ETV Bharat / state

୩ ହଜାରରୁ ୪ କୋଟିର ମାଲିକ; ଜେଲ ଗଲେ କୋଟିପତି ଫରେଷ୍ଟର, ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍ ଗଲେ ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା । ତାଙ୍କ ଠାରୁ ୪୭୦% ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

KALAHANDI VIGILANCE RAID
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍ ଗଲେ ଫରେଷ୍ଟର ଭାଗବତ ଭୂଷଣ ବେହେରା (ETV Bharat Odisha)
author img

By ETV Bharat Odisha Team

Published : February 22, 2026 at 8:10 AM IST

2 Min Read
Choose ETV Bharat

କଳାହାଣ୍ଡି/ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍ ଗଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା । ଗତ ଶୁକ୍ରବାର ଭବାନୀପାଟଣା ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ଟିମ ୩ଟି ସ୍ଥାନରେ ଚଢ଼ାଉ କରିଥିଲା । ତାଙ୍କ ଠାରୁ ୪୭୦% ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବା ବେଳେ ଜବତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୪ କୋଟି ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଏନେଇ କୋରାପୁଟ ଭିଜିଲାନ୍ସ ବିଭାଗରେ ଏକ ମାମଲା ନଂ(୨/୨୦୨୬)ରୁଜୁ ହୋଇଥିବା ବେଳେ ଉକ୍ତ ଫରେଷ୍ଟରଙ୍କୁ ଗିରଫ କରାଯାଇଛି । ଗତକାଲି (ଶନିବାର) ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ସହ ହାଜତକୁ ପଠାଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍ ଗଲେ ଫରେଷ୍ଟର ଭାଗବତ ଭୂଷଣ ବେହେରା (ETV Bharat Odisha)

ଏନେଇ କୋରାପୁଟ ଭିଜିଲାନ୍ସ ଡିଭିଜନ ଏସପି ରବୀନ୍ଦ୍ର ପଣ୍ଡା କହିଛନ୍ତି,"ଫରେଷ୍ଟର ଭାଗବତ ଭୂଷଣ ବେହେରା ଆୟ ର୍ବହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ୩ଟି ସ୍ଥାନରେ ଚଢ଼ାଉ କରିଥିଲା । ଏହି ସମୟରେ ଭବାନୀପାଟଣା ହିଲ ଟାଉନରେ ଥିବା ୫୩ ଶହ ସ୍କୁଏରଫୁଟର ଏକ ମଲ୍ଟି ଷ୍ଟୋରେଡ଼ କୋଠା ଯାହାର ମୂଲ୍ୟ ୧ କୋଟି ୩୬ ଲକ୍ଷ, ଭବାନୀପାଟଣା ସହର ମଧ୍ୟରେ ଦାମୀମୂଲ୍ୟ ର ୯ଟି ପ୍ଳଟ, ୪୭୦ ଗ୍ରାମ ସୁନା, ୩୫୦ ଗ୍ରାମ ରୂପା, ୪ଟି ହାର୍ଭେଷ୍ଟର (ଧାନ କଟା ମେସିନ), ଗୋଟିଏ ଚାରିଚକିଆ ଗାଡି ମୂଲ୍ୟ (୧୨ ଲକ୍ଷ), ଗୋଟିଏ ଟିପର ଓ ହାଇୱା, ୪ଟି ବେନାମୀ ଟ୍ରାକ୍ଟର ଓ ବୁଲେରୋ ସମେତ, ବ୍ୟାଙ୍କ ପୋଷ୍ଟାଲ, ଜୀବନ ବୀମା ଜମା (ଯାହାର ମୂଲ୍ୟ ୩୪.୮ ଲକ୍ଷ) ଓ ତାଙ୍କ ପରିବାର ବର୍ଗଙ୍କ ଠାରୁ ୧୧.୧୫ ଲକ୍ଷ ଟଙ୍କା ନଗଦ ମିଳିଥିଲା । ଏହାପରେ ତାଙ୍କ ଭାଇଙ୍କ ନାଁରେ ମଧ୍ୟ ସେ ଅନେକ ସମ୍ପତ୍ତି ଠୁଳ କରିଛନ୍ତି। ତାଙ୍କ ପୌତୃକ ବାସଭବନରେ ୪ଟି ହାର୍ଭେଷ୍ଟର ଓ ୪ଟି ଟ୍ରାକ୍ଟର ସମେତ ଗୋଟିଏ ହାଇୱା ଥିବା ଜଣାପଡିଛି । ବର୍ତ୍ତମାନ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେ କେଉଁ କେଉଁ ଅଞ୍ଚଳରେ କାର୍ଯ୍ଯ କରିଛନ୍ତି ଓ ସେହି ସମୟରେ କେଉଁ କେଉଁ ଯୋଜନାରେ ଜାଲିଆତି କରିଛନ୍ତି, ତାହାର ମଧ୍ୟ ତଦନ୍ତ କରାଯିବ । "

KALAHANDI VIGILANCE RAID
ଜେଲ ଗଲେ କୋଟିପତି ଫରେଷ୍ଟର (ETV Bharat Odisha)

ସେପଟ ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ସମେତ ତାଙ୍କ ସ୍ତ୍ରୀ ଭିତିକା ବେହେରା, ବଡ଼ ଭାଇ ଭାରତ ଭୂଷଣ ବେହେରା, ଭାଉଜ ରଞ୍ଜିତା ବେହେରାଙ୍କ ନାଁରେ ମଧ୍ୟ ମାମଲା ଦାୟର କରିଛି ଭିଜିଲାନ୍ସ ଟିମ୍ । ଗତ ୨୦୦୦ ମସିହା ଅଗଷ୍ଟ ମାସ ୨୦ ତାରିଖରେ ଭାଗବତ ଭୂଷଣ ବେହେରା କଳାହାଣ୍ଡି ଉତ୍ତର ବନଖଣ୍ଡରେ ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ପାଇଥିଲେ । ସେହି ସମୟରେ ତାଙ୍କ ଦରମା ମାତ୍ର ୩ ହଜାର ରହିଥିଲା । ତେବେ ଚାକିରିର ୨୫ ବର୍ଷ ପରେ ଫରେଷ୍ଟର ହେବା ପରେ ଏତେ ସମ୍ପତ୍ତି କେମିତି ଠୁଳ କଲେ, ତାହାକୁ ନେଇ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି ।

KALAHANDI VIGILANCE RAID
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍ ଗଲେ ଫରେଷ୍ଟର ଭାଗବତ ଭୂଷଣ ବେହେରା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା; 'ମେରି ସହେଲି ଆପ୍' ଦ୍ବାରା ମିଳିଲା ସମସ୍ତ ସହାୟତା

ଏହା ମଧ୍ୟ ପଢନ୍ତୁ... ନବ ଦାସ ହତ୍ୟା ମାମଲାର ନୂଆ ଟ୍ବିଷ୍ଟ; PSO କହିଲେ ଗୁଳିମାଡ଼ କିଏ କରିଛି, ମୁଁ ଦେଖିନି

ଏହା ମଧ୍ୟ ପଢନ୍ତୁ... ଶୈଳବାଳା କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି; ଗେଟ୍ ରେ ତାଲା ପକାଇ ରାସ୍ତାରେ ଛାତ୍ରୀଙ୍କ ପ୍ରତିବାଦ

ଇଟିଭି ଭାରତ, କଳାହାଣ୍ଡି/ଭୁବନେଶ୍ବର