ଛେଳି ପାଳିବା ସଉକ୍ରୁ ଲକ୍ଷପତି ଦୁଇ ଭାଇ
ପାଠପଢା ସରିବା ପରେ ଚାକିରି ପଛରେ ନ ଗୋଡ଼ାଇ ଛେଳି ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଭୁବନେଶ୍ବର ଉପକଣ୍ଠ ଯଦୁପୁର ଅଞ୍ଚଳର ଦୁଇ ଭାଇ ସାଇନୁଲ ଏବଂ ଇମ୍ରାନ ।

Published : March 4, 2026 at 1:15 PM IST
ସ୍ପେଶାଲ ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ
ଭୁବନେଶ୍ବର: ଛେଳି ପାଳିବା ସଉକରୁ ଲକ୍ଷପତି ହେଲେ ଦୁଇ ଭାଇ । ବର୍ତ୍ତମାନ ଯୁବପିଢି ଚାଷ କାମରୁ ମୁହଁ ଫେରାଉଥିବା ବେଳେ ଛେଳି ଚାଷ କରି ଉଦାହରଣ ସାଜିଛନ୍ତି ଦୁଇ ଭାଇ । ପାଠପଢା ସରିବା ପରେ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବା ଅପେକ୍ଷା ଘରେ ରହି ମାସକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ହିଁ ଆଜ୍ଞା ! ଏମିତି ଦୁଇ ଜଣ ସଫଳ ଛେଳି ଚାଷୀ ହେଲେ ଭୁବନେଶ୍ବର ଉପକଣ୍ଠ ଡୁମୁଡୁମା ଅନ୍ତର୍ଗତ ଯଦୁପୁର ଅଞ୍ଚଳର ସାଇନୁଲ ହକ୍ ଏବଂ ତାଙ୍କ ଭାଇ ଇମ୍ରାନ ଉଲ୍ ହକ୍ l
- ଛେଳି ଚାଷୀରୁ ଲକ୍ଷପତି ଦୁଇ ଭାଇ:
ସେ ବାହାର ରାଜ୍ୟରୁ ପ୍ରାୟ 8ଟି ପ୍ରଜାତିର ଛେଳି ଆଣି ଓଡ଼ିଶାରେ ତାହାର ବ୍ରିଡ୍ ବା ଛୁଆକୁ ବିକ୍ରି କରି ହୋଇଛନ୍ତି ଲକ୍ଷପତି ।ଉଭୟେ କେବେ ପାଳିତ ଛେଳିଙ୍କୁ ଖାଇ ନାହାନ୍ତି କି ମାଂସ ଆକାରରେ ବିକ୍ରି କରି ନାହାଁନ୍ତି l କାରଣ ସେ କୁହନ୍ତି ଏମାନଙ୍କୁ ସଉକରେ ପାଳିବା ହେଉଛି ବଡ କଥା । ପାଠପଢା ସରିବା ପରେ ଚାକିରି ନିଶାରେ ବାହାରକୁ ନ ଯାଇ ଏପରି ବ୍ୟବସାୟ ଆରମ୍ଭ କରିଥିଲେ ଦୁଇ ଭାଇ l ଯାହା ତାଙ୍କୁ ଆଜି ସଫଳ ଛେଳି ଚାଷୀରେ ପରିଣତ କରିଛି ।

ଛେଳି ଛୁଆର ଦାମ 35 ହଜାର ଟଙ୍କାରୁ ଅଧିକ:
ସାନ ଭାଇ ସାଇନୁଲ ହକ୍ କହିଛନ୍ତି,"ଆମ ପାଖରେ ଏବେ 8ଟି ପ୍ରଜାତିର ଛେଳି ରହିଛି l ଯେମିତି କି ତୋତାପରି, ସିରୋହି, ବିଟାଲ, କରୋଲି କୋଟା ଛେଳି, ବର୍ବରି ଏପରି ଅନେକ ପ୍ରକାରର l ଏହି ଛେଳି ଉତ୍ତର ପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, ପଞ୍ଜାବରୁ ଟ୍ରେନ ଯୋଗେ ଆଣିଛୁ l ବାହାର ରାଜ୍ୟରେ ମାସ ମାସ ଧରି ବୁଲି ଆମେ ଏହି ଛେଳି ଆଣିଥାଉ l ଆମର ଏହି ଛେଳିମାନଙ୍କୁ ଆମେ ସଉକରେ ରଖିଥିବା ବେଳେ ଯଦି କେହି ଆମକୁ ମାଗନ୍ତି ତାହେଲେ ଆମେ ତାର ଛୁଆକୁ ବିକ୍ରି କରି ଲାଭ ପାଇଥାଉ । ସବୁଠାରୁ ବଡ କଥା ହେଉଛି ଗୋଟେ ଛେଳି ପଛରେ ଗୋଟେ ଦିନରେ 1500ରୁ 1700 ଟଙ୍କା ଖର୍ଚ୍ଚ ହୁଏ । ଲାଭ କଥା ଦେଖିବାକୁ ଗଲେ ଦେଶୀ ଛେଳି 10ଟି ବିକ୍ରି କଲେ ଯେତିକି ଲାଭ ହେବ, ଏହାର ଗୋଟେ ଛେଳି ଛୁଆ ବିକ୍ରି କଲେ ସେତିକି ପଇସା ପାଇବେ l ଉଦାହରଣ ଆମ ପାଖରେ ଏବେ କରୋଲି କୋଟା ଛେଳିର ଛୁଆ ଅଛି, ତାର ଦାମ୍ 35 ହଜାର ଟଙ୍କା l ନିକଟରେ ଜନତା ମଇଦାନରେ ଏକ ଇଭେଣ୍ଟରେ ଭାଗ ନେଇଥିଲି, ସେଠାରୁ ଆସିବା ପରେ 20ଟି ଛେଳି ଛୁଆ ବିକ୍ରି କରିଛୁ ।"

ସେ ଆହୁରି କହିଛନ୍ତି, "ଓଡ଼ିଶାରୁ ବହୁ ଜିଲ୍ଲାର ଲୋକମାନେ ଆମ ପାଖରୁ ଆସି ଛେଳି ନିଅନ୍ତି କେବଳ ସଉକରେ ରଖିବା ପାଇଁ l ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଆମେ କିଛି ସବସିଡି ପାଇନାହୁଁ । ଏହି ବ୍ୟବସାୟ ତିନି ବର୍ଷ ଧରି କରୁଛି l ପ୍ରଥମେ ପ୍ରଥମେ ଯେବେ ଆରମ୍ଭ କରିଲୁ 30ରୁ ଊର୍ଦ୍ଧ୍ବ ଛେଳି ଛୁଆ ମୃତ୍ୟୁବରଣ କରିଥିଲେ l ବହୁ କ୍ଷତି ସହିଛି l ଓଡ଼ିଶାର ପାଣି ପବନ ସହିତ ସେମାନେ ଖାପ ଖୁଆଇ ପାରିଲେ ନାହିଁ l ତା'ପରେ ବହୁ କଥା ଜାଣିବା ପରେ ପୁଣି ଆରମ୍ଭ କରିଥିଲୁ l"
300 ଛେଳି ରଖିବାକୁ ଯୋଜନା:
ସେହିପରି ବଡ ଭାଇ ଇମ୍ରାନ ଉଲ୍ ହକ କହିଛନ୍ତି,"ଏହି ବ୍ୟବସାୟ ଆମକୁ ବହୁତ ଲାଭ ଦେଇଛି l ଗୋଟେ ଛେଳି ଛୁଆ ଅତି କମରେ 20ରୁ 26 ହଜାର ପର୍ଯ୍ୟନ୍ତ ବିକ୍ରି ହୁଅନ୍ତି l ଏମାନଙ୍କ ଖାଦ୍ୟ ହେଲା, ଚଣା ମୁଗ, ବାଜରା, ଘାସ ଏବଂ ପତ୍ର l ଆମର ଆଗକୁ ଲକ୍ଷ୍ଯ ଅଛି ନୂଆ ନୂଆ ବ୍ରିଡ ଓଡ଼ିଶାକୁ ଆଣିବୁ । ଏବେ ଆମ ପଖରେ 30ରୁ 40ଟି ଛେଳି ରହିଛନ୍ତି । ଆଗକୁ 300 ରଖିବା ପାଇଁ ଆମେ ଯୋଜନା କରିଛୁ ।"

ନଜର ପକାଇବା କିଛି ପ୍ରଜାତିର ଛେଳିମାନଙ୍କର ଗଠନ ଉପରେ:
କରୋଲି କୋଟା ଛେଳି: ଆକାରରେ ବଡ଼, ଗୋଡ ଲମ୍ବା ଏବଂ ଶରୀର ଓଜନିଆ l ଏହା ରାଜସ୍ଥାନ ଏବଂ ଉତ୍ତର ପଶ୍ଚିମ ଭାରତରେ ଦେଖାଯାଏ l ଏହି ଛେଳି ଦୁଗ୍ଧ ଏବଂ ମାଂସ ସହିତ ଚମଡା ପାଇଁ ବ୍ୟବହାର କରାଯାଏ l ଏହି ପ୍ରଜାତିର ଛେଳି ଅଣ୍ଡିରା 50ରୁ 55 କେଜି ଏବଂ ମାଈ 40ରୁ 45 କେଜି ହୋଇଥାନ୍ତି l


ଏହା ମଧ୍ୟ ପଢନ୍ତୁ... ବଞ୍ଚି ଥାଉଥାଉ ମାରିଦେଲେ ! ମିଳୁନି ଭତ୍ତା କି ରାସନ, ଅସହାୟ ଅବସ୍ଥାରେ ବାବାଜୀ ଏହା ମଧ୍ୟ ପଢନ୍ତୁ...କେମିକାଲ୍ ନୁହେଁ ହର୍ବାଲ ହୋଲି: ପନିପରିବାରୁ ଫଗୁ ପ୍ରସ୍ତୁତ କରୁଛନ୍ତି କୋରାପୁଟ SHG ମହିଳା |
ଇଟିଭି ଭାରତ, ଭୁବନେଶ୍ବର

