ETV Bharat / state

ବନବିଭାଗ ବନ୍ଦ କରିଦେଲା ଜଙ୍ଗଲ ରାସ୍ତା, ଖାଦ୍ୟ-ପାନୀୟ ପାଇଁ ହନ୍ତସନ୍ତ ଛୋଟକାଇ ଗାଁଲୋକେ

ଛୋଟକେଇ ଠାରୁ ଜଙ୍ଗଲ ରାସ୍ତା ଦେଇ ନରସିଂହପୁର ଯିବାକୁ ହେଲେ ମାତ୍ର ୧୦/୧୨ କିମି ହୋଇଥାଏ । ଏହି ରାସ୍ତା ବନ୍ଦ ହେବା ପରେ ଅନୁଗୋଳ ଦେଇ ପ୍ରାୟ ୧୨୦କିମି ଯିବାକୁ ପଡୁଛି ।

forest department closed the road to nearest village, villagers struggle for food and water increases
ଅନ୍ୟ ଗ୍ରାମକୁ ରାସ୍ତା ବନ୍ଦ କଲା ବନ ବିଭାଗ, ଖାଦ୍ୟପାନୀୟ ପାଇଁ ହନ୍ତସନ୍ତ ଛୋଟକାଇ ଗ୍ରାମବାସୀ (ETV Bharat Odisha)
author img

By ETV Bharat Odisha Team

Published : January 5, 2026 at 4:02 PM IST

3 Min Read
Choose ETV Bharat

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ଛୋଟ ଏକ ଗ୍ରାମ 'ଛୋଟକେଇ' । ଏହା ରାଜସ୍ବ ଗ୍ରାମ ଭାବେ ମଧ୍ୟ ମାନ୍ୟତା ପାଇଛି । ମାତ୍ର ଏଠାରେ ବନ ବିଭାଗର ବିଭିନ୍ନ କଟକଣା ଯୋଗୁଁ ଅଣନିଶ୍ବାସୀ ହୋଇପଡୁଛନ୍ତି ଏଠାକାର ଗ୍ରାମବାସୀ । ନିକଟସ୍ଥ ଗ୍ରାମ ନରସିଂହପୁରକୁ ଯାତାୟାତ ପାଇଁ ଥିବା ନିକଟତମ ରାସ୍ତାରୋ ଯାତାୟାତ ପାଇଁ ବନବିଭାଗ ପକ୍ଷରୁ କଟକଣା ଲଗାଯାଇଛି । ଯାହା ଫଳରେ ଛୋଟକେଇ ଗ୍ରାମବାସୀ ସଡ଼କକୁ ଓହ୍ଲାଇ ଏହାର ତୀବ୍ର ବିରୋଧ କରିଛନ୍ତି ।

ଅନ୍ୟ ଗ୍ରାମକୁ ରାସ୍ତା ବନ୍ଦ କଲା ବନ ବିଭାଗ, ଖାଦ୍ୟପାନୀୟ ପାଇଁ ହନ୍ତସନ୍ତ ଛୋଟକାଇ ଗ୍ରାମବାସୀ (ETV Bharat Odisha)

୧୦/୧୨ କିମି ବାଟ ପରିବର୍ତ୍ତେ 120 କିମି ବାଟ:

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପୁରୁଣାକୋଟ ବନାଞ୍ଚଳ ଭିତରେ ଅବସ୍ଥିତ ଛୋଟକେଇ ଗାଁ । ଗାଁରେ ୨୦୦ରୁ ଅଧିକ ପରିବାର ବସବାସ କରନ୍ତି । ସମସ୍ତେ ଚାଷବାସ କରି ଜୀବିକା ନିର୍ବାହ କରନ୍ତି । ବନ୍ୟଜନ୍ତୁ ଉପଦ୍ରବ ଯୋଗୁଁ ଆଗ ଭଳି ଆଉ ଚାଷବାସ ହେଉନାହିଁ । ତେଣୁ ପନିପରିବା, ଡାଲି, ମାଛ ମାଂସ ଓ ଅନ୍ୟାନ୍ୟ ନିତିଦିନିଆ ସାମଗ୍ରୀ ପାଇଁ ନରସିଂହପୁରରୁ ଏହି ଗାଁକୁ ଆସୁଥିବା ଛୋଟ ଛୋଟ ବେପାରୀମାନଙ୍କ ଉପରେ ଗ୍ରାମବାସୀ ନିର୍ଭର କରନ୍ତି । ଏହି ଗାଁ ଠାରୁ ଜଙ୍ଗଲ ରାସ୍ତା ଦେଇ ନରସିଂହପୁର ଯିବାକୁ ହେଲେ ମାତ୍ର ୧୦/୧୨ କିମି ହୋଇଥାଏ । ଏହାଛଡା ଛୋଟକେଇ ଗାଁର ଲୋକେ ମଧ୍ୟ ନରସିଂହପୁର ଅଞ୍ଚଳରେ ନିଜ ବନ୍ଧୁବାନ୍ଧବଙ୍କ ନିକଟକୁ ଯାତାୟାତ କରିଥାନ୍ତି । କିନ୍ତୁ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଆଳରେ ସାତକୋଶିଆ କର୍ତ୍ତୃପକ୍ଷ ସେହି ରାସ୍ତାରେ ଯାତାୟାତ ଉପରେ କଟକଣା ଲଗାଇଛନ୍ତି । ଫଳରେ ଛୋଟକେଇ ଲୋକଙ୍କୁ ନରସିଂହପୁର ଯିବାକୁ ହେଲେ ଅନୁଗୋଳ ଦେଇ ପ୍ରାୟ ୧୨୦କିମି ଯିବାକୁ ପଡୁଛି । ଯାହାକି ସେମାନଙ୍କ ପାଇଁ ବହୁତ ଖର୍ଚ୍ଚ ଓ ସମୟ ସାପେକ୍ଷ । ଏଥିପାଇଁ ଏହି ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।

