ଅପଠିତ ଶିଳାଲେଖକୁ କରୁଛନ୍ତି ଉନ୍ମୋଚନ, ଶିଳାଲିପି ଗବେଷକ ବିଷ୍ଣୁମୋହନଙ୍କ ପ୍ରେରଣାଦାୟକ ଯାତ୍ରା
୨୦୦ରୁ ଅଧିକ ଅପଠିତ ଶିଳାଲେଖକୁ କରିଛନ୍ତି ପଠନ । ଓଡ଼ିଶାର ଅପଠିତ ଅନେକ ଇତିହାସକୁ ଉନ୍ମୋଚନ କରୁଛନ୍ତି ବିଷ୍ଣୁମୋହନ ।

Published : November 7, 2025 at 8:31 PM IST
ସ୍ପେଶାଲ ଷ୍ଟୋରୀ: ସମୀର କୁମାର ଆଚାର୍ଯ୍ୟ
Paralakhemundi Researcher Bishnu Mohan ବ୍ରହ୍ମପୁର: ‘ମୁଁ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଅପଠିତ ଶିଳାଲେଖକୁ ପଠନ କରିଛି । ଓଡ଼ିଶା ଓ ଓଡ଼ିଶା ବାହାରେ ଓଡ଼ିଆ ଜାତିର, ଓଡ଼ିଆ ଇତିହାସର କଥାକୁ ବିଭିନ୍ନ ପଥର ଦେହରେ ଲେଖାଯାଇଥିବା କଥାକୁ ଲୋକଲୋଚନକୁ ଆଣିଛି ।’ ସଫ୍ଟୱେୟାର ଇଞ୍ଜିନିୟରରୁ ସାଜିଛନ୍ତି ଶିଳାଲିପି ଓ ଅଭିଲେଖ ସାହିତ୍ୟର ଗବେଷକ । ଶିଳାଲେଖାରେ ଲିଖିତ ଓଡ଼ିଶାର ଅପଠିତ ଅନେକ ଇତିହାସକୁ ଉନ୍ମୋଚନ କରିଛନ୍ତି । ଆଉ କିଛି ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଆମେ କହୁଛୁ ୩୦ ବର୍ଷିୟ ବିଷ୍ଣୁମୋହନ ଅଧିକାରୀଙ୍କ କଥା....
ଯୁବ ପ୍ରତିଭା ବିଷ୍ଣୁମୋହନ ଅଧିକାରୀ:
ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ବିଷ୍ଣୁମୋହନ ଅଧିକାରୀ । ଶିକ୍ଷାଗତ ଯୋଗ୍ୟତା ବିଟେକ୍ (B.Tech) । ଶିକ୍ଷା ଶେଷ ପରେ ବେଙ୍ଗାଲୁରୁ ଓ ହାଇଦ୍ରାବାଦର ଭଳି ଦେଶର ବଡ଼ ବଡ଼ ସହରରେ ଥିବା ନାମୀଦାମୀ ଆଇଟି (IT) କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ଚାକିରି ପାଇଥିଲେ । କିନ୍ତୁ ମନରେ ରହିଥିଲା କିଛି ଭିନ୍ନ କରିଦେଖାଇବା । ପିଲାଟି ଦିନରୁ ଶିଳାଲିପି ଓ ଅଭିଲେଖ ସାହିତ୍ୟ ଉପରେ ଅଧିକ ଜାଣିବାରେ ଆଗ୍ରହ ରହିଥିଲା । ତେଣୁ ବିଷ୍ଣୁମୋହନ ସେହି କ୍ଷେତ୍ରରେ ଗବେଷଣା କରିବାକୁ ସ୍ଥିର କରିଦେଇଥିଲେ । ନିଜର ଆଗ୍ରହ ଓ ଇଚ୍ଛାଶକ୍ତି ତାଙ୍କୁ ଏଭଳି କାର୍ଯ୍ୟ କରିବାକୁ ଆଗେଇ ଆଣିଥିଲା । ଏହି ଯୁବ ବ୍ୟକ୍ତିତ୍ୱଙ୍କ ମନରେ ରହିଥିବା ଦୃଢତା ଏବଂ କିଛି ନୂତନ ଗବେଷଣା କରି ଦେଖାଇବାର ଲକ୍ଷ୍ୟ ତାଙ୍କୁ ଦେଶର ପ୍ରମୁଖ ସଫ୍ଟଓୟାର କମ୍ପାନୀରେ ଚାକିରିରେ ବାନ୍ଧି ରଖିପାରିନଥିଲା । ଆଉ ୨୦୧୮ ମସିହାରେ ସଫ୍ଟଓୟାର ଇଞ୍ଜିନିୟର ଚାକିରି ଛାଡି ନିଜ ଜନ୍ମମାଟିକୁ ଚାଲି ଆସିଥିଲେ ।

ପିଲାଟି ଦିନରୁ ଥିଲା ରୁଚି:
ବିଷ୍ଣୁମୋହନ, ପିଲାଟି ଦିନରୁ ପ୍ରତ୍ନତତ୍ତ୍ବ ଠାରୁ ଆରମ୍ଭ କରି ଭାଷା ସାହିତ୍ୟ ସଂସ୍କୃତି ପ୍ରତି ଅଧିକ ରୁଚି ରଖିଥିଲେ । ଏହି କ୍ଷେତ୍ରରେ ପରିବାର ପକ୍ଷରୁ ତାଙ୍କୁ ପ୍ରୋତ୍ସାହନ ସହ ସମ୍ପୂର୍ଣ୍ଣ ସହଯୋଗ ମିଳିଥିଲା । ପିଲାଟି ଦିନରୁ ହିଁ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଛନ୍ତି । ସଫ୍ଟୱେୟାର ଇଞ୍ଜିନିୟର ଭାବରେ ଚାକିରି କରିବା ସମୟରେ କେବଳ ପ୍ରତ୍ୟେକ ସପ୍ତାହର ଶନିବାର ଏବଂ ରବିବାର ଦିନ ଏହି ସଂପର୍କରେ ଲେଖିବା କାର୍ଯ୍ୟ ଆରମ୍ଭ କରିଥିଲେ । ଚାକିରିରୁ ଛୁଟିରେ ଘରକୁ ଆସିବା ସମୟରେ ବିଭିନ୍ନ ସ୍ଥାନକୁ ଯାଇ ଗବେଷଣା ଏବଂ ଅନୁଧ୍ୟାନ କରିବା କାର୍ଯ୍ୟ କରୁଥିଲେ । ମାତ୍ର ଚାକିରି ଛାଡିବା ପରେ ସେ ୨୦୧୯ରୁ ଏହି ସମ୍ପର୍କିତ ଅନୁଷ୍ଠାନରେ ଅଧ୍ୟୟନ କରିବା ଆରମ୍ଭ କରିଥିଲେ । ଓଡି଼ଆରେ ସ୍ନାତକୋତ୍ତର ଶିକ୍ଷା ଶେଷ ପରେ ସଂସ୍କୃତ ଶିକ୍ଷା ଗ୍ରହଣ କରିଥିଲେ । ପରେ ଥିରୁଅନନ୍ତପୁରମ୍ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ତାଲିମ ନେଇଥିଲେ । ଦେଶର ବିଭିନ୍ନ ପ୍ରାଚୀନ ଲିପି ଉପରେ ଅବଗତ ହେବା ସହିତ ପ୍ରମୁଖ ଲିପି ତତ୍ତ୍ୱବିତ୍ ତଥା ପଦ୍ମଶ୍ରୀ ସତ୍ୟ ନାରାୟଣ ରାଜଗୁରୁଙ୍କ ଗବେଷଣାରେ ପ୍ରଭାବିତ ହୋଇ ଗୋଟିଏ ପରେ ଗୋଟିଏ ଗବେଷଣା କାର୍ଯ୍ୟ ଆରମ୍ଭ କରିଥିଲେ ।

