ଅଟକାଇ ପାରିନି ଅକ୍ଷମତା: ସିଲେଇ ତାଲିମ ଦେଇ 700 ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ
ବାଲେଶ୍ବରର 68 ବର୍ଷୀୟା ପ୍ରେମଲତା ବାରିକ । ମାତ୍ର 10 ମାସର ହୋଇଥିଲେ ଡିବିରି ନିଆଁ ପୋଡି ହୋଇଯାଇଥିଲେ । ସଂଘର୍ଷ କରି ବର୍ତ୍ତମାନ ସୁଦ୍ଧା 700ରୁ ଅଧିକ ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ ।

Published : February 27, 2026 at 5:34 PM IST
ସ୍ପେଶାଲ ରିପୋର୍ଟ: ଜୀବନ ଜ୍ୟୋତି ନାୟକ
Premalata Barik ବାଲେଶ୍ବର: ମାତ୍ର 10 ମାସର ହୋଇଥିଲେ....ଦୁନିଆ କଣ ଜାଣିବା ଆଗରୁ ନିଆଁ ତାଙ୍କୁ ଦିବ୍ୟାଙ୍ଗ କରିଦେଲା । ବୟସ ବଢ଼ିବା ସହ ଜୀବନର ପ୍ରତି ପାହାଚରେ ସଂଘର୍ଷ ତାଙ୍କ ବାଟ ଓଗାଳୁଥିଲା । ଜୀବନର ସବୁ ବାଧା ବିଘ୍ନକୁ ଏଡ଼ାଇ ନିଜର ଦୁର୍ବଳତାକୁ ସମାଜ ଆଗରେ ଶକ୍ତି ଭାବେ ପ୍ରତିପାଦିତ କରି, ଆଜିର ଦିନରେ ଅନ୍ୟମାନଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରୁଛନ୍ତି । ବାଲେଶ୍ବରର 68 ବର୍ଷୀୟା ପ୍ରେମଲତା ବାରିକ । ନା ତାଙ୍କ ପାଦ ଥକିଛି, ନା ମନୋବଳକୁ ଭାଙ୍ଗି ପାରିଛି ପରିସ୍ଥିତି । ଦୁଇ ଦଶନ୍ଧି ହେଲା ସିଲେଇ (Tailoring) ଶିକ୍ଷା ଦେଇ 700ରୁ ଅଧିକ ମହିଳାଙ୍କୁ ସାବଲମ୍ବୀ ହେବାରେ ସାହାଯ୍ୟ କରିଛନ୍ତି । ପ୍ରେମଲତା, ନିଜ ଅଞ୍ଚଳରେ କୌଶଲୀ ନାନୀ ଭାବେ ପରିଚିତ । ସେ ସାଧାରଣ ମହିଳା ନୁହନ୍ତି, ଜଣେ ଯୋଦ୍ଧା, ସ୍ବୟଂସିଦ୍ଧା ...ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ।
10 ମାସର ହୋଇଥିଲା, ନିଆଁରେ ପୋଡ଼ି ଦିବ୍ୟାଙ୍ଗ ପାଲଟିଲେ:
