ETV Bharat / state

ଦିନେ ଥିଲେ ଦାଦନ ଶ୍ରମିକ, ଏବେ ସଫଳ ଉଦ୍ୟୋଗୀ; ବଲାଙ୍ଗୀର ଦୁଇ ସ୍ବୟଂସିଦ୍ଧା ରୀତାଞ୍ଜଳି ଓ ସନ୍ତୋଷିନୀ

ରୀତାଞ୍ଜଳି 2011ରେ ଦାଦନ ଖଟିବାକୁ ଯାଇ ଅକଥନୀୟ ଅତ୍ୟାଚାରର ଶିକାର ହୋଇଥିଲେ । ସନ୍ତୋଷିନୀ ସ୍ବାମୀଙ୍କ ସହ ଦାଦନ ଖଟିବାକୁ ଯାଇ ନାନା କଷ୍ଟ ସହିଥିଲେ ।

Bonded Labour To Change Makers
ଦିନେ ଥିଲେ ଦାଦନ ଶ୍ରମିକ, ଏବେ ସଫଳ ଉଦ୍ୟୋଗୀ (ETV Bharat Odisha)
author img

By ETV Bharat Odisha Team

Published : February 9, 2026 at 6:16 PM IST

5 Min Read
Choose ETV Bharat

ସ୍ପେଶାଲ ଷ୍ଟୋରୀ: ଶେଖ ମହମ୍ମଦ ୱାହିଦ

Bonded Labour to Entrepreneurship ବଲାଙ୍ଗୀର: ଦାରିଦ୍ରତାର କଷାଘାତ ସେମାନଙ୍କୁ ଦାଦନର ରାସ୍ତା ଦେଖାଇଥିଲା । ଦିନେ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ଶ୍ରମିକ ସାଜିଥିଲେ, ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିଲା । ସେ କଙ୍କଳିତ ଶିକୁଳିକୁ ଛିଡାଇ ନିଜ ସଫଳତାର କାହାଣୀ ଲେଖିଛନ୍ତି ଦୁଇ ମହିଳା । ସେମାନେ ହେଲେ ଦାଦନ ପ୍ରବଣ ଜିଲ୍ଲା ଭାବେ ପୂର୍ବରୁ ଚର୍ଚ୍ଚିତ ବଲାଙ୍ଗୀରର ରୀତାଞ୍ଜଳି ଓ ସନ୍ତୋଷିନୀ । ଉଭୟେ ଦାଦନର ଅନ୍ଧାରୀ ମୂଲକରୁ ବାହାରି ନିଜ ଗୋଡରେ ଛିଡ଼ା ହେବା ସହ ଅନ୍ୟ ଦାଦନ ପ୍ରପୀଡିତଙ୍କୁ ଦେଖାଉଛନ୍ତି ନୂଆ ଦିଶା । ଦୁଇ ସ୍ବୟଂସିଦ୍ଧା ରୀତାଞ୍ଜଳି-ସନ୍ତୋଷିନୀଙ୍କ କାହାଣୀକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ।

ବଲାଙ୍ଗୀର ଦୁଇ ସ୍ବୟଂସିଦ୍ଧା ରୀତାଞ୍ଜଳି ଓ ସନ୍ତୋଷିନୀ (ETV Bharat Odisha)

ଦିନେ ଦାଦନ ଖଟୁଥିଲେ, ଏବେ ସଫଳ ଉଦ୍ୟୋଗୀ:

ଦାଦନ ଉତ୍ପୀଡନରୁ ବିଜୟୀ ହୋଇଛନ୍ତି ଦୁଇ ସ୍ୱୟଂସିଦ୍ଧା ରୀତାଞ୍ଜଳି ଓ ସନ୍ତୋଷିନୀ । ଦିନେ ପରିବାର ସହ ଇଟା ଭାଟିରେ ପାଇଥିଲେ ନିର୍ଯାତନା । ହେଲେ ନିଜେ ସ୍ବାବଲମ୍ବୀ ହୋଇ ସଫଳ ହୋଇଛନ୍ତି । କେବଳ ସେତିକି ନୁହେଁ ଅନ୍ୟ ଦାଦନ ପ୍ରପୀଡିତଙ୍କୁ ମଧ୍ୟ ଦେଖାଉଛନ୍ତି ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାର ବାଟ ।

ଏ କାହାଣୀ ଦୁଇ ମହିଳାଙ୍କର...

ଏ କାହାଣୀ ହେଉଛି 25 ବର୍ଷୀୟା ରୀତାଞ୍ଜଳି ରଣା ଓ 32 ବର୍ଷୀୟା ସନ୍ତୋଷିନୀ ରାଉତଙ୍କର । ଦୁହିଁଙ୍କ ଠିକଣା ଅଲଗା, କାହାଣୀ ବି ଅଲଗା । କିନ୍ତୁ ସଂଘର୍ଷ ଗୋଟିଏ । ଦାଦନରୁ ସଫଳତା କାହାଣୀ ନିଶ୍ଚୟ ଆପଣଙ୍କୁ ପ୍ରେରଣା ଦେବ । କିଏ ଏହି ଦୁଇ ମହିଳା ? କଣ ରହିଛି ଉଭୟଙ୍କ କାହାଣୀ...ଜାଣନ୍ତୁ ।

Balangir Two Women Success Story
ରୀତାଞ୍ଜଳି (ETV Bharat Odisha)

ଘର ଚଳାଇବାକୁ ଯାଇଥିଲେ ଦାଦନ:

ନାଁ ରୀତାଞ୍ଜଳି ରଣା । ଘର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର ତମିଆ ଗାଁ । ରୀତାଞ୍ଜଳିଙ୍କ ପରିବାରରେ 10 ଜଣ ପ୍ରାଣୀ । ବାପା ମା’ ଓ 8 ଭାଇଭଉଣୀ । ତାଙ୍କ ବାପା ମା’ ଦିନକୁ ୭୦ ଟଙ୍କାରେ ଅନ୍ୟ ଘରେ କାମ କରୁଥିଲେ । ଏତିକି ଟଙ୍କାରେ ଘର ଚଳାଇବା କଷ୍ଟସାଧ୍ୟ ହେଉଥିଲା । ଘର ଚଳାଇବା ପାଇଁ ଧାର ଉଧାର କରିଥିଲେ । ଟଙ୍କା ପୈଠ ପାଇଁ 2011 ମସିହାରେ 20 ହଜାର ଟଙ୍କା ଦାଦନ ସର୍ଦ୍ଦାର ଠାରୁ ଅଗ୍ରୀମ ନେଇ ସପରିବାର ଦାଦନ ଖଟିବାକୁ ବାହାରକୁ ଯାଇଥିଲେ । ରୀତାଞ୍ଜଳି ସେତେବେଳେ ଛୋଟ ଥିଲେ । ଦାଦନ ଖଟିବାକୁ ଯାଇ ଅହେତୁକ ନିର୍ଯାତନାର ଶିକାର ହୋଇଥିଲେ ପୂରା ପରିବାର । ପରେ 2012ରେ ସରକାର ସେମାନଙ୍କୁ ଉଦ୍ଧାର କରିଥିଲେ ।

Balangir Two Women Success Story
ରୀତାଞ୍ଜଳି ଏବେ ବିଉଟି ପାର୍ଲର କରିଛନ୍ତି (ETV Bharat Odisha)

ଦାଦନରୁ ଫେରି ସ୍କୁଲରେ ପଢ଼ିଲେ:

ଗାଁକୁ ଫେରିବା ପରେ 2012ରେ ପୁଣି ରୀତାଞ୍ଜଳି ସ୍କୁଲରେ ନାମ ଲେଖାଇଥିଲେ । ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଲେ । ପରେ ରୀତାଞ୍ଜଳି ସରକାରୀ ଯୋଜନାର ଲାଭ ନେଇ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାର ପ୍ରୟାସ ଆରମ୍ଭ କରିଥିଲେ । ତାଙ୍କର ନିରନ୍ତର ପ୍ରୟାସ ଦୃଢ଼ ଇଚ୍ଛା ଶକ୍ତି ତାଙ୍କୁ ଅନେକ ବାଧାବିଘ୍ନ ସତ୍ତ୍ୱେ ସଫଳ କରିପାରିଛି । ସେ ଏବେ ପାରା ଲିଗାଲ ଭଲ୍ୟୁଣ୍ଟିୟର ଭାବରେ କାମ କରୁଛନ୍ତି । ନୀତିଦିନ ଲୋକଙ୍କୁ ନ୍ୟାୟ ପାଇବାରେ ସାହାଯ୍ୟ କରି ଆସୁଛନ୍ତି ।

Balangir Two Women Success Story
ଅନ୍ୟକୁ ଦିଗ ଦେଖାଉଛନ୍ତି ରୀତାଞ୍ଜଳି (ETV Bharat Odisha)

ବିଉଟି ପାର୍ଲର ଚଳାଉଛନ୍ତି ରୀତାଞ୍ଜଳି:

ରୀତାଞ୍ଜଳି ନିଜେ ଟ୍ରେନିଂ ନେଇ ବିଉଟି ପାର୍ଲର ଖୋଲିଛନ୍ତି । ଯେଉଁଥିରୁ ସେ ମାସିକ 40,000 ଊର୍ଦ୍ଧ୍ବ ଟଙ୍କା ରୋଜଗାର କରି ପାରୁଛନ୍ତି । ଏହାବାଦ ସେ ଦାଦନ ଖଟି ଯାଉଥିବା ଓ ସେଠୁ ଉଦ୍ଧାର ହୋଇ ଆସୁଥିବା ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । 2020ରୁ ଶ୍ରମିକ ବାହିନୀ ସଂଗଠନର ସଦସ୍ୟ ଅଛନ୍ତି ସେ । ଏହି ସଂଗଠନ 4000ରୁ ଊର୍ଦ୍ଧ୍ବ ଦାଦନ ଫେରନ୍ତାଙ୍କୁ ସାହାଯ୍ୟ କଲାଣି ।

ଓଡ଼ିଶାରେ କାମ ଅଛି, ସୁଯୋଗ ବି ଅଛି:

ରୀତାଞ୍ଜଳି କୁହନ୍ତି, ‘ଆମେ ଆଠ ଭାଇ ଭଉଣୀ ଥିଲୁ । ଘର ଚଳିବା କଷ୍ଟ ହେଉଥିଲା । ଚାଷ ଜମି ମଧ୍ୟ ଅଳ୍ପ ଥିଲା । ଦାଦନ ଖଟିବାକୁ ଯାଇଥିଲୁ । ଇଟାଭାଟି ମାଲିକ ଆମକୁ ଜଙ୍ଗଲରେ ଲୁଚାଇ ରଖିଥିଲା । ସେଠୁ ଉଦ୍ଧାର ହେବା ପରେ ପୁଣି ସ୍କୁଲ ଯାଇଥିଲି । ପରେ ଟ୍ରେନିଂ ନେଇ ବିଉଟି ପାର୍ଲର ଖୋଲିବା ସହ ପିଏଲଭି ଭାବେ କାମ କରୁଛି । ଭଲ ରୋଜଗାର ହେଉଛି । ଏଥିସହ ଶ୍ରମିକ ବାହିନୀ କରି ଦାଦନ ଫେରନ୍ତାଙ୍କୁ ସାହାଯ୍ୟ କରୁଛୁ । ବାହାରକୁ କାମ କରିବାକୁ ଗଲେ ଉଚିତ୍‌ ମାଧ୍ୟମରେ ଯାଆନ୍ତୁ । ଏଠି ବି କାମ ଅଛି ସୁଯୋଗ ଅଛି ।’

ଏହା ଥିଲା ରୀତାଞ୍ଜଳିଙ୍କ କଥା । ଆଉ ଜଣେ ମହିଳା ହେଲେ ସନ୍ତୋଷିନୀ ରାଉତ । ସନ୍ତୋଷିନୀ ବି ଦାଦନରୁ ଫେରି ସ୍ବାବଲମ୍ବୀ ହୋଇଛନ୍ତି । ସନ୍ତୋଷିନୀ ଏବେ ସିଲେଇ କାମ କରୁଥିବା ବେଳେ ସେ ବି ଅନ୍ୟ ଦାଦନ ଫେରନ୍ତାଙ୍କୁ ରାସ୍ତା ଦେଖାଉଛନ୍ତି ।

Bonded Labour to Entrepreneurship
ସନ୍ତୋଷିନୀ (ETV Bharat Odisha)

ସ୍ବଂୟସିଦ୍ଧା ସନ୍ତୋଷିନୀ:

ଅନ୍ୟ ଜଣେ ମହିଳା ହେଲେ ବଲାଙ୍ଗୀର ଲୋଇସିଂହା ବ୍ଲକ ମହାରପାଳିର ସନ୍ତୋଷିନୀ ରାଉତ । ପରିବାର ଭରଣ ପୋଷଣ ପାଇଁ 2014 ମସିହାରେ ସ୍ୱାମୀଙ୍କ ସହ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ସେମାନେ ମଧ୍ୟ ଦାଦନ ସର୍ଦ୍ଦାର ଠାରୁ ଅଗ୍ରୀମ ଟଙ୍କା ନେଇ ବାହାର ରାଜ୍ୟରେ ବନ୍ଧକ ଶ୍ରମିକ ଭାବରେ କାମ କରୁଥିଲେ । କାମ ବଦଳରେ ମିଳୁଥିଲା ଅକଥନୀୟ ନିର୍ଯାତନା । ସରକାରଙ୍କୁ ଗୁହାରି କରିବା ପରେ 2015ରେ ପ୍ରଶାସନ ଏହି ଦମ୍ପତିଙ୍କୁ ଫେରାଇ ଆଣିଥିଲା ।

ବର୍ଷେ ଧରି ନିର୍ଯାତନା ସହିବା ପରେ ଦାଦନ ଖଟିବା ନୁହେଁ ନିଜେ କିଛି କରିବାକୁ ଯୋଜନା କରିଥିଲେ । ଏହା ପରେ ସିଲେଇ ଶିଖିଥିଲେ । ସିଲେଇ ଶିଖିବା ପରେ ବିଭିନ୍ନ ଦୋକାନ ହେଉ ଅବା କମ୍ପାନୀ ପାଇଁ କାମ କରୁଛନ୍ତି ସନ୍ତୋଷିନୀ ଏଥିରୁ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଯେଉଁଥିରେ ସେମାନଙ୍କ ପରିବାର ଚଳୁଛି । ଏବେ ଦାଦନ ଫେରନ୍ତାଙ୍କୁ ଦିଗଦର୍ଶନ ଦେଉଛନ୍ତି ।

ସନ୍ତୋଷିନୀ ରାଉତ କୁହନ୍ତି, ‘ଆମକୁ କୌଣସି କାମ ମିଳୁନଥିଲା । ଦାଦନ ସର୍ଦ୍ଦାର ଠାରୁ ଅଗ୍ରୀମ ଟଙ୍କା ନେଇ ଦାଦନ ଖଟିବାକୁ ଯାଇଥିଲୁ । ସେଠାରେ ରହିବା ଖାଇବା ସହ ନିର୍ଯାତନା ମିଳୁଥିଲା । ସ୍ଥାନୀୟ ପ୍ରଶାସନର ଦ୍ବାରସ୍ଥ ହେବା ପରେ ଆମକୁ ଉଦ୍ଧାର କରାଯାଇଥିଲା । ବଲାଙ୍ଗୀର ଫେରିବା ପରେ ସିଲେଇ ଶିଖି ଭଲ ରୋଜଗାର କରୁଛି । ପିଲାଙ୍କୁ ମଧ୍ୟ ପଢାଇ ପାରୁଛି । ଏହା ସହ ଶ୍ରମ ବାହିନୀ ଜରିଆରେ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ଟ୍ରେନିଂ ଆଉ ଉପକରଣ ଦେଇ ଦାଦନ ଫେରନ୍ତାଙ୍କୁ ଆତ୍ମନିର୍ଭର କରୁଛୁ ।’

Balangir Two Women Success Story
ସନ୍ତୋଷିନୀ ସିଲେଇ କାମ କରି ସ୍ବାବଲମ୍ବୀ (ETV Bharat Odisha)

ଦାଦନ ଯନ୍ତ୍ରଣାରୁ ମୁକୁଳୁଛି ବଲାଙ୍ଗୀର:

ବଲାଙ୍ଗୀର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଭାବେ ଦୁର୍ନାମ ମୁଣ୍ଡାଇଛି । କାରଣ ଏଠିକାର ଅଧିକାଂଶ ଲୋକେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି । ଅନେକ ସମୟରେ ଦାଦନ ଯନ୍ତ୍ରଣାର କାହାଣୀ ମଧ୍ୟ ସାମ୍ନାକୁ ଆସେ । କିନ୍ତୁ ସରକାରଙ୍କ ପ୍ରଚେଷ୍ଠା ଯୋଗୁଁ ଏବେ ଜିଲ୍ଲାରେ ଧୀରେ ଧୀରେ ଏହି ସଂଖ୍ୟା କମିବାରେ ଲାଗିଛି । ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଏଠାରେ ସେମାନଙ୍କୁ ଥଇଥାନ କରାଯାଉଛି । ଏଥିସହ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଉଛି । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ରୀତାଞ୍ଜଳି ଓ ସନ୍ତୋଷିନୀ । ଏହାଛଡା ଅନ୍ୟ ପ୍ରପୀଡିତଙ୍କୁ ବି ଉଦ୍ଧାର କରାଯାଇ ସରକାରୀ ସାହାଯ୍ୟ ଯୋଗାଇ ଦିଆଯାଉଛି ।


ଲକ୍ଷେରୁ ଖସିଲାଣି 27 ହଜାର:

ଏନେଇ ଜିଲ୍ଲା ଯୋଜନା ସଂଯୋଜକ ଅଧିକାରୀ ଅଶୋକ ସାହୁ କହିଛନ୍ତି, ‘ପୂର୍ବରୁ ବର୍ଷକୁ ଲକ୍ଷେ ଉପରେ ଲୋକ ଦାଦନ ଖଟିବାକୁ ଯାଉଥିଲେ । ହେଲେ ଏବେ ଏହାର ସଂଖ୍ୟା ୨୭ ହଜାର ଭିତରେ ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୧୯ ହଜାର ଲୋକଙ୍କୁ ଉଦ୍ଧାର କରିସାରିଛୁ । ସେମାନଙ୍କୁ ଥଇଥାନ କରିଛୁ । ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ସମସ୍ତଙ୍କୁ ଆତ୍ମନିର୍ଭର ହେବା ପାଇଁ ସହାୟକ ହେଉଛୁ ।’

Bonded Labour to Entrepreneurship
ବଲାଙ୍ଗୀରର ଏକ ଗାଁ (ETV Bharat Odisha)

ଶ୍ରମ ବାହିନୀ କଣ ?

ଭୁବନେଶ୍ବରର ଏକ ଏନଜିଓ ସହାୟତାରେ 2012 ମସିହାରେ ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଥିଲା ଶ୍ରମ ବାହିନୀ । ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଦାଦନରୁ ଫେରୁଛନ୍ତି ସେମାନଙ୍କୁ ଥଇଥାନ କରିବାରେ ସାହାଯ୍ୟ କରିବା । ସରକାରୀ ସହୟତାରେ ଏହି ସଂଗଠନ ଦାଦନ ଫେରନ୍ତାଙ୍କୁ ଆତ୍ମନିର୍ଭର ହେବା ପାଇଁ ତାଲିମ ଦେଇଥାଏ । ଯେପରି ସିଲେଇ ଶିକ୍ଷା, ବିଉଟି ପାର୍ଲର କାମ । ଏହି ସଂଗଠନରେ 2018 ମସିହାରେ ସନ୍ତୋଷିନୀ ରାଉତ ସଦସ୍ୟ ହୋଇଥିଲେ । ପରେ ସେ ସଭାପତି ମଧ୍ୟ ହୋଇଥିଲେ । ସେହିପରି ରୀତାଞ୍ଜଳି ମଧ୍ୟ 2020ରୁ ଏହି ସଂଗଠନର ସଦସ୍ୟ ଅଛନ୍ତି । ଏହି ସଂଗଠନ ବର୍ତ୍ତମାନ ସୁଦ୍ଧା 4 ହଜାରରୁ ଊର୍ଦ୍ଧ୍ବ ଦାଦନ ଫେରନ୍ତାଙ୍କୁ ଟ୍ରେନିଂ ଦେଇସାରିଲାଣି ।

ଏହା ମଧ୍ୟ ପଢନ୍ତୁ:

କେନ୍ଦ୍ରାପଡ଼ା ମଗରକନ୍ଦା ବାସିନ୍ଦାଙ୍କ ଦୁଃଖ; ଥଇଥାନ କଲୋନୀରେ ଜାଗା ମିଳିଥିଲେ ବି ଯାଉନାହାନ୍ତି ୩୦ ପରିବାର

କୋରାପୁଟ ପରେ କେନ୍ଦୁଝର : ବାଂଶପାଳରେ 50 ହେକ୍ଟର ଜମିରେ କଫି ଚାଷ, ଦୂର ହେବ ଦାଦନ ସମସ୍ୟା

NEET 2025: ଦାଦନ ଶ୍ରମିକରୁ ବନିବେ ଡାକ୍ତର, କେମିତି ଥିଲା ଶୁଭମ୍ ଶବରଙ୍କ ସଂଘର୍ଷ

ଦିନେ ଦାଦନ ଖଟୁଥିଲେ ଏବେ ସ୍ବାବଲମ୍ବୀ, ଅନ୍ୟଙ୍କୁ ଦେଉଛନ୍ତି ରୋଜଗାର

ବନ୍ଧକ ଶ୍ରମ ପ୍ରଥା (ଉଚ୍ଛେଦ) ଆଇନ 1976:

80 ଦଶକରେ ଦେଶରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଅଧିକ ରହିଥିଲା । ବନ୍ଧକ ଶ୍ରମିକଙ୍କ ଭବିଷ୍ୟତକୁ ପରିବର୍ତ୍ତନ କରିବାର ଲକ୍ଷ୍ୟ ନେଇ 1976 ମସିହାରେ କେନ୍ଦ୍ର ସରକାର ବନ୍ଧକ ଶ୍ରମ ପ୍ରଥା ଉଚ୍ଛେଦ ଆଇନ 1976 ଆଇନକୁ ପାରିତ କରିଥିଲେ । ଏହାର ଲକ୍ଷ୍ୟ ଥିଲା ମାନବିକ ଅଧିକାରକୁ ପୂର୍ଣ୍ଣ ସୁରକ୍ଷା ନିଶ୍ଚିତ କରିବା । ଏହି ଆଇନ ପାରିତ ହେବାରେ 50 ବର୍ଷ ପୂରିଛି ।

ଇଟିଭି ଭାରତ, ବଲାଙ୍ଗୀର