ଦୁବାଇରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ 2 ପୁତୁରା ଓ ତାଙ୍କ ପରିବାର; ଚିନ୍ତା ପ୍ରକଟ କଲେ କାକା
ଗତକାଲି ସକାଳେ ଶେଷ ମିସାଇଲ ପଡିଥିଲା ଓ ଗୋଟିଏ ଜାଗାରେ ନିଆଁ ଲାଗିଥିବା ଦେଖିବାକୁ ମିିିଳିଥିଲା । 2ଟି ମିସାଇଲକୁ ନିଷ୍କ୍ରିୟ କରି ଦିଆ ଯାଇଥିଲା । କିନ୍ତୁ ତାପରଠାରୁ ପରିସ୍ଥିତି ଶାନ୍ତ ଅଛି ।

Published : March 3, 2026 at 5:10 PM IST
|Updated : March 3, 2026 at 10:06 PM IST
ରିପୋର୍ଟ- ବାଦଶାହ ଜୁସ୍ମନ ରଣା
ସମ୍ବଲପୁର: ଆମେରିକା-ଇଜ୍ରାଏଲ ସହ ଇରାନର ଯୁଦ୍ଧସ୍ଥିତି ମଧ୍ୟ ପ୍ରାଚ୍ୟ ଦେଶଗୁଡିକରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି l ମୁଖ୍ୟତଃ UAEର ପ୍ରଦେଶ ଗୁଡିକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି l ଦୁବାଇ ଉପରେ ଇରାନ ରକେଟ ଓ ଡ୍ରୋନ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି l ଏହିଭଳି ପରିସ୍ଥିତିରେ ସମ୍ବଲପୁରର ପୂର୍ବତନ ବିଧାୟିକା ସ୍ବର୍ଗତ ରାସେଶ୍ୱରୀ ପାଣିଗ୍ରାହୀଙ୍କ 2 ପୁତୁରା ସପରିବାର ଦୁବାଇରେ ରହିଛନ୍ତି । ଏପଟେ ସମ୍ବଲପୁରରେ ରହୁଥିବା ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି । ସ୍ବର୍ଗତ ପାଣିଗ୍ରାହୀଙ୍କ ସାନ ଭାଇ ତଥା ସମ୍ବଲପୁର ଭତରାର ବାସିନ୍ଦା ସୁଭାଷ ପାଣିଗ୍ରାହୀ 2 ପୁତୁରାଙ୍କ ସହ ପ୍ରତ୍ୟେକ ଦିନ ଫୋନ ଜରିଆରେ କଥାବାର୍ତ୍ତା କରି ସେମାନଙ୍କ ସ୍ଥିତି ପଚାରି ବୁଝୁଛନ୍ତି l
ଏ ନେଇ ସୁଭାଷ ପାଣିଗ୍ରାହୀ କହିଛନ୍ତି, 'ମୋର 2 ପୁତୁରା ପ୍ରିୟଦର୍ଶୀ ଓ ରାଜର୍ଶୀ ଦୁବାଇରେ ରହି ଆସୁଛନ୍ତି l ସେମାନେ ମୋର ବଡ଼ ଭଉଣୀ ସ୍ବର୍ଗତ ଡା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦ୍ଵାଦଶାହରେ ଯୋଗ ଦେବାକୁ କିଛି ଦିନ ପୂର୍ବରୁ ଆସିଥିଲେ l ଏହି କାର୍ଯ୍ୟ ସରିଲା ପରେ ସେମାନେ ଦୁବାଇ ଫେରି ଯାଇଥିଲେ l ସେମାନେ ଗତ 28 ତାରିଖରେ ଦୁବାଇ ପହଞ୍ଚିଥିଲେ । ତେବେ ସେଠାରେ ପହଂଚିବାର କିଛି କ୍ଷଣ ପରେ ଦୁବାଇ ଏୟାରପୋର୍ଟ ପୁରାପୁରି ବନ୍ଦ ହୋଇଗଲା l କାରଣ 2 ପୁତୁରା ସେମାନଙ୍କ ପିଲାମାନଙ୍କୁ ନିଜର ମେଡ ସର୍ଭେଣ୍ଟଙ୍କ ଭରସାରେ ସେଠି ଛାଡି ଆସିଥିଲେ l ଯଦି ଆଉ କିଛି ବିଳମ୍ବ ହୋଇଥାନ୍ତା, ପିଲା ଓ ବାପା-ମାଙ୍କୁ ବହୁ ଦିନ ଧରି ଅଲଗା ରହିବାକୁ ପଡିଥାନ୍ତା l ତେବେ ବର୍ତମାନ ଭଗବାନଙ୍କ ଦୟାରୁ ସେଠାରେ ଭଲ ଅଛନ୍ତି' ବୋଲି କହିଛନ୍ତି କକା ।
ସୁଭାଷ ପାଣିଗ୍ରାହୀ କହିଛନ୍ତି, 'ଯୁଦ୍ଧ ଆରମ୍ଭ ହେବା ପରେ ଆମେ ଚିନ୍ତାରେ ରହୁଛୁ l ସେମାନେ କହୁଛନ୍ତି ଯେ, ପରିସ୍ଥିତି ନିୟନ୍ତ୍ରଣରେ ରହିଛି l ସମଗ୍ର UAEରେ ବର୍ତମାନ ସୁଦ୍ଧା 3 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ସୂଚନା ମିଳୁଛି l ଦୁବାଇର ଆର୍ମି ବହୁତ ଶକ୍ତିଶାଳୀ । ସେମାନେ ଯୁଦ୍ଧ ପରିସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି l ସରକାର ସମସ୍ତ ନାଗରିକଙ୍କୁ ଘରେ ରହିବାକୁ କହିବା ସହ, ଲୋକଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ନିର୍ଦେଶ ଦେଇଛନ୍ତି l ତଥାପି ଆମେ ଚିନ୍ତାରେ ଅଛୁ ଏବଂ ଯୁଦ୍ଧ ବନ୍ଦ ହୋଇଯାଉ ବୋଲି ଚାହୁଁଛୁ l '

