ବାଉଁଶ କାରିଗରୀ 'ବାଦଶାହ' ଏକାଦଶୀ; ମହିଳାଙ୍କୁ ମାଗଣା ଟ୍ରେନିଂ, ବିଶ୍ବବଜାରରେ ଚମକୁଛି ବାଉଁଶ କଳା, ଆମେରିକାରୁ ଆସୁଛି ଅର୍ଡର
କଟକର କାରିଗର ଏକାଦଶୀ ବାରିକ । ବାଉଁଶକୁ କରିଛନ୍ତି ଜୀବିକା । ମାଗଣା ଟ୍ରେନିଂ ଦେଇ ମହିଳାମାନଙ୍କୁ ସଶକ୍ତ କରିବା ସହ ରୋଜଗାରକ୍ଷମ କରିଛନ୍ତି । ପାରମ୍ପରିକ ହସ୍ତଶିଳ୍ପକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି ।

Published : January 10, 2026 at 8:47 PM IST
|Updated : January 10, 2026 at 9:40 PM IST
ସ୍ପେଶାଲ ଷ୍ଟୋରୀ: ବିକାଶ କୁମାର ଦାସ
Bamboo Artist Ekadashi Barik ଭୁବନେଶ୍ବର: ଦେବାଦେବୀଙ୍କ ପ୍ରତିମୂର୍ତ୍ତି ହେଉ କି ଜାତୀର ପିତା ମହତ୍ମା ଗାନ୍ଧୀଙ୍କ ମୂର୍ତ୍ତି.. ସେ ମୟୂର ମୂର୍ତ୍ତି ହେଉ ଅବା ଫୁଲଦାନୀ.. ଦେଖିବାକୁ ଏତେ ସୁନ୍ଦର ହୋଇଛି ଯେ, ଆଖି ଫେରାଇବାକୁ ଇଚ୍ଛା ହେଉନି । ଯିଏ ଦେଖୁଛି ସିଏ ଘଡ଼ିଏ ଅଟକି ରହି ଏହି କଳାକୃତିକୁ ଚାହିଁ ରହୁଛି.. ଏସବୁ ଦେଖିଲେ ମନରେ ଆସୁଛି, ବାଃ... କେଡ଼େ ସୁନ୍ଦର ସାମଗ୍ରୀ । ତେବେ ଏତେ ସୁନ୍ଦର ସୁନ୍ଦର କଳାକୃତି ସବୁ ବାଉଁଶରେ ପ୍ରସ୍ତୁତ ହୋଇଛି । ଆଖି ଝଲସିଲା ଭଳି ଏହି କଳା ପଛର କାରିଗର ହେଉଛନ୍ତି ଏକାଦାଶୀ ବାରିକ । ଏକାଦାଶୀ କେବଳ ଯେ ବାଉଁଶରୁ କଳାକୃତି କରୁଛନ୍ତି ତାହା ନୁହଁ ବରଂ ଦେଶ ବିଦେଶରେ ଅନେକ ଜଣଙ୍କୁ ବାଉଁଶରୁ ସାମଗ୍ରୀ ପ୍ରସ୍ତୁତ କରିବାର କଳା ଶିକ୍ଷାଇବା ସହ ରୋଜଗାରର ବାଟ ଦେଖାଇଛନ୍ତି ।
କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳ ତାଳବସ୍ତ ଗ୍ରାମର ଏକାଦାଶୀ ବାରିକ (56) । ଦୀର୍ଘ 44 ବର୍ଷ ଧରି ବାଉଁଶକୁ ନିଜର ଜୀବିକା କରିଛନ୍ତି । ପିଲାଦିନେ ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଭଲରେ ପାଠ ପଢ଼ି ପାରିନଥିଲେ ଏକାଦାଶୀ । ଆଉ ପିଲାଟି ଦିନରୁ ବାଉଁଶକୁ ନିଜ ରୋଜଗାରର ମାଧ୍ୟମ କରିଥିଲେ । 1981 ମସିହାରେ ବାଉଁଶରେ ସାମଗ୍ରୀ ତିଆରି କରିବା ପାଇଁ ଟ୍ରେନିଂ ନେଇଥିଲେ । 1982 ମସିହାରେ ବାଉଁଶରୁ ସାମଗ୍ରୀ ତିଆରି କରିବା କାମ ଆରମ୍ଭ କରିଥିଲେ । 1984 ମସିହାରୁ ପିଲାଙ୍କୁ ଟ୍ରେନିଂ ଦେବା ଆରମ୍ଭ କରିଥିଲେ । ଧିରେ ଧିରେ ନିଜେ ବାଉଁଶରେ କଳାକୃତି କରିବା ସହ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଅନୁଷ୍ଠାନରେ ପିଲାମାନଙ୍କୁ ଟ୍ରେନିଂ ଦେଇଛନ୍ତି । ଏପରିକି ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅନେକଙ୍କୁ ମାଗଣାରେ ଟ୍ରେନିଂ ଦେଇଛନ୍ତି ଏକାଦାଶୀ ।

ବିଦେଶରେ ଦେଇଛନ୍ତି ଟ୍ରେନିଂ:
ଏକାଦାଶୀଙ୍କ କହିବା କଥା ଯେ, ସେ ରାଜ୍ୟ ତଥା ରାଜ୍ୟ ବାହାରେ ଏପରିକି ବିଦେଶରେ ମଧ୍ୟ ବାଉଁଶ କାରିଗରୀର ଟ୍ରେନିଂ ଦେଇଛନ୍ତି । ଓଡ଼ିଶାରେ ପ୍ରାୟ 12-13 ହଜାର ପିଲାଙ୍କୁ ସେ ତାଲିମ ଦେଇଛନ୍ତି । ଏହାସହ ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ମଧ୍ୟ ଟ୍ରେନିଂ ଦେଇଛନ୍ତି । ସେହିପରି ମାଲେସିଆରେ ମଧ୍ୟ ଟ୍ରେନିଂ ଦେଇଛନ୍ତି । ବର୍ତ୍ତମାନ ସମୟରେ ଦୁଇ ସହରୁ ଅଧିକ ମହିଳାଙ୍କୁ ରୋଜଗାର କ୍ଷମ କରାଇଛନ୍ତି ।

ଏକାଦାଶୀ ବାରିକ କହିଛନ୍ତି, "ବାଉଁଶ ମୋ ପାଇଁ ଭଗବାନ । ଦିନେ ଖାଇବାକୁ ପାଉନଥିଲି । ଯେଉଁଥିପାଇଁ ପାଠ ପଢ଼ି ପାରିଲିନାହିଁ । ଏହି ବାଉଁଶ କଳା ମୋତେ ଆଗକୁ ନେଇ ଶୀର୍ଷରେ ପହଞ୍ଚାଇଛି । ଗ୍ରାମାଞ୍ଚଳରେ ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ସେମାନଙ୍କୁ ମାଗଣାରେ ଟ୍ରେନିଂ ଦେଇଛି । ସେମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି ।"

କେଉଁ ସବୁ ସାମଗ୍ରୀ ତିଆରି କରନ୍ତି:
ବାଉଁଶରେ କୁଲା, ବଉଁସିଆ, ଝୁଡି, ଟୋକେଇ, ପିଠାଡାଲା, ଭୋଗଡାଲା, ପାଛିଆ ଭଳି ସାମଗ୍ରୀ ତିଆରି କରିବା ସହିତ ଅଳଙ୍କାର ସାଙ୍ଗକୁ ନିଖୁଣ ଭାବରେ ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି । ଏହାସହ ଘର ସଜାଇବା ଜିନିଷ, ବାଉଁଶରେ ବିଭିନ୍ନ ମୂର୍ତ୍ତି, ବେଲ୍ଟ ଆଦି ଭିନ୍ନ ଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି ଏକାଦଶୀ । ସେ କହିଛନ୍ତି ଯେ, ବାଉଁଶ ଏକ ଏଭଳି ଜିନିଷ, ଯାହା ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ପର୍ଯ୍ୟନ୍ତ ସବୁଠି କାମରେ ଆସୁଛି । ବର୍ତ୍ତମାନ ସମୟରେ ପ୍ଲାଷ୍ଟିକର ଚାହିଦା ରହିଥିଲେ ମଧ୍ୟ ବାଉଁଶରେ ପ୍ରସ୍ତୁତ ଜିନିଷର ଚାହିଦା କମିନାହିଁ ।

କେଉଁଠୁ ଆଣନ୍ତି ବାଉଁଶ:
ଏକାଦାଶୀଙ୍କ କହିବା ଅନୁସାରେ, ଓଡ଼ିଶାରେ ଥିବା ବାଉଁଶରୁ ସବୁ ସାମଗ୍ରୀ ତିଆରି କରିବା ପାଇଁ ଉପଯୁକ୍ତ ନୁହେଁ । ତେଣୁ ବାହାର ରାଜ୍ୟ ଯେପରିକି କେରଳ, ଝାଡ଼ଖଣ୍ଡ ଓ ଆସାମ ଆଦି ଯାଗାରୁ ବାଉଁଶ ମଗାଇଥାଆନ୍ତି । ଓଡ଼ିଶାରେ 13 ପ୍ରକାର ବାଉଁଶ ମିଳୁଥିବା ବେଳେ ଭାରତରେ 133 ପ୍ରକାର ଓ ବିଶ୍ବରେ 360 ପ୍ରକାର ବାଉଁଶ ମିଳୁଛି ।

କେଉଁଠି ବିକ୍ରି କରନ୍ତି ସାମଗ୍ରୀ:
ରାଜ୍ୟର ବିଭିନ୍ନ ମେଳା ମହୋତ୍ସବରେ ବାଉଁଶରୁ ତିଆରି ସାମଗ୍ରୀ ବିକ୍ରି କରିଥାଆନ୍ତି । ଆମେରିକା ଓ ମାଲେସିଆ ଭଳି ଦେଶରୁ ମଧ୍ୟ ବାଉଁଶ ସାମଗ୍ରୀ ନେବା ପାଇଁ ଅର୍ଡର ଆସିଥାଏ । ବାହାର ଦେଶରେ ବାଉଁଶରୁ ତିଆରି ଅଳଙ୍କାରର ବେଶୀ ଚାହିଦା ରହିଛି । ସେହିପରି ମେଡେଲମାନେ ମଧ୍ୟ ବାଉଁଶ ଅଳଙ୍କାର ପିନ୍ଧିବା ପାଇଁ ପସନ୍ଦ କରୁଛନ୍ତି ।

ଏପଟେ ଏକାଦଶୀଙ୍କ ବିବାହ ପରେ ପତ୍ନୀ ସୁଲୋଚନା ବାରିକ ମଧ୍ୟ ତାଙ୍କୁ କାମରେ ସାହଯ୍ୟ କରିବା ଆରମ୍ଭ କରିଥିଲେ । ସୁଲୋଚନା ମଧ୍ୟ ଲୋକମାନଙ୍କୁ ବାଉଁଶ ସାମଗ୍ରୀ ତିଆରି କରିବାର ଟ୍ରେନିଂ ଦେଉଛନ୍ତି । ସୁଲୋଚନାଙ୍କ କହିବା କଥା, "ଯେଉଁମାନେ ଆମ ପାଖରୁ ଟ୍ରେନିଂ ନେଉଛନ୍ତି ସେମାନେ ନିଜେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିଛନ୍ତି । ସେମାନେ ନିଜର ଖର୍ଚ୍ଚ ମଧ୍ୟ ଉଠାଇ ପାରୁଛନ୍ତି । ଆମର ବାର୍ଷିକ ୧ ଲକ୍ଷରୁ ଅଧିକ ଟଙ୍କା ରୋଜଗାର ହୁଏ ।"

କେତେ ସମୟ ଲାଗେ:
ଗୋଟିଏ ଅଳଙ୍କାର କରିବାକୁ ପାଇଁ ୭-୧୦ ଦିନ ସମୟ ଲାଗୁଥିବା ବେଳେ ବାଉଁଶରେ ମୂର୍ତ୍ତି କରିବାକୁ ହେଲେ ୪-୫ ମାସ ସମୟ ଲାଗୁଛି । ଘରକରଣା ସାମଗ୍ରୀ ପ୍ରସ୍ତୁତ କରିବାକୁ ୨-୩ ଦିନ ସମୟ ଲାଗିଥାଏ । ସୁଲୋଚନା କହିଛନ୍ତି "ବର୍ତ୍ତମାନ ସମୟରେ ଲୋକାମାନେ ବାଉଁଶରେ ତିଆରି ନିଖୁଣ କାରିଗରୀ ଅଳଙ୍କାର ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ୧୦-୧୫ ବର୍ଷ ପୂର୍ବରୁ ବାଉଁଶ ସାମଗ୍ରୀ ଚାହିଦା ନଥିଲା । ବର୍ତ୍ତମାନ ସମୟରେ ଏହାର ଚାହିଦା ଅଧିକ ମାତ୍ରାରେ ରହୁଛି ।

ଏହା ମଧ୍ୟ ପଢ଼ନ୍ତୁ... ରାଜ୍ୟରେ ସୃଷ୍ଟି କରାଯିବ ବାଉଁଶ ବଣ; ଭାରତ ସରକାରଙ୍କ ପାଖରେ ୩୨ କୋଟିର ପ୍ରସ୍ତାବ |

କଣ ରହିଛି ସମସ୍ୟା:
ଏକାଦାଶୀଙ୍କ କହିବା ଅନୁସାରେ, ବାଉଁଶରେ ସାମଗ୍ରୀ ତିଆରି କରିବାରେ ଯେଉଁ ପରିଶ୍ରମ କରାଯାଏ, ତାହା ତୁଳନାରେ ଠିକରେ ଦରଦାମ ମିଳେନାହିଁ । ଡୁଙ୍ଗୀ ବାଉଁଶରୁ ମୁଖ୍ୟତଃ ଅଧିକ ସାମଗ୍ରୀ ତିଆରି କରାଯାଇଥାଏ । କିନ୍ତୁ ଆବଶ୍ୟକ ହେଉଥିବା ବାଉଁଶ ଓଡ଼ିଶାରେ ମିଳୁନାହିଁ । ଏନେଇ ଏକାଦଶୀ କହିଛନ୍ତି, "ଯଦି ଆମକୁ ବାଉଁଶ ଯୋଗାଇବା ସହ ବାଉଁଶ ସାମଗ୍ରୀ ବିକ୍ରି ପାଇଁ ସରକାର ସାହଯ୍ୟ କରନ୍ତେ ତାହାଲେ ଆହୁରି ଅଧିକ କାରିଗର ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରନ୍ତେ ।"
ଇଟିଭି ଭାରତ, ଭୁବନେଶ୍ବର

