ETV Bharat / state

ମହାନଦୀରେ ବଢୁଛି ବନ୍ୟାଜଳ; ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ପାର, ତଳିଆ ଅଞ୍ଚଳରେ ଜଳବନ୍ଦୀ ଆଶଙ୍କା

ବନ୍ୟା ପରିସ୍ଥିତି ଉପରେ ନଜର ଥିବା ବେଳେ ଆଗାମୀ କିଛି ଦିନ ପାଇଁ ବିଭିନ୍ନ ନଦୀ ଅବବାହିକାରେ ବର୍ଷା ପୂର୍ବାନୁମାନ ରହିଛି । ରିପୋର୍ଟ- ସଞ୍ଜୀବ ରାୟ

d
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ (d)
author img

By ETV Bharat Odisha Team

Published : August 27, 2026 at 5:03 PM IST

2 Min Read
Choose ETV Bharat

ଭୁବନେଶ୍ୱର: ମହାନଦୀରେ ପୁଣି ବଢୁଛି ବନ୍ୟାଜଳ । ଉପରମୁଣ୍ଡରେ ପ୍ରବଳ ଜଳପ୍ରବାହ ପରେ ତଳମୁଣ୍ଡରେ ବଢ଼ିଲା ଚିନ୍ତା । ତେବେ ହୀରାକୁଦରୁ ବଡ଼ ପରିମାଣର ଜଳ ନିଷ୍କାସନ ଜାରି ରହିଥିବା ବେଳେ କଟକ ମୁଣ୍ଡଳିରେ ଜଳପ୍ରବାହ ୬ ଲକ୍ଷ କ୍ୟୁସେକ୍ ଟପିଛି । ଏପଟେ ବର୍ତ୍ତମାନ ସମୟରେ ପ୍ରମୁଖ ନଦୀଗୁଡ଼ିକର ଅଧିକାଂଶ ସ୍ଥାନରେ ବିପଦ ସଙ୍କେତଠାରୁ ଜଳସ୍ତର ତଳେ ରହିଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।

ଜଳସମ୍ପଦ ବିଭାଗର ସୂଚନା-
୨୭ ଅଗଷ୍ଟ ସକାଳ ୯ଟାର ଜଳସମ୍ପଦ ବିଭାଗର ବୁଲେଟିନ୍ ଅନୁସାରେ, ମୁଣ୍ଡଳିରେ ମହାନଦୀର ଜଳପ୍ରବାହ ରହିଛି ୬ ଲକ୍ଷ ୨ ହଜାର ୭୫୫ କ୍ୟୁସେକ୍ । ବର୍ମୁଲରେ ୪ ଲକ୍ଷ ୨୦ ହଜାର ଏବଂ ଖଇରମାଳରେ ୪ ଲକ୍ଷ ୧୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।


କେତେ ପାଣି ଛାଡୁଛି ହୀରାକୁଦ?


ହୀରାକୁଦ ଜଳଭଣ୍ଡାରରୁ ମଧ୍ୟ ଜାରି ରହିଛି ବଡ଼ ଧରଣର ଜଳ ନିଷ୍କାସନ । ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୩.୯୭ ଫୁଟ୍, ଲାଇଭ୍ ଷ୍ଟୋରେଜ୍ କ୍ଷମତାର ୭୬.୨ ପ୍ରତିଶତ ରହିଛି । ୯୮ଟି ଗେଟ୍ ମଧ୍ୟରୁ ୧୬ଟି ଗେଟ୍ ଖୋଲା ରହିଛି ଏବଂ ଜଳ ନିଷ୍କାସନ ପ୍ରାୟ ୨ ଲକ୍ଷ ୯୦ ହଜାର ୪୩୭ କ୍ୟୁସେକ୍ । ଗତ ୨୪ ଘଣ୍ଟାର ତଥ୍ୟ ଅନୁଯାୟୀ, ହୀରାକୁଦକୁ ପ୍ରବେଶ କରିଛି ପ୍ରାୟ ୩ ଲକ୍ଷ ୩୭ ହଜାର ୭୬୫ କ୍ୟୁସେକ୍ ଜଳ । ଯେତେବେଳେ ହାରାହାରି ନିଷ୍କାସନ ରହିଛି ୨ ଲକ୍ଷ ୮୯ ହଜାର ୪୩୬ କ୍ୟୁସେକ୍ ।



ବର୍ଷା ବଢ଼ାଇଲା ଚିନ୍ତା-
ଗତ ୨୪ ଘଣ୍ଟାରେ କଳାହାଣ୍ଡିର ଥୁଆମୂଳ ରାମପୁରରେ ସର୍ବାଧିକ ୮୫ ମିଲିମିଟର, ମୟୂରଭଞ୍ଜର ଖୁଣ୍ଟାରେ ୮୦ ମିମି, ଗୋପବନ୍ଧୁନଗରରେ ୭୮ ମିମି, ନବରଙ୍ଗପୁରରେ ୬୭ ମିମି ଏବଂ ସୁନ୍ଦରଗଡ଼ର ବିସ୍ରାରେ ୬୩.୨ ମିମି ବର୍ଷା ରେକର୍ଡ କରାଯାଇଛି।

ବିପଦସଙ୍କେତ ତଳେ ନଦୀର ଜଳସ୍ତର-
ଏବେ ସୁଦ୍ଧା ଅଧିକାଂଶ ନଦୀର ଜଳସ୍ତର ବିପଦସଙ୍କେତ ତଳେ ରହିଛି । ନରାଜରେ ମହାନଦୀର ଜଳସ୍ତର ୨୫.୯୧ ମିଟର, ଯାହା ବିପଦସଙ୍କେତ ୨୬.୪୧ ମିଟରଠାରୁ ୦.୫୦ ମିଟର ତଳେ ଥିବା ବେଳେ ଖଇରମାଳରେ ଜଳସ୍ତର ୧୦୪.୩୫ ମିଟର ଅର୍ଥାତ୍ ବିପଦସଙ୍କେତଠାରୁ ୪.୬୫ ମିଟର ତଳେ ରହିଛି ।



ଆଗକୁ ବର୍ଷାର ପୂର୍ବାନୁମାନ-

ବନ୍ୟା ପରିସ୍ଥିତି ଉପରେ ନଜର ଥିବା ବେଳେ ଆଗାମୀ କିଛି ଦିନ ପାଇଁ ବିଭିନ୍ନ ନଦୀ ଅବବାହିକାରେ ବର୍ଷା ପୂର୍ବାନୁମାନ ରହିଛି । ବୈତରଣୀ ଓ ବ୍ରାହ୍ମଣୀ ସମେତ କିଛି ଅବବାହିକାରେ ଆଗାମୀ ଦିନଗୁଡ଼ିକରେ ୨୬ରୁ ୩୭ ମିମି ବର୍ଷାର ଶ୍ରେଣୀ ପୂର୍ବାନୁମାନ କରାଯାଇଛି ।

ମହାନଦୀର ତଳିଆ ଅଞ୍ଚଳ ଉପରେ ନଜର-
ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ଉପରେ ଜଳପ୍ରବାହ, ହୀରାକୁଦରୁ ବଡ଼ ଧରଣର ଜଳ ନିଷ୍କାସନ ଏବଂ ଉପରମୁଣ୍ଡରେ ବର୍ଷା, ଏହି ତିନି କାରଣ ଯୋଗୁଁ ମହାନଦୀର ତଳିଆ ଅଞ୍ଚଳ ଉପରେ ନଜର ରହିଛି । ଏପଟେ ପରିସ୍ଥିତି ଉପରେ ଜଳସମ୍ପଦ ବିଭାଗ ଓ ପ୍ରଶାସନର ନଜର ଜାରି ରହିଛି ।

ଏହା ବି ପଢନ୍ତୁ- ବୈତରଣୀ ନଦୀ ସ୍ରୋତରେ ଭାସିଗଲା କାର୍, ଦୁଇ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଇଟିଭି ଭାରତ, ଭୁବନେଶ୍ୱର