ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର; କେତେ କଠିନ ଥିଲା ଜ୍ୟୋତ୍ସ୍ନା ଶବରଙ୍କ ଯାତ୍ରା ? ଖୁସିରେ ଝୁମୁଛି ଗଜପତି ଜିଲ୍ଲା
ଜ୍ୟୋସ୍ନାଙ୍କୁ ରାଷ୍ଟ୍ରପତି କହିଥିଲେ ମୁଁ ବି ମୟୂରଭଞ୍ଜ ଜିଲ୍ଲାର ଓଡ଼ିଆ ଓ ତୁମେ ବି ଜଣେ ଗଜପତି ଆଦିବାସୀ ଓଡ଼ିଆ ଝିଅ । ତୁମ ସଫଳତାରେ ମୁଁ ଅନେକ ଖୁସି ଓ ଗର୍ବିତ ।


Published : December 28, 2025 at 11:47 PM IST
|Updated : December 29, 2025 at 7:28 PM IST
ରିପୋର୍ଟ- ହରିହର ପଟ୍ଟନାୟକ
Jyoshna sabar tribal weightlifter from odisha wins highest civilian honour for children ଗଜପତି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କରରେ ପୁରସ୍କୃତ ହୋଇ ସାରା ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ପେକଟ ଗାଁର ଆଦିବାସୀ କ୍ରୀଡାବିତ ଜ୍ୟୋତ୍ସ୍ନା ଶବର । ଭାରୋତ୍ତୋଳନରେ ଶ୍ରେଷ୍ଠ ପ୍ରଦର୍ଶନ ପରେ ଏହି ପୁରସ୍କାର ପାଇଥିବା ବେଳେ ଏହାକୁ ନେଇ ସେ ଖୁବ ଉତ୍ସାହିତ । କେବଳ ସେ ନୁହଁନ୍ତି ତାଙ୍କ ପରିବାର ଏବଂ ଅଞ୍ଚଳବାସୀ ମଧ୍ୟ ଏଥିପାଇଁ ଗର୍ବ ଅନୁଭବ କରିବା ସହ ତାଙ୍କ ଉନ୍ନତି କାମନା କରିଛନ୍ତି ।
ଚଳିତ ବର୍ଷ ସାରା ଦେଶରୁ କେବଳ ୨୧ ଜଣ ଶିଶୁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ, ଓଡ଼ିଶାରୁ ଜ୍ୟୋସ୍ନା ଏକମାତ୍ର ଓ ଗଜପତି ଜିଲ୍ଲାରୁ ପ୍ରଥମ ଶିଶୁ ଭାବେ ଏହି ସମ୍ମାନ ଲାଭ କରିଛନ୍ତି । ଜ୍ୟୋସ୍ନା ଭାରୋତ୍ତୋଳନ କ୍ଷେତ୍ରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଗୌରବମୟ ସଫଳତା ଅର୍ଜନ କରିଛନ୍ତି । ୨୦୧୯ ମସିହାରୁ ସେ ନିୟମିତ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଇନଷ୍ଟିଟ୍ଯୁଟ ଅଫ୍ ସୋସିଆଲ ସାଇନ୍ସରେ ରହି ଶିକ୍ଷା ଲାଭ ସହ କଳିଙ୍ଗ ଷ୍ଟାଡିୟମରେ ଭାରୋତ୍ତୋଳନରେ ପ୍ରଶିକ୍ଷଣ ଗ୍ରହଣ କରିଆସୁଛନ୍ତି । ଜ୍ୟୋସ୍ନାଙ୍କ ଏହି ସଫଳତାରେ ସମଗ୍ର ଗଜପତି ଜିଲ୍ଲାବାସୀ ଏବଂ ଜିଲ୍ଲା ପ୍ରଶାସନ ଗର୍ବ ଅନୁଭବ କରିଛନ୍ତି ।
ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଏବଂ ଏସୀୟ ରେକର୍ଡ ସ୍ଥାପନ ପରେ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ପେକଟ ଗାଁର ଜ୍ୟୋତ୍ସ୍ନା ଶବର । ଏହି ପୁରସ୍କାର ପାଇଁ ଦିଲ୍ଲୀରୁ ଫେରିବା ପରେ ଗଜପତି ଜିଲ୍ଲାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜ୍ୟୋତ୍ସ୍ନା ଶବର ଏହି ଅବସରରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, "କିସ୍ ଅନୁଷ୍ଠାନରେ ପାଠପଢ଼ା ପାଇଁ ନାମ ଲେଖାଇବା ପରେ ଭାରୋତ୍ତୋଳନ ପାଇଁ ମନ ବଳାଇଥିଲି । ସେଠାକାର କୋଚଙ୍କ ମାର୍ଗଦର୍ଶନରେ ପ୍ରଶିକ୍ଷଣ ନେଇଥିଲି । ତାଙ୍କ ଆଗ୍ରହ ଦେଖି ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା । ତେଣୁ ଜାତୀୟ ସ୍ତରର ପ୍ରତିଯୋଗୀତାରେ ଭାଗ ନେବାର ସୁଯୋଗ ପାଇଥିଲି ଏବଂ ଏହି ସଫଳତା ପାଇଛି । ଏହି ପୁରସ୍କାର ଉତ୍ସାହିତ କରିବା ସହ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଛି । ଆଗକୁ ଅଲମ୍ପିକରେ ଭାଗ ନେବା ପାଇଁ ପ୍ରୟାସ କରିବି ।"
ଜ୍ୟୋତ୍ସ୍ନାଙ୍କ ସଫଳତା ପାଇଁ ତାଙ୍କ ପରିବାର ଲୋକେ ବେଶ ଉତ୍ସାହିତ-
ଜ୍ୟୋତ୍ସ୍ନାଙ୍କ ସଫଳତା ପାଇଁ ତାଙ୍କ ପରିବାର ଲୋକେ ବେଶ ଉତ୍ସାହିତ ହୋଇଛନ୍ତି । ଜ୍ୟୋତ୍ସ୍ନା ଆଗକୁ ଯାହା କରିବା ପାଇଁଁ ଚାହିଁବ ସେଥିରେ ସମସ୍ତ ପ୍ରକାର ସହଯୋଗ କରିବାକୁ ସେମାନେ ପ୍ରସ୍ତୁତ ବୋଲି କହିଛନ୍ତି ଜ୍ୟୋତ୍ସ୍ନାଙ୍କ ଜେଜେ ମଦନମୋହନ ଶବର । ଅନେକ ସମୟରେ ସେ ବହୁତ ପରିଶ୍ରମ କରିଛି । ଗରିବ ଆଦିବାସୀ ଝିଅଟେ ହେଲେ ସୁଦ୍ଧା କେବେ ନିଜକୁ ଦୁର୍ବଳ ମନେ କରିନାହିଁ । ନିଜରର ଇଚ୍ଛା ଶକ୍ତି ଓ ପରିଶ୍ରମ ପାଇଁ ଆଜି ଏତେବଡ଼ ସଫଳତା ପାଇଥିବା କହିଛନ୍ତି ତାଙ୍କ ଜେଜେ ।
ସାରା ଗଜପତି ଜିଲ୍ଲା ଗର୍ବିତ-
ଜ୍ୟୋତ୍ସ୍ନାଙ୍କ ଏହି ସଫଳତା ପାଇଁ ସେ କିମ୍ବା ତାଙ୍କ ପରିବାର ନୁହଁନ୍ତି, ସାରା ଗଜପତି ଜିଲ୍ଲା ଗର୍ବିତ । ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଏକ ଗାଁର ଏହି ଝିଅ ସାରା ଓଡ଼ିଶା ପାଇଁ ଆଜି ଗର୍ବ ସାଜିଥିବା ନିଶ୍ଚିତ ଭାବେ ଆମକୁ ଗର୍ବିତ କରିଛି। ଏହି ସଫଳତା ପାଇଁ ଜ୍ୟୋତ୍ସ୍ନାଙ୍କ ଉଦ୍ୟମ ଯେତିକି ପ୍ରଶଂସନୀୟ ତାଙ୍କୁ ଏହି ସ୍ତରକୁ ଆଣିବା ପାଇଁ କିସ୍ ଅନୁଷ୍ଠାନର ସହଯୋଗ ସେତିକି ପ୍ରଶଂସନୀୟ ବୋଲି କହିଛନ୍ତି ସ୍ଥାନୀୟ ଜନପ୍ରତିନିଧି ଏବଂ ସମାଜସେବୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ।
ମାର୍ଲବା ସରପଞ୍ଚ ଜଗନ୍ନାଥ କାର୍ଯୀ କହିଛନ୍ତି, "ତାଙ୍କ ଅଞ୍ଚଳରେ ଏଭଳି କୃତକାର୍ଯ୍ୟ ହୋଇଥିବା ଝିଅକୁ ସେମାନେ ନିଜର ପାରମ୍ପରିକ ବାଦ୍ୟ ସହ ଆବାଳ ବୃଦ୍ଧବନିତା ସମସ୍ତେ ମିଶି ପୁରା ଗାଁ ସାରା ପରିଭ୍ରମଣ କରିଛନ୍ତି । ବେଶ୍ ଉଲ୍ଲାସ ଓ ଇଚ୍ଛୁକ ରହିଛୁ ଆମେ ସମସ୍ତେ । ଆଗକୁ ଆହୁରି ଅଧିକ ସଫଳତା ପାଇବା ପାଇଁ ଭଗବାନଙ୍କୁ ପର୍ଥାନା କରିବା ସଙ୍ଗେ ଜ୍ୟୋସ୍ନାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।"
ତେବେ ଜ୍ୟୋତ୍ସ୍ନାଙ୍କ ଅଲମ୍ପିକ ସ୍ବପ୍ନ କେବେ ପୂରଣ ହେଉଛି ତାହାକୁ ହିଁ ଅପେକ୍ଷା ।
ଇଟିଭି ଭାରତ, ଗଜପତି

