ETV Bharat / state

ବିପର୍ଯ୍ୟୟରୁ ବିଜୟିନୀ: ବିଶ୍ବର ପ୍ରଥମ ହାତ ଗୋଡ଼ ବିହୀନ ତୀରନ୍ଦାଜ ପାୟଲ, ପାରା ଅଲିମ୍ପିକ୍ସ ମେଡାଲ ପାଇଁ ଜୋରଦାର ଅଭ୍ୟାସ

କୁନି ବୟସରେ ପାଇଥିଲେ ଅଜସ୍ର ଦୁଃଖ । ଅକ୍ଷମ କରିଦେଇଥିଲା ବିଦ୍ୟୁତ ଦୁର୍ଘଟଣା । ଜମ୍ମୁ ଜାତୀୟ ଧନୁତୀର ପ୍ରଶିକ୍ଷଣ ଅନୁଷ୍ଠାନରେ ଟ୍ରେନିଂ ନେଉଛନ୍ତି ଗୋଲଡେନ ଗର୍ଲ 17 ବର୍ଷୀୟା ପାୟଲ ନାଗ ।

from tragedy to triumph payal nag balangir first quadruple amputee archer
ବିପର୍ଯ୍ୟୟରୁ ବିଜୟିନୀ: ପ୍ରେରଣା ସାଜିଛନ୍ତି ବିଶ୍ବର ପ୍ରଥମ ହାତ ଗୋଡ଼ ବିହୀନ ତୀରନ୍ଦାଜ ପାୟଲ (ETV Bharat Odisha)
author img

By ETV Bharat Odisha Team

Published : December 31, 2025 at 3:36 PM IST

|

Updated : January 1, 2026 at 11:03 AM IST

5 Min Read
Choose ETV Bharat

ସ୍ପେଶାଲ ଷ୍ଟୋରୀ: ଶେଖ ମହମ୍ମଦ ୱାହିଦ

PAYAL QUADRUPLE AMPUTEE ARCHER ବଲାଙ୍ଗୀର: ହାତ ନାହିଁ କିମ୍ବା ଗୋଡ଼ ନାହିଁ । ହେଲେ ତୀରନ୍ଦାଜୀରେ ଲକ୍ଷ୍ୟ ଭେଦ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛନ୍ତି । ବିଶ୍ବର ପ୍ରଥମ ହାତ ଓ ଗୋଡ଼ ନଥିବା ତୀରନ୍ଦାଜ ହେବାର କୃତିତ୍ବ ହାସଲ କରିଛନ୍ତି । ସେ ହେଉଛନ୍ତି ବଲାଙ୍ଗୀରର 17 ବର୍ଷୀୟ ଝିଅ ପାୟଲ ନାଗ । ମନରେ ଦୃଢସଂକଳ୍ପ, ଆତ୍ମବିଶ୍ବାସ, ଦେଶ ପାଇଁ ଗୌରବ ଆଣିବାର ଲକ୍ଷ୍ୟ ନେଇ ସେ ମଇଦାନକୁ ଓହ୍ଲାନ୍ତି । ଗୋଟିଏ ପରେ ଗୋଟିଏ ଲକ୍ଷ୍ୟ ଭେଦି ସମସ୍ତଙ୍କୁ ନିଜ ପ୍ରତିଭାରେ ଆଶ୍ଚର୍ଯ୍ୟ କରନ୍ତି । ଦିନେ ବିଦ୍ୟୁତ ଦୁର୍ଘଟଣା ନେଇଯାଇଥିଲା ତାଙ୍କର ଦୁଇ ହାତ ଓ ଦୁଇ ଗୋଡ଼ । ଅକ୍ଷମତା ଆଗରେ ହାର ନ ମାନି ଆଜି ସେ ଅନେକ ଦିବ୍ୟାଙ୍ଗଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ନିକଟରେ ଜାତୀୟ ପାରା ତୀରନ୍ଦାଜୀ ପ୍ରତିଯୋଗିତାରେ ପାୟଲ ନାଗ 2ଟି ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କ ଜୀବନର ବିପର୍ଯ୍ୟୟରୁ ସଫଳତା ପର୍ଯ୍ୟନ୍ତ ଯାତ୍ରା ବିଷୟରେ ଇଟିଭି ଭାରତର ଏହି ସ୍ବତନ୍ତ୍ର ଉପସ୍ଥାପନା...

ବିପର୍ଯ୍ୟୟରୁ ବିଜୟିନୀ: ବିଶ୍ବର ପ୍ରଥମ ହାତ ଗୋଡ଼ ବିହୀନ ତୀରନ୍ଦାଜ ପାୟଲ, ପାରା ଅଲିମ୍ପିକ୍ସ ମେଡାଲ ପାଇଁ ଜୋରଦାର ଅଭ୍ୟାସ (ETV Bharat Odisha)

ବିଶ୍ବସ୍ତରରେ ଖ୍ୟାତି ଅର୍ଜନ:

କୋମଳମତି ବୟସରେ ଭାଗ୍ୟ ତାଙ୍କ ଉପରେ ଅଜାଡି ଦେଇଥିଲା ଅଜସ୍ର ଦୁଃଖ । ଅକ୍ଷମ କରିଦେଇଥିଲା ବିଦ୍ୟୁତ ଦୁର୍ଘଟଣା । ବାପା ମା' ଦାଦନ ଖଟିବାକୁ ଯାଇଥିବା ବେଳେ ଲାଳନପାଳନ କରୁଥିବା ବୁଢୀ ମା' ବି ଆରପାରିକୁ ଚାଲିଗଲେ । ଏତେ ଦୁଃଖ ସତ୍ତ୍ବେ ହାରି ନ ଥିଲେ ପାୟଲ ନାଗ । ନିଜ ଇଚ୍ଛା ଶକ୍ତି ବଳରେ ନିଜ ଅକ୍ଷମତାକୁ କ୍ଷମତାରେ ପରିବର୍ତ୍ତନ କରି ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହେଲେ । ସେ ବିଶ୍ବର ପ୍ରଥମ ଉଭୟ ହାତ ଓ ଗୋଡ଼ ବିଭିନ୍ନ ତୀରନ୍ଦାଜ ହେବାର ଗୌରବ ଅର୍ଜନ କରିଛନ୍ତି । ନିକଟରେ ଡିସେମ୍ବର 2025ରେ ଅନୁଷ୍ଠିତ ପାରା ତୀରନ୍ଦାଜୀ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରିଛନ୍ତି । ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ନିଜର ଅଭ୍ୟାସ ଜାରି ରଖିଛନ୍ତି ପାୟଲ ନାଗ ।

Payal Nag Practicing
ଅଭ୍ୟାସରତ ପାୟଲ ନାଗ (ETV Bharat Odisha)

ବିପର୍ଯ୍ୟୟରୁ ବିଜୟର ଯାତ୍ରା:

ବଲାଙ୍ଗୀର ଜିଲ୍ଲା ମୁରିବାହଳ ବ୍ଲକ ଯମୁନା ବହଳ ଗ୍ରାମର ବାସିନ୍ଦା ପାୟଲ ନାଗ । ଅଭାବ ଅନାଟନରେ ପରିବାର ଚଳାଇବା ପାଇଁ ବାପା ମା' ଛତିଶଗଡର ରାୟପୁରକୁ ଦାଦନ ଖଟିବାକୁ ଯାଇଥିଲେ । ସାଙ୍ଗରେ ପାୟଲ ନାଗ ଓ ତାଙ୍କ ଭାଇ ଭଉଣୀ ମଧ୍ୟ ଯାଇଥିଲେ । 6 ଏପ୍ରିଲ 2015 ମସିହାରେ ପାୟଲ ଖେଳୁଥିବା ସମୟରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ନିଜର ଉଭୟ ଗୋଡ଼ ହାତ ହରାଇଥିଲେ । ଏହା ପରେ ବାପା ମା’ ପାୟଲ ନାଗ ଓ ତାଙ୍କ ଭାଇ ଭଉଣୀଙ୍କୁ ବୁଢ଼ୀ ଆଈ ମା'ଙ୍କ ପାଖରେ ଏକା ଛାଡି ପୁଣି ଦାଦନ ଖଟିବାକୁ ଚାଲି ଯାଇଥିଲେ । ଆଈ’ଙ୍କ ଦେହାନ୍ତ ପରେ ପାୟଲ ନାଗ ଏକ ପ୍ରକାରରେ ଅସହାୟ ହୋଇ ପଡ଼ିଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ ପାୟଲ ନାଗଙ୍କୁ ଉଦ୍ଧାର କରି ବଲାଙ୍ଗୀର ପାର୍ବତୀ ଗିରି ଆଶ୍ରମରେ ରହିବା ସହିତ ଶିକ୍ଷାର ବ୍ୟବସ୍ଥା କରିଥିଲେ ।

Payal Nag is practicing for the competition.
ପ୍ରତିଯୋଗିତା ପାଇଁ ଅଭ୍ୟାସ କରୁଛନ୍ତି ପାୟଲ ନାଗ (ETV Bharat Odisha)

କେବଳ ତୀରନ୍ଦାଜୀ ନୁହେଁ ତୁଳୀରେ ବି କରନ୍ତି କମାଲ:

ପାୟଲ ନାଗ ସ୍କୁଲ ଯିବା ଯିବା ସହ ଭଲ ପାଠ ମଧ୍ୟ ପଢ଼ିବା ଆରମ୍ଭ କରିଥିଲେ । ଅନ୍ୟପଟେ ତାଙ୍କ ଅନ୍ତର୍ନିହିତ ପ୍ରତିଭା ଯୋଗୁଁ ସେ ମୁହଁରେ ରଙ୍ଗ ତୁଲି ନେଇ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ପ୍ରଶାସନ ମଧ୍ୟ ଏଥିରେ ତାଙ୍କୁ ସଂପୂର୍ଣ୍ଣ ଭାବେ ସାହାଯ୍ୟ ଯୋଗାଇ ଥିଲା । ଗୁରୁ ଦିଲୀପ ସିଂହ ଦେଓଙ୍କ ଠାରୁ ଚିତ୍ର କଳା ଶିକ୍ଷା ନେବା ପରେ ସେ ସୁନ୍ଦର ଚିତ୍ର ସବୁ ଆଙ୍କି ସମସ୍ତଙ୍କୁ ଆଚମ୍ବିତ କରିଥିଲେ । ଏପରିକି ସେ ସମୟରେ ଜଳ ସମ୍ପଦ ସଚିବ ଥିବା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅବିକଳ ଚିତ୍ର ଆଙ୍କି ତାଙ୍କୁ ମଧ୍ୟ ସେ ଆଶ୍ଚର୍ଯ୍ୟାନ୍ବତ କରିଥିଲେ । ତାଙ୍କ ପ୍ରତିଭା ପାଇଁ ରାଜ୍ୟ ସରକାର ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ ।

Payal Nag is performing music at school.
ବିଦ୍ୟାଳୟରେ ପାୟଲ ନାଗ ସଙ୍ଗୀତ ପରିବେଶଣ କରୁଛନ୍ତି (File Photo)

ନବୀନ ପଟ୍ଟନାୟକଙ୍କ ପ୍ରଶଂସା:

ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାୟଲ ନାଗଙ୍କୁ ପ୍ରଶଂସା କରିଥିଲେ । ଏହା ସହ ତାଙ୍କୁ ରୋବୋଟିକ ହାତ ଲଗାଇବା ପାଇଁ 9 ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ । ହେଲେ ତାହା କୌଣସି କାରଣବଶତଃ ସଫଳ ହୋଇ ପାରିନଥିଲା । ହେଲେ ସେହି ପାୟଲ ନାଗ ଦେଖିଥିବା ସ୍ବପ୍ନକୁ ପୂରା କରିବା ପାଇଁ ତତ୍କାଳୀନ ଜିଲ୍ଲାପାଳ ଚଞ୍ଚଳ ରାଣା ନିଜ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ 2022ରେ ତାଙ୍କୁ ତୀରନ୍ଦାଜୀ ପ୍ରଶିକ୍ଷଣ ପାଇଁ ଜମ୍ମୁକୁ ପଠାଇ ଥିଲେ । ସେଠାରୁ ସେ ପ୍ରଶିକ୍ଷଣ ନେଇ ନୂତନ ଇତିହାସ ଲେଖିବାକୁ ନିଜ ଉଦ୍ୟମ ଜାରି ରଖିଛନ୍ତି ।

Payal Nag receiving Prize
ପୁରସ୍କାର ଗ୍ରହଣ କରୁଛନ୍ତି ପାୟଲ (File Photo)


'ମୁଁ ହାରି ନ ଥିଲି':

ପାୟଲ ନାଗ ବର୍ତ୍ତମାନ ଜମ୍ମୁର କତ୍ରାସ୍ଥିତ ଜାତୀୟ ଧନୁତୀର ପ୍ରଶିକ୍ଷଣ ଅନୁଷ୍ଠାନରେ ରହୁଛନ୍ତି । ଦେଶର ନାମୀଦାମୀ କୋଚଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେରେ ପ୍ରଶିକ୍ଷଣ ନେଉଛନ୍ତି । ନିଜର ସଫଳତା ଓ ସଂଘର୍ଷ ବିଷୟରେ ପାୟଲ ନାଗ କହିଛନ୍ତି,"ମୋ ପାଇଁ ସବୁ କିଛି କଷ୍ଟ ଥିଲା । ମୋର ଉଭୟ ହାତ ଓ ଗୋଡ ନାହିଁ । ଏହା ସତ୍ତ୍ୱେ ମୁଁ ହାରି ନ ଥିଲି । ମୋର ଅକ୍ଷମତା ହିଁ ମତେ ସାହାସ ଦେଲା । ମୁଁ ଅକ୍ଷମତାକୁ ଜିତି ମୋର କ୍ଷମତା ଦେଖାଇବା ପାଇଁ ଚେଷ୍ଟା କଲି ।"

Anu Garg with Payal Nag and her painting
ପାୟଲ ନାଗ ଓ ତାଙ୍କ ଅଙ୍କିତ ଚିତ୍ର ସହିତ ଅନୁ ଗର୍ଗ (File Photo)

'ଆଗକୁ ଆହୁରି ପରିଶ୍ରମ କରିବି':

ହାତ ଗୋଡ ନ ଥାଇ ମଧ୍ୟ ପାୟଲ ନାଗ ତୀରନ୍ଦାଜୀରେ ପ୍ରଶିକ୍ଷଣ ନେଇ ପ୍ରତିଦିନ ଉନ୍ନତି କରିଚାଲିଛନ୍ତି । ନିଜ ସଫଳତାର ଶ୍ରେୟ ସେ କୋଚ କୁଲଦୀପ କୁମାର ବେଦୱାନଙ୍କୁ ଦେଇଛନ୍ତି । ସେ ଆହୁରି କହିଛନ୍ତି,"କୋଚ ସବୁବେଳେ ମୋ ସହିତ ରହି ଆସିଛନ୍ତି । ତାଙ୍କ ପ୍ରଶିକ୍ଷଣ ଯୋଗୁଁ ମୁଁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିପାରିଛି । ପୂର୍ବରୁ ଜାତୀୟସ୍ତରରେ ଦୁଇଟି ସୁନା ପଦକ ଜିତିଛି । ଆଗକୁ ଆହୁରି ପରିଶ୍ରମ କରିବି ।"

ସଫଳତାର ଶିଡ଼ି ଚଢୁଛନ୍ତି ପାୟଲ; ପାଟିରେ ଚମତ୍କାର ଚିତ୍ର ଆଙ୍କିଥିଲେ, ଏବେ ପାରା ଅଲମ୍ପିକ୍ସ ପାଇଁ ନେଉଛନ୍ତି ସ୍ବତନ୍ତ୍ର ଟ୍ରେନିଂ

ଦିବ୍ୟାଙ୍ଗ ଛାତ୍ରୀ ପାୟଲଙ୍କ ସଫଳ କାହାଣୀ: ପାଟିରେ ଆଙ୍କୁଛନ୍ତି ଚିତ୍ର, ପ୍ରଶଂସାରେ ଶତମୁଖ ମୁଖ୍ୟମନ୍ତ୍ରୀ

ଜାତୀୟସ୍ତରରେ ଗୌରବ ଅର୍ଜନ କରିଥିବା ପାୟଲ ନାଗ ଦୈନିକ 11 ଘଣ୍ଟା ପରିଶ୍ରମ କରନ୍ତି ବୋଲି କହିଛନ୍ତି । ଆଗାମୀ ଦିନରେ ତାଙ୍କର ଲକ୍ଷ୍ୟ କଣ ରହିଛି ସେନେଇ ପାୟଲ ନାଗ କହିଛନ୍ତି,"ମୋର ଲକ୍ଷ୍ୟ ଆଗକୁ ଜାତୀୟସ୍ତରରେ ଏସିଆନ ଗେମ୍ସ ଓ ପାରା ଅଲମ୍ପିକ୍ସରେ ଦେଶ ପାଇଁ ସୁନା ପଦକ ଜିତିବା । ଏବଂ ଏହା ମୁଁ କରି ଦେଖାଇବି ।"

ପାୟଲ ନାଗ ମୋ ପାଖରେ ଦୀର୍ଘ ଦୁଇ ବର୍ଷରୁ ପ୍ରଶିକ୍ଷଣ ନେଉଛି । ପ୍ରତିଦିନ ତାଙ୍କର ଖେଳରେ ପ୍ରଦର୍ଶନ ଆହୁରି ଭଲ ହେବାରେ ଲାଗିଛି । ପୂର୍ବରୁ ସେ ଜାତୀୟସ୍ତରର ପ୍ରତିଯୋଗିତାରେ ଦେଶର ବଡ଼ ବଡ଼ ଖେଳାଳିଙ୍କୁ ହରାଇ ଦୁଇ ଦୁଇଟି ସୁନା ପଦକ ଜିତିଛି । ନିକଟରେ ସେ ଦୁବାଇ ଯାଇ ସେଠି ଯୁବ ଏସିଆନ ଗେମ୍ସରେ ଭଲ ଖେଳ ପ୍ରଦର୍ଶନ କରିଛି। ଏବଂ ଆଗକୁ ସେ ଦେଶ ପାଇଁ ପାରା ଅଲମ୍ପିକ୍ସ ତଥା ଏସିଆନ ଗେମ୍ସରେ ଗୋଲ୍ଡ ଜିତି ଆହୁରି ସମସ୍ତଙ୍କ ପାଇଁ ଗର୍ବ ଆଣିଦେବ। ~ ପାୟଲ ନାଗଙ୍କ କୋଚ କୁଲଦୀପ କୁମାର ବେଦାୱନ


'ଅନୁଗର୍ଗଙ୍କ ଅବିକଳ ଚିତ୍ର ଆଙ୍କିଥିଲେ ପାୟଲ':

ସେହିପରି ବଲାଙ୍ଗୀର ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ କହିଛନ୍ତି,"ପାୟଲ ନାଗଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଥିଲା । ସ୍ଥାନୀୟ ପାର୍ବତୀ ଗିରି ବାଲ ନିକେତନରେ ରହିବା ଓ ଶିକ୍ଷାଗ୍ରହଣ ପାଇଁ ବ୍ୟବସ୍ଥା କରିଥିଲେ । ହାତ ଗୋଡ଼ ନଥିଲେ ମଧ୍ୟ ସେ ମୁହଁରେ ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରି ଦେଉଥିଲେ । ପାୟଲ ନାଗ ସେ ସମୟରେ ମୁଖ୍ୟ ସଚିବ ଅନୁଗର୍ଗଙ୍କ ଅବିକଳ ଚିତ୍ର ଆଙ୍କି ତାଙ୍କୁ ଆଚମ୍ବିତ କରିଥିଲେ । ବଲାଙ୍ଗୀରର ତତ୍କାଳୀନ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଶୁଭ ଦୃଷ୍ଟି ପାୟଲ ନାଗଙ୍କ ଉପରେ ପଡିଥିଲା । ଯାହା ପରେ ସେମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତାଙ୍କୁ ତୀରନ୍ଦାଜୀର ପ୍ରଶିକ୍ଷଣ ପାଇଁ ବାହାର ରାଜ୍ୟକୁ ପଠାଯାଇଥିଲା । ଓଡ଼ିଶା ସରକାରଙ୍କ ଆର୍ଥିକ ଅନୁଦାନ ମଧ୍ୟ ଦିଆଯାଇଥିଲା । ଏବେ ସେ ସେଠାରେ ପ୍ରଶିକ୍ଷଣ ନେଇ ଜାତୀୟସ୍ତରରେ 2ଟି ଗୋଲ୍ଡ ମେଡାଲ ଜିତି ଗୌରବ ଆଣିଛି ।"

ଆମେ ସମସ୍ତ ନିଜ ନିଜ ଜୀବନରେ କିଛି ନା କିଛି ଯୁଦ୍ଧରେ ଲିପ୍ତ ରହିଛେ । ସମୟ ସମୟରେ ଆମେ ନିଜ ଯୁଦ୍ଧରେ ହାର ମାନି ନେଉ । ହେଲେ ନିଜ ଦୁର୍ବଳତା, ଅକ୍ଷମତା ଓ ବାଧାବିଘ୍ନ ଆଗରେ ହାର ନ ମାନି ନିରନ୍ତର ଆଗକୁ ବଢି ସଫଳତା ହାସଲ କରାଯାଏ ଏଥିପାଇଁ ପାୟଲ ନାଗ ପ୍ରତ୍ୟକ୍ଷ ଉଦାହରଣ ସାଜିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ସେବାର ମିଶାଲ୍‌ ପାର୍ବତୀ ଗିରି: ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଲେ ମୋଦି, ପ୍ରତିକ୍ରିୟା ରଖିଲେ ନାତି-ନାତୁଣୀ

କେନ୍ଦ୍ରାପଡ଼ା ମଗରକନ୍ଦା ବାସିନ୍ଦାଙ୍କ ଦୁଃଖ; ଥଇଥାନ କଲୋନୀରେ ଜାଗା ମିଳିଥିଲେ ବି ଯାଉନାହାନ୍ତି ୩୦ ପରିବାର

ପ୍ରଗତି ପାଇଁ ପ୍ରତିଜ୍ଞା 2026; ଧରିତ୍ରୀ ମାଆର ସୁରକ୍ଷା ପାଇଁ ନୂତନ ବର୍ଷର ନୂଆ ସଂକଳ୍ପ

ବାଲେଶ୍ୱର ମାଟିରେ ଔଷଧୀୟ ଗଛ 'ନୋନି' ଚାଷ; ଜୁସ ପିଇଲେ ମିଳେ ଅନେକ ରୋଗରୁ ମୁକ୍ତି ! ଫଳ କିଣିବ ଲଣ୍ଡନର କମ୍ପାନୀ


ଇଟିଭି ଭାରତ, ବଲାଙ୍ଗୀର

Last Updated : January 1, 2026 at 11:03 AM IST