Chotakai village
ଛୋଟକେଇ ଗ୍ରାମ (ETV Bharat Odisha)

ପାନୀୟ ଜଳ ଓ ଖାଦ୍ୟ ସମସ୍ୟା:

ଏହାଛଡା ଏହି ରାସ୍ତା ଉପରେ କଟକଣା ଲଗାଇବା ପରେ ନରସିଂହପୁର ଅଞ୍ଚଳରୁ କୌଣସି ବେପାରୀ ଆସୁ ନଥିବାରୁ ଲୋକେ ତେଲ, ଲୁଣ, ଡାଲି ଓ ପନିପରିବା ପାଇ ପାରୁ ନାହାନ୍ତି । ବହୁ କଷ୍ଟରେ ସେମାନଙ୍କ ଜୀବନ ବିତୁଛି । ଖାଲି ସେତିକି ନୁହେଁ ଗ୍ରାମବାସୀଙ୍କ ଅନ୍ୟତ୍ର ସ୍ତାନାନ୍ତର କରିବାକୁ ବନ ବିଭାଗ ଜାଣିଶୁଣି ଲୋକଙ୍କୁ ଏପରି ଅସୁବିଧାରେ ପକାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାମ ଅଧା ପନ୍ତରିଆ ହୋଇ ପଡିରହିଛି । କଟକଣା ଆଳରେ ଏହାକୁ ସମ୍ପୂର୍ଣ୍ଣ କରାଇ ଦେଉନି ବନ ବିଭାଗ ବୋଲି କହିଛନ୍ତି ଗ୍ରାମବାସୀ । ଏସବୁ କାରଣକୁ ନେଇ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି । ବାଧ୍ୟ ହୋଇ ବନ ବିଭାଗ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି ।

Villagers protest against the Forest Department
ଗ୍ରାମବାସୀଙ୍କ ବନ ବିଭାଗ ବିରୋଧରେ ପ୍ରତିବାଦ (ETV Bharat Odisha)

ଗ୍ରାମବାସୀଙ୍କ ଜରୁରୀ ବୈଠକ:

ବନ ବିଭାଗର ଏଭଳି ମନମୁଖୀ କାର୍ଯ୍ୟକୁ ନେଇ ଗାଁରେ ଏକ ଜରୁରୀ ବୈଠକ କରିଥିଲେ ଗ୍ରାମବାସୀ । ବୈଠକର ନିଷ୍ପତ୍ତି ଅନୁସାରେ ସାତକୋଶିଆ ଡିଏଫଓ, ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଭାବେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଧିକାଂଶ ଗ୍ରାମବାସୀ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁ ଛାଡି ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଚାହୁଁ ନାହାନ୍ତି । କିନ୍ତୁ ବନ ବିଭାଗ ଲୋକଙ୍କୁ ହଇରାଣ ହରକତ କରି ପରୋକ୍ଷ ଭାବେ ଗାଁ ଛାଡିବାକୁ ବାଧ୍ୟ କରୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏଠାରେ ରହୁଥିବା ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସହ ବନ୍ୟଜନ୍ତୁ ଦାଉରୁ ରକ୍ଷା କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ଓ ମାତ୍ରାଧିକ କଟକଣା ପ୍ରତ୍ୟାହାର କରୁ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି । ନଚେତ ଆଗାମୀ ଦିନରେ ସବୁ ଜଙ୍ଗଲ ରାସ୍ତାକୁ ଗ୍ରାମବାସୀ ବନ୍ଦ କରିବା ସହ ରେଞ୍ଜ କାର୍ଯ୍ୟାଳୟରେ ତାଲା ପକାଇ ଦିଆ ଯିବ । କୌଣସି ବନ କର୍ମଚାରୀଙ୍କୁ ଜଙ୍ଗଲ ଭିତରକୁ ଯିବାକୁ ଦିଆଯିବ ନାହିଁ । ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ସ୍ଥାନୀୟ ବିଧାୟକ ନଳିନୀ ପ୍ରଧାନ ଲୋକଙ୍କ ପାଖକୁ ଯାଇ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏନେଇ ସେ ନିଜେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ବିଭାଗ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିବେ । ଲୋକଙ୍କ ସୁବିଧା ପାଇଁ କଟକଣା କୋହଳ କରିବାକୁ କହିବେ ।

MLA discussing with villagers
ଗ୍ରାମବାସୀଙ୍କ ସହିତ ବିଧାୟକ ଆଲୋଚନା କରୁଛନ୍ତି (ETV Bharat Odisha)

ଛୋଟକେଇ ବାସିନ୍ଦା ରମେଶ ଝଙ୍କଡ଼ କହିଛନ୍ତି,"ଆମର ନରସିଂହପୁରକୁ ବହୁ ସମୟରେ ଯାତାୟାତ କରିଥାଉ । ଏହି ରାସ୍ତାକୁ ବନ ବିଭାଗ ବନ୍ଦ କରିଦେଇଛନ୍ତି । ଗ୍ରାମକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ହେବାର ଥିଲା, DFO ଅନୁମତି ନ ଦେବାରୁ କାମ ସମ୍ପୂର୍ଣ୍ଣ ହୋଇପାରୁନି । ବହୁ ସମୟରେ ହାତୀ ବାରହା ଗ୍ରାମରେ ପଶି ଫସଲ ନଷ୍ଟ କରୁଛନ୍ତି । ଫଳରେ ଧମ ଜୀବନ ହାନି ହେଉଛି । ଏବଂ DFO ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି ।"

ଅନ୍ୟ ଜଣେ ଛୋଟକେଇ ବାସିନ୍ଦା ବାସନ୍ତୀ ଅଦାବର କହିଛନ୍ତି,"ଗ୍ରାମରେ ହାତୀ ବାରହାଙ୍କ ଉପଦ୍ରବ ଯୋଗୁଁ କୌଣସି ପନିପରିବା, ଡାଲି, ବିରି ଆଦି ଚାଷ କରାଯାଇପାରୁନି । ଆମେ ଅନ୍ୟ ଆମିଷ ଖାଦ୍ୟ ଗ୍ରହଣ କରୁନାହୁଁ । ଫଳରେ ଗ୍ରାମକୁ ଆସୁଥିବା ବେପାରୀ ଉପରେ ଖାଦ୍ୟ ପାଇଁ ନିର୍ଭର କରୁ । ବନବିଭାଗ ଏହି ରାସ୍ତା ବନ୍ଦ କରିଦେଲେ ଆମେ ବଞ୍ଚିବି କିପରି ।"



'ଗ୍ରାମବାସୀଙ୍କ ସୁବିଧା ପାଇଁ ପ୍ରୟାସ କରିବି'

ଅନ୍ୟପଟେ ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ କହିଛନ୍ତି,"ଆଜି ଗ୍ରାମବାସୀମାନେ ଏକ ବୈଠକ କରିଛନ୍ତି । ଏହି ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନରସିଂହପୁର ଓ ଛୋଟକେଇ ଗ୍ରାମ ମଧ୍ୟରେ ନିକଟତମ ରାସ୍ତାକୁ ବନ୍ଦ କରାଯିବା ଫଳରେ ଗ୍ରାମବାସୀ ଅସନ୍ତୁଷ୍ଟ ରହିଛନ୍ତି । ଏନେଇ ମୁଁ ଉପର ସ୍ତରର ଅଧିକାରୀଙ୍କ ସହିତ ଆଲୋଚନା କରିବି । ଏବଂ ଗ୍ରାମବାସୀଙ୍କୁ ଯେପରି ପୂର୍ବରୁ ସୁବିଧା ସୁଯୋଗ ମିଳୁଥିଲା ତାହା ଆଗ ପରି ମିଳୁ ବୋଲି ପ୍ରୟାସ କରିବି ।"

ଏହା ମଧ୍ୟ ପଢନ୍ତୁ: ମାଣିକଯୋଡି-ଶରଧାପୁର ଦେଖିବ ପକ୍କା ସଡ଼କ, ୨୫ କୋଟିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ


ଇଟିଭି ଭାରତ, ଅନୁଗୋଳ