ETV Bharat / state

ମହାନଦୀ ବନ୍ୟା ଜଳ ପରିଚାଳନା; CWC ଅଧ୍ୟକ୍ଷତାରେ ଓଡିଶା ଓ ଛତିଶଗଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଛତିଶଗଡ଼ ସରାଡିହି ବ୍ୟାରେଜ୍‌ଠାରେ ଏକ ଅତ୍ୟାଧୁନିକ ‘ନନ୍-କଣ୍ଟାକ୍ଟ ଟାଇପ୍ ଡିସଚାର୍ଜ ମେଜରମେଣ୍ଟ ସିଷ୍ଟମ’ ସ୍ଥାପନ କରାଯିବ । ରିପୋର୍ଟ- ବାଦଶାହା ଜୁସ୍ମନ ରଣା

Flood Crisis Management
CWC ଅଧ୍ୟକ୍ଷତାରେ ଓଡିଶା ଓ ଛତିଶଗଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ (ETV Bharat Odisha)
author img

By ETV Bharat Odisha Team

Published : July 8, 2026 at 9:50 PM IST

3 Min Read
Choose ETV Bharat

ସମ୍ବଲପୁର: ବର୍ଷା ଦିନରେ ମହାନଦୀ ଏବଂ ହୀରାକୁଦ ଡ୍ୟାମର ବନ୍ୟା ଜଳ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ । ସମ୍ବଲପୁରରେ କେନ୍ଦ୍ରୀୟ ଜଳ ଆୟୋଗ (CWC) ଅଧ୍ୟକ୍ଷତାରେ ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉଭୟ ରାଜ୍ୟ ମଧ୍ୟରେ ବର୍ଷା ସମୟରେ ସୂଚନା ଆଦାନ ପ୍ରଦାନ ନେଇ ଆଲୋଚନା ହୋଇଛି l ତେବେ ଆଗକୁ ହୀରାକୁଦ ଡ୍ୟାମର ବନ୍ୟା ଜଳ ପରିଚାଳନା ସହଜ ହେବ ବୋଲି ଆଶା କରାଯାଉଛି l

CWC ଅଧ୍ୟକ୍ଷତାରେ ଓଡିଶା ଓ ଛତିଶଗଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ (ETV Bharat Odisha)

ଏନେଇ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ପ୍ରତାପ ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ଆଜି CWCର ଅଧ୍ୟକ୍ଷତାରେ ବୁର୍ଲା ଅଶୋକ ନିବାସ ଠାରେ ବନ୍ୟା ବିପର୍ଯ୍ୟୟ ପରିଚାଳନା ନେଇ ଛତିଶଗଡ ଓ ଓଡିଶାର ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l CWC ଏହି ବୈଠକ ପାଇଁ ଆଗୁଆ ସମୟ ଓ ସ୍ଥାନ ଧାର୍ଯ୍ୟ କରି ଉଭୟ ରାଜ୍ୟର ଜଳ ସମ୍ପଦ ବିଭାଗର ଅଧିକାରୀଙ୍କୁ ବୈଠକ ନେଇ ଆଗୁଆ ସୂଚନା ଦେଇଥିଲେ l ଏହି ବୈଠକରେ ବହୁତ ଭଲ ଭାବେ ଆଲୋଚନା ହୋଇଥିଲା l ବୈଠକରେ ଏହି ବର୍ଷା ଦିନେ ଛତିଶଗଡ ଓ ଓଡିଶା ରାଜ୍ୟ ମଧ୍ୟରେ ବୃଷ୍ଟି ପାତ ସମ୍ପର୍କିତ ତଥ୍ୟ, ବନ୍ୟା ଜଳ କେତେ ପ୍ରବାହିତ ହେଉଛି ସେନେଇ ତଥ୍ୟ ଆଦାନ ପ୍ରଦାନ କିପରି ଭଲ ଭାବେ ହୋଇ ପାରିବ ସେନେଇ ଆଲୋଚନା ହୋଇଛି l

Flood Crisis Management
CWC ଅଧ୍ୟକ୍ଷତାରେ ଓଡିଶା ଓ ଛତିଶଗଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ (ETV Bharat Odisha)

ଏହି ବୈଠକରେ ଓଡିଶା ସରକାରଙ୍କ EIC ସିଶୀଳ ବେହେରା, ହୀରାକୁଦର ମୁଖ୍ୟଯନ୍ତ୍ରୀ ପ୍ରତାପ ଚୌଧୁରୀ, ଏହା ସହ ଚିଫ୍ ଇଞ୍ଜିନିଅର, ଡ୍ୟାମ ସେଫଟି ଅଫିସର ଥିବା ବେଳେ ଛତିଶଗଡ ସରକାରଙ୍କ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଣବ ପାଲ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଆସିଷ୍ଟାଣ୍ଟ ଇଞ୍ଜିନିଅର ଯୋଗ ଦେଇଥିଲେ l ମହାନଦୀ ଆଣ୍ଡ ଇଷ୍ଟର୍ନ ରିଭରସ ଅର୍ଗାନାଇଯେସନ, ଭୁବନେଶ୍ୱର, CWCର ମୁଖ୍ୟ ଯନ୍ତ୍ରୀ ନାଗା ମୋହନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା l


ଏହି ଅବସରରେ CWCର ମୁଖ୍ୟଯନ୍ତ୍ରୀ ନାଗା ମୋହନ କହିଛନ୍ତି, "ମହାନଦୀ ବେସିନର ସିଷ୍ଟମ -2 ର ବୈଠକ ବୁର୍ଲା ଠାରେ ଅନୁଷ୍ଠିତ ହୋଇଯାଇଛି l ଉଭୟ ଛତିଶଗଡ ଓ ଓଡିଶା ରାଜ୍ୟର ଜଳ ସମ୍ପଦ ବିଭାଗ ଅଧିକାରୀଙ୍କୁ ଡାକି ଆଲୋଚନା କରିଛୁ l ଏହି ବୈଠକରେ ବନ୍ୟା ଜଳ ପ୍ରବାହ ଓ ବୃଷ୍ଟି ପାତ ସମ୍ପର୍କିତ ତଥ୍ୟ ଆଦାନ ପ୍ରଦାନ କରିବାକୁ ଉଭୟ ରାଜ୍ୟକୁ କହିଥିଲୁ, ଯେଉଁଥିରେ ଉଭୟ ରାଜ୍ୟ ସହମତ ହୋଇଛନ୍ତି l ହୀରାକୁଦର ଉପର ମୁଣ୍ଡରେ ଥିବା ମହାନଦୀର ଅବବାହିକା ଓ ହୀରାକୁଦ ତଳ ମୁଣ୍ଡର ଅବବାହିକାର ବୃଷ୍ଟି ପାତ, ଛତିଶଗଡ ପଟୁ କେତେ ପରିମାଣର ବନ୍ୟା ଜଳ ଆସୁଛି, କେଉଁ ଡ୍ୟାମରୁ କେତେ ବନ୍ୟା ଜଳ ଛଡା ଯାଉଛି ଏହାର ଆଗୁଆ ସୂଚନା ଆଦାନ ପ୍ରଦାନ ବିଷୟରେ ଆଲୋଚନା ହୋଇଛି l ଏହା ଦ୍ୱାରା ଓଡିଶାରେ ହୀରାକୁଦ ଡ୍ୟାମର ବନ୍ୟା ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ସହଜ ହୋଇ ପାରିବ l"

Flood Crisis Management
ମହାନଦୀରେ ବନ୍ୟା ଜଳ (ETV Bharat Odisha)



ଏହାସହ ବର୍ତ୍ତମାନ IMDରୁ ବୃଷ୍ଟି ପାତର ତଥ୍ୟ CWCର ଗେଜ୍ ଡିସଚାର୍ଜ ସେଣ୍ଟରରୁ ତଥ୍ୟ ନିଆଯିବା ସହ ଛତିଶଗଡ ଓ ଓଡିଶା ରାଜ୍ୟର ଗେଜ ଡିସଚାର୍ଜ ସେଣ୍ଟରରୁ ତଥ୍ୟ ସଂଗ୍ରହ କରାଯାଇ ସମସ୍ତେ ଆଦାନ ପ୍ରଦାନ କରିବେ ଯାହା ଦ୍ୱାରା ବନ୍ୟା ପରିଚାଳନା ସହଜ ହେବ । ତେଣୁ ଆମେ ମିଳିମିଶି କି କାମ କରିବାକୁ ଗୁରୁତ୍ବ ଦେଉଛୁ ବୋଲି କହିଛନ୍ତି CWC ମୁଖ୍ୟଯନ୍ତ୍ରୀ l



ଅନ୍ୟପଟେ ଛତିଶଗଡ ରାଜ୍ୟର ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଣବ ପାଲ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ମୌସୁମୀ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଥାଏ l ମୁଖ୍ୟତଃ ବର୍ଷା ଦିନେ ଅତ୍ୟଧିକ ବର୍ଷା ହେଲେ ଡ୍ୟାମ ଓ ବ୍ୟାରେଜ ଗୁଡିକ ର ଗେଟ ଖୋଳିଲେ ଯେମିତି ଆଗୁଆ ସୂଚନା ଆଦାନ ପ୍ରଦାନ କରାଯିବ ସେନେଇ ଆଲୋଚନା ହୋଇଛି l କେମିତି ବନ୍ୟା ଦ୍ୱାରା ଧନ ଜୀବନ ନଷ୍ଟ ନହେବ ସେନେଇ ଆଲୋଚନା ହୋଇଛି l ସୂଚନା ଆଦାନ ପ୍ରଦାନ ନେଇ ଉଭୟ ରାଜ୍ୟର ଅଧିକାରୀମାନଙ୍କୁ ନେଇ ଏକ WhatsApp ଗ୍ରୁପ ମଧ୍ୟ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି l


ସୂଚନାଯୋଗ୍ୟ ଯେ ମହାନଦୀ ବେସିନକୁ ମୋଟ ତିନୋଟି ବୃହତ ଭାଗରେ ବିଭକ୍ତ କରାଯାଇ ବନ୍ୟା ନିୟନ୍ତ୍ରଣର ସମୀକ୍ଷା କରାଯାଉଛି । ଏଥିମଧ୍ୟରୁ ସିଷ୍ଟମ-2ର ସଂପୂର୍ଣ୍ଣ କାର୍ଯ୍ୟକାରିତା ହୀରାକୁଦ ଡ୍ୟାମ ଅଞ୍ଚଳରେ ହେଉଥିବା ବେଳେ ଆସନ୍ତା ମାସରେ ଛତିଶଗଡ଼ର ରାୟପୁରଠାରେ ସିଷ୍ଟମ-1କୁ ନେଇ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ବୈଠକରେ ଆଲୋଚନା ହୋଇଛି l ​

