ଭୁବନେଶ୍ବରରୁ ଆବୁଧାବିକୁ ଫ୍ଲାଇଟ୍ ଚଳାଚଳ ବନ୍ଦ, ବିମାନ ସେବାରେ ବାଧା ସାଜୁଛି ଘନ କୁହୁଡି
ଘନ କୁହୁଡି ପାଇଁ ଆଜି ଭୁବନେଶ୍ବରରୁ 5 ସ୍ଥାନକୁ ବିମାନ ଚଳାଚଳ ବିଳମ୍ବ ହୋଇଛି । ସେପଟେ ଯାତ୍ରୀ କମ୍ ଥିବାରୁ ଭୁବନେଶ୍ବରରୁ ଆବୁଧାବିକୁ ବିମାନ ସେବା ବନ୍ଦ ।

Published : January 2, 2026 at 4:44 PM IST
Dense Fog Flight Cancel ଭୁବନେଶ୍ବର: ରାଜଧାନୀରେ ବିମାନ ଚଳାଚଳରେ ବାଧା ସାଜୁଛି ଘନ କୁହୁଡି । କେତେବେଳେ ଉଡାଣରେ ବିଳମ୍ବ ତ କେତେବେଳେ ବାତିଲ୍ । ଘନ କୁହୁଡି ପାଇଁ ଏପରି ସମସ୍ୟାର ସମ୍ମୁଖିନ ହେଉଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର । ଏଥିସହ ଆବଶ୍ୟକ ଅନୁସାରେ ଯାତ୍ରୀ ହେଉନଥିବା ବେଳେ ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଚଳାଚଳ ବନ୍ଦ ରଖିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ତେବେ ଘନ କୁହୁଡି ପାଇଁ ଆଜି ବାରଣାସୀ,ବେଙ୍ଗାଲୁରୁ, ଦୁର୍ଗାପୁର, ହାଇଦ୍ରାବାଦ, ନୂଆଦିଲ୍ଲୀକୁ ବିମାନ ଚଳାଚଳ ବିଳମ୍ବିତ ହୋଇଛି ।
ଆବୁଧାବିକୁ ଡିମାଣ୍ଡକୁ କମ୍, ବନ୍ଦ ହେଲା ବିମାନ ଚଳାଚଳ:
ଯାତ୍ରୀ ସଂଖ୍ୟା କମ ଥିବାରୁ ଭୁବନେଶ୍ବରରୁ ଆବୁଧାବି ଯାଉଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଛି । ଆନ୍ତର୍ଜାତୀୟ ବିମାନର ଡିମାଣ୍ଡ କମ ହେଉଥିବାରୁ ବନ୍ଦ ହେଉଛି ବିମାନ । ଏହି ସ୍ଥାନ ପାଇଁ ଯାତ୍ରୀଙ୍କ ସଂଖ୍ୟା ନଥିବାରୁ ବିମାନ ବନ୍ଦ କରାଯାଇଛି । ବର୍ତ୍ତମାନ ସିଙ୍ଗାପୁର, ଦୁବାଇ, ଓ ବ୍ୟାଙ୍କକକୁ ବିମାନ ଉଡାଣ ଭରୁଛି । ପର୍ଯ୍ୟଟନ ଋତୁରେ ଓଡ଼ିଶାରୁ ବିଦେଶୀ ଯାତ୍ରା ଅନେକ ଯାତ୍ରୀ କରିଛନ୍ତି ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।
ଆଜି ଏସବୁ ସ୍ଥାନରେ ବିଳମ୍ବରେ ଉଡିଲା ବିମାନ:
- ବାରଣାସୀ
- ବେଙ୍ଗାଲୁରୁ
- ଦୁର୍ଗାପୁର
- ହାଇଦ୍ରାବାଦ
- ନୂଆଦିଲ୍ଲୀ
ଏନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ‘ଆଜି ବିମାନ ବନ୍ଦର ପରିସରରେ ଘନ କୁହୁଡ଼ି ଥିଲା । ସକାଳୁ ସମୟରେ ରନୱେ ଦୃଶ୍ୟମାନ କମ ଥିଲା । ଗତକାଲି ଭଳି ଆଜି ମଧ୍ୟ କିଛି ବିମାନ ବାତିଲ କରାଯାଇଛି, କିଛି ବିମାନ ଉଡାଣ ବିଳମ୍ବ ହେଇଛି । ଅତି କମରେ ଦୃଶ୍ୟମାନ ୫୫୦ ମିଟର ରହିଲେ ବିମାନ ଉଡାଣ ଓ ଅବତରଣ ହୋଇଥାଏ । କାଲିର ଘନ କୁହୁଡି ପାଇଁ ଆଜି ସକାଳେ ଥିବା ବିମାନକୁ ଏୟାର ଲାଇନ୍ସ ପୁନଃନିର୍ଦ୍ଧାରଣ (Rescheduled) କରିଥିଲେ । କିଛି ବିମାନ ଉଡାଣ ସମୟ ପରିବର୍ତ୍ତନ କରାଯାଇଛି । ଏୟାର ଇଣ୍ଡିଆ ସକାଳ ଦିଲ୍ଲୀ ବିମାନ ବାତିଲ କରାଯାଇଛି । ସକାଳ ୮ ପର୍ଯ୍ୟନ୍ତ କୁହୁଡ଼ି ହେଉଥିବାରୁ ବିଶେଷକରି ପୁନଃନିର୍ଦ