ମହାନଦୀରେ ବନ୍ୟା ପରିଚାଳନା ପ୍ରସଙ୍ଗ; ବୁର୍ଲାରେ କେନ୍ଦ୍ରୀୟ ଜଳ ଆୟୋଗର ହାଇଭୋଲଟେଜ୍ ବୈଠକ
କଲମାର ମନମାନି ଆଉ ନୁହେଁ, ମହାନଦୀ ବନ୍ୟା ଜଳ ପରିଚାଳନା ଉପରେ କଡ଼ା ନଜର । ରିପୋର୍ଟ- ସଞ୍ଜୀବ ରାୟ

Published : July 8, 2026 at 6:54 PM IST
ODISHA CHHATTISGARH MAHANADI WATER DISPUTE, ଭୁବନେଶ୍ବର: ମହାନଦୀରେ ବନ୍ୟା ପରିଚାଳନାକୁ ନେଇ ପୁଣି ଚର୍ଚ୍ଚାରେ ଛତିଶଗଡ଼ର କଲମା ବ୍ୟାରେଜ । ବର୍ଷ ବର୍ଷ ଧରି ବର୍ଷା ଋତୁରେ କଲମା ବ୍ୟାରେଜରୁ ହଠାତ୍ ବହୁ ପରିମାଣରେ ଜଳ ଛାଡ଼ିବାକୁ ନେଇ ଓଡ଼ିଶା ପକ୍ଷରୁ ଆପତ୍ତି ଉଠିଆସୁଥିଲା । ଏଥର ଆଉ ସେଭଳି ସ୍ଥିତି ନହେଉ ଏବଂ ଦୁଇ ରାଜ୍ୟ ମଧ୍ୟରେ ସମନ୍ୱୟ ରଖି ବନ୍ୟା ଜଳର ବୈଜ୍ଞାନିକ ପରିଚାଳନା କରାଯାଉ । ସେଥିପାଇଁ ବୁର୍ଲାରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ବସିଛି, ଫ୍ଲଡ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏନେଇ ସୂଚନା ପ୍ରଦାନ କରିଛନ୍ତି, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ । ସେପଟେ ଆସନ୍ତାକାଲି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବାକୁ ଥିବାରୁ ପରିସ୍ଥିତି ଉପରେ ରହିଛି ସମସ୍ତଙ୍କ ନଜର ।
ମହାନଦୀରେ ବନ୍ୟା ଆସିଲେ ସବୁଠାରୁ ପ୍ରଥମେ ଚର୍ଚ୍ଚାକୁ ଆସେ ଛତିଶଗଡ଼ର କଲମା ବ୍ୟାରେଜ । କାରଣ, ବର୍ଷା ସମୟରେ କଲମାରୁ ବିପୁଳ ପରିମାଣରେ ଜଳ ନିଷ୍କାସନକୁ ନେଇ ବାରମ୍ବାର ଦୁଇ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଆସିଛି । ଓଡ଼ିଶାର ଅଭିଯୋଗ ରହିଛି, ପୂର୍ବ ସୂଚନା ବିନା କିମ୍ବା ପର୍ଯ୍ୟାପ୍ତ ସମନ୍ୱୟ ନ ରଖି ଜଳ ଛାଡ଼ିବା ଫଳରେ ହୀରାକୁଦ ଉପରେ ଚାପ ବଢ଼େ ଏବଂ ତଳମୁଣ୍ଡ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୁଏ ।
ଏହି ପୃଷ୍ଠଭୂମିରେ ସମ୍ବଲପୁର ବୁର୍ଲାରେ ବସିଛି, ଫ୍ଲଡ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ ଟିମର ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକରେ ଓଡ଼ିଶା ଓ ଛତିଶଗଡ଼ ଜଳ ସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଯୋଗ ଦେଇଛନ୍ତି । ମୌସୁମୀ ସମୟରେ ହୀରାକୁଦ ସମେତ ଉପରମୁଣ୍ଡ ବ୍ୟାରେଜଗୁଡ଼ିକର ଜଳ ପରିଚାଳନା, ରିୟଲ ଟାଇମ୍ ଡାଟା ଆଦାନପ୍ରଦାନ, ପୂର୍ବ ସୂଚନା ବ୍ୟବସ୍ଥା ଓ ବୈଜ୍ଞାନିକ ଭାବେ ବନ୍ୟା ନିୟନ୍ତ୍ରଣ ଉପରେ ବିସ୍ତୃତ ଆଲୋଚନା ଚାଲିଛି ।
