ଦିନେ ଥିଲେ ଦାଦନ ଶ୍ରମିକ, ଏବେ ସଫଳ ଉଦ୍ୟୋଗୀ; ବଲାଙ୍ଗୀର ଦୁଇ ସ୍ବୟଂସିଦ୍ଧା ରୀତାଞ୍ଜଳି ଓ ସନ୍ତୋଷିନୀ
ରୀତାଞ୍ଜଳି 2011ରେ ଦାଦନ ଖଟିବାକୁ ଯାଇ ଅକଥନୀୟ ଅତ୍ୟାଚାରର ଶିକାର ହୋଇଥିଲେ । ସନ୍ତୋଷିନୀ ସ୍ବାମୀଙ୍କ ସହ ଦାଦନ ଖଟିବାକୁ ଯାଇ ନାନା କଷ୍ଟ ସହିଥିଲେ ।

Published : February 9, 2026 at 6:16 PM IST
ସ୍ପେଶାଲ ଷ୍ଟୋରୀ: ଶେଖ ମହମ୍ମଦ ୱାହିଦ
Bonded Labour to Entrepreneurship ବଲାଙ୍ଗୀର: ଦାରିଦ୍ରତାର କଷାଘାତ ସେମାନଙ୍କୁ ଦାଦନର ରାସ୍ତା ଦେଖାଇଥିଲା । ଦିନେ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ଶ୍ରମିକ ସାଜିଥିଲେ, ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିଲା । ସେ କଙ୍କଳିତ ଶିକୁଳିକୁ ଛିଡାଇ ନିଜ ସଫଳତାର କାହାଣୀ ଲେଖିଛନ୍ତି ଦୁଇ ମହିଳା । ସେମାନେ ହେଲେ ଦାଦନ ପ୍ରବଣ ଜିଲ୍ଲା ଭାବେ ପୂର୍ବରୁ ଚର୍ଚ୍ଚିତ ବଲାଙ୍ଗୀରର ରୀତାଞ୍ଜଳି ଓ ସନ୍ତୋଷିନୀ । ଉଭୟେ ଦାଦନର ଅନ୍ଧାରୀ ମୂଲକରୁ ବାହାରି ନିଜ ଗୋଡରେ ଛିଡ଼ା ହେବା ସହ ଅନ୍ୟ ଦାଦନ ପ୍ରପୀଡିତଙ୍କୁ ଦେଖାଉଛନ୍ତି ନୂଆ ଦିଶା । ଦୁଇ ସ୍ବୟଂସିଦ୍ଧା ରୀତାଞ୍ଜଳି-ସନ୍ତୋଷିନୀଙ୍କ କାହାଣୀକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ।
ଦିନେ ଦାଦନ ଖଟୁଥିଲେ, ଏବେ ସଫଳ ଉଦ୍ୟୋଗୀ:
ଦାଦନ ଉତ୍ପୀଡନରୁ ବିଜୟୀ ହୋଇଛନ୍ତି ଦୁଇ ସ୍ୱୟଂସିଦ୍ଧା ରୀତାଞ୍ଜଳି ଓ ସନ୍ତୋଷିନୀ । ଦିନେ ପରିବାର ସହ ଇଟା ଭାଟିରେ ପାଇଥିଲେ ନିର୍ଯାତନା । ହେଲେ ନିଜେ ସ୍ବାବଲମ୍ବୀ ହୋଇ ସଫଳ ହୋଇଛନ୍ତି । କେବଳ ସେତିକି ନୁହେଁ ଅନ୍ୟ ଦାଦନ ପ୍ରପୀଡିତଙ୍କୁ ମଧ୍ୟ ଦେଖାଉଛନ୍ତି ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାର ବାଟ ।
ଏ କାହାଣୀ ଦୁଇ ମହିଳାଙ୍କର...
ଏ କାହାଣୀ ହେଉଛି 25 ବର୍ଷୀୟା ରୀତାଞ୍ଜଳି ରଣା ଓ 32 ବର୍ଷୀୟା ସନ୍ତୋଷିନୀ ରାଉତଙ୍କର । ଦୁହିଁଙ୍କ ଠିକଣା ଅଲଗା, କାହାଣୀ ବି ଅଲଗା । କିନ୍ତୁ ସଂଘର୍ଷ ଗୋଟିଏ । ଦାଦନରୁ ସଫଳତା କାହାଣୀ ନିଶ୍ଚୟ ଆପଣଙ୍କୁ ପ୍ରେରଣା ଦେବ । କିଏ ଏହି ଦୁଇ ମହିଳା ? କଣ ରହିଛି ଉଭୟଙ୍କ କାହାଣୀ...ଜାଣନ୍ତୁ ।

ଘର ଚଳାଇବାକୁ ଯାଇଥିଲେ ଦାଦନ:
ନାଁ ରୀତାଞ୍ଜଳି ରଣା । ଘର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର ତମିଆ ଗାଁ । ରୀତାଞ୍ଜଳିଙ୍କ ପରିବାରରେ 10 ଜଣ ପ୍ରାଣୀ । ବାପା ମା’ ଓ 8 ଭାଇଭଉଣୀ । ତାଙ୍କ ବାପା ମା’ ଦିନକୁ ୭୦ ଟଙ୍କାରେ ଅନ୍ୟ ଘରେ କାମ କରୁଥିଲେ । ଏତିକି ଟଙ୍କାରେ ଘର ଚଳାଇବା କଷ୍ଟସାଧ୍ୟ ହେଉଥିଲା । ଘର ଚଳାଇବା ପାଇଁ ଧାର ଉଧାର କରିଥିଲେ । ଟଙ୍କା ପୈଠ ପାଇଁ 2011 ମସିହାରେ 20 ହଜାର ଟଙ୍କା ଦାଦନ ସର୍ଦ୍ଦାର ଠାରୁ ଅଗ୍ରୀମ ନେଇ ସପରିବାର ଦାଦନ ଖଟିବାକୁ ବାହାରକୁ ଯାଇଥିଲେ । ରୀତାଞ୍ଜଳି ସେତେବେଳେ ଛୋଟ ଥିଲେ । ଦାଦନ ଖଟିବାକୁ ଯାଇ ଅହେତୁକ ନିର୍ଯାତନାର ଶିକାର ହୋଇଥିଲେ ପୂରା ପରିବାର । ପରେ 2012ରେ ସରକାର ସେମାନଙ୍କୁ ଉଦ୍ଧାର କରିଥିଲେ ।

ଦାଦନରୁ ଫେରି ସ୍କୁଲରେ ପଢ଼ିଲେ:
ଗାଁକୁ ଫେରିବା ପରେ 2012ରେ ପୁଣି ରୀତାଞ୍ଜଳି ସ୍କୁଲରେ ନାମ ଲେଖାଇଥିଲେ । ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଲେ । ପରେ ରୀତାଞ୍ଜଳି ସରକାରୀ ଯୋଜନାର ଲାଭ ନେଇ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାର ପ୍ରୟାସ ଆରମ୍ଭ କରିଥିଲେ । ତାଙ୍କର ନିରନ୍ତର ପ୍ରୟାସ ଦୃଢ଼ ଇଚ୍ଛା ଶକ୍ତି ତାଙ୍କୁ ଅନେକ ବାଧାବିଘ୍ନ ସତ୍ତ୍ୱେ ସଫଳ କରିପାରିଛି । ସେ ଏବେ ପାରା ଲିଗାଲ ଭଲ୍ୟୁଣ୍ଟିୟର ଭାବରେ କାମ କରୁଛନ୍ତି । ନୀତିଦିନ ଲୋକଙ୍କୁ ନ୍ୟାୟ ପାଇବାରେ ସାହାଯ୍ୟ କରି ଆସୁଛନ୍ତି ।

ବିଉଟି ପାର୍ଲର ଚଳାଉଛନ୍ତି ରୀତାଞ୍ଜଳି:
ରୀତାଞ୍ଜଳି ନିଜେ ଟ୍ରେନିଂ ନେଇ ବିଉଟି ପାର୍ଲର ଖୋଲିଛନ୍ତି । ଯେଉଁଥିରୁ ସେ ମାସିକ 40,000 ଊର୍ଦ୍ଧ୍ବ ଟଙ୍କା ରୋଜଗାର କରି ପାରୁଛନ୍ତି । ଏହାବାଦ ସେ ଦାଦନ ଖଟି ଯାଉଥିବା ଓ ସେଠୁ ଉଦ୍ଧାର ହୋଇ ଆସୁଥିବା ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । 2020ରୁ ଶ୍ରମିକ ବାହିନୀ ସଂଗଠନର ସଦସ୍ୟ ଅଛନ୍ତି ସେ । ଏହି ସଂଗଠନ 4000ରୁ ଊର୍ଦ୍ଧ୍ବ ଦାଦନ ଫେରନ୍ତାଙ୍କୁ ସାହାଯ୍ୟ କଲାଣି ।
ଓଡ଼ିଶାରେ କାମ ଅଛି, ସୁଯୋଗ ବି ଅଛି:
ରୀତାଞ୍ଜଳି କୁହନ୍ତି, ‘ଆମେ ଆଠ ଭାଇ ଭଉଣୀ ଥିଲୁ । ଘର ଚଳିବା କଷ୍ଟ ହେଉଥିଲା । ଚାଷ ଜମି ମଧ୍ୟ ଅଳ୍ପ ଥିଲା । ଦାଦନ ଖଟିବାକୁ ଯାଇଥିଲୁ । ଇଟାଭାଟି ମାଲିକ ଆମକୁ ଜଙ୍ଗଲରେ ଲୁଚାଇ ରଖିଥିଲା । ସେଠୁ ଉଦ୍ଧାର ହେବା ପରେ ପୁଣି ସ୍କୁଲ ଯାଇଥିଲି । ପରେ ଟ୍ରେନିଂ ନେଇ ବିଉଟି ପାର୍ଲର ଖୋଲିବା ସହ ପିଏଲଭି ଭାବେ କାମ କରୁଛି । ଭଲ ରୋଜଗାର ହେଉଛି । ଏଥିସହ ଶ୍ରମିକ ବାହିନୀ କରି ଦାଦନ ଫେରନ୍ତାଙ୍କୁ ସାହାଯ୍ୟ କରୁଛୁ । ବାହାରକୁ କାମ କରିବାକୁ ଗଲେ ଉଚିତ୍ ମାଧ୍ୟମରେ ଯାଆନ୍ତୁ । ଏଠି ବି କାମ ଅଛି ସୁଯୋଗ ଅଛି ।’
ଏହା ଥିଲା ରୀତାଞ୍ଜଳିଙ୍କ କଥା । ଆଉ ଜଣେ ମହିଳା ହେଲେ ସନ୍ତୋଷିନୀ ରାଉତ । ସନ୍ତୋଷିନୀ ବି ଦାଦନରୁ ଫେରି ସ୍ବାବଲମ୍ବୀ ହୋଇଛନ୍ତି । ସନ୍ତୋଷିନୀ ଏବେ ସିଲେଇ କାମ କରୁଥିବା ବେଳେ ସେ ବି ଅନ୍ୟ ଦାଦନ ଫେରନ୍ତାଙ୍କୁ ରାସ୍ତା ଦେଖାଉଛନ୍ତି ।

ସ୍ବଂୟସିଦ୍ଧା ସନ୍ତୋଷିନୀ:
ଅନ୍ୟ ଜଣେ ମହିଳା ହେଲେ ବଲାଙ୍ଗୀର ଲୋଇସିଂହା ବ୍ଲକ ମହାରପାଳିର ସନ୍ତୋଷିନୀ ରାଉତ । ପରିବାର ଭରଣ ପୋଷଣ ପାଇଁ 2014 ମସିହାରେ ସ୍ୱାମୀଙ୍କ ସହ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ସେମାନେ ମଧ୍ୟ ଦାଦନ ସର୍ଦ୍ଦାର ଠାରୁ ଅଗ୍ରୀମ ଟଙ୍କା ନେଇ ବାହାର ରାଜ୍ୟରେ ବନ୍ଧକ ଶ୍ରମିକ ଭାବରେ କାମ କରୁଥିଲେ । କାମ ବଦଳରେ ମିଳୁଥିଲା ଅକଥନୀୟ ନିର୍ଯାତନା । ସରକାରଙ୍କୁ ଗୁହାରି କରିବା ପରେ 2015ରେ ପ୍ରଶାସନ ଏହି ଦମ୍ପତିଙ୍କୁ ଫେରାଇ ଆଣିଥିଲା ।
ବର୍ଷେ ଧରି ନିର୍ଯାତନା ସହିବା ପରେ ଦାଦନ ଖଟିବା ନୁହେଁ ନିଜେ କିଛି କରିବାକୁ ଯୋଜନା କରିଥିଲେ । ଏହା ପରେ ସିଲେଇ ଶିଖିଥିଲେ । ସିଲେଇ ଶିଖିବା ପରେ ବିଭିନ୍ନ ଦୋକାନ ହେଉ ଅବା କମ୍ପାନୀ ପାଇଁ କାମ କରୁଛନ୍ତି ସନ୍ତୋଷିନୀ ଏଥିରୁ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଯେଉଁଥିରେ ସେମାନଙ୍କ ପରିବାର ଚଳୁଛି । ଏବେ ଦାଦନ ଫେରନ୍ତାଙ୍କୁ ଦିଗଦର୍ଶନ ଦେଉଛନ୍ତି ।
ସନ୍ତୋଷିନୀ ରାଉତ କୁହନ୍ତି, ‘ଆମକୁ କୌଣସି କାମ ମିଳୁନଥିଲା । ଦାଦନ ସର୍ଦ୍ଦାର ଠାରୁ ଅଗ୍ରୀମ ଟଙ୍କା ନେଇ ଦାଦନ ଖଟିବାକୁ ଯାଇଥିଲୁ । ସେଠାରେ ରହିବା ଖାଇବା ସହ ନିର୍ଯାତନା ମିଳୁଥିଲା । ସ୍ଥାନୀୟ ପ୍ରଶାସନର ଦ୍ବାରସ୍ଥ ହେବା ପରେ ଆମକୁ ଉଦ୍ଧାର କରାଯାଇଥିଲା । ବଲାଙ୍ଗୀର ଫେରିବା ପରେ ସିଲେଇ ଶିଖି ଭଲ ରୋଜଗାର କରୁଛି । ପିଲାଙ୍କୁ ମଧ୍ୟ ପଢାଇ ପାରୁଛି । ଏହା ସହ ଶ୍ରମ ବାହିନୀ ଜରିଆରେ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ଟ୍ରେନିଂ ଆଉ ଉପକରଣ ଦେଇ ଦାଦନ ଫେରନ୍ତାଙ୍କୁ ଆତ୍ମନିର୍ଭର କରୁଛୁ ।’

ଦାଦନ ଯନ୍ତ୍ରଣାରୁ ମୁକୁଳୁଛି ବଲାଙ୍ଗୀର:
ବଲାଙ୍ଗୀର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଭାବେ ଦୁର୍ନାମ ମୁଣ୍ଡାଇଛି । କାରଣ ଏଠିକାର ଅଧିକାଂଶ ଲୋକେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି । ଅନେକ ସମୟରେ ଦାଦନ ଯନ୍ତ୍ରଣାର କାହାଣୀ ମଧ୍ୟ ସାମ୍ନାକୁ ଆସେ । କିନ୍ତୁ ସରକାରଙ୍କ ପ୍ରଚେଷ୍ଠା ଯୋଗୁଁ ଏବେ ଜିଲ୍ଲାରେ ଧୀରେ ଧୀରେ ଏହି ସଂଖ୍ୟା କମିବାରେ ଲାଗିଛି । ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଏଠାରେ ସେମାନଙ୍କୁ ଥଇଥାନ କରାଯାଉଛି । ଏଥିସହ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଉଛି । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ରୀତାଞ୍ଜଳି ଓ ସନ୍ତୋଷିନୀ । ଏହାଛଡା ଅନ୍ୟ ପ୍ରପୀଡିତଙ୍କୁ ବି ଉଦ୍ଧାର କରାଯାଇ ସରକାରୀ ସାହାଯ୍ୟ ଯୋଗାଇ ଦିଆଯାଉଛି ।
ଲକ୍ଷେରୁ ଖସିଲାଣି 27 ହଜାର:
ଏନେଇ ଜିଲ୍ଲା ଯୋଜନା ସଂଯୋଜକ ଅଧିକାରୀ ଅଶୋକ ସାହୁ କହିଛନ୍ତି, ‘ପୂର୍ବରୁ ବର୍ଷକୁ ଲକ୍ଷେ ଉପରେ ଲୋକ ଦାଦନ ଖଟିବାକୁ ଯାଉଥିଲେ । ହେଲେ ଏବେ ଏହାର ସଂଖ୍ୟା ୨୭ ହଜାର ଭିତରେ ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୧୯ ହଜାର ଲୋକଙ୍କୁ ଉଦ୍ଧାର କରିସାରିଛୁ । ସେମାନଙ୍କୁ ଥଇଥାନ କରିଛୁ । ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ସମସ୍ତଙ୍କୁ ଆତ୍ମନିର୍ଭର ହେବା ପାଇଁ ସହାୟକ ହେଉଛୁ ।’

ଶ୍ରମ ବାହିନୀ କଣ ?
ଭୁବନେଶ୍ବରର ଏକ ଏନଜିଓ ସହାୟତାରେ 2012 ମସିହାରେ ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଥିଲା ଶ୍ରମ ବାହିନୀ । ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଦାଦନରୁ ଫେରୁଛନ୍ତି ସେମାନଙ୍କୁ ଥଇଥାନ କରିବାରେ ସାହାଯ୍ୟ କରିବା । ସରକାରୀ ସହୟତାରେ ଏହି ସଂଗଠନ ଦାଦନ ଫେରନ୍ତାଙ୍କୁ ଆତ୍ମନିର୍ଭର ହେବା ପାଇଁ ତାଲିମ ଦେଇଥାଏ । ଯେପରି ସିଲେଇ ଶିକ୍ଷା, ବିଉଟି ପାର୍ଲର କାମ । ଏହି ସଂଗଠନରେ 2018 ମସିହାରେ ସନ୍ତୋଷିନୀ ରାଉତ ସଦସ୍ୟ ହୋଇଥିଲେ । ପରେ ସେ ସଭାପତି ମଧ୍ୟ ହୋଇଥିଲେ । ସେହିପରି ରୀତାଞ୍ଜଳି ମଧ୍ୟ 2020ରୁ ଏହି ସଂଗଠନର ସଦସ୍ୟ ଅଛନ୍ତି । ଏହି ସଂଗଠନ ବର୍ତ୍ତମାନ ସୁଦ୍ଧା 4 ହଜାରରୁ ଊର୍ଦ୍ଧ୍ବ ଦାଦନ ଫେରନ୍ତାଙ୍କୁ ଟ୍ରେନିଂ ଦେଇସାରିଲାଣି ।
ବନ୍ଧକ ଶ୍ରମ ପ୍ରଥା (ଉଚ୍ଛେଦ) ଆଇନ 1976:
80 ଦଶକରେ ଦେଶରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଅଧିକ ରହିଥିଲା । ବନ୍ଧକ ଶ୍ରମିକଙ୍କ ଭବିଷ୍ୟତକୁ ପରିବର୍ତ୍ତନ କରିବାର ଲକ୍ଷ୍ୟ ନେଇ 1976 ମସିହାରେ କେନ୍ଦ୍ର ସରକାର ବନ୍ଧକ ଶ୍ରମ ପ୍ରଥା ଉଚ୍ଛେଦ ଆଇନ 1976 ଆଇନକୁ ପାରିତ କରିଥିଲେ । ଏହାର ଲକ୍ଷ୍ୟ ଥିଲା ମାନବିକ ଅଧିକାରକୁ ପୂର୍ଣ୍ଣ ସୁରକ୍ଷା ନିଶ୍ଚିତ କରିବା । ଏହି ଆଇନ ପାରିତ ହେବାରେ 50 ବର୍ଷ ପୂରିଛି ।
ଇଟିଭି ଭାରତ, ବଲାଙ୍ଗୀର