ଏ ସମ୍ପର୍କରେ ଦୁବାଇରେ ଥିବା ପ୍ରିୟଦର୍ଶୀ ପାଣିଗ୍ରାହୀଙ୍କ ସହ ଇଟିଭି ଭାରତ ପକ୍ଷରୁ ସିଧାସଳଖ ଯୋଗାଯୋଗ କରାଯାଇଥିଲା । ସେ କହିଥିଲେ, ଦୁବାଇରେ ପ୍ରାୟ 20 ହଜାର ଓଡିଆ ରହିଛନ୍ତି । ସମସ୍ତେ ସୁରକ୍ଷିତ ଅଛନ୍ତି । ୟୁଏଇର ଡିଫେନ୍ସ ସିଷ୍ଟମ ଯେହେତୁ ବହୁତ ଭଲ, ତେଣୁ ମିସାଇଲକୁ ଆକଶରେ ନିଷ୍କ୍ରିୟ କରି ଦିଆଯାଉଛି । ଗତକାଲି ସକାଳ 9.30 ଟାରେ 2ଟି ମିସାଇଲକୁ ନିଷ୍କ୍ରିୟ କରି ଦିଆ ଯାଇଥିଲା । କିନ୍ତୁ ତା ପରଠାରୁ ପରିସ୍ଥିତି ଶାନ୍ତ ଅଛି । ସମସ୍ତଙ୍କୁ ୱାର୍କ ଫ୍ରମ ହୋମ କରିବା ପାଇଁ ୟୁଏଇ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ସବୁ ମଧ୍ୟ ଅନଲାଇନ କରାଯାଉଛି । ସରକାର ପକ୍ଷରୁ ସମସ୍ତଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ କୁହାଯାଇଛି । ତେବେ ଯୁଦ୍ଧ କେବେ ଶେଷ ହେବ ସେ ନେଇ ଆମେ ଯାହା ଚିନ୍ତାରେ ଅଛୁ ।'

ପ୍ରିୟଦର୍ଶୀ ପାଣିଗ୍ରାହୀଙ୍କ କହିବା ଅନୁଯାୟୀ, 'UAE ସରକାରୀ ତଥ୍ୟ ଅନୁସାରେ, ଇରାନ ପକ୍ଷରୁ 174 ମିସାଇଲ ମାଡ ହୋଇଥିବାବେଳେ 161କୁ ଅକାମୀ କରି ଦିଆଯାଇଛି । 13ଟି ସମୁଦ୍ର ଭିତରେ ପଡିଛି । ସେହିପରି 689 ଇରାନୀ ଡ୍ରୋନ ଠାବ କରାଯାଇଥିଲା । ସେଥିରୁ 645କୁ ଅକାମୀ କରି ଦିଆଯାଇଥିଲା । 44ଟି ଡ୍ରୋନ ଦେଶ ଭିତରେ ପଡିଥିଲା । 8ଟି କ୍ରୁଜ ମିସାଇଲ ଠାବ କରାଯାଇ ତାକୁ ମଧ୍ୟ ନଷ୍ଟ କରାଯାଇଥିଲା । ଏଥିରେ 3 ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏମାନଙ୍କ ମଧ୍ୟରେ କେହି ଭାରତୀୟ ନାହାନ୍ତି । 68 ଜଣ ସାମାନ୍ୟ ଆହତ ହୋଇଛନ୍ତି ।'

ଇଟିଭି ଭାରତ, ଭୁବନେଶ୍ବର
ଏହା ମଧ୍ୟ ପଢନ୍ତୁ ମଧ୍ୟପ୍ରାଚ୍ୟ ଦେଶରେ ବିଗୁଡୁଛି ସ୍ଥିତି; ପ୍ରବାସୀ ଓଡ଼ିଆଙ୍କ ପାଇଁ ପଦକ୍ଷେପ, ନୋଡାଲ ଅଧିକାରୀ ନିଯୁକ୍ତ
ଏହା ମଧ୍ୟ ପଢନ୍ତୁ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ; 'ଆମେରିକା ବେସ' ପାଇଁ ଫସିଲେ ଇରାନର ପଡୋଶୀ ଦେଶ, ଏବେ କେଉଁ ରାସ୍ତା ବାଛିବେ

