ଅଦିନିଆ ରଥଯାତ୍ରା ଇସ୍କନର ନମ୍ବର-1 ଅପପ୍ରଚାର କହିଲେ ଗଜପତି ମହାରାଜା
ଶ୍ରୀଜଗନ୍ନାଥ ସଂସ୍କୃତିର ଅପପ୍ରଚାର କରୁଛି ଇସ୍କନ । ବିଦେଶରେ ଓଡିଆ ମାନେ ଅଦିନିଆ ରଥଯାତ୍ରା ସାମିଲ ନହେବାକୁ ଗଜପତିଙ୍କ ଆହ୍ଵାନ ।


Published : December 22, 2025 at 1:13 PM IST
ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତିର ଅପପ୍ରଚାର କରୁଛି ଇସ୍କନ । କୂଅକୁ ପ୍ରଥମେ ପରିଷ୍କାର କରି ଏଥିରେ ଭଲ ପାଣି ପୂରାଇଲେ ତାହାର ଗୁଣବତ୍ତା ରହିବ । ଠିକ୍ ସେହିପରି ଶ୍ରୀଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ରୋକିବାକୁ ପଡ଼ିବ । ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପୁଣି ଇସ୍କନ ଉପରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ପୁରୀ ଶରଧାବାଲି ନିକଟ ରାଧାବଲ୍ଲଭ ମଠ ଠାରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ଗଜପତି ମହାରାଜା ଯୋଗଦେଇ ଏହି ପ୍ରତିକ୍ରିୟା ରଖିଛନ୍ତି ।
ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ବର୍ତ୍ତମାନ ସମୟରେ ଅଦିନିଆ ରଥଯାତ୍ରା ହେଉଛି ଏକ ନମ୍ବର ଅପପ୍ରଚାର । ଅଦିନିଆ ରଥଯାତ୍ରା ଏକ ଭୟଙ୍କର ବ୍ୟତିକ୍ରମ । ଏବେ ଆଚାର୍ଯ୍ୟ ଓ ଭକ୍ତମାନେ ମତ ଦେବାର ସମୟ ଆସିଛି । ଯଦି ଆଚାର୍ଯ୍ୟ ଓ ଭକ୍ତମାନେ ଚୁପ୍ ରହିବେ, ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବ । ଇସ୍କନଠାରୁ ଦେଖି ସମସ୍ତେ ଅଦିନିଆ ରଥଯାତ୍ରା କରୁଛନ୍ତି ।


ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ଗ୍ରହଣ କରି ପାରିବୁ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଇସ୍କନ ସହ ଆଲୋଚନା ଉଦ୍ୟମ ବିଫଳ ହେଲା । ଭାରତ ଭିତରେ ଅଦିନିଆ ରଥଯାତ୍ରା ନକରିବାକୁ ଏବଂ ଗୋଟିଏ ଦିନରେ ସ୍ନାନ ପୂର୍ଣ୍ଣିମା ପାଳିବାକୁ ଇସ୍କନ ରାଜି ହୋଇଥିବା ବେଳେ ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ରାଜି ନାହିଁ । କାରଣ ସେଠାରେ ଅଦିନିଆ ରଥଯାତ୍ରା ରୋକିବାକୁ କେହିନାହାନ୍ତି । ଆମର ଓଡ଼ିଆ ଭାଇମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଡୋନେସନ୍ ଦେଉଛନ୍ତି । ଓଡ଼ିଆ ମାନେ ଏହା ବନ୍ଦ କରିବା ଉଚିତ । ଜଗନ୍ନାଥ୍ ସଂସ୍କୃତିକୁ ରକ୍ଷା କରିବା ଉଚିତ୍ । ନ ହେଲେ ଆଗକୁ ଅଦିନିଆ ରଥଯାତ୍ରା ଏକ ପରମ୍ପରାରେ ପରିଣତ ହୋଇଯିବ । ଶାସ୍ତ୍ର ମତ ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହେବା ଉଚିତ ।"


ଏହା ବି ପଢନ୍ତୁ- ଅଦିନିଆ ରଥଯାତ୍ରା ପ୍ରସଙ୍ଗ, ଇସ୍କନର ଚିନ୍ତା ଚୈତନ୍ୟ ଉଦୟ ହେଉ: ଆଇନମନ୍ତ୍ରୀ
ଇଟିଭି ଭାରତ, ପୁରୀ

