ଦିନେ ଭୋକ ମେଣ୍ଟାଇବା ପାଇଁ ଚରାଉଥିଲେ ଛେଳି, ଆଜି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ; ପ୍ରଖ୍ୟାତ ପ୍ରହଲ୍ଲାଦ ନାଟ୍ୟକାର ସୀମାଞ୍ଚଳ ପାତ୍ର
ପୌରାଣିକ ପ୍ରହଲ୍ଲାଦ ନାଟକ କଳା ପ୍ରତି ସାଧନା ଓ ଅବଦାନ ପାଇଁ ରାଷ୍ଟ୍ରପତିଙ୍କ ଦ୍ବାରା ୯୮ ବର୍ଷୀୟ ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ

Published : June 30, 2026 at 6:23 PM IST
ବ୍ରହ୍ମପୁର: ପ୍ରତିଭା, ନିଷ୍ଠା ଓ ପ୍ରତିବଦ୍ଧତା ଜଣେ ସାଧାରଣ ମନୁଷ୍ୟକୁ ଅସାଧାରଣ କରି ତୋଳେ । 10 ବର୍ଷ ବୟସରେ ଖାଦ୍ୟ ମୁଠିଏ ପାଇଁ ଛେଳି ଚରାଇବାକୁ ଘରୁ ପାଦ ବାହାର କରିଥିଲେ । ସେହି ସଂଘର୍ଷମୟ ସମୟରେ ଗତି କରି ସେ ନିଜର ଆଗ୍ରହ ଓ ପ୍ରତିଭା ବଳରେ ପୌରାଣିକ ପ୍ରହଲ୍ଲାଦ ନାଟକରେ ରାଜା ହିରଣ୍ୟ କଶ୍ୟପ ଭୂମିକାରେ ଅଭିନୟ କରି ନିଜସ୍ବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆମେ କହୁଛୁ ନାଟକ ନିର୍ଦ୍ଦେଶକ ତଥା ୯୮ ବର୍ଷୀୟ ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କ କଥା । ପୌରାଣିକ ପ୍ରହଲ୍ଲାଦ ନାଟକ କଳା ପ୍ରତି ତାଙ୍କର ଆଜୀବନ ସାଧନା ଓ ଅବଦାନ ପାଇଁ ରାଷ୍ଟ୍ରପତି ନୃତ୍ୟଗୁରୁଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଆଉ ଯାହାଙ୍କ ସଂଘର୍ଷମୟ ଜୀବନ ଆଜି ଅନେକଙ୍କୁ ଅନୁପ୍ରାଣିତ କରୁଛି । ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟରେ ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କ ଜୀବନଯାତ୍ରା ବିଷୟରେ ଅଧିକ ଜାଣିବା....
ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ:
ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ । ଏହାପରେ ନୃତ୍ୟଗୁରୁଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଜନ୍ମମାଟିକୁ ଫେରିବା ପରେ ବର୍ତ୍ତମାନ ସବୁଠି ଏହି ବୟୋଜେଷ୍ଠ୍ୟ ଗୁରୁଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି । ପରିବାର, ଅଞ୍ଚଳ ତଥା ସମଗ୍ର ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ପ୍ରହଲ୍ଲାଦ ନାଟକର ଗୁରୁ ତଥା ନିର୍ଦ୍ଦେଶକ ସୀମାଞ୍ଚଳ ପାତ୍ର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ୍ ବମକୋଇ ଗ୍ରାମର ବାସିନ୍ଦା ଅଟନ୍ତି । ସେ ପ୍ରହଲ୍ଲାଦ ନାଟକ ବା ଗଞ୍ଜାମର ଅତ୍ୟନ୍ତ ସୁପରିଚିତ ରାଜାନାଟରେ ହିରଣ୍ୟ କଶ୍ୟପ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଜ୍ୟର ଅନେକ ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଜନ୍ମମାଟିକୁ ଫେରିବା ଗୁରୁ ସୀମାଞ୍ଚଳ ପାତ୍ର ଇଟିଭି ଭାରତ ସହିତ ଆଲୋଚନା ସମୟରେ ନିଜର ପିଲା ଦିନର ସଂଘର୍ଷକୁ ମନେ ପକାଇଛନ୍ତି ।

ଛେଳି ଚରାଇ ପେଟ ପୋଷୁଥିଲେ:
ବୟସ ମାତ୍ର ୯ରୁ ୧୦ ବର୍ଷ । ପରିବାରରେ ଛେଳି ଜଗିବା ପାଇଁ ନିୟମିତ ଭାବରେ ପଠାଇ ଦିଆଯାଉଥିଲା ସୀମାଞ୍ଚଳଙ୍କୁ । ଛେଳି ଜଗିବା ଠାରୁ ପ୍ରହଲ୍ଲାଦ ନାଟକର ରାଜା ଚରିତ୍ର ପର୍ଯ୍ୟନ୍ତ ଜୀବନ ଯାତ୍ରା କିପରି ଅତ୍ୟନ୍ତ ସଙ୍ଘର୍ଷପୂର୍ଣ୍ଣ ରହିଥିଲା, ତାହା ନୃତ୍ୟଗୁରୁ ବର୍ଣ୍ଣନା କରିଥିଲେ । ଆଉ ଆଜି ସେ ପଦ୍ମଶ୍ରୀ ପାଇ ବେଶ୍ ଆନନ୍ଦିତ ବୋଲି କହିଛନ୍ତି । ଗୁରୁ ସୀମାଞ୍ଚଳଙ୍କ ପୁରସ୍କାର ଗ୍ରହଣ ସମୟରେ ସାନ ପୁଅ ସାହେବ ପାତ୍ର, ବିଶିଷ୍ଟ ଲୋକନୃତ୍ୟ ଗୁରୁ ଆଲୋକ ବିଶୋୟୀ ଏହି ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ଉପସ୍ଥିତ ରହିଥିଲେ ।


ପୈତୃକ ସମ୍ପତ୍ତି ବିକି ନାଟକ ଶିଖିଥିଲେ:
ଗୁରୁ ସୀମାଞ୍ଚଳ ନିଜ ଜିଦ୍ରେ ପିଲାଟି ଦିନରୁ ହିଁ ନାଟକ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଗଞ୍ଜାମରେ ପ୍ରହଲ୍ଲାଦ ନାଟକ ପାଇଁ ସେ ନିଜର ପୈତୃକ ସମ୍ପତ୍ତି ବିକ୍ରି କରିବାକୁ ମଧ୍ୟ ପଛାଇ ନଥିବା କୁହାଯାଏ । ପୁରାଣ ଯୁଗର ବିଭିନ୍ନ କଥାବସ୍ତୁକୁ ମଞ୍ଚରେ ପ୍ରହଲ୍ଲାଦ ନାଟକ ଜରିଆରେ ପରିବେଷଣ କରିବା ସମୟରେ ତାଙ୍କର ଗମ୍ଭୀର ସ୍ୱର ଓ ନୃତ୍ୟର ମୁଦ୍ରା ଦର୍ଶକଙ୍କୁ ବିମୋହିତ କରିଥାଏ । କେବେ କେବେ ୧୨ ରୁ ୧୬ ଘଣ୍ଟା ଧରି ନାଟକ ପରିବେଷଣ ଜାରି ରହିଥାଏ । ଅଭିନୟ ସମୟରେ ୩୫ରୁ ଅଧିକ ରାଗ ଏବଂ ଶତାଧିକ ଗୀତରେ ତାଙ୍କର ପାରଦର୍ଶିତା ରହିଥିଲା ।

ବହୁ ପୁରସ୍କାରରେ ସମ୍ମାନିତ:
ପ୍ରହଲ୍ଲାଦ ନାଟକରେ ପ୍ରହଲ୍ଲାଦ ଠାରୁ ରାଜା ଭୂମିକାରେ ଗୁରୁ ସୀମାଞ୍ଚଳ ପାତ୍ର ଉଚ୍ଚକୋଟୀର ଅଭିନୟ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ନିଜ ସାଧନା ପାଇଁ ପୂର୍ବରୁ ଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ୧୯୯୦ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର , ୧୯୯୭ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ,୨୦୨୪ ମସିହାରେ ତାଙ୍କୁ ଗୁରୁ ଗଙ୍ଗାଧର ଦାସ ମେମୋରିଆଲ ଆୱାର୍ଡରେ ପ୍ରଦାନ କରାଯାଇଥିଲା । ଏଥିସହିତ ଅନେକ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସରକାରୀ ଏବଂ ବେସରକାରୀ କାର୍ଯ୍ୟକ୍ରମରେ ସେ ପୁରସ୍କୃତ ହୋଇଛନ୍ତି । କେବଳ ପ୍ରହଲ୍ଲାଦ ନାଟକରେ ଗୁରୁ ବା ନିର୍ଦ୍ଦେଶକ ଭାବରେ ସେ ସୀମିତ ନଥିଲେ ବରଂ ଗଞ୍ଜାମର ଗାଁ ଗାଁ ବୁଲି 'ଆଖଡ଼ା' ପ୍ରତିଷ୍ଠା କରି ସେଠାରେ ଅନେକଙ୍କୁ ପ୍ରହଲ୍ଲାଦ ନାଟକ ଶିଖାଇ ଆସିଛନ୍ତି ।
ପଦ୍ମଶ୍ରୀ ପାଇ ବହୁତ ଖୁସି:
ଇଟିଭି ଭାରତ ସହିତ ଆଲୋଚନା ସମୟରେ ଗୁରୁ ସୀମାଞ୍ଚଳ ପାତ୍ର କହିଛନ୍ତି, "ମୁଁ ମୋର ଜୀବନରେ ଯେତିକି ଅର୍ଜିଲି ସେତିକି ପାଇଲି । ମୋର ଆଉ କିଛି ଅସୁବିଧା ନାହିଁ । ଯେତିକି ପାଇବା କଥା ସେତିକି ପାଇଲି ଏହାକୁ ନେଇ ମୁଁ ବେଶ୍ ଖୁସି । ୧୦ ବର୍ଷ ବୟସରୁ ଛେଳି ଜଗିଲେ ଖାଇବାକୁ ପାଉଥିଲି । ଏଣୁ ଏହି କାର୍ଯ୍ୟକୁ ଘରେ ପ୍ରାଧ୍ୟାନ୍ୟ ଦେବାକୁ କୁହାଯାଉଥିଲା । ହେଲେ ମନରେ ନାଟକ ପ୍ରତି ଆଗ୍ରହ ରହିଥିଲା ।"
"ଗାଁ ଆଖଡାରେ ପ୍ରହଲ୍ଲାଦ ନାଟକ ଅଭ୍ୟାସକୁ ନିୟମିତ ଦେଖିବା ସହିତ ଏଥିପ୍ରତି ମନ ବଳିଥିଲା । ଏପରିକି କଳାକାର ମାନେ ଆଖଡାରୁ ଅଭ୍ୟାସ ଶେଷ କରି ଚାଲିଯିବା ପରେ ସେ ଯେଉଁ ନାଟକ ଦେଖୁଥିଲେ ତାହାକୁ ଧୀରେ ଧୀରେ ଅଭ୍ୟାସ କରୁଥିଲେ । ଏପରିକି ପରବର୍ତ୍ତୀ ସମୟରେ ବାପା ଓ ମାଆ ଆରପାରିକୁ ଚାଲିଯିବା ପରେ ଉଭଣୀ ଏବଂ ଜ୍ୱାଇଁଙ୍କ ପାଖରେ ରହି ଗ୍ରାମର ଅନ୍ୟ ସାଙ୍ଗସାଥି ମାନଙ୍କ ସହିତ ମିଶି ପ୍ରହଲ୍ଲାଦ ନାଟକ ଏବଂ ରାଗ ଅଭ୍ୟାସ କରୁଥିଲେ," ବୋଲି ଗୁରୁ ସୀମାଞ୍ଚଳ ପାତ୍ର କହିଛନ୍ତି।
ଏବେ ବି ସଂଘର୍ଷ କରୁଛି ପରିବାର:
ବାପାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିବାରୁ ସାରା ପରିବାର ବେଶ ଖୁସି ବୋଲି କହିଛନ୍ତି ସାନପୁଅ ସାହେବ ପାତ୍ର । ସେ କହିଛନ୍ତି, "ରାଷ୍ଟ୍ରପତିଙ୍କ ଠାରୁ ବାପାଙ୍କୁ ପୁରସ୍କାର ମିଳିବା ସମୟରେ ଆମେ ସେଠାରେ ଉପସ୍ଥିତ ରହିଥିଲୁ । ବାପାଙ୍କ ରୋଜଗାରରେ ପରିବାର ବେଶ ଭଲରେ ଚଳୁଥିଲା ।" ହେଲେ ବର୍ତ୍ତମାନ ବୟସ୍କ କାରଣରୁ ଆଉ ନାଟକୁ ଯାଇପାରୁନଥିବା ଯୋଗୁଁ ପରିବାର ଚଳିବା ମଧ୍ୟ କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି ସାନପୁଅ ।
ଗଞ୍ଜାମ ଜିଲ୍ଲା ଗର୍ବିତ:
ବରିଷ୍ଠ ଶିକ୍ଷାବିତ ତଥା ଉତ୍କଳ ଆଶ୍ରମ ନ୍ୟାସର ସଂପାଦକ ସିଦ୍ଧାର୍ଥ ଶଙ୍କର ପାଢୀ ପ୍ରହଲ୍ଲାଦ ନାଟ୍ୟ ଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ମିଳିବାକୁ ନେଇ ବେଶ୍ ଆତ୍ମସନ୍ତୋଷ ଜାହିର କରିଥିଲେ । ସେ କହିଛନ୍ତି, "ଗୁରୁ ସୀମାଞ୍ଚଳ ପାତ୍ର ଆମ ସମଗ୍ର ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । ଗଞ୍ଜାମ ଲୋକନାଟକର ବ୍ୟକ୍ତିତ୍ୱ ତଥା ଜଣେ ପ୍ରହଲ୍ଲାଦ ନାଟକର ନାଟ୍ୟକାରଙ୍କୁ ଏଭଳି ପୁରସ୍କାର ମିଳିବା ପରେ ବ୍ରହ୍ମପୁରର ଉତ୍କଳ ଆଶ୍ରମ ପରିସରରେ କଳାକାରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନେ ଏକତ୍ରିତ ଭାବରେ ସେହି ମହାନ ଗୁରୁଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି ।" ଏଭଳି ଏକ ପ୍ରତିଭାଙ୍କୁ ଭାରତ ସରକାର ସମଗ୍ର ବିଶ୍ୱରେ ପରିଚିତ କରାଇବାରେ ସହାୟକ ହୋଇଥିବା ନେଇ ସେ କୃତଜ୍ଞତା ପ୍ରକାଶ କରିଛନ୍ତି ।
ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ସମୟରେ ପ୍ରହଲ୍ଲାଦ ନାଟ୍ୟ ଗୁରୁ ସୀମାଞ୍ଚଳ ପାତ୍ରଙ୍କ ସହିତ ଉପସ୍ଥିତ ଥିଲେ ଦିଗପହଣ୍ଡିର ଲୋକନୃତ୍ୟ ଗୁରୁ ଆଲୋକ ବିଷୋୟୀ । ଏତେ ବଡ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ନିଜର ଖୁସି ଜାହିର କରିଥିଲେ । ତାଙ୍କ କହିବା ଅନୁଯାୟୀ, "ପୁରସ୍କାର ଗ୍ରହଣ ସମୟରେ ସୀମାଞ୍ଚଳ ପାତ୍ରଙ୍କ ଉତ୍ସାହ ନଭଶ୍ଚୁମ୍ଭୀ ଥିଲା । ତାଙ୍କୁ ପାଖାପାଖି ୯୯ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ୧୯ ବର୍ଷୀୟ ଯୁବକ ପରି ଚଳପ୍ରଚଳ କରୁଥିଲେ । ଏପରିକି ସେ ପୁରସ୍କାର ଆଣିବା ପାଇଁ ଯିବା ସମୟରେ ହାତ ହଲାଇ ରାଜା ଠାଣିରେ ନିଜ ଜୋସ୍ରେ ଯାଇଥିଲେ ବୋଲି କହିଛନ୍ତି ।
ପ୍ରହଲ୍ଲାଦ ନାଟକ ବିଷୟରେ:
ପ୍ରହଲ୍ଲାଦ ନାଟକ ଏକ କଷ୍ଟସାଧ୍ୟନାଟକ । କଷ୍ଟସାଧ୍ୟ୍ୟ ଜକ୍ଷ ଗାନ ଠାରୁ ଏହା ୫୦ ଗୁଣରେ ଅଧିକ କଷ୍ଟସାଧ୍ୟ ବୋଲି କୁହାଯାଏ । ମୁଖ୍ୟତଃ ପ୍ରହଲ୍ଲାଦ ନାଟକରେ ନିଜେ ଗାୟକ ଭାବରେ ଗାନ କରିବା ସହିତ ନିଜେ ନୃତ୍ୟ କରିବା, ନିଜେ ଅର୍ଥ ଆଦାୟ କରି ଅଭିନୟ କରିବାକୁ ହୁଏ । ଏହା ସହିତ ଗାୟକ ନିଜେ ତାଳ ଧରିଥାଏ । ଦୀର୍ଘ ସମୟ ଧରି ପ୍ରାୟ ୧୨ ଘଣ୍ଟା ରୁ ୧୮ ଘଣ୍ଟା ଏବଂ ଆବଶ୍ୟକ ପଡିଲେ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହା ପରିବେଷିତ ହୋଇଥାଏ ବୋଲି କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ: INTERVIEW: ପଦ୍ମଶ୍ରୀ ଚରଣ ହେମ୍ବ୍ରମଙ୍କ ସହ ସାକ୍ଷାତକାର ପଦ୍ମଶ୍ରୀ ପାଇଲେ ଚରଣ ହେମ୍ବ୍ରମ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ହେଲେ ସମ୍ମାନିତ |
ଇଟିଭି ଭାରତ, ବ୍ରହ୍ମପୁର

