ସେବାର ମିଶାଲ୍ ପାର୍ବତୀ ଗିରି: ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଲେ ମୋଦି, ପ୍ରତିକ୍ରିୟା ରଖିଲେ ନାତି-ନାତୁଣୀ
1926ରେ ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ପାର୍ବତୀ ଗିରି । 16 ବର୍ଷ ବୟସରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ନିସ୍ବାର୍ଥପର ସେବା ପାଇଁ ତାଙ୍କୁ କୁହାଯାଏ 'ଓଡ଼ିଶାର ମଦର ଟେରେସା' ।

Published : December 29, 2025 at 5:29 PM IST
ସ୍ପେଶାଲ ଷ୍ଟୋରୀ: ରାଜେଶ ସରାପ ଏବଂ ମନୋରଞ୍ଜନ ଶଙ୍ଖୁଆ
Freedom Fighter Parbati Giri ବରଗଡ: ‘ଯେତେବେଳେ ଝିଅଟିଏ ଘରର ଚାରିକାନ୍ଥରୁ ବାହାରିବା କଷ୍ଟସାଧ୍ୟ ଥିଲା .... ସେ ସମୟରେ ମାତ୍ର 12 ବର୍ଷ ବୟସରୁ ଘରୁ ପଦାକୁ ଗୋଡ କାଢ଼ି ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । 16 ବର୍ଷ ବୟସରେ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ । ଓଡ଼ିଶାର ମଦର ଟେରେସା ଭାବେ ପରିଚିତ ଏହି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ପାର୍ବତୀ ଗିରି । ବରଗଡ ଜିଲ୍ଲାର ଏକ ମଫସଲ ଗାଁରୁ ଆସି ସ୍ବାଧୀନତା ସଂଗ୍ରାମରେ ସାମିଲ ହେବା ସହ ସମାଜ ସେବା, ମହିଳା ସଶକ୍ତିକରଣ ଓ ପଛୁଆ ବର୍ଗଙ୍କ ଉନ୍ନତିକରଣରେ ତାଙ୍କର ଅବଦାନ କେବେବି ଭୁଲିବନି ଏ ମାଟି...ଏ ଦେଶ । ଏହି ମହିୟସୀ ମହିଳା ଯୋଦ୍ଧାଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମର 129ତମ ସଂସ୍କରଣରେ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବରଗଡର ବୀରାଙ୍ଗନା ସ୍ବର୍ଗତ ପାର୍ବତୀ ଗିରିଙ୍କ ଦେଶ ଓ ଜାତି ପ୍ରତି ଅଭୂତପୂର୍ବ ଅବଦାନକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ।

ଓଡ଼ିଶାର ମଦର ଟେରେସା ପାର୍ବତୀ ଗିରି:
ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଯେଉଁ ମହିଳାମାନେ ନିଜ ତ୍ୟାଗ, ସାହସ ଓ ସେବା ମାଧ୍ୟମରେ ଅମର ହୋଇ ରହିଛନ୍ତି, ସେମାନଙ୍କ ମଧ୍ୟରୁ ଅନନ୍ୟ ନାମ ହେଉଛି ପାର୍ବତୀ ଗିରି । ସମାଜ ସେବା, ମହିଳା ସଶକ୍ତିକରଣ ଓ ଜାତୀୟ ଆନ୍ଦୋଳନରେ ତାଙ୍କର ଅବଦାନ ତାଙ୍କୁ ଏକ ଅଲଗା ପରିଚୟ ଦେଇଛି । ପିଲାଟି ଦିନରୁ ସେ, ମାଳତୀ ଚୌଧୁରୀ, ରମାଦେବୀ, କସ୍ତୁରବା ଗାନ୍ଧୀଙ୍କଠାରୁ ପ୍ରେରଣା ପାଇ ଦେଶ ଓ ସମାଜସେବା ପ୍ରତି ଉତ୍ସର୍ଗୀକୃତ ହୋଇଯାଇଥିଲେ । ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ଇଂରେଜ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା ଇଂରେଜ ସରକାର ।
ପାର୍ବତୀ ଗିରି:
- ଜନ୍ମ 19 ଜାନୁଆରୀ 1926
- ତିରୋଧାନ 17 ଅଗଷ୍ଟ 1995
ଆସନ୍ତା ମାସ ଆମେ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା, ଯିଏକି ଆମ ସ୍ବାଧୀନତା ଆନ୍ଦୋଳନରେ ଯୋଗଦାନ କରିଥିଲେ ଏବଂ ଗରିବ ଓ ବଞ୍ଚିତଙ୍କ କଲ୍ଯାଣ ପ୍ରତି ଧ୍ଯାନ ଦେଇଥିଲେ । ଆଜିର #MannKiBaat ରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । pic.twitter.com/14IqnOA4RQ
— Narendra Modi (@narendramodi) December 28, 2025
‘ମନ କି ବାତ’ରେ ପ୍ରଶଂସା:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତ କାର୍ଯ୍ୟକ୍ରମରେ (ଡିସେମ୍ବର 28, 2025) ପାର୍ବତୀ ଗିରିଙ୍କ ତ୍ୟାଗ ଓ ସେବାକୁ ସ୍ମରଣ କରି କହିଥିଲେ 'ପାର୍ବତୀ ଗିରି କେବଳ ଏକ ନାମ ନୁହେଁ, ସେ ଏକ ଆଦର୍ଶ ।' ତାଙ୍କ ଜୀବନ ଆଜି ବି ଯୁବପିଢ଼ି ପାଇଁ ପ୍ରେରଣା, ଏବଂ ସମାଜ ସେବାରେ ନିଜକୁ ସମର୍ପିତ କରିବାର ଉଦାହରଣକୁ ପୁଣି ଜୀବନ୍ତ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମନ କି ବାତରେ କହିଛନ୍ତି, ‘ସ୍ବାଧୀନତା ସଂଗ୍ରାମରେ ଦେଶର ପ୍ରତ୍ୟେକ ପ୍ରାନ୍ତର ଲୋକ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସ୍ବାଧୀନତା ସଂଗ୍ରାମରେ ସାମିଲ ଅନେକ ବୀର ପୁରୁଷ ଏବଂ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ମିଳିନଥିଲା । ଏମିତି ଜଣେ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଓଡ଼ିଶାର ପାର୍ବତୀ ଗିରି । ଆସନ୍ତା ଜାନୁଆରୀ ମାସରେ ତାଙ୍କର ଜନ୍ମଶତବାର୍ଷିକୀ ପାଳନ ହେବ । ସ୍ବତନ୍ତ୍ରତା ଆନ୍ଦୋଳନ ପରେ ସମାଜ ସେବା ଓ ଆଦିବାସୀ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଅନେକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ତାଙ୍କ ପ୍ରେରଣାଦାୟକ ଜୀବନ ପ୍ରତ୍ୟେକ ପିଢିକୁ ମାର୍ଗଦର୍ଶନ କରି ଚାଲିବ ।’
ମହିଳା ସଂଗ୍ରାମୀ ପାର୍ବତୀ ଗିରିଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିବାରୁ ତାଙ୍କ ପରିବାର ଏବଂ ବରଗଡ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି ।

ପାର୍ବତୀ ଗିରି କିଏ ?
ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ଗ୍ରାମର ବାସିନ୍ଦା ଧନଞ୍ଜୟ ଗିରି ଓ ଶ୍ରୀମତୀ ଦେବୀଙ୍କ ଝିଅ ପାର୍ବତୀଗିରି। ତାଙ୍କର ଜନ୍ମ 1926 ମସିହା ଜାନୁଆରୀ 19ରେ ହୋଇଥିଲା । ବାପା ଧନଞ୍ଜୟ ଥିଲେ ଗଉନ୍ତିଆ ପରିବାରର ଚାଷୀ । ଧନଞ୍ଜୟଙ୍କ ଥିଲେ ଦୁଇ ଝିଅ ଓ ଏକ ମାତ୍ର ପୁଅ । ଦୁଇ ଝିଅଙ୍କ ମଧ୍ୟରୁ ପାର୍ବତୀ ଥିଲେ ସାନ । ସେତେବେଳେ ଦେଶରେ ଥିଲା ଇଂରେଜ ଶାସନ । ସ୍ଵାଧୀନତା ପାଇଁ ମହାତ୍ମାଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିଲା ପ୍ରୟାସ । ସ୍ଵାଧୀନତା ସଂଗ୍ରାମ ପାଇଁ ମାଳତୀ ଚୌଧୁରୀ ଓ ରମାଦେବୀଙ୍କଠାରୁ ପ୍ରେରଣା ପାଇ ମାତ୍ର 12 ବର୍ଷ ବୟସରେ ପାର୍ବତୀ ବୈଠକକୁ ଯାଉଥିଲେ । ଅନ୍ୟ ମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଘର ଘର ବୁଲି ଲୋକଙ୍କୁ ଡାକୁଥିଲେ । ପରବର୍ତ୍ତୀ ସମୟରେ ସେ ମହାତ୍ମା ଗାନ୍ଧୀଙ୍କ ଗାନ୍ଧୀବାଦୀ ଆଦର୍ଶରୁ ଗଭୀର ଭାବେ ପ୍ରେରିତ ହୋଇଥିଲେ ଏବଂ ଅହିଂସା, ସତ୍ୟ ଓ ସେବାକୁ ସେ ନିଜ ଜୀବନର ମୂଳ ମନ୍ତ୍ର କରିଥିଲେ । ଗାନ୍ଧିଜୀଙ୍କ ସଂସ୍ପର୍ଶ ଓ ମାର୍ଗଦର୍ଶନରେ ସେ ସ୍ୱାଧୀନତା ଆନ୍ଦୋଳନ ସହିତ ସମାଜ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

ସମାଜ ପ୍ରତି ଅବଦାନ:
ସ୍ୱାଧୀନତା ସଂଗ୍ରାମରେ ମହିଳାଙ୍କ ସକ୍ରିୟ ଭୂମିକା ପାଇଁ ଆହ୍ଵାନ ସହିତ ଦଳିତ, ଶ୍ରମିକ ଓ ଗରିବ ଶ୍ରେଣୀଙ୍କ ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିଲେ ପାର୍ବତୀ । ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ଶିକ୍ଷା ସଚେତନତା, ନିଶା ନିବାରଣ, ଗରିବ ଓ ଦଳିତଙ୍କ ଶିକ୍ଷା ଓ ସଚେତନତାର ପ୍ରସାର ସହିତ ଅବହେଳିତ ମହିଳା ମାନଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରାଇବା ତାଙ୍କର ରହିଥିଲା ମୂଳ ଲକ୍ଷ୍ୟ ।
ଦୁର୍ଭିକ୍ଷ ସମୟରେ ଶହ ଶହ ଶିଶୁଙ୍କୁ ଥଇଥାନ କରିଥିଲେ ...
1974-75ରେ ଯେତେବେଳେ ଭୟଙ୍କର ଦୁର୍ଭିକ୍ଷ ପଡିଥିଲା ସେ ସମୟରେ ଅନେକ ପରିବାର ଶିଶୁଙ୍କୁ ଭରଣ ପୋଷଣ କରି ନପାରି ବିକ୍ରି କରିଦେଉଥିଲେ । ସେ ସମୟରେ ପାର୍ବତୀ ଗିରି ବରଗଡ ଜିଲ୍ଲା ପାଇକମାଳରେ ନିଜ ଉଦ୍ୟମରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ନାମରେ ଏକ ଅନାଥ ଆଶ୍ରମ ଖୋଲି ଶହ ଶହ ଶିଶୁଙ୍କୁ ଥଇଥାନ କରିଥିଲେ । ଯାହା ବର୍ତ୍ତମାନ ସମୟରେ ମଧ୍ୟ କାର୍ଯ୍ୟକ୍ଷମ ରହିଛି । ଧୀରେ ଧୀରେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ପାର୍ବତୀ ଗିରି ବାଳ ନିକେତନ ନାମକ ଆଶ୍ରମ ଓ ସମ୍ବଲପୁର ଜିଲ୍ଲାରେ ଡ଼.ଆଇଜାକ ସନ୍ତ୍ରା ବାଳନିକେତନ( Isaac Santra Balniketan) ନାମକ ଆଶ୍ରମ ଖୋଲିଥିଲେ ।

ଇନ୍ଦିରା ଗାନ୍ଧୀଙ୍କ ସହ ସମ୍ପର୍କ:
ସ୍ୱାଧୀନତା ପରେ ମଧ୍ୟ ପାର୍ବତୀ ଗିରିଙ୍କ ସେବା କାର୍ଯ୍ୟ ଜାରି ରହିଥିଲା । ଏହି ସମୟରେ ସେ ଇନ୍ଦିରା ଗାନ୍ଧୀଙ୍କ ସହ ଯୋଗାଯୋଗରେ ଆସିଥିଲେ । ମହିଳା ସଶକ୍ତିକରଣ, ସାମାଜିକ ସମାନତା ଓ ଗରିବଙ୍କ କଳ୍ୟାଣ ଭଳି ବିଷୟରେ ତାଙ୍କ ମତାମତ ଓ କାର୍ଯ୍ୟକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଥିଲା ।
ଲକ୍ଷ୍ୟ ଓ ଉଦ୍ଦେଶ୍ୟ:
ପାର୍ବତୀ ଗିରିଙ୍କ ଜୀବନର ପ୍ରଧାନ ଲକ୍ଷ୍ୟ ଥିଲା ଶୋଷଣମୁକ୍ତ ସମାଜ ଗଠନ, ମହିଳାଙ୍କୁ ସମ୍ମାନ ଓ ସମାନ ଅଧିକାର ପ୍ରଦାନ , ଦାରିଦ୍ର୍ୟ ଓ ଅନ୍ୟାୟ ବିରୋଧରେ ସଂଘର୍ଷ । ସମାଜସେବା ପାଇଁ ସେ ଅବିବାହିତ ରହିଥିଲେ । ପରିବାରର ସହମତିରେ ସେ ନିରନ୍ତର ଅବହେଳିତ ନିଷ୍ପେସିତଙ୍କୁ ନିଃସ୍ଵାର୍ଥ ସେବା ଯୋଗାଇ ଥିଲେ । ଶେଷରେ 17 ଅଗଷ୍ଟ 1995 ମସିହାରେ ସମ୍ବଲପୁରର ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ପାର୍ବତୀ ଗିରି ।
ଜନମାନସରେ ଆଖ୍ୟା:
ତାଙ୍କ ତ୍ୟାଗ, ମମତା ଓ ସେବାଭାବ ପାଇଁ ଲୋକେ ପାର୍ବତୀଗିରିଙ୍କୁ ‘ମା’ ଗାନ୍ଧୀ’ ବୋଲି ସମ୍ବୋଧନ କରୁଥିଲେ ଓ କୁନି ପିଲା ମାନେ ‘ବଡ ମା’ ବୋଲି ଡାକୁଥିଲେ । ଧୀରେ ଧୀରେ ପାର୍ବତୀ ଗିରି ବଡ ମା’ର ଆଖ୍ୟା ପାଇଥିଲେ ଏବଂ ଏହି ଆଖ୍ୟା ତାଙ୍କ ପ୍ରତି ଲୋକଙ୍କ ଭଲପାଇବା ଓ ସମ୍ମାନର ପ୍ରତୀକ ଥିଲା । ସରଳ ଜୀବନଶୈଳୀ, ସ୍ପଷ୍ଟ ମତାମତ ଓ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଶୈଳୀ ପାଇଁ ପାର୍ବତୀ ଗିରି ଆଜି ସମଳେଇପଦର ଗ୍ରାମ ସହିତ ସମଗ୍ର ବିଜେପୁର ବ୍ଲକ ଅଞ୍ଚଳରେ ଏକ ପରିଚିତ ନାମ । ଗ୍ରାମବାସୀଙ୍କ କହିବାନୁସାରେ, 'ସମସ୍ୟା ଆସିଲେ ପ୍ରଥମେ ଯାହାଙ୍କ ନାମ ମନେ ପଡ଼େ, ସେ ହେଉଛନ୍ତି ପାର୍ବତୀ ଗିରି । ଭବିଷ୍ୟତରେ ଗ୍ରାମ ଓ ଅଞ୍ଚଳର ସମଗ୍ର ଉନ୍ନତି, ମହିଳା ଓ ଯୁବମାନଙ୍କ ସୁନ୍ଦର ଭବିଷ୍ୟତ ଗଢ଼ିବା ପାର୍ବତୀ ଗିରିଙ୍କ ପ୍ରଧାନ ଲକ୍ଷ୍ୟ ରହୁଥିଲା |"

ନାତୁଣୀ କହିଲେ କିପରି ଥିଲେ ପାର୍ବତୀ...
ପାର୍ବତୀ ଗିରିଙ୍କ ନାତୁଣୀ ନିହାରିକା ଗିରି କୁହନ୍ତି, ‘ପ୍ରଧାନମନ୍ତ୍ରୀ ଯାହା ଆଲୋକପାତ କଲେ ତାହା ଗର୍ବର କଥା l ‘ପାର୍ବତୀ ଗିରି ମୋ ଜେଜେ ମା’ ଥିଲେ ମୁଁ ସେତେବେଳେ ଛୋଟ ପିଲା ଥିଲି l ତାଙ୍କ ସହିତ ମୋର ଫଟୋ ବି ଅଛି l ଯେତେବେଳେ ଭାରତ ଛାଡ ଆନ୍ଦୋଳନ ହେଉଥିଲା ସେତେବେଳେ ସେ ଘରୁ ବାହାରି ଇଂରେଜଙ୍କ ବିପକ୍ଷରେ ଲଢ଼ିଥିଲେ l 1942 ମସିହାରେ ବରଗଡ଼ରେ ଯେତେବେଳେ ବଡ ଆନ୍ଦୋଳନ ହେଉଥିଲା ସେତେବେଳେ ବରଗଡ଼ରେ ତାଙ୍କର ଦବଦବ଼ା ଥିଲା l 16 ବର୍ଷ ବୟସରେ ତାଙ୍କର ସାହସିକତା ପ୍ରଦର୍ଶନ ଗର୍ବର ବିଷୟ l ବର୍ତ୍ତମାନ 2026 ମସିହାରେ ଆମେ ଆସିବାକୁ ଯାଉଛି, ହେଲେ ଏବେ ବି ଜଣେ ମହିଳା ବାହାରକୁ ବାହାରିବାକୁ ପଛଘୁଞ୍ଚା ଦେଉଛନ୍ତି l ସେତେବେଳେ ସିଏ ଆମ ପାଇଁ ବହୁତ ପ୍ରେରଣାଦାୟୀ ଥିଲେ l’

ବିଜୁ ପଟ୍ଟନାୟକ କରିଥିଲେ ଭଉଣୀ:
‘ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତାଙ୍କୁ ଭଉଣୀ କରିଥିଲେ l ଇନ୍ଦିରା ଗାନ୍ଧୀଙ୍କ ସହିତ ତାଙ୍କ ଭଲ ସମ୍ପର୍କ ଥିଲା l ପୂର୍ବ ସରକାର ସମୟରେ ତାଙ୍କ ଉଦ୍ଦେଶ୍ୟରେ କିଛି କିଛି କାମ କରାଯାଇଛି l ଏବେ ପ୍ରଧାନମନ୍ତ୍ରୀ ମୋଦି ତାକୁ ଆଗକୁ ବଢ଼ାଇବା କାର୍ଯ୍ୟ କରିଛନ୍ତି। ଯାହାକି କେବଳ ବରଗଡ଼ ନୁହେଁ, ସାରା ରାଜ୍ୟ ପାଇଁ ଗୌରବ ବିଷୟ l ଲୋକମାନଙ୍କ ସେବା କରିବାକୁ ସେ ସର୍ବଦା ଚେଷ୍ଟିତ ଥିଲେ ’ ବୋଲି ଅତ୍ୟନ୍ତ ଖୁସିର ସହ କହିଛନ୍ତି ନାତୁଣି ନିହାରିକା ।

‘ନାରୀଙ୍କ ପାଇଁ କାମ କରୁଥିଲେ ପାର୍ବତୀ’
ପାର୍ବତୀ ଗିରିଙ୍କ ନାତି ନିର୍ମଳ ଗିରି କୁହନ୍ତି, ‘ ଜେଜେ ମାଆ ସର୍ବଦା ସମାଜ ସେବାରେ ସାମିଲ ରହୁଥିଲେ । ଅନେକ ଥର ଜେଲ ଯାଇଥିଲେ । ଦେଶ ସ୍ବାଧୀନ ହେବା ପରେ ମଧ୍ୟ ଜାରି ରହିଥିଲା ତାଙ୍କ ସମାଜ ସେବା କାର୍ଯ୍ୟ । ନିଶା ନିବାରଣ ପାଇଁ ଲଢୁଥିଲେ, ଗୋ-ହତ୍ୟାକୁ ପ୍ରତିବାଦ କରୁଥିଲେ । ନାରୀ ସମାଜକୁ ସଶକ୍ତ କରିବାକୁ ଚାହୁଁଥିଲେ । ପ୍ରଧାନମନ୍ତ୍ରୀ ମନ କି ବାତରେ ତାଙ୍କ ପାଇଁ କିଛି କହି ଥିବାରୁ ଅନେକ ଧନ୍ୟବାଦ ।’
ପାର୍ବତୀ ଗିରିଙ୍କୁ ସମ୍ମାନ...
ପାର୍ବତୀ ଗିରିଙ୍କ ସମାଜ ସେବା ପାଇଁ ସମ୍ବଲପୁର ବିଶ୍ବ ବିଦ୍ୟାଳୟ ତରଫରୁ 1998 ମସିହାରେ ସମ୍ମାନଜନକ ଡକ୍ଟରେଟ ଉପାଧି ତତ୍କାଳୀନ ରାଜ୍ୟପାଳ ରଙ୍ଗ ରାଜନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । 2016 ମସିହାରେ ପାର୍ବତୀ ଗିରିଙ୍କ ସମ୍ମାନର୍ଥେ ପୂର୍ବତନ ବିଜେଡି ସରକାର ଏକ ବୃହତ ଜଳ ସେଚନ ଯୋଜନାକୁ ‘ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ’ ଭାବେ ଘୋଷଣା କରିଥିଲେ । ଏହାକୁ କ୍ୟାବିନେଟ ମଞ୍ଜୁରୀ ମଧ୍ୟ ମିଳିଥିଲା ।
ଦେଶ ପାଇଁ ଜୀବନକୁ ସମର୍ପି ଦେଇଥିଲେ ପାର୍ବତୀ ଗିରି । 2026ରେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳିବ ଦେଶ । ଦେଶର ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା, ପରଲୋକାଗତ ସ୍ବାଧୀନତା ସଂଗ୍ରାମୀ ପାର୍ବତୀଙ୍କ ପାଇଁ ନିଶ୍ଚିତ ଭାବେ ସମ୍ମାନର ବିଷୟ !
ଇଟିଭି ଭାରତ, ବରଗଡ଼ ଏବଂ ଭୁବନେଶ୍ବର

