ETV Bharat / state

ଓଡିଶା ଫେରିଲେ 4 ଜଣ ଓଡିଆ, ଥାଇଲାଣ୍ଡରେ ଫସିଥିଲେ

ଓଡ଼ିଶାକୁ ଫେରିବାପରେ ଯୁବକମାନେ ସମସ୍ତ ସହାୟତା ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ODIA YOUTHS STRANDED IN THAILAND
ଥାଇଲାଣ୍ଡରୁ ଫେରିଲେ ୪ ଓଡ଼ିଆ (ETV Bharat Odisha)
author img

By ETV Bharat Odisha Team

Published : February 21, 2026 at 6:59 PM IST

|

Updated : February 21, 2026 at 7:28 PM IST

3 Min Read
Choose ETV Bharat

କେନ୍ଦ୍ରାପଡା/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଥାଇଲାଣ୍ଡରେ ଫସି ରହିଥିବା ୬ ଜଣ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ ଜଣ ଓଡ଼ିଆ ଯୁବକମାନଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି । ଆଜି ୪ ଜଣ ଓଡ଼ିଆ ଯୁବକ ଜୟନ୍ତ କୁମାର ମଲ୍ଲିକ, ହେମନ୍ତ କୁମାର ବେହେରା, ମନରଞ୍ଜନ ସାହୁ ଓ ବିଜୟ କୁମାର ସ୍ୱାଇଁ ଓଡ଼ିଶାରେ ଆସି ପହଞ୍ଚିଛନ୍ତି । ଓଡ଼ିଶାର କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରୁ ୬ ଜଣ ଯୁବକ ବିଗତ ୨୦୨୫ ମସିହା ଅଗଷ୍ଟ ମାସରେ ଥାଇଲାଣ୍ଡର ଏକ ପ୍ଲାଏଉଡ଼ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଇଥିଲେ ।

ସେଠାରେ ଉକ୍ତ ପ୍ଲାଏଉଡ଼ କମ୍ପାନୀର ମାଲିକ ସେମାନଙ୍କୁ ଦରମା ଦେଉନଥିବାର ଅଭିଯୋଗ କରିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶାକୁ ଫେରି ଆସିବା ପାଇଁ ସେମାନେ ଓଡ଼ିଶା ସରକାରଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ । ଏହି ସମ୍ବନ୍ଧରେ ଜାଣିବା ପରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ୪ ଜଣ ଓଡ଼ିଆ ଯୁବକଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି । ଆଜି ଓଡ଼ିଶାକୁ ଫେରିବାପରେ ଯୁବକମାନେ ସମସ୍ତ ସହାୟତା ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କଣ ଥିଲା ଘଟଣା-

ଥାଇଲାଣ୍ଡରେ ଫସିଛନ୍ତି ଓଡ଼ିଆ ଯୁବକ,ପରିବାର ପ୍ରତିପୋଷଣ ସହ ପରିବାର ମୁହଁରେ ହସ ଫୁଟାଇବା ଲାଗି ଥାଇଲାଣ୍ଡ ଯାଇଥିବା କେନ୍ଦ୍ରାପଡା ରାଜକନିକା ଅଞ୍ଚଳର ୫ ଜଣ ଯୁବକ ଫସି ଯାଇଥିବା ଅଭିଯୋଗ ହୋଇଥିଲା । ତିନି ମାସ ହେବ ଦରମା ଟଙ୍କା ମିଳିନଥିବା ବେଳେ ୫ ଦିନ ଧରି ସେମାନେ ଭୋକରେ ରହିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ କୁଜିପୁରୁ ଗାଁର ଉମାକାନ୍ତ ସାହୁଙ୍କ ପୁଅ ଯଶୋବନ୍ତ ସାହୁ, ନୂଆଗାଁର ରବୀନ୍ଦ୍ର ମଲିକଙ୍କ ପୁଅ ଜୟନ୍ତ ମଲିକ, ବରାଡ଼ିଆ ପଞ୍ଚାୟତ ବାଙ୍ଗରକୁଆଁ ଗାଁର ହଳଧର ସ୍ବାଇଁଙ୍କ ପୁଅ ବିଜୟ ସ୍ୱାଇଁ, ଉପୁଳାଇ ଗାଁର ଫକୀର ଚରଣ ରାଉତଙ୍କ ପୁଅ ପ୍ରଶାନ୍ତ ରାଉତ, କାଟଣା ବଣିଆ ପଞ୍ଚାୟତ କାଟଣା ବଣିଆ ଗାଁର ହରିହର ବେହେରାଙ୍କ ପୁଅ ହେମନ୍ତ କୁମାର ବେହେରା ଓ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କୌଡିଆପାଳ ଗାଁର ସନାତନ ସାହୁଙ୍କ ପୁଅ ମନୋରଞ୍ଜନ ସାହୁ ନିଜ ପରିବାର ପ୍ରତିପୋଷଣ ଲାଗି ୨୦୨୫ ମସିହା ଅଗଷ୍ଟ ମାସରେ ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳର ଓମପ୍ରକାଶ ଓ ଜୟପ୍ରକାଶ ଦୁଇ ଜଣ ମାଲିକ ପ୍ଲାଏଉଡ଼ କାମ ଲାଗି ଏହି ଯୁବକ ମାନଙ୍କୁ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ଚୋନବୁରୀ ଅଞ୍ଚଳକୁ ମାସକୁ ୨୫ ହଜାର ଟଙ୍କା ଦେବ ବୋଲି କହି ନେଇଥିଲା ।

ଏହି ଯୁବକ ମାନେ ଯାଇ ସେଠାରେ କାମ କରିବା ପରେ ମାଲିକ ତିନିମାସ ଠିକଠାକ ଟଙ୍କା ଦେଇଥିଲା କିନ୍ତୁ ପରେ ଚାରିମାସ ହେବ ଟଙ୍କା ନଦେଇ ଭିସା ଗୁଡିକୁ ଛଡାଇ ନେଇ ଯାଇଥିଲା ମାଲିକ । ଏହା ସହ ପାଞ୍ଚ ଦିନ ଧରି ଖାଇବାକୁ ଦେଉନଥିବା ଭିଡିଓ ଯୋଗେ ଅଭିଯୋଗ କରିଥିଲେ ଥାଇଲାଣ୍ଡରେ ଫସି ରହିଥିବା ଯୁବକ । ଖୁବଶୀଘ୍ର ସେଠାରୁ ଉଦ୍ଧାର କରି ଘରକୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଭିଡିଓ ବାର୍ତ୍ତାରେ ଆକୁଳ ନିବେଦନ କରିଥିଲେ ଏହି ଓଡ଼ିଆ ଶ୍ରମିକମାନେ ।

ଅଭିଯୋଗ ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଥିଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ-

ଶ୍ରମିକ ମାନଙ୍କ ନିର୍ଯ୍ୟାତନା ସମ୍ପର୍କିତ ଏଭଳି ଅଭିଯୋଗ ପାଇବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କେନ୍ଦ୍ରାପଡା ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ । ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟର୍ ପ୍ରତିକ୍ରିୟା ଦେଇ କହିଛନ୍ତି, "ଲେବର କମିଶନରଙ୍କୁ ଏନେଇ ରିପୋର୍ଟ କରାଯାଇଛି । ଦିଲ୍ଲୀରେ ଥିବା ERC କାର୍ଯ୍ୟାଳୟକୁ ଏନେଇ ରିପୋର୍ଟ ଦେବା ପରେ ଏହାକୁ ଦିଲ୍ଲୀରୁ ହିଁ କ୍ରିୟାନୟନ କରାଯାଉଛି । ଇମିଗ୍ରେସନ ଅଫିସ ସହ ଏକ୍ସଟର୍ଣ୍ଣାଲ ଆଫେୟାର୍ସ ମିନିଷ୍ଟ୍ରି ଅଫିସ ସହ ସେମାନଙ୍କୁ ଫେରାଇ ଆଣିବା ପାଇଁ ଯୋଗାଯୋଗ କରାଯାଇଥିଲା ।"

ସେହିପରି ଭୁବନେଶ୍ୱର ସ୍ଥିତ ଇମିଗ୍ରେସନ ଅଫିସର ଡ଼. ବି.ଭି. ଆଚାର୍ଯ୍ୟ ଏନେଇ ଫୋନ ଯୋଗେ ସୂଚନା ଦେଇ କହିଛନ୍ତି, "କେନ୍ଦ୍ରାପଡା ଡିଏଲସି ଅଫିସ ଦ୍ୱାରା ସେମାନଙ୍କ ପାସପୋର୍ଟ ଯାଞ୍ଚ, କେବେ ଯାଇଥିଲେ, ତାଙ୍କୁ ଏଜେଣ୍ଟ କିଏ ନେଇଥିଲେ ସେମାନଙ୍କ ସୂଚନା ଅଣା ଯାଇଥିଲା । ଏହାପରେ ଆମର ପ୍ରୋଟେକ୍ଟର ଅଫ ଇମିଗ୍ରାଣ୍ଟ (POE)ଅଛନ୍ତି ଯେଉଁମାନଙ୍କ କାମ ଓଡ଼ିଆ ଲୋକ ଯେତେଜଣ ବାହାର ଦେଶକୁ ଯିବେ ସେମାନଙ୍କ ସୂଚନା ରହିବ ସେମାନଙ୍କ ମଧ୍ୟରେ ଦେଶରେ ଜଣେ ଓ ଓଡ଼ିଶାର ଜଣେ ଅଛନ୍ତି ଯାହାଙ୍କୁ ଶ୍ରମ କମିଶନରଙ୍କ ତରଫରୁ ଆମେ ଅନୁରୋଧ କରୁ । ଶ୍ରମ କମିଶନରଙ୍କ ଦସ୍ତଖତରେ ଆମେ ମିନିଷ୍ଟ୍ରି ଅଫ ଏକ୍ସଟର୍ଣ୍ଣାଲ ଆଫେୟାର୍ସଙ୍କ ନିକଟକୁ ଆମେ ଅନୁରୋଧ ପଠାଇଲୁ ଯେ କେନ୍ଦ୍ରାପଡା ଜିଲ୍ଲାରୁ ଏହି ପାସପୋର୍ଟ ସଂଖ୍ୟାରେ ୫ଜଣ ଓ ଭଦ୍ରକରୁ ଜଣେ ଯାଇ ଥାଇଲାଣ୍ଡରେ ମାନସିକ ନିର୍ଯ୍ୟାତନା ପାଉଥିବା ସରକାରଙ୍କୁ ଅନୁରୋଧ କରିଥିବା ଜଣାଇଲୁ । ତାଙ୍କ ମାଧ୍ୟମରେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇଥିଲା ଯାହାକି ତଦନ୍ତ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେସେମାନଙ୍କ ଟିକେଟ ହୋଇଥିଲା ।"

ଏହା ବି ପଢନ୍ତୁ- ମିଆଁମାରରୁ ଫେରିଲେ ଦୁଇ ନିଆଳି ଯୁବକ, ଏବେବି ଫସିଛନ୍ତି ଆଉ 2 ଜଣ


ଇଟିଭି ଭାରତ, କେନ୍ଦ୍ରାପଡା

Last Updated : February 21, 2026 at 7:28 PM IST