ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଢେଙ୍କାନାଳରୁ ଭୁବନେଶ୍ବର ଦଣ୍ଡବତ ଯାତ୍ରା; 2 ମାସ ତଳେ ଚଢ଼ିଥିଲେ ମୋବାଇଲ୍ ଟାୱାର
ମା'ଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ନିମନ୍ତେ ଢେଙ୍କାନାଳରୁ ଭୁବନେଶ୍ୱର ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି । ପୂର୍ବରୁ ମୋବାଇଲ୍ ଟାଓ୍ୱାର ଉପରେ ଚଢି 15 ଘଣ୍ଟା ରହିଥିଲେ । ରିପୋର୍ଟ- ଉର୍ମିଳା ପାତ୍ର


Published : July 9, 2026 at 5:00 PM IST
ଢେଙ୍କାନାଳ: ପୁଣି ଚର୍ଚ୍ଚାରେ ପୂର୍ବତନ OSAP କନେଷ୍ଟବଲ୍ ରୁଦ୍ର ନାରାୟଣ ଦାସ । ଦୁଇ ମାସ ମୋବାଇଲ ଟାୱାରରେ ଚଢିଥିଲେ । ଏବେ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି । ନିଜ ମା'ଙ୍କ ଚିକିତ୍ସା ସହାୟତାପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବାକୁ ଢେଙ୍କାନାଳରୁ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି ଯୁବକ ।
ଢେଙ୍କାନାଳ ସହରରେ ଏକ ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରି ଚର୍ଚ୍ଚାକୁ ଆସିଥିବା ଯୁବକ ଜଣଙ୍କ ପୁଣି ଥରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । କର୍କଟ ରୋଗରେ ପୀଡିତ ନିଜ ମା'ଙ୍କର ଚିକିତ୍ସା ସହାୟତା ପାଇଁ ଆଜି ଏହି ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରୁ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି । ଦଣ୍ଡବତ ଯାତ୍ରାରେ ଭୁବନେଶ୍ୱର ପର୍ଯ୍ୟନ୍ତ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବେ। ମୁଖ୍ୟମନ୍ତ୍ରୀଙ୍କୁ ମା'ଙ୍କ ଚିକିତ୍ସା ନିମନ୍ତେ ସହାୟତା ମାଗିବେ ବୋଲି ବୋଲି ପ୍ରକାଶ କରିଛନ୍ତି । ସୂଚନା ଥାଉକି, ଉକ୍ତ ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ ସୋଗର ଗ୍ରାମର ରୁଦ୍ର ନାରାୟଣ ଦାସ ।
ଗତ ୨୦୧୮ମସିହାରେ OSAP ଫାଷ୍ଟ ବଟାଲୀୟନରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଁ ତାଲିମ ନେଉଥିଲେ। ମାତ୍ର ତାଲିମ ସମୟରେ ସ୍ବାସ୍ଥ୍ୟଗତ କାରଣରୁ ଅଯୋଗ୍ୟ ହେବାରୁ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିଲେ।
ତେବେ ଗତ ମେ ମାସ ୯ତାରିଖରେ ତାଙ୍କୁ ନିଯୁକ୍ତି ଓ କର୍କଟ ପୀଡିତ ମା'ଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ପ୍ରଦାନ ଦାବିରେ ଏକ ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଫଳରେ ତାଙ୍କୁ ଉଦ୍ଧାର ପାଇଁ ଢେଙ୍କାନାଳ ପ୍ରଶାସନ ଓ ପୁକିସକୁ ଦିନ ତମାମ ନାକେଦମ ହେବାକୁ ପଡିଥିଲା। ତେବେ ପ୍ରଶାସନ ପକ୍ଷରୁ କୌଣସି ସଂସ୍ଥାରେ ଅସ୍ଥାୟୀ ଭାବେ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।
ମାତ୍ର ପ୍ରଶାସନ କେବଳ ପ୍ରତିଶୃତି ଦେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଉଠାଇଛନ୍ତି ରୁଦ୍ର। ଏପରିକି ମା'ଙ୍କର ଚିକିତ୍ସା ସହାୟତା ପାଇଁ ବାଧ୍ୟ ହୋଇ ଦଣ୍ଡବତ ଯାତ୍ରା ପରି ଅଭିନବ ଢଙ୍ଗକୁ ଆପଣେଇଥିବା ପ୍ରକାଶ କରିଛନ୍ତି।
ଏହା ବି ପଢନ୍ତୁ- ଦୀର୍ଘ ୧୫ ଘଣ୍ଟା ପରେ ଜିଦରୁ ଓହରିଲେ ରୁଦ୍ର: ସୁରକ୍ଷିତ ଉଦ୍ଧାର କଲା ଓଡ୍ରାଫ ଟିମ୍, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି
ଇଟିଭି ଭାରତ, ଢେଙ୍କାନାଳ

