ETV Bharat / state

APK ଫାଇଲ ପଠାଇ ଠକେଇ; ୩ ଆନ୍ତଃରାଜ୍ୟ ସାଇବର ଠକଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଟିମ୍ ଦ୍ୱାରା ଗିରଫ ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଥିଲା। ଆଜି କୋର୍ଟଚାଲାଣ କରାଯାଇଥିଲା। ରିପୋର୍ଟ-ସତ୍ୟଜିତ ରାଉତ

Commissionerate Police arrests 3 inter-state cyber fraudsters
୩ ଆନ୍ତଃରାଜ୍ୟ ସାଇବର ଠକଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ (Etv Bharat)
author img

By ETV Bharat Odisha Team

Published : May 28, 2026 at 8:46 PM IST

1 Min Read
Choose ETV Bharat

ଭୁବନେଶ୍ୱର: ଏପିକେ ବା Android Package Kit ଫାଇଲର ଲିଙ୍କ୍ ପଠାଇ ଠକୁଥିବା ୩ ଆନ୍ତଃରାଜ୍ୟ ସାଇବର ଠକଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ୩୯.୨୧ ଲକ୍ଷ ଠକେଇ ମାମଲା (ନଂ.୭/୨୦୨୬) ରେ ଦୁଇ ଜଣ ଏବଂ ୭ ଲକ୍ଷ ଠକେଇ ମାମଲା (ନଂ.୧୭୧/୨୦୨୫) ରେ ଜଣେ ଅଭିଯୁକ୍ତ ଭୁବନେଶ୍ୱର ସାଇବର ଥାନା ହାତରେ ଧରାପଡିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ଦେଓଘର ଜିଲ୍ଲାର ଅଭିଷେକ କୁମାର ଦାସ (୨୧) ଓ ବୀରେନ୍ଦ୍ର ଦାସ (୨୧। ଅନ୍ୟ ଅଭିଯୁକ୍ତ ଜଣକ ହେଲା ଆଲ୍ଲାଉଦିନ ଅନସାରି (୩୬)। ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଟିମ୍ ଦ୍ୱାରା ଗିରଫ ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଥିଲା। ଅଭିଯୁକ୍ତମାନଙ୍କୁ ଆଜି (ଗୁରୁବାର) କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ପୋଲିସ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି।


APK ଫାଇଲ କ୍ଲିକ୍ ପରେ କଟିଯାଇଥିଲା ୭ ଲକ୍ଷ

୨୦୨୫ ସେପ୍ଟେମ୍ବର ୧୫ରେ ସାଇବର ଠକଙ୍କ ଦ୍ୱାରା ଠକେଇର ଶିକାର ରସୁଲଗଡ଼ର ଯଶୋବନ୍ତ ଜେନା ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଏତଲାକୁ ଆଧାର କରି ସାଇବର ଥାନା ଏକ ମାମଲା (ନଂ.୧୭୧/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଯଶୋବନ୍ତଙ୍କ ହ୍ଵାଟ୍ସଆପକୁ ଠକ ଗ୍ୟାଙ୍ଗ ହ୍ଵାଟ୍ସଆପରେ ମେସେଜ୍ ପଠାଇଥିଲା। RTO ଚାଲାଣ ନାଁରେ ଏକ APK ଫାଇଲକୁ ସେ କ୍ଲିକ୍ କରି ଦେଇଥିଲେ। ଏହାପରେ ତାଙ୍କ HDFC ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା କଟିଯାଇଥିଲା ବୋଲି ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାକୁ ଗୁରୁତ୍ୱର ସହ ତଦନ୍ତ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଝାଡ଼ଖଣ୍ଡ ଜାମତାରାର ମାଷ୍ଟରମାଇଣ୍ଡ ମୁକେଶ ତୁରି ସମେତ ୪ ଜଣ ସାଇବର ଅପରାଧୀଙ୍କୁ ମାସେ ତଳେ ତେଲେଙ୍ଗାନାରୁ କମିଶନରେଟ୍ ପୋଲିସ ଗିରଫ କରିଥିଲା। ସହଯୋଗୀ ଆଲ୍ଲାଉଦିନ ଅନସାରି ଫେରାର ଥିଲା।


ଏପିକେ ଫାଇଲ କ୍ଲିକ କରିବାରୁ ୩୯.୨୧ ଲକ୍ଷ କଟିଯାଇଥିଲା

୨୦୨୬ ଜାନୁଆରୀ ୧୭ରେ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ହ୍ଵାଟ୍ସଆପରେ ଏପିକେ ଫାଇଲ ଆସିଥିଲା। ସେ କ୍ଲିକ କରିବାରୁ ୩୯.୨୧ଲକ୍ଷ କଟିଯାଇଥିଲା। ଏନେଇ ଏତଳକ୍ରମେ ସାଇବର ଥାନା ପୋଲିସ ଏକ ମାମଲା (ନଂ.୭/୨୦୨୬) ରୁଜୁ କରି ତଦନ୍ତ କରିଥିଲା। ଅଭିଷେକ ଓ ତା ସାଙ୍ଗ ବିରେନ୍ଦ୍ର ଏହି ଏପିକେ ଫାଇଲ ପ୍ରସ୍ତୁତ କରି ପଠାଇଥିବା ପୋଲିସ ଜାଣିବାକୁ ପାଇଥିଲା।