ଇଟିଭି ଭାରତ ସହିତ ଆଲୋଚନା ସମୟରେ ଯୁବ ପ୍ରତିଭା ବିଷ୍ଣୁମୋହନ ଅଧିକାରୀ କହିଛନ୍ତି, "ଦେଶରେ ଇତିହାସ ସିନା ଆମେ ପାଟିରେ କହୁଛେ, ହେଲେ ପ୍ରମାଣ ନଥିଲେ ତାହା ଇତିହାସ ନୁହେଁ । ଶିଳାଲେଖ ହେଉଛି ତାର ପ୍ରମାଣ । ପ୍ରାଚୀନ ଯୁଗର ସାମାଜିକ-ସାଂସ୍କୃତିକ ଜୀବନ ବିଷୟରେ ଜାଣିବା ପାଇଁ ସେଗୁଡ଼ିକୁ ଅଧ୍ୟୟନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।"
ଏସବୁ ଭାଷାରେ ଅଛି ବିଷ୍ଣୁମୋହନଙ୍କ ଦକ୍ଷତା:
ତେଲୁଗୁ, ଓଡ଼ିଆ, ବଙ୍ଗାଳୀ, କନ୍ନଡ, ହିନ୍ଦୀ, ଇଂରାଜୀ ଏବଂ ସଂସ୍କୃତ ଭାଷା ଜାଣିଥିବା ବିଷ୍ଣୁମୋହନ ତାଙ୍କ ଭାଷାଗତ ଦକ୍ଷତା ବ୍ୟବହାର କରି ଶତାବ୍ଦୀ ଶତାବ୍ଦୀ ଧରି ଅପଠିତ ହୋଇ ପଡିରହିଥିବା ଶିଳାଲେଖ ଗୁଡ଼ିକୁ ବୁଝି ପାରନ୍ତି । ବିଷ୍ଣୁମୋହନ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ଅନେକ ରାଜ୍ୟରେ ନିଜର ଗବେଷଣା କରିଛନ୍ତି । ସେ ଆନ୍ଧ୍ରପ୍ରଦେଶର ଶ୍ରୀଶୈଲମ ଠାରୁ ଆରମ୍ଭ କରି ବିଶାଖାପାଟଣାର ବରାହ ଲକ୍ଷ୍ମୀ ନରସିଂହ ମନ୍ଦିର ଓ ଶ୍ରୀକୁର୍ମମ ଏବଂ ଶ୍ରୀମୁଖଲିଙ୍ଗମ ମନ୍ଦିରରେ ମିଳିଥିବା ଓଡ଼ିଆ ଶିଳାଲେଖ ଏବଂ ତେଲେଙ୍ଗାନାର ୱାରାଙ୍ଗଲ କୋର୍ଟରେ ରହିଥିବା ଜଣେ ଓଡ଼ିଆ ରାଜାଙ୍କ ଶିଳାଲେଖ ମଧ୍ୟ ଗବେଷଣା କରିଛନ୍ତି।

ଅପଠିତ ଲେଖାକୁ ସାମ୍ନାକୁ ଆଣିଛନ୍ତି:
ଓଡ଼ିଶାର ବିଭିନ୍ନ ସ୍ଥାନ ବିଶେଷ କରି ଗଞ୍ଜାମରେ ଥିବା ଯେଉଁ ଶିଳାଲେଖଗୁଡିକୁ ଆଜି ପର୍ଯ୍ୟନ୍ତ କେହି ପଢିନଥିଲେ ତାହାକୁ ଉପସ୍ଥାପନା କରିଛନ୍ତି ଏହି ଉଦୀୟମାନ ଯୁବ ପ୍ରତିଭା । ଓଡିଶାର ପ୍ରଥମ ଧାତୁ ବିଗ୍ରହ ଶିଳାଲେଖ ଯାହାକୁ ପାରଳାଖେମୁଣ୍ଡି ନିକଟବର୍ତ୍ତୀ ଏକ ମନ୍ଦିରରେ ମିଳିଥିବା କହିଛନ୍ତି ବିଷ୍ଣୁମୋହନ । ସେହିପରି ଓଡିଶାର ସ୍ୱତନ୍ତ୍ର ମୁରାଲ ଶିଳାଲେଖ, ଆଠଗଡ ଏବଂ ଦିଗପହଣ୍ଡିରେ ମିଳିଥିବା ଶିଳାଲେଖ, ବଡଖେମୁଣ୍ଡି ଓ ସାନଖେମୁଣ୍ଡି ରାଜ ପରିବାର, ଚିକିଟି ଓ ଖଲ୍ଲିକୋଟ ରାମ ପରିବାରରୁ ମିଳିଥିବା ବିରଳ ଶିଳାଲେଖକୁ ସେ ପଢିଥିବା କହିଛନ୍ତି ।

୨୦୦ରୁ ଅଧିକ ଅପଠିତ ଶିଳାଲେଖ ପଠନ କରିଛନ୍ତି:
ବିଷ୍ଣୁମୋହନ ଅଧିକାରୀ କହିଛନ୍ତି, "ପିଲାଟି ଦିନରୁ ମୋର ଏ ଦିଗରେ ଇଚ୍ଛା ଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ଗବେଷଣା ଅନୁଷ୍ଠାନରେ ବିଧିବଦ୍ଧ ଭାବରେ ଶିକ୍ଷାଗ୍ରହଣ କରି ଏ ଦିଗରେ ପ୍ରଚେଷ୍ଟା ଜାରି ରହିଛି । ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଅପଠିତ ଶିଳାଲେଖ ପଠନ କରିଛି । ଓଡ଼ିଶା ଓ ଓଡ଼ିଶା ବାହାରେ ଓଡ଼ିଆ ଜାତିର, ଓଡ଼ିଆ ଇତିହାସର କଥାକୁ ବିଭିନ୍ନ ପଥର ଦେହରେ ଲେଖାଯାଇଥିବା କଥାକୁ ଲୋକଲୋଚନକୁ ଆଣିଛି । ଆଗାମୀ ଦିନରେ ଯେଉଁ କାମ ଗୁଡ଼ିକ ରହିଯାଇଛି ସେ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ଇଚ୍ଛା ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଶିଖିଛି, ଏହା ଠାରୁ ଅଧିକ ଶିଖିବା ପାଇଁ ଇଚ୍ଛା ରହିଛି । ଏ କାମରେ ସବୁବେଳେ ପରିବାରର ସହଯୋଗ ରହିଛି । ଗଞ୍ଜାମ ହେଉଛି କଳା ଓ ସାହିତ୍ୟର ମାଟି । ଏ ମାଟିରେ ଅନେକ ମହାପୁରୁଷ ଜନ୍ମଗ୍ରହଣ କରିଛନ୍ତି । ସେମାନଙ୍କ ପଥକୁ ପାଥେୟ କରି ମୁଁ ଆଗକୁ ବଢ଼ୁଛି ।"

ଗଞ୍ଜାମ ସଭ୍ୟତାର ଜନନୀ ଏବଂ ସଂସ୍କୃତିର ମାଟି ହୋଇଥିବା ବେଳେ ଏନେଇ କେହି ଗବେଷଣା କରୁନଥିବା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି ବିଷ୍ଣୁମୋହନ । ଏନେଇ ସେ କାର୍ଯ୍ୟ କରିବାକୁ ଆଗେଇ ଆସିଥିବା ବେଳେ ଅନେକଙ୍କ ସହଯୋଗ ମିଳିଥିବା କହିଛନ୍ତି । ଏଥିପାଇଁ ସେ ବିଭିନ୍ନ ଲାଇବ୍ରେରୀକୁ ଯିବା ସହିତ ସେଠାରେ ରହିଥିବା ଖଣ୍ଡଖଣ୍ଡ ତାଳପତ୍ରକୁ ଯୋଡି ପଢିବା ଆରମ୍ଭ କରିଥିଲେ । ଏପରିକି ଶହେରୁ ଉର୍ଦ୍ଧ୍ୱ ତାଳପତ୍ରକୁ ପଢି ଅଦ୍ୟାବଧି ଯାହା ଉନ୍ମୋଚନ ହୋଇପାରିନଥିଲା ତାହାକୁ ନିଜର ଗବେଷଣା ସନ୍ଦର୍ଭରେ ପ୍ରକାଶ କରିଛନ୍ତି । ଗଞ୍ଜାମର ଶିଳ୍ପଶାସ୍ତ୍ର ଯାହାକୁ ନେଇ ମନ୍ଦିର କିପରି କରାଯାଉଥିଲା, ସେହିପରି ଗଣିତଶାସ୍ତ୍ର ଭଳି ସେହି ସମୟରେ ୧୧ଟି ଡିଜିଟ୍ ବା ବଡସଂଖ୍ୟାର ଲ.ସା.ଗୁ ଓ ଗ.ସା.ଗୁ କିପରି ବାହାର କରାଯାଉଥିଲା ଓ ସଙ୍ଗୀତ ଉପରେ ପ୍ରାଚୀନ ଗ୍ରନ୍ଥଗୁଡ଼ିକର ମଧ୍ୟ ପରୀକ୍ଷା କରିଛନ୍ତି ବୋଲି ବିଷ୍ଣୁମୋହନ କହିଛନ୍ତି ।

ଏସବୁ ଉପରେ କରୁଛନ୍ତି ଗବେଷଣା:
ସେହିପରି "ଶ୍ରୀ ଜଗନ୍ନାଥ ସ୍ଥଳ ସ୍ରୋତମ୍"ର ତେଲୁଗୁ ପୋଥିର ସଠିକ୍ ଅନୁବାଦ ହୋଇନଥିବାରୁ ସେହି କାର୍ଯ୍ୟରେ ଲାଗିଛନ୍ତି । ଗଞ୍ଜାମର ମାଳ ଅଞ୍ଚଳରେ ଯେଉଁ ବନ୍ୟପ୍ରାଣୀ ରହିଥିଲେ ତାହାରି ଉପରେ ଗବେଷଣା କରୁଥିବା କୁହନ୍ତି ବିଷ୍ଣୁମୋହନ । ଗଞ୍ଜାମର ବନବାସୀ ଶିକାରୀମାନଙ୍କ ଉପରେ ଏକ ଶତାବ୍ଦୀ ପୁରୁଣା ପୁସ୍ତକ ମଧ୍ୟ ଗବେଷଣା କରୁଛନ୍ତି । କେବଳ ସେତିକି ନୁହେଁ ବିଛିନ୍ନାଞ୍ଚଳ ମଞ୍ଜୁସା, ଜଳନ୍ତର, ଗୁଡାରସିଂ, ଟେକେଲି ଭଳି ଆନ୍ଧ୍ରରେ ରହିଥିବା ଓଡିଆ ଭରପୁର ଅଞ୍ଚଳର ସଂସ୍କୃତି, ସଭ୍ୟତାରେ ରହିଥିବା ଓଡିଆ ଛାପ ଉପରେ ଅନୁଧ୍ୟାନ କରିବା ସହିତ ରାଜ୍ୟର ସାମୁଦ୍ରିକ ତଥା ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମ ଓଡିଶାର ଶିଳାଲେଖ ଉପରେ ନିଜର ଅଧିକ ଗବେଷଣା କରୁଛନ୍ତି ।

ରାଜ୍ୟରେ ଯେଉଁ ସମୟରେ ସତୀଦାହ ପ୍ରଥା ରହିଥିଲା ସେହି ସମୟରେ ପ୍ରଥମ ସତୀ ଶିଳାଲେଖ ଲେଖାଯାଉଥିଲା । ଯାହାକୁ ବଲାଙ୍ଗୀର ଜିଲ୍ଲାର ଏକ ବିଶ୍ୱବିଦ୍ୟାଳୟରେ ରହିଥିବା ବେଳେ ତାହାକୁ ମଧ୍ୟ ବିଶ୍ୱମୋହନ ଅନୁଧ୍ୟାନ କରିବା ସହିତ ସେହି ତଥ୍ୟକୁ ରାୟପୁର ଠାରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ଉପସ୍ଥାପନା କରିଛନ୍ତି । ସେହିପରି ବୀରଶିଳା (Hero Stones) ଉପରେ ଗବେଷଣା କରିଥିବା ବେଳେ ଏହା ଜାତୀୟ ଏବଂ ଆନ୍ତର୍ଜାତୀୟ ଜନାଲରେ ମଧ୍ୟ ଅନେକ ନୂତନ ତଥ୍ୟ ନେଇ ପ୍ରକାଶିତ ହୋଇଛି ।

ୟୁଥ୍ ଆଚିଭର୍ ଭାବେ ସମ୍ମାନିତ:
ଏହାମଧ୍ୟରେ ଅନେକ ଗବେଷଣା କରିଥିବା ଏହି ଯୁବ ପ୍ରତିଭାଙ୍କୁ ୟୁଥ୍ ଆଚିଭର୍ ଭାବରେ ସମ୍ୱର୍ଦ୍ଧିତ କରାଯାଇଛି । ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ତାଙ୍କୁ ସମ୍ମାନିତ କରିଥିଲେ । ଏଯାବତ ୨୦୦ରୁ ଅଧିକ ପଠିତ ଶିଳାଲେଖ ପଠନ ହୋଇଥିବା ବେଳେ ଓଡିଶା ସମେତ ଓଡିଶା ବାହାରେ ଏବଂ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ରହିଥିବା ଶିଳାଲେଖରୁ ପଥର ଦେହରୁ ଉତ୍ତିର୍ଣ୍ଣ ହୋଇଥିବା କଥାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଥିବା କହିଛନ୍ତି ବିଷ୍ଣୁମୋହନ । ଓଡି଼ଶାରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ସମେତ ଓଡିଶା ବାହାରେ ଓଡିଶାର କିର୍ତ୍ତି ଅଥବା ଇତିହାସର ସ୍ମୃତି ଚିହ୍ନକୁ ପଠନ କରିବା ପାଇଁ ପ୍ରୟାସ କରିଛନ୍ତି ।

ଇଟିଭି ଭାରତ ସହିତ ଆଲୋଚନା ସମୟରେ ଆଗାମୀ ଦିନରେ ଯେଉଁ କାମ ଗୁଡିକ ରହିଯାଇଛି ହୋଇପାରିନାହିଁ ସେହି କାର୍ଯ୍ୟ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ଇଚ୍ଛା ରହିଥିବା କହିଛନ୍ତି । ଆଗାମୀ ଦିନରେ ଆହୁରୀ ନୂତନ ଲିପି ଶିଖିବା, ଭାଷା ଶିଖିବା ପାଇଁ ଆଗ୍ରହ ରହିଛନ୍ତି । ଶିଳାଲିପି ଓ ଅଭିଲେଖ ସାହିତ୍ୟର ଗବେଷକ ବିଷ୍ଣୁମୋହନ ଅଧିକାରୀଙ୍କ ପରିବାରରେ ବାପା ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବା ବେଳେ ମାଆ ଗୃହଣୀ । ବିଷ୍ଣୁମୋହନ ଘରର ଏକମାତ୍ର ପୁତ୍ର ହୋଇଥିବା ବେଳେ ତାଙ୍କର ଜଣେ ବଡ ଭଭଣୀ ରହିଛନ୍ତି ।
ଏଭଳି ଅଧ୍ୟୟନ ଓ ଗବେଷଣା କଷ୍ଟକର:
ସେପଟେ ବ୍ରହ୍ମପୁର ସହରର ସଂସ୍କୃତି ଗବେଷକ ହୃଷିକେଶ ପାଣିଗ୍ରାହୀଙ୍କ କହିବା କଥା, ଏଭଳି ୟୁଥ୍ ଆଚିଭମେଣ୍ଟ ପୁରସ୍କାର ପାଇଥିବା ବିଷ୍ଣୁମୋହନ ପଦ୍ମଶ୍ରୀ ଡା.ସତ୍ୟନାରାୟଣ ରାଜଗୁରୁଙ୍କ ଗବେଷଣା ଉପରେ ଅନୁପ୍ରାଣୀତ ହୋଇ ଶିଳାତତ୍ତ୍ୱ ଉପରେ ଅଧିକ ଗବେଷଣା ଜାରି ରଖିଛନ୍ତି । ନିଜେ ବିଟେକ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ଶିଳାତତ୍ତ୍ୱ ଓ ଲିପିତତ୍ତ୍ୱ ଭଳି ଏକ କଷ୍ଟକର ଅଧ୍ୟୟନ ଓ ଗବେଷଣା ଭଳି କାର୍ଯ୍ୟ ଭଳି ଅତି ଗଭୀରରୁ ଗଭୀରତମ ଅନୁଧ୍ୟାନ କରିବାକୁ ପଡିଥାଏ ଏବଂ ଅନେକ ଅନୁଶୀଳନୀକୁ ଦେଖିବାକୁ ପଡିଥାଏ । ଏହାକୁ ମୁଖ୍ୟତଃ ଇତିହାସ ଓ କିମ୍ୱଦନ୍ତୀକୁ ଗବେଷଣାତ୍ମକ ଶୈଳୀରେ କାର୍ଯ୍ୟ କରି ଆବିଷ୍କାର କରିବାକୁ ପଡିଥାଏ । ଯାହାର ତ୍ରୁଟି ବିଚ୍ୟୁତି ହେଲେ ଅନେକ ଅସୁବିଧା ହେବା ସହ ଏହାକୁ ଅତ୍ୟନ୍ତ ସତର୍କତାର ସହିତ ନିରୀକ୍ଷଣ କରି କାର୍ଯ୍ୟ କରିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ପାଠ ପଢ଼ା ସହ ସ୍କେଟିଂରେ କରୁଛନ୍ତି କମାଲ, ହେଲେ କୁନି ଆଥଲେଟ୍ ବିଦୁଷୀଙ୍କ ପାଇଁ ଅର୍ଥ ସାଜୁଛି ବାଧକ ବହୁମୁଖୀ ପ୍ରତିଭାର ରାଣୀ ଓମରାନ୍ନି; ନୃତ୍ୟ ଏବଂ କ୍ରୀଡ଼ା କ୍ଷେତ୍ରରେ ସାଉଁଟୁଛନ୍ତି ସଫଳତା |
ସଂସ୍କୃତି ଗବେଷକ ହୃଷିକେଶ ପାଣିଗ୍ରାହୀ କହିଛନ୍ତି, "ବିଷ୍ଣୁମୋହନ ରାଜ୍ୟସ୍ତରରକିଛି କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଜାତୀୟସ୍ତରର କାର୍ଯ୍ୟକ୍ରମରେ ସେ ସାମିଲ ହେବା ଦେଖାଯାଇଛି । କୁହାଯାଏ ଜୀବନର ପରିଶ୍ରମକୁ ନେଇ ଜଣେ ସଫଳତା ପ୍ରାପ୍ତି କରିଥାଏ । ଏହାରି ମଧ୍ୟରେ ସେ ଅନେକ ସିଦ୍ଧି ପାଇଥିବା ବେଳେ ଆହୁରୀ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଯୋଗୁଁ ସେ ଏହି କ୍ଷେତ୍ରରେ ବେଶ ଆଗକୁ ବଢିବେ ।"

ଇଟିଭି ଭାରତ, ବ୍ରହ୍ମପୁର