ବୈଠକର ମୁଖ୍ୟ ଫୋକସ୍ ହେଉଛି, କଲମା ବ୍ୟାରେଜରୁ ଜଳ ନିଷ୍କାସନ ଆଉ ମନଇଚ୍ଛା ଭାବେ ନୁହେଁ, ବରଂ ଦୁଇ ରାଜ୍ୟର ସମନ୍ୱୟ ଓ କେନ୍ଦ୍ରୀୟ ଜଳ ଆୟୋଗର ନିର୍ଦ୍ଦେଶ ଅନୁଯାୟୀ ହେବ । ପ୍ରତ୍ୟେକ ରିଭର ବେସିନରେ କେତେ ପରିମାଣର ଜଳ ଛାଡ଼ିବା ଉଚିତ, କେଉଁ ସମୟରେ ଛାଡ଼ିବା ଉଚିତ ଏବଂ ତାହାର ପ୍ରଭାବ କିପରି ତଳମୁଣ୍ଡ ଅଞ୍ଚଳରେ ପଡ଼ିବ, ସେସବୁ ଦିଗ ଉପରେ ମଧ୍ୟ ଆଲୋଚନା ହେଉଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ।
ବର୍ତ୍ତମାନ ଛତିଶଗଡ଼ର କଲମା ବ୍ୟାରେଜର ୪୬ଟି ଗେଟ୍ ଖୋଲା ରହିଛି । ଫଳରେ ବିପୁଳ ପରିମାଣର ଜଳ ମହାନଦୀ ଦେଇ ହୀରାକୁଦ ଆଡ଼କୁ ଆସୁଛି । ତେବେ ଛତିଶଗଡ଼ ଜଳ ସମ୍ପଦ ବିଭାଗ ପକ୍ଷରୁ ହୀରାକୁଦର ଉପରମୁଣ୍ଡ ଗେଜ୍-ଡିଶ୍ଚାର୍ଜ କେନ୍ଦ୍ରକୁ ନିୟମିତ ଭାବେ ଜଳ ପ୍ରବାହର ସୂଚନା ପଠାଯାଉଛି । ଏହାଦ୍ୱାରା ହୀରାକୁଦ କର୍ତ୍ତୃପକ୍ଷ ଆଗୁଆ ପଦକ୍ଷେପ ନେବାର ସୁଯୋଗ ପାଉଛନ୍ତି ।
ଏପଟେ ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ସକାଳ ୧୧ଟାରେ ପ୍ରଥମେ ୪ଟି ଗେଟ୍ ଖୋଲାଯିବ । ପରେ ପରିସ୍ଥିତିକୁ ଦେଖି ସନ୍ଧ୍ୟା ସୁଦ୍ଧା ଅଧିକ ଗେଟ୍ ଖୋଲାଯାଇ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ନିଷ୍କାସନ କରାଯିବ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ୍ ରହିଥିବା ବେଳେ ପ୍ରତି ସେକେଣ୍ଡରେ ପ୍ରାୟ ୨ ଲକ୍ଷ ୬୨ ହଜାର କ୍ୟୁସେକ୍ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି ।
ସେପଟେ କଟକ ମୁଣ୍ଡଳୀରେ ବନ୍ୟାଜଳ ପ୍ରବାହ କମିବା ଆରମ୍ଭ କରିଛି । ଗତକାଲି ରାତିରେ ଯେଉଁଠାରେ ୫ ଲକ୍ଷ ୫୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା, ବର୍ତ୍ତମାନ ତାହା କମି ୪ ଲକ୍ଷ ୮୦ ହଜାର କ୍ୟୁସେକ୍ ରେ ପହଞ୍ଚିଛି । ଜଳ ପ୍ରବାହ ଆହୁରି କମିବ ବୋଲି ଜଳ ସମ୍ପଦ ବିଭାଗ ଆକଳନ କରିଛି । ତେଣୁ ତଳମୁଣ୍ଡ ଅଞ୍ଚଳରେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଭାଗୀୟ ଅଧିକାରୀ ।
ଏହା ମଧ୍ୟ ପଢନ୍ତୁ- ଆସନ୍ତା ୯ ତାରିଖ ସକାଳ ୧୧ଟାରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍; ବଢ଼ିବ ମହାନଦୀ ଓ ଶାଖା ନଦୀର ଜଳସ୍ତର !
ଏହା ମଧ୍ୟ ପଢନ୍ତୁ- ମହାନଦୀ ଜଳ ବିବାଦ ପ୍ରସଙ୍ଗ; ବିଜେଡିର ଅଭିଯୋଗ ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର, ଜବାବ ଦେଲେ ଏଜି
ଇଟିଭି ଭାରତ, ଭୁବନେଶ୍ବର

