ETV Bharat / state

ଗାଁରେ ମିଳୁନି କାମ ଦାଦନ ମୁହାଁ ଶହ ଶହ ଲୋକେ, ସମସ୍ତଙ୍କୁ ଚକିତ କଲା ଶ୍ରମ ବିଭାଗ ତଥ୍ୟ

ଗଜପତି ଜିଲ୍ଲାରେ ଫେଲ୍ ମାରୁଛି ସରକାରଙ୍କ ମାଳ ମାଳ ଯୋଜନା । କାମ ଧନ୍ଦା ନ ପାଇଁ ଦାଦନ ମୁହାଁ ହେଉଛନ୍ତି ଶହ ଶହ ଲୋକେ ।

Gajapati migration crisis
ଗଜପତି ଦାଦନ ସମସ୍ୟା (ETV Bharat Odisha)
author img

By ETV Bharat Odisha Team

Published : February 28, 2026 at 7:55 PM IST

2 Min Read
Choose ETV Bharat

ରିପୋର୍ଟ: ହରିହର ପଟ୍ଟନାୟକ

ପାରଳାଖେମୁଣ୍ଡି: ଦାଦନ ଦୁଃଖ ଗଜପତି ଜିଲ୍ଲାର ସହଚର ବନ୍ଧୁ । ଗାଁରେ ମିଳୁନି କାମ ଦାଦନ ମୁହାଁ ଲୋକେ । ଦାଦନ ରୋକିବା ପାଇଁ ତତ୍କାଳୀନ ଉପା ସରକାର କରିଥିବା ମନରେଗା ହେଉ କି ବର୍ତ୍ତମାନ ତାହାର ନାଁ ପରିବର୍ତ୍ତନ ହୋଇ ହୋଇଥିବା ଭିମଜୀ-ରାମଜୀ, କୌଣସି ଯୋଜନା ଦାଦନ ସ୍ଥିତିରେ ପରିବର୍ତ୍ତନ ଆଣିପାରୁନଥିବା କହିଛନ୍ତି ବୁଦ୍ଧିଜୀବୀ । ସେପଟେ ଗାଁରେ କାମ ମିଳୁନଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେଉଥିବା କହିଛନ୍ତି ଲୋକେ । ଜିଲ୍ଲାରୁ ହଜାର ହଜାର ଦାଦନ ଶ୍ରମିକ ହାଇଦ୍ରାବାଦ, ତାମିଲନାଡୁ, ମହାରାଷ୍ଟ୍ର ଏବଂ କେରଳ ଭଳି ରାଜ୍ୟକୁ ଯାଉଛନ୍ତି । ଏପରିକି ଅନେକ ସମୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି । ସେପଟେ କିନ୍ତୁ ଜିଲ୍ଲା ଶ୍ରମ ବିଭାଗର ରେକର୍ଡ ଅନୁସାରେ ମାତ୍ର 5 ଜଣ ଠିକାଦାରଙ୍କ ଦ୍ବାରା 35 ଜଣ ହିଁ ରାଜ୍ୟ ବାହାରକୁ ଯାଇଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି ।

ଗଜପତି ଦାଦନ ସମସ୍ୟା (ETV Bharat Odisha)

'ଗାଁରେ ମିଳୁନି କାମ'

ଦାଦନ ଖଟିବାକୁ ଯିବା ପାଇଁ ପାରଳାଖେମୁଣ୍ଡି ଉପକଣ୍ଠ ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣାର ବସଷ୍ଟାଣ୍ଡ ଠାରେ ଅପେକ୍ଷା କରିଥିବା ଗଜପତି ଜିଲ୍ଲର ରାଜେଶ ରଇତ କହିଛନ୍ତି," ଚାଷବାସ କାମ ସରିବା ପରେ ଗାଁରେ ବେକାର ହୋଇ ବସିବା ଅପେକ୍ଷା ବାହାର ରାଜ୍ୟରେ କାମ କରିବାକୁ ଯାଇ ଦୁଇ ପଇସା ରୋଜଗାର କରୁଛୁ । ଆମର ସମସ୍ତ କାଗଜପତ୍ର ନେଇ କାମ ମିଳିବ ବୋଲି କୁହାଯାଉଛି । କିନ୍ତୁ ମନରେଗା କାମ ମେସିନ ଦ୍ବାରା କରାଯାଉଛି । କେବଳ ସେତିକି ନୁହେଁ, କାଁ ଭାଁ କେତେବେଳେ କେମିତି କାମ ମିଳିଲେ ମଧ୍ୟ ଦୈନିକ ଦୁଇ ଶହ ଟଙ୍କା ହିସାବରେ ମଜୁରୀ ମିଳୁଛି । ତାହା ବି ମାସ ମାସ ଧରି ଅପେକ୍ଷା କରିବା ପରେ । ଆମେ ନିଜ ଗାଁ ପରିବାର ଲୋକଙ୍କୁ ଛାଡି ବାହାରେ ରହିବା କଷ୍ଟକର । କିନ୍ତୁ ଅନ୍ୟ କୌଣସି ଉପାୟ ନଥିବାରୁ ଆମେ ବାଧ୍ୟ ହୋଇ ବିଭିନ୍ନ ସ୍ଥାନକୁ ଦାଦନ ଖଟିବା ପାଇଁ ଯାଉଛୁ ।"

Gajapati migration crisis
ଗଜପତି ଦାଦନ ସମସ୍ୟା (ETV Bharat Odisha)

ଗଜପତି ଜିଲ୍ଲାରେ ବୃଦ୍ଧି ପାଉଛି ଦାଦନ ସମସ୍ୟା:

ପାରଳାଖେମୁଣ୍ଡିର ଜଣେ ବୁଦ୍ଧିଜୀବୀ ବାଳକୃଷ୍ଣ ପାତ୍ର କହିଛନ୍ତି," ଦାଦନ ସମସ୍ୟାର ସମାଧାନ ପାଇଁ ତତ୍କାଳୀନ ଉପା ସରକାର ମନରେଗା ଯୋଜନା କରିଥିଲେ । ଏବେ ଏହାର ନାଁକୁ ପରିବର୍ତ୍ତନ କରି ଅଧିକ ଦିନ କାମ ଯୋଗାଇବା ପାଇଁ ବର୍ତ୍ତମାନର ସରକାର ଭୀମଜୀ-ରାମଜୀ ଯୋଜନା କରିଛନ୍ତି । ଯେତେ ନାଁ ବଦଳାଇଲେ କିମ୍ବା ଅଧିକ କିଛି କରିବାର ସ୍ବପ୍ନ ଦେଖାଇଲେ ମଧ୍ୟ ଦାଦନ ସମସ୍ୟାର ସମାଧାନ ଦିଗରେ ଏହା କାର୍ଯ୍ୟକାରୀ ହେଉନାହିଁ । ତେଣୁ ଏହି ଯୋଜନା କିଭଳି ସଠିକ ଭାବେ କାର୍ଯ୍ୟକାରୀ ହେବ ଏବଂ ଲୋକେ ଦାଦନ ସମସ୍ୟାରୁ ମୁକୁଳିବେ ସେଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ନଚେତ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଅଧିକାରୀଙ୍କ ମନମୁଖୀ ଓ ଖାମଖିଆଲି ମନୋଭାବ ଯୋଗୁଁ ଦିନକୁ ଦିନ ଦାଦନ ସମସ୍ୟା ଉତ୍କଟ ହେବା ନିଶ୍ଚିତ । ଭୀମଜୀ-ରାମଜୀ ଯୋଜନାରେ ଶ୍ରମିକଙ୍କ ବଦଳରେ ମେସିନ୍ କାମ କରୁଥିବା ଯୋଗୁଁ ଦାଦନ ସମସ୍ଯା ବୃଦ୍ଧି ପାଉଛି ।"

Gajapati migration crisis
ଗଜପତି ଦାଦନ ସମସ୍ୟା (ETV Bharat Odisha)

ସମସ୍ତଙ୍କୁ ଚକିତ କରିଛି ଶ୍ରମ ବିଭାଗ ତଥ୍ୟ:

ଗଜପତି ଜିଲ୍ଲାରୁ ହଜାର ହଜାର ଲୋକେ ଦାଦନ ଖଟିବାକୁ ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ତେଲେଙ୍ଗାନାର ହାଇଦ୍ରାବାଦ, ତାମିଲନାଡୁର ଚେନ୍ନାଇ, କେରଳର ତିରୁବନ୍ତପୁରମ ଆଦି ଅଞ୍ଚଳକୁ ଯାଉଛନ୍ତି । ହେଲେ ସରକାରୀ ହିସାବରେ 5 ଜଣ ଶ୍ରମିକ ଠିକାଦାରଙ୍କ ମାଧ୍ୟମରେ 35 ଜଣ ହିଁ ଦାଦନ ଶ୍ରମିକ ଭାବେ ବାହାରକୁ ଯାଇଛନ୍ତି । ବିଭିନ୍ନ ସମୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ କିମ୍ବା ଆହତ ଜନିତ ଖବର ଆସିବା ପରେ ପ୍ରଶାସନ ତତ୍ପର ହେଉଛି । ଗତ 5 ବର୍ଷ ମଧ୍ୟରେ 28 ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ରେକର୍ଡ କହୁଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି ।

Gajapati migration crisis
ଗଜପତି ଦାଦନ ସମସ୍ୟା (ETV Bharat Odisha)

"ଯେଉଁମାନେ ଦାଦନ ଖଟିବା ପାଇଁ ବାହାରକୁ ଯାଉଛନ୍ତି ସେମାନେ ସରକାରଙ୍କ ପୋର୍ଟାଲରେ ନିଜ ନାଁ ପଞ୍ଜିକରଣ କରି ଯିବା କଥା । ଏହା ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି ଅସୁବିଧା ହେଲେ ପ୍ରଶାସନ ସେମାନଙ୍କୁ ଠାବ କରିବା ସହଜ ହେବ । ଏନେଇ ସଚେତନତା କରାଯାଉଥିଲେ ମଧ୍ୟ ଲୋକେ ଏହା କରୁନଥିବା," କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ଭାରତୀ ବେହେରା

Gajapati migration crisis
ଗଜପତି ଦାଦନ ସମସ୍ୟା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୪୧ ଛାତ୍ର; ଅଭାବ ବାଧ୍ୟ କଲା ପାଠ ଛାଡି ଦାଦନ ଖଟିବାକୁ

ଏହା ମଧ୍ୟ ପଢନ୍ତୁ...ଦାଦନ ପରିବାରକୁ ସାମାଜିକ ବାସନ୍ଦ ଅଭିଯୋଗ, ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କଲେ ମହିଳା

ଏହା ମଧ୍ୟ ପଢନ୍ତୁ...ଆନ୍ଧ୍ରରୁ ଫେରୁଥିଲେ ଓଡ଼ିଆ ଦାଦନ ଶ୍ରମିକ, ନିଆଁ ଲଗାଇ ଦେଲେ ଇଟାଭାଟି ମାଲିକର 2 ଗୁଣ୍ଡା

ଇଟିଭି ଭାରତ, ଗଜପତି