ୧୫ଟି ବାଇକ ଓ ୬୦ଟି ମୋବାଇଲ ଫୋନ୍ ଜବତ କରିଛି । ଏନେଇ ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।
କଲ୍ୟାଣ ମଣ୍ଡପରେ ଚାଲିଥିଲା ଜୁଆ ଆଡ୍ଡା:
ଗତ କିଛି ଦିନ ହେଲା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗାଁ ନିକଟରେ ଥିବା ଜୟ ମାତାଦି କଲ୍ୟାଣ ମଣ୍ଡପ ଠାରେ ଜୁଆ ଆଡ୍ଡା ଚାଲିଥିବା ପୋଲିସ ସୂଚନା ପାଇଥିଲା । ଏହାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଗତକାଲି ଚଢାଉ କରି ଜୁଆଡିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଜୁଆଡିଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସହରର ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶର ବହୁ ନାମିଦାମୀ ବ୍ୟବସାୟୀ ଓ ସରକାରୀ କର୍ମଚାରୀ ରହିଥିବା ଜଣାପଡିଛି ।

ଜବତ ହେଲା ଟୋକେନ:
ଏହି ଚଢ଼ଉ ସମୟରେ ପୋଲିସ କିଛି ପ୍ଲାଷ୍ଟିକ ଟୋକେନ ମଧ୍ୟ ଜବତ କରିଛି । ଯାହା ଉପରେ କିଛି ସଂଖ୍ୟା ଲେଖାଥିବା ଦେଖିବାକୁ ମିଳିଛି । ଏହି ଟୋକେନ କେଉଁ ଭଳି ବ୍ୟବହାର ହେଉଛି ସେନେଇ ତଦନ୍ତ ଜାରି ରହିଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।
ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି, ‘ଏହି ବିବାହ ମଣ୍ଡପରେ ଦୀର୍ଘ ଦିନ ହେଲାଣି ଅବୈଧ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଥିଲା । ଶେଷରେ ଆମେ ଚଢାଉ କରିଛୁ । ପାଖାପାଖି 70 ଜଣ ଗିରଫ ହୋଇଛନ୍ତି । 12 ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଜବତ ହୋଇଥିବା ବେଳେ 9ଟି କାର ଜବତ ହୋଇଛି । ବାଇକ ମଧ୍ୟ ଜବତ ହୋଇଛି । ବର୍ତ୍ତମାନ ତଦନ୍ତ ଚାଲିଛି । କେଉଁ କେଉଁ ମାନେ ଏହି ଆଡ୍ଡାରେ ସାମିଲ ଅଛନ୍ତି ତାହାର ତଦନ୍ତ କରୁଛୁ ।’
ଏହା ମଧ୍ୟ ପଢନ୍ତୁ: ପାର୍ବଣ ପୂର୍ବରୁ ଡକାୟତି ଯୋଜନା ପଣ୍ଡ କଲା ରାଇରଙ୍ଗପୁର ପୋଲିସ, ୯ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ମାସେ ପରେ ମାଟିତଳୁ ବାହାରିଲା କଙ୍କାଳ, ହତ୍ୟା ଅଭିଯୋଗରେ ପୋଲିସର ତଦନ୍ତ ଜାରି |
ଇଟିଭି ଭାରତ, ଗଜପତି