Flood Crisis Management
CWC ଅଧ୍ୟକ୍ଷତାରେ ଓଡିଶା ଓ ଛତିଶଗଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ (ETV Bharat Odisha)
ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ୱାରା ପ୍ରଦତ୍ତ ବର୍ଷାର ଆକଳନ, କ୍ୟାଚମେଣ୍ଟ ଏରିଆ ବା ଜଳଗ୍ରହଣ ଅଞ୍ଚଳରେ ବର୍ଷାର ପରିମାଣ ଏବଂ ଛତିଶଗଡ଼ର ବେଙ୍ଗୋ ଡ୍ୟାମ ତଥା ରବିଶଙ୍କର ସାଗର ଡ୍ୟାମ ଭଳି ଉପରମୁଣ୍ଡର ପ୍ରକଳ୍ପଗୁଡ଼ିକରୁ ଜଳ ନିଷ୍କାସନର ସୂଚନାକୁ ସଠିକ୍ ସମୟରେ ହୀରାକୁଦ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବା ପାଇଁ ଏକ ବ୍ୟବସ୍ଥା ଉପରେ ସହମତି ପ୍ରକାଶ ପାଇଛି । ଏହାଦ୍ୱାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ସନ୍ତୁଳିତ ରଖିବା ସହ ବନ୍ୟା ସମୟରେ ଗେଟ୍ ପରିଚାଳନା ଅଧିକ ସୁଗମ ଓ ସଠିକ୍ ହୋଇପାରିବ ବୋଲି ଆଶା କରାଯାଇଛି। ​

ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ରେ ଥିବା ସରାଡିହି ବ୍ୟାରେଜ୍‌ଠାରେ ଏକ ଅତ୍ୟାଧୁନିକ ‘ନନ୍-କଣ୍ଟାକ୍ଟ ଟାଇପ୍ ଡିସଚାର୍ଜ ମେଜରମେଣ୍ଟ ସିଷ୍ଟମ’ (ଜଳ ପ୍ରବାହ ମାପକ ଯନ୍ତ୍ର) ସ୍ଥାପନ କରାଯିବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୬୭ ଲକ୍ଷ ୫୨ ହଜାର ୬୪୫ ଟଙ୍କାର ଆନୁମାନିକ ଖର୍ଚ୍ଚ ସହ ଗୋ-ଅହେଡ୍ ଅନୁମତି ପ୍ରଦାନ କରାଯାଇଛି ।

ସାରାଡିହି ଗେଜ୍ ସାଇଟ୍‌ରୁ ହୀରାକୁଦ ଜଳଭଣ୍ଡାରକୁ ପାଣି ଆସିବା ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗୁଥିବାରୁ ଏହାକୁ ବନ୍ୟା ପୂର୍ବାନୁମାନ ଏବଂ ଜଳଭଣ୍ଡାର ପରିଚାଳନା ପାଇଁ ଏକ ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବେ ବିବେଚନା କରାଯାଏ ।

Flood Crisis Management
CWC ଅଧ୍ୟକ୍ଷତାରେ ଓଡିଶା ଓ ଛତିଶଗଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ (ETV Bharat Odisha)

ଏହି ସମସ୍ୟାର ସମାଧାନ ପାଇଁ ଏବେ ସେଠାରେ ଅତ୍ୟାଧୁନିକ ଟେକ୍ନୋଲୋଜି ସହାୟତାରେ ନୂତନ ଜଳ ମାପକ ବ୍ୟବସ୍ଥା କରାଯାଉଛି । ଏହି ନୂତନ ବ୍ୟବସ୍ଥା ଦ୍ୱାରା ବାସ୍ତବ ସମୟରେ (ରିଅଲ୍-ଟାଇମ୍) ଜଳ ପ୍ରବାହର ସଠିକ୍ ତଥ୍ୟ ମିଳିପାରିବ, ଯାହା ବନ୍ୟା ପୂର୍ବାନୁମାନକୁ ଅଧିକ ସୁଦୃଢ଼ କରିବା ସହ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ସମନ୍ୱିତ ଜଳ ପରିଚାଳନା ପାଇଁ ବେଶ୍ ସହାୟକ ହେବ ।


ଏହା ବି ପଢନ୍ତୁ- ମହାନଦୀରେ ବନ୍ୟା ପରିଚାଳନା ପ୍ରସଙ୍ଗ; ବୁର୍ଲାରେ କେନ୍ଦ୍ରୀୟ ଜଳ ଆୟୋଗର ହାଇଭୋଲଟେଜ୍ ବୈଠକ


ଇଟିଭି ଭାରତ, ସମ୍ବଲପୁର