ଦାଦନରୁ ରବର ଚାଷୀ: 40 ଗାଁର 400 ହେକ୍ଟରରେ ଚାଷ, ସ୍ବାବଲମ୍ବୀ ହୋଇଛନ୍ତି ମହିଳା
ଗଜପତି ଜିଲ୍ଲାରେ 1995 ମସିହାରେ ଆରମ୍ଭ ହୋଇଥିଲା ରବର ଚାଷ । ବର୍ଷକୁ 100000 ଟଙ୍କା ଗୋଜଗାର କରି ପାରୁଛନ୍ତି ଜଣେ ଚାଷୀ । ସଶକ୍ତ ଏବଂ ଆତ୍ମନିର୍ଭରଶୀଳ ହୋଇଛନ୍ତି ମହିଳା ଚାଷୀ ।

Published : December 6, 2025 at 6:47 PM IST
|Updated : December 15, 2025 at 7:15 PM IST
ସ୍ପେଶାଲ ରିପୋର୍ଟ: ହରିହର ପଟ୍ଟନାୟକ
ଗଜପତି: ରବର ଚାଷ କରି ସ୍ବାବଲମ୍ବୀ ହେବାରେ ରାଜ୍ଯ ପାଇଁ ଉଦାହରଣ ପାଲଟିବ ଗଜପତି ଜିଲ୍ଲା । ଏହି ଜିଲ୍ଲାର 40ରୁ ଅଧିକ ଗାଁରେ 400 ହେକ୍ଟର ଜମିରେ ରବର ଚାଷ ହେଉଛି । ଯାହା ପରିବେଶ ସୁରକ୍ଷା, ଦାଦନ ଦୁଃଖ, ମହିଳା ସଶକ୍ତିକରଣ ଓ ଯୁବ ଆତ୍ମନିର୍ଭରତାରେ ବଡ଼ ପରିବର୍ତ୍ତନ ଆଣିଛି । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଲୋକେ ଗାଁକୁ ଫେରି ରବର ଚାଷ କରି ଲକ୍ଷ ଲକ୍ଷ ରୋଜଗାର କରିପାରୁଛନ୍ତି ।
ଦାଦନରୁ ବନିଗଲେ ରବର ଚାଷୀ:
ମୁନିସିଂ ଗାଁର ଜେଶବିଏଲ୍ ଭୁୟାଁ । ଦାଦନ ଖଟିବାକୁ ମହାରାଷ୍ଟ୍ର ଯାଇ ବର୍ଷ ବର୍ଷ ରହୁଥିଲେ। ରୋଜଗାର କରୁଥିଲେ ସତ କିନ୍ତୁ ପରିବାର ଠାରୁ ଦୂରରେ ରହି ମନ ବୁଝୁନଥିଲା । ଦିନେ ଗାଁକୁ ବୁଲିବାକୁ ଆସିଥିବା ବେଳେ ରବର ଚାଷ ଦେଖି ମନ ବଦଳିଗଲା । ଆଉ ଏବେ ରବର ଚାଷରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପରିବାର ଚଳାଉଛନ୍ତି ଗଜପତି ଜିଲ୍ଲା ମୁନିସିଂ ଗାଁର ଜେଶବିଏଲ୍ ଭୁୟାଁ ।
"ଅନ୍ୟ ରାଜ୍ୟରେ ମଜଦୁରି କରୁଥିଲୁ ପଇସା ଭଲ ମିଳୁଥିଲା, କିନ୍ତୁ ଘର ପରିବାରକୁ ଛାଡି ଜୀବନ ଭଲ ଲାଗୁ ନଥିଲା । ଏବେ ନିଜ ଗାଁରେ ରହି ରବର କାମରେ ଯେତେ ରୋଜଗାର ହେଉଛି, ସେଥିରେ ଖୁସିରେ ପରିବାର ଚଳି ଯାଉଛି, ବାପା-ମା ଓ ପିଲାଙ୍କୁ ଦେଖି ହେଉଛି," କୁହନ୍ତି ଜେଶବିଏଲ୍ ।