ପ୍ରେମଲତାଙ୍କ ଘର ବାଲେଶ୍ବର ଔପଦା ବ୍ଲକ ନୂଆଗାଁବଡ଼ । ପ୍ରେମଲତା ଯେତେବେଳେ ମାତ୍ର 10 ମାସ ବୟସ ହୋଇଥିଲେ ସେତେବେଳେ ଡିବିରିରୁ ନିଆଁ ଲାଗି ତାଙ୍କ ଶରୀରର ତିନିଭାଗ ପୋଡ଼ି ଯାଇଥିଲା । ଦୁନିଆକୁ ଆଖି ପୁରାଇ ଦେଖିନଥିବା ସେତେବେଳର କୋମଳମତି ଶିଶୁ ପାଲଟି ଯାଇଥିଲେ ଦିବ୍ୟାଙ୍ଗ । ଏତିକିରେ ଭାଗ୍ୟ ଦାଉ ସାଧିବା ବନ୍ଦ ହୋଇନଥିଲା । କିଛି ବର୍ଷ ପରେ ଆର ପାରିକୁ ଚାଲିଯାଇଥିଲେ ବାପା । ଘରେ ପାଞ୍ଚ ଭାଇ ଭଉଣୀ ଥିବାରୁ ପ୍ରେମଲତାଙ୍କୁ ମା’ ନେଇ ମାମୁ ଘର ଆଳଦାରେ ଛାଡ଼ି ଦେଇଥିଲେ ।
20 ବର୍ଷ ଚାକିରି କଲେ, ସମସ୍ୟା ପିଛା ଛାଡ଼ି ନଥିଲା:
ମାମୁ ଘରେ ଥିବା ବେଳେ ସେଠାରେ ପ୍ରେମଲତା ମାଟ୍ରିକ ପାସ କରିଥିଲେ । କିଛିଦିନ ପାଠ ପଢିବାରେ ସମସ୍ୟା ହେବ ଯୋଗୁଁ ପ୍ରେମଲତା ସେହି ସମୟରେ ସିଲେଇ ଶିଖିଥିଲେ । ପରେ ହିନ୍ଦୀରେ ବିନୋଦ ପାସ୍ କରିବା ପରେ କୋବିଦ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏକ ଘଣ୍ଟା କମ୍ପାନୀରେ 1980 ମସିହା ମାର୍ଚ୍ଚ ମାସ 17ରେ ଚାକିରି କରିଥିଲେ। କମ୍ପାନୀ ବନ୍ଦ ହୋଇଯିବା ପରେ 2000 ମସିହା ଡିସେମ୍ବର ମାସରେ ସେ ପୁଣି ଖଇରା ଫେରି ଆସିଥିଲେ । ଚଳିବା ପାଇଁ ଋଣ କରି ଏକ କୁକୁଡ଼ା ଫାର୍ମ କରିଥିଲେ । ମାତ୍ର ମାମୁ ପୁଅଙ୍କ ଦ୍ୱାରା ତାହା ପରିଚାଳିତ ହେଉଥିବା ବେଳେ ନିଜେ କିଛି ଲାଭ ପାଇନଥିଲେ । ସାବୁନ ଟିଏ କିଣିବା ପାଇଁ ଯେତେବେଳେ ପ୍ରେମଲତାଙ୍କ ପାଖରେ ଟଙ୍କାଟିଏ ନ ଥିଲା ସେତେବେଳେ ମଧ୍ୟ ସେ ହାରି ଯାଇନଥିଲେ ।

2006ରୁ ଆରମ୍ଭ ହୁଏ ସିଲେଇରୁ ସ୍ବାବଲମ୍ବୀ ହେବାର ଯାତ୍ରା:
1980 ମସିହାରେ କିଣିଥିବା ଏକ ସିଲେଇ ମେସିନ ଦ୍ୱାରା ସେ ନିଜେ ସ୍ୱାବଲମ୍ବୀ ହେବାପାଇଁ ମାମୁ ପୁଅ ଭାଇ ମାନଙ୍କୁ ଅନୁରୋଧ କରି ଏକ ଘର ଓ ସୋ’ କେସ କରାଇଥିଲେ । ସେଇଠୁ ଆରମ୍ଭ ହୋଇଥିଲା ପ୍ରେମଲତାଙ୍କ ସିଲେଇ (ଟେଲରିଂ) ଯାତ୍ରା । 2006ରେ ମାତ୍ର ଗୋଟିଏ ମେସିନ ଜରିଆରେ ସେ ସିଲେଇ କରି ଦୁଇ ପଇସା ରୋଜଗାର କରିବା ଆରମ୍ଭ କରିଥିଲେ । ସେତେବେଳେ ଗୁଡ଼ି ନାମକ ଜଣେ ଯୁବତୀଙ୍କୁ ପ୍ରଥମେ ସେ ସିଲେଇ ତାଲିମ ଦେଇଥିଲେ । ଲୋକମାନେ ଯେତେବେଳେେ ଜାଣିଲେ ଯେ ପ୍ରେମଲତା ଭଲ ତାଲିମ ସହ ଭଲ ସିଲେଇ କରୁଛନ୍ତି, ସେତେବେଳେ ତାଙ୍କ ପାଖରେ ଭିଡ଼ ଜମିବାକୁ ଲାଗିିଲା । ଏପଟେ ସିଲେଇ ଶିଖିବା ପାଇଁ ମଧ୍ୟ ଯୁବତୀ ଓ ମହିଳାମାନଙ୍କ ଭିଡ଼ ଲାଗିବା ଆରମ୍ଭ ହେଲା ।
ଶେଷ ନିଶ୍ବାସ ପର୍ଯ୍ୟନ୍ତ ସିଲେଇ ଶିଖାଇବି:
ପ୍ରେମଲତା ତାଙ୍କ ଜୀବନରେ ଘଟିଥିବା ସଂଘର୍ଷ ବିଷୟରେ କହିବା ବେଳେ ଭାବବିହ୍ବଳ ହୋଇ ପଡ଼ନ୍ତି । ପୁରୁଣା ଦିନକୁ ମନେ ପକାଇ ପ୍ରେମଲତା କୁହନ୍ତି ‘ ପ୍ରାୟ 700 ଝିଅ ବୋହୂଙ୍କୁ ସିଲେଇ ଶିଖାଇଛି । ସେମାନଙ୍କ ମଧ୍ୟରୁ 90 ପ୍ରତିଶତ ରୋଜଗାରକ୍ଷମ ହୋଇଛନ୍ତି । ଏଥିସହ ଚାନ୍ଦୁଆ କାମ ଶିଖି ତାହା ବି ମହିଳାମାନଙ୍କୁ ଶିଖାଉଛି । ଯେମିତି ମହିଳାମାନେ ସିଲେଇ କରି ଆତ୍ମନିର୍ଭରଶୀଳ ହୋଇ ପାରିବେ । ଜୀବନରେ ବହୁତ କିଛି ଇଚ୍ଛା ଥିଲା ତାହା ପୂରଣ ହୋଇ ପାରିଲାନି । ସିଲେଇ ତାଲିମ ନେଉଥିବା ମହିଳାମାନେ ଯାହା ଅର୍ଥରାଶି ଦେଉଛନ୍ତି ତାହା ଗ୍ରହଣ କରୁଛି । ଏଇଠୁ ମୋର ଗୁଜୁରାଣ ମେଣ୍ଟୁଛି । ବଞ୍ଚିଥିବା ଯାଏ ସିଲେଇ ଶିଖାଇବି ।’

ଶତାଧିକ ମହିଳାଙ୍କୁ ସ୍ବାବଲମ୍ବୀ କରିଛନ୍ତି...
ମହିଳା ଓ ଯୁବତୀମାନଙ୍କ ଭିଡ଼କୁ ଦେଖି ପ୍ରତିଦିନ ୧୫ ଜଣିଆ ବ୍ୟାଚ କରି ପ୍ରେମଲତା ସିଲେଇ ଶିକ୍ଷା ତାଲିମ ପ୍ରଦାନ କରନ୍ତି । ଏବେ ମାମୁ ଘର ତରଫରୁ ମିଳିଥିବା ଏକ ଗୁଣ୍ଠ ଜମିରେ ସେ ଘରଟିଏ କରି ରହୁଛନ୍ତି । ଯେଉଁମାନେ ତାଙ୍କ ପାଖରୁ ତାଲିମ ନିଅନ୍ତି ଯିଏ ଯାହା ନିଜ ଇଚ୍ଛା ଅନୁସାରେ ଦିଅନ୍ତି ସେଥିରେ ସେ ଖୁସି ।
ଗରିବ ମହିଳାଙ୍କୁ ମାଗଣାରେ ଶିକ୍ଷା ଦିଅନ୍ତି:
ଗରିବ ଶ୍ରେଣୀର ମହିଳାମାନଙ୍କ ପାଖରୁ ପ୍ରଶିକ୍ଷଣ ପାଇଁ ସେ ଟଙ୍କାଟିଏ ମଧ୍ୟ ନିଅନ୍ତି ନାହିଁ । କେବଳ ସିଲେଇ ନୁହେଁ ପିପିଲି ଚାନ୍ଦୁଆ ବୁଣାକାରମାନଙ୍କୁ ଅନୁକରଣ କରି ସୁନ୍ଦର ଚାନ୍ଦୁଆ ପ୍ରସ୍ତୁତ କରି ମେଳା ମହୋତ୍ସବରେ ବିକ୍ରି କରନ୍ତି ପ୍ରେମଲତା । ଏବେ ବୟସ ସାଥ୍ ଦେଉ ନଥିବାରୁ ସେ ଆଉ ବାହାରକୁ ଯା ଆସ କରିପାରୁ ନାହାନ୍ତି ।
ପ୍ରେମଲତାଙ୍କଠାରୁ ସିଲେଇ ତାଲିମ ନେଇ ସ୍ୱାବଲମ୍ବୀ ହୋଇଥିବା ମହିଳା ତିଳୋତ୍ତମା ବେହରା କୁହନ୍ତି, ‘ଦୁଇବର୍ଷ ହେଲା ସିଲେଇ ଶିଖିଲିଣି । ନାନୀଙ୍କ ପାଇଁ ବହୁତ ଉନ୍ନତି କରିଛି । ଘରେ ରହୁଥିଲି, ନାନୀଙ୍କ ପାଖକୁ ଆସି ସିଲେଇ ଶିଖି ଆଜି ରୋଜଗାର କରିପାରୁଛି ।’
ପ୍ରେମଲତାଙ୍କଠାରୁ ଟେଲରିଂ ଟ୍ରେନିଂ ନେଇଥିବା ଆଉଜଣେ ମହିଳା ହେଲେ କୌଶଲ୍ୟା ଦାସ । ଯିଏ କି ପିଲାଟି ଦିନରୁ ସିଲେଇ ଶିଖିବା ପାଇଁ ବହୁତ ଇଚ୍ଛା ଥିଲେ ମଧ୍ୟ ଶିଖିବାର ସୁଯୋଗ ପାଇ ନଥିଲେ । ବିବାହର ୧୦ ବର୍ଷ ପରେ ସେ ପ୍ରେମଲତାଙ୍କ ପାଖରୁ ସିଲେଇ ଶିଖି ଆଜି ସ୍ୱାବଲମ୍ବୀ ହୋଇଛନ୍ତି । ସେ ସ୍କୁଲ ପିଲାଙ୍କ ଡ୍ରେସ ତିଆରି କରିବାରେ ବେଶ ମାହିର୍ ଥିବା ବେଳେ ଚାନ୍ଦୁଆ ମଧ୍ୟ ଭଲ ପ୍ରସ୍ତୁତ କରିଥାନ୍ତି ।

କୌଶଲ୍ୟା କୁହନ୍ତି, ‘ପ୍ରେମଲତା ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ସବୁ ପ୍ରକାର କାମ କରି ପାରୁଛନ୍ତି । ମହିଳାମାନେ ତାଙ୍କ ପାଇଁ ରୋଜଗାର କରି ପାରୁଛନ୍ତି । ତାଙ୍କ ପାଇଁ କିଛି ନ ହେଲେ ବି ଆମ ହାତ ଖର୍ଚ୍ଚ, ପିଲାଙ୍କ ଟିଫିନ ଖର୍ଚ୍ଚ ତୁଲାଇ ପାରୁଛୁ।’
ବୟସର ଅପରାହ୍ନରେ ବାଲେଶ୍ବରର ପ୍ରେମଲତା । ଶାରୀରିକ ଭିନ୍ନକ୍ଷମ ସତ୍ତ୍ବେ, ନିଜେ ହାର ନ ମାନି ମହିଳାମାନଙ୍କୁ ସ୍ବାବଲମ୍ବୀ କରି ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର

