ଆନ୍ଧ୍ରପ୍ରଦେଶ ପ୍ରସ୍ତାବିତ ନେରେଡ଼ି ବ୍ୟାରେଜକୁ ତୀବ୍ର ବିରୋଧ: ଯୁଗ୍ମ ଯାଞ୍ଚ ପ୍ରକ୍ରିୟା ସ୍ଥଗିତ
ଆନ୍ଧ୍ରର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପରେ ଜମି ଅଧିଗ୍ରହଣ ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ତିନି ଖଣ୍ଡ ଗ୍ରାମବାସୀ ଏକତ୍ରିତ ହୋଇ ଯାଞ୍ଚ ପ୍ରକ୍ରିୟାକୁ ବିରୋଧ କରିଥିଲେ । ରିପୋର୍ଟ: ହରିହର ପଟ୍ଟନାୟକ

Published : September 1, 2026 at 4:23 PM IST
ପାରଳାଖେମୁଣ୍ଡି: ବଂଶଧାରା ନଦୀ ଉପରେ ବ୍ୟାରେଜ ନିର୍ମାଣକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ 65 ବର୍ଷର ଲଢେଇ । ହାରିଯାଇଛି ଓଡ଼ିଶା, ସୁପ୍ରିମକୋର୍ଟଙ୍କ ରାୟ ଆନ୍ଧ୍ରପ୍ରଦେଶ ସପକ୍ଷରେ ଯିବା ପରେ ଚିନ୍ତାରେ ପଡିଛନ୍ତି ଏଠାକାର ମୂଳବାସିନ୍ଦା । ଭିଟାମାଟି ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ଗଜପତି ବାସିନ୍ଦା । ଜୀବନ ଚାଲିଯିବ ପଛେ ନିଜ ଭିଟାମାଟିକୁ ଛାଡ଼ିବୁ ନାହିଁ ବୋଲି କହୁଛନ୍ତି ନଦୀ କୂଳିଆ ଗ୍ରାମବାସୀ ।
ଗ୍ରାମବାସୀଙ୍କ ବିରୋଧ:
ଆନ୍ଧ୍ରର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍ ନିର୍ମାଣ ପାଇଁ ଗଜପତି ଜିଲ୍ଲାର ୧୦୬ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟାକୁ ଆରମ୍ଭରୁ ବିରୋଧ କରାଯାଇଛି । କାଶୀନଗର ତହସିଲଦାର ସଂପୃକ୍ତ ଅଞ୍ଚଳରେ ଜମି ଚିହ୍ନଟ ଓ ଯାଞ୍ଚ ପାଇଁ ଏକ ଚିଠି ପ୍ରଦାନ କରିଥିଲେ । ଗତ ଅଗଷ୍ଟ ୨୮ ତାରିଖରେ ଓଡ଼ିଶା ଓ ଆନ୍ଧ୍ରର ସମ୍ପୃକ୍ତ ଅଧିକାରୀ ଯୁଗ୍ମ ଯାଞ୍ଚ କରିବେ ବୋଲି ଚିଠିରେ ଦର୍ଶାଇ ଯାଇଥିଲା । ଜମି ଅଧିଗ୍ରହଣ ଖବର ପ୍ରଚାର ହେବା କ୍ଷଣି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା । ଏହି ପ୍ରକଳ୍ପରେ କ୍ଷତିଗ୍ରସ୍ତ ହେବାକୁ ଥିବା ତିନି ଖଣ୍ଡ ଗ୍ରାମବାସୀ ଏକତ୍ରିତ ହୋଇ ଏହି ଯାଞ୍ଚ ପ୍ରକ୍ରିୟାକୁ ବିରୋଧ କରିଥିଲେ ।
ରାଜନୈତିକ ମହଲରେ ଆରୋପ ପ୍ରତ୍ୟାରୋପ:
ଏହି ପ୍ରକଳ୍ପ ଯୋଗୁଁ ସାରା, ବାଡ଼ିଗାଁ, ପାଲସିଂ ଆଦି ଅଞ୍ଚଳର ଏକ ହଜାର ପରିବାର ବାସଗୃହ ଓ ଚାଷଜମି ହରାଇବା ଆଶଙ୍କା ରହିଛି । ଅଧିଗ୍ରହଣ ପୂର୍ବରୁ ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରାଯାଇନଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଆନ୍ଧ୍ରର ଏଭଳି କାର୍ଯ୍ୟକୁ ରାଜନୈତିକ ମହଲରେ ମଧ୍ୟ ନାପସନ୍ଦ କରାଯାଇଛି । ପାରଳାଖେମୁଣ୍ଡିର ବିଧାୟକ ରୂପେଶ ପାଣିଗ୍ରାହୀ ଏହି ନିଷ୍ପତ୍ତିକୁ ନେଇ ସରକାର ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି । ଅନ୍ୟପଟେ ପୂର୍ବତନ ବିଧାୟକ କେ.ନାରାୟଣ ରାଓ କ୍ଷତିଗ୍ରସ୍ତ ଲୋକଙ୍କ କଥାକୁ ପୂର୍ବତନ ବିଜେଡ଼ି ସରକାର ଗୁରୁତ୍ବ ନଦେବାରୁ ଓଡିଶା କ୍ଷତି ସହିବାକୁ ପଡୁଛି ବୋଲି କହିଛନ୍ତି ।

ବଂଶଧାରା ନଦୀ ଉପରେ ଆନ୍ଧ୍ରର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍ ପାଇଁ ଗଜପତି ଜିଲ୍ଲାର ୧୦୬ ଏକର ଜମି ଅଧିଗ୍ରହଣ କରାଯିବ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସଂପୃକ୍ତ ଅଞ୍ଚଳରେ ଜମି ଚିହ୍ନଟ ଓ ଯାଞ୍ଚ ପାଇଁ ଓଡ଼ିଶା ଓ ଆନ୍ଧ୍ରର ସମ୍ପୃକ୍ତ ଅଧିକାରୀ ପହଞ୍ଚି ଯୁଗ୍ମ ଯାଞ୍ଚ କରିବାର ଯୋଜନା ଥିଲା । ତେବେ ସ୍ଥାନୀୟ ଅଞ୍ଚଳରେ ବିରୋଧ ହେଉଥିବାରୁ ଏହାକୁ ଆଜି ପାଇଁ ବନ୍ଧ କରିଦେଇଛି ଉଭୟ ରାଜ୍ୟର ପ୍ରଶାସନ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହେଉଛନ୍ତି ସରକାର:
ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ବାରା ଗଜପତି ଜିଲ୍ଲାର 3ଟି ଗାଁର ଗ୍ରାମବାସୀ ସର୍ବାଧିକ ପ୍ରଭାବିତ ହେବେ । ତତ୍କାଳୀନ ସରକାର ସଠିକ୍ ଭାବରେ ମାମଲାରେ ପରିଚାଳନା ନକରିବାରୁ ଆଜି ଓଡ଼ିଶାର ଲୋକେ କ୍ଷତି ସହିବାକୁ ଯାଉଛନ୍ତି । ଯଦି ଲୋକଙ୍କ ପାଇଁ ନବୀନ ସରକାର ସଠିକ ଯୁକ୍ତି ବାଢିଥିଲେ ଆଜି ଏ ଅବସ୍ଥା ହୋଇନଥାନ୍ତା । ଅନେକ ଦିନ ଧରି ଗଜପତିବାସୀ ପୂର୍ବ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ବିଜେଡି ସରକାର ସଠିକ ଭାବେ ସୁପ୍ରିମକୋର୍ଟ ଆଗରେ ଯୁକ୍ତି ବାଢିବାରେ ବିଫଳ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ନୂତନ ସରକାର । ସୁପ୍ରିମକୋର୍ଟଙ୍କ ରାୟ ସରକାର ମାନିବାକୁ ବାଧ୍ୟ ବୋଲି ପୂର୍ବତନ ବିଧାୟକ କେ.ନାରାୟଣ ରାଓ କହିଛନ୍ତି ।
ପ୍ରଶାସନ ଉପରେ କ୍ଷୁବ୍ଧ ଗ୍ରାମବାସୀ:
ଅନ୍ୟପଟେ ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରାଯାଇ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଅଞ୍ଚଳବାସୀ ବିନୋଦ ଲାଲ ନାୟକ କହିଛନ୍ତି, "ପ୍ରସ୍ତାବିତ ବ୍ୟାରେଜ୍ର ଉଚ୍ଚତା ପ୍ରାୟ 2ଶହ ଫୁଟ ହେବ । ନଦୀ ଠାରୁ ପ୍ରାୟ ୧୦ଫୁଟ ତଳେ କିଛି ଗାଁ ରହିଥିବାରୁ ବ୍ୟାରେଜ୍ ନିର୍ମାଣ ପରେ ଜଳସ୍ତର ବୃଦ୍ଧି ଓ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଶହ ଶହ ଏକର ଚାଷଜମି ଜଳମଗ୍ନ ହେବା ସହ ବଂଶଧାରା ଉପରେ ନିର୍ଭରଶୀଳ ଉଠାଜଳସେଚନ ପ୍ରକଳ୍ପ ପ୍ରଭାବିତ ହେବ । ସେହିପରି ଏହି ବ୍ୟାରେଜ୍ର ସୁଫଳ କେବଳ ଆନ୍ଧ୍ର ଚାଷୀ ପାଇବେ । ‘ଓଡ଼ିଶା ଚାଷୀ ଜମି ହରାଇବେ, ଆନ୍ଧ୍ର ଚାଷୀ ସୁନା ଫଳାଇବେ ।" ଓଡିଶାବାସୀ ସମସ୍ତ କ୍ଷତି ସହିବାକୁ ଥିବା ବେଳେ ଏଯାବତ ପ୍ରଶାସନ ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା କରିନଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।
'ଭିଟାମାଟି ଛାଡିବୁ ନାହିଁ'
କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କ ବୈଠକରେ ଏହି ପ୍ରକଳ୍ପ ବିରୋଧରେ ଦୃଢ଼ ପ୍ରତିବାଦ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । 'ଜୀବନ ଦେବୁ ପଛେ ଭିଟାମାଟି ଛାଡିବୁ ନାହିଁ,' ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପ୍ରକଳ୍ପ ପାଇଁ ହେବାକୁ ଥିବା ଜମି ଅଧିଗ୍ରହଣ ବେଳେ କେଉଁ ମୌଜାରୁ କେତେ ଜମି ନିଆଯିବ, କେତେ ଜମିମାଲିକ ପ୍ରଭାବିତ ହେବେ, କ୍ଷତିପୂରଣ ଓ ପୁନର୍ବାସ ପ୍ରକ୍ରିୟା କିପରି ଆଗକୁ ବଢ଼ିବ ତାହା ସ୍ପଷ୍ଟ ହୋଇନାହିଁ ।
ବଂଶଧାରା ବିବାଦ:
ବଂଶଧାରା ଜଳକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବହୁଦିନ ଧରି ବିବାଦ ରହିଆସିଛି । ଏହାର ସମାଧାନ ପାଇଁ ଗଠିତ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍ର ଚୂଡ଼ାନ୍ତ ଆଦେଶ ୨୦୧୭ ସେପ୍ଟେମ୍ବର ୧୩ରେ ପ୍ରକାଶ ପାଇଥିଲା । ପରେ କେନ୍ଦ୍ର ସରକାର ଚଳିତବର୍ଷ ମାର୍ଚ୍ଚ ୨୬ରେ ଗେଜେଟ୍ ନୋଟିଫିକେସନ୍ ଜାରି କରିଥିଲେ । ଟ୍ରିବ୍ୟୁନାଲ୍ଙ୍କ ଆଦେଶ ଅନୁଯାୟୀ ନେରେଡ଼ି ବ୍ୟାରେଜ୍ ପାଇଁ ଓଡ଼ିଶାରୁ ୧୦୬ ଏକର ଜମି ଅଧିଗ୍ରହଣ କରି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର କରିବାକୁ ହେବ ।
ଗେଜେଟ୍ ନୋଟିଫିକେସନ୍ ପ୍ରକାଶର ଏକ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୭ ମାର୍ଚ୍ଚ ୩୦ ସୁଦ୍ଧା ଏହି ପ୍ରକ୍ରିୟା ସମ୍ପନ୍ନ ହେବ । ଚଳିତମାସ ୫ ତାରିଖରେ ରାଜ୍ୟର ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଯୁଗ୍ମ ବୈଠକ ହୋଇଥିଲା । ନେରେଡ଼ି ବ୍ୟାରେଜ୍ ପାଇଁ ଗତ ଜୁଲାଇ ୨୩ ତାରିଖରେ ୬୪୧.୧୦ କୋଟି ଅନୁଦାନ ପାଇଁ ପ୍ରଶାସନିକ ଅନୁମୋଦନ ପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ିଛି । ହୋଲେ ପ୍ରଶାସନର ଏଭଳି କାର୍ଯ୍ୟକୁ ରାଜନୈତିକ ମହଲରେ ମଧ୍ୟ ନାପସନ୍ଦ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: |
ଇଟିଭି ଭାରତ, ଗଜପତି