କେବଳ ଜେଶବିଏଲ୍ ଭୁୟାଁ ନୁହନ୍ତି ସିଡ଼ିଆଲ ଭୁୟାଁ (29) ଓ ସୁବାସ ରୋଇତ (29)ମଧ୍ୟ ଦାଦନ ଖଟିବାକୁ ମହାରାଷ୍ଟ୍ର ଓ ଅନ୍ୟାନ୍ୟ ରାଜ୍ୟକୁ ଯାଉଥିଲେ। ଦେଶର ବିଭିନ୍ନ ସହରରେ କେଉଁଠି ନିର୍ମାଣ କାମ ତ ଆଉ କେଉଁଠି କାରଖାନାରେ ମଜଦୁର ଭାବରେ କାମ କରୁଥିଲେ । ରବର ଚାଷ ଲାଭଦାୟକ ହେବାରୁ ଏମାନେ ଘରକୁ ଫେରି ସ୍ଥାୟୀ ଆୟର ଆଶା ଦେଖିଲେ। ଅନ୍ୟ ଚାଷୀ ମାନ ଠାରୁ ପ୍ରେରଣା ପାଇ ଆଜି ସେମାନେ ମଧ୍ୟ ନିଜ ପରିବାର ସହିତ ଘରେ ରହି ରବରରୁ ରୋଜଗାର କରୁଛନ୍ତି।
କେବେ ଠୁ ଆରମ୍ଭ ହେଲା ରବର ଚାଷ?
ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ମୁନିସିଂ ଗ୍ରାମରେ ପ୍ରାୟ 2000 ମସିହା ପୂର୍ବରୁ ଆର୍ଥିକ ସ୍ଥିତି ପ୍ରାୟ ସୁଦୃଢ଼ ନଥିଲା । ସେତେବେଳେ ପରୀକ୍ଷାମୂଳକ ଭାବେ ଗ୍ରାମରେ ପାରଳାଖେମୁଣ୍ଡି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ରୋବର ବୋର୍ଡ ପ୍ରଥମେ ରବର୍ ଗଛ ଲଗାଇ ଥିଲା । ପରେ ଏହି ଚାଷ ଏଠାରେ ସଫଳ ହେବା ପରେ ବର୍ତ୍ତମାନ ରବର ଚାଷ କରି ଜଣେ ଚାଷୀ ପରିବାର ଗୋଟିଏ ବର୍ଷରେ ପ୍ରାୟ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ଯାହାକି ସେମାନଙ୍କ ପରିବାର ପ୍ରତିପୋଷଣ ସହ ପିଲାଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ସହଜରେ ହୋଇପାରୁଛି। ଅଳ୍ପ ପରିଶ୍ରମରେ ଏକ ଦୀର୍ଘମିଆଦି ଲାଭଦାୟକ ଚାଷ ଦେଖି ବହୁ ସଂଖ୍ୟକ ଚାଷୀ ଏବେ ରବର ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି।

400 ହେକ୍ଟର୍ ଜମିରେ ରବର ଚାଷ:
ପ୍ରଥମ ପର୍ଯ୍ୟାୟରେ ମାତ୍ର 15 ହେକ୍ଟର ଜମିରେ 6400 ରବର ଚାରା ଲଗାଯାଇଥିଲା । ଗଛ ବଡ଼ ହେବା ପରେ ଏଠାରୁ ରବର ଉତ୍ପାଦନ ଆରମ୍ଭ ହୋଇଛି । ଗଛ ଲଗାଇବାର ପ୍ରାୟ 5 ରୁ 8 ବର୍ଷ ପରେ ଗଛରୁ ରବର କ୍ଷୀର ବାହାର କରାଯାଏ। ବର୍ତ୍ତମାନ ପ୍ରାୟ 40 ରୁ ଅଧିକ ଗାଁ ମୁନିସିଂ, ବାରଙ୍ଗସିଂ, ଆବସିଂ, ସୁକାଇ, ତରଭା ଆଦି ଗାଁରେ 400 ହେକ୍ଟର୍ ଜମିରେ ଏହି ଚାଷ ଚାଲିଛି, ପାରମ୍ପରିକ ଚାଷ ଛାଡି ଏହି ଚାଷ କରି ଜଣେ ଚାଷୀ ବର୍ଷକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।

ରବର ଚାଷ କରି ମହିଳା ଆତ୍ମନିର୍ଭର:
ରବର ଚାଷ ଗାଁର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରବର ପ୍ରୋସେସିଂ, ଶୁଖାଇବା, ବଜାରକୁ ବିକ୍ରି ପାଇଁ ପଠାଇବାରେ କାମରେ ଗାଁର ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଯାହା ସେମାନଙ୍କୁ ଆର୍ଥିକ ଭାବରେ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ ହୋଇଛି ।

ଗତ କିଛି ବର୍ଷ ଧରି ରବର ଚାଷ କରୁଥିବା ଜଇତନି ଗମାଙ୍ଗ କୁହନ୍ତି, “ଧାନ ଚାଷରୁ ସେମିତି କିଛି ଲାଭ ହେଉନଥିବାରୁ ଆମେ ପ୍ରଥମେ ପରୀକ୍ଷା ମୂଳକ ଭାବେ ରବର ଚାଷ କରିଥିଲୁ । ପ୍ରଥମ ଦୁଇ ବର୍ଷ ପରେ ଯେତେବେଳେ ଗଛ ଗୁଡିକ ବଡ ହେଲା ଆମେ ଲାଭ କରିବା ଆରମ୍ଭ କଲୁ। ଧୀରେ ଧୀରେ ପାଖପାଖି ଗାଁ ଲୋକ ମାନେ ମଧ୍ୟ ଏହି ରବର ଚାଷକୁ ଆଦରି ନେଲେ। ଏବେ ଆମକୁ ଜୀବିକା ନିର୍ବାହ ପାଇଁ ସୁବିଧା ହେଉଛି।”
କିପରି ତିଆରି ହୁଏ ରବର?
ରବର ଗଛର କ୍ଷୀରକୁ ବାହାର କରି ତାହା ସହିତ ଏକ ତରଳ କେମିକାଲ୍ ମିଶାଇ ଖରାରେ ଶୁଖାଇଲା ପରେ ଗୋଟିଏ ପରସ୍ତ ତିଆରି ହୁଏ । ଏହାପରେ ତାକୁ ସ୍ବତନ୍ତ୍ର ଭାବରେ ଧୂଆଁ ଦିଆଯାଏ। ପର୍ଯ୍ୟାୟ କ୍ରମେ ତାହା ରବରରେ ପରିଣତ ହୁଏ । ଏଥିପାଇଁ ସମସ୍ତ ପ୍ରକାର ତାଲିମ ପାଇ ଚାଷୀ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ରବରର ଚାହିଦା ଅଧିକ ରହିଛି। ବିଭିନ୍ନ କମ୍ପାନୀ ଏହି ଗ୍ରାମ ଗୁଡ଼ିକରେ ପହଞ୍ଚି ରବର କ୍ରୟ କରି ନେଉଥିବାରୁ ବିକ୍ରି କରିବାରେ କୌଣସି ସମସ୍ୟା ହେଉନଥିବା ଓ ଏହା ଦ୍ଵାରା ଦୁଇ ପଇସା ରୋଜଗାର କରିଥିବା ଚାଷୀ କହିଛନ୍ତି।
ଅନ୍ୟ ଜଣେ ଚାଷୀ ଇଶବା ଗମାଙ୍ଗ କୁହନ୍ତି, "ଆଗରୁ ଧାନ, ମଣ୍ଡିଆ ଚାଷ କରୁଥିଲୁ ଲାଭ କମ୍, ପରିଶ୍ରମ ଅଧିକ । ଏବେ ରବରରୁ ଭଲ ଆୟ ହେଉଛି। ଆଉ ସହାୟତା ମିଳିଲେ ତ ଅଧିକ ଭଲ ମାନରେ ପ୍ରସ୍ତୁତ କରିପାରିବୁ।”
ITDA (Integrated Tribal Development Agency) ପ୍ରକଳ୍ପ ନିର୍ଦ୍ଦେଶକ ଅଂଶୁମାନ ମହାପାତ୍ର କୁହନ୍ତି, “ରବର ଚାଷ ପାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ବିଭିନ୍ନ ସମୟରେ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇଛି । ଚାରା, ଧୂଆଁଘର, ଗୋଦାମଘର, ଆବଶ୍ୟକ ଯନ୍ତ୍ରପାତି ଏବଂ ସମସ୍ତ ପ୍ରକାର ସହଯୋଗ ମିଳୁଛି। ରବର ବୋର୍ଡ ପକ୍ଷରୁ ଆବଶ୍ୟକ ତାଲିମ ଓ ବିକ୍ରିର ସୁବିଧା ଯୋଗାଇ ଦିଆଯାଉଛି । ଅନେକ ଅଞ୍ଚଳର ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି, ଯାହା ଫଳରେ ଏହି ଅଞ୍ଚଳରେ ଏହି ଚାଷ ଆଦୃତ ହୋଇପାରିଛି । "
"ଆଇଟିଡିଏ ଓ ରବର ବୋର୍ଡ ସହାୟତାରେ 1995 ମସିହାରୁ ରବର ଗଛ ଲଗାଯାଇଥିଲା । ଗଛ ଲଗାଇବାର 8 ବର୍ଷ ପରେ ସେଥିରୁ କ୍ଷୀର ବାହାରି ରବର ଉତ୍ପାଦନ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ 1200 ଗଛ ଦିଆଯାଇଥିଲା । 397 ହେକ୍ଟର 40ଟି ଗାଁରେ ଆଇଟିଡିଏ ଓ ରବର ବୋର୍ଡ ଦ୍ବାରା ରବର ଗଛ ଲଗାଯାଇଥିଲା । 224 ଜଣ ବେନିଫିସିଆରି ସେଥିରେ ଏନଗେଜ ଅଛନ୍ତି । 3ଟିସ୍ମୋକ ହାଉସରୁ ଗୋଟିଏ ଚାଲୁ ଅଛି । 2 ଟି ଏବେ ତିଆରି ହୋଇଛି । ଆଦିମଜନଜାତିର ଲୋକେ ରବର ଚାଷ କରି ଲାଭବାନ ହୋଇଛନ୍ତି । "
ଅନ୍ୟ ରାଜ୍ୟରୁ ଟାୟର ଓ ଜୋତା କିମ୍ବା କୌଣସି ରବର କମ୍ପାନୀ ମାଲିକ ମାନେ ଏହାର ମାନ ଯାଞ୍ଚ କରି ଚାଷୀ ମାନଙ୍କ ଠାରୁ କିଣି ନେଇଥାନ୍ତି। କିନ୍ତୁ ସରକାରଙ୍କ ଆଉ କିଛି ସାହାଯ୍ୟ ମିଳିଲେ ଅଧିକ ଓ ଭଲ ମାନରେ ରବର ପ୍ରସ୍ତୁତ କରିପାରିବୁ ବୋଲି କହିଛନ୍ତି ରବର ଚାଷ କରୁଥିବା ଯୁରେଶ୍ ଗମାଙ୍ଗ ।
ଏହା ମଧ୍ୟ ପଢନ୍ତୁ-କିଆ ଫୁଲ ହବ୍ ଗଞ୍ଜାମ: ଦେଶକୁ ଯୋଗାଏ 90%, ମିଳୁନି ମୂଲ୍ୟ ମଉଳି ଯିବ କି ମହକ ?
ଏହା ମଧ୍ୟ ପଢନ୍ତୁ-କୁଚିଣ୍ଡା ଲଙ୍କାକୁ ନେଇ ବିମୁଖ ଚାଷୀ, ଉତ୍କୃଷ୍ଟ ମାନ୍ୟତା ପାଇ ବି GI ଟ୍ୟାଗ ଅପେକ୍ଷାରେ
ଇଟିଭି ଭାରତ, ଗଜପତି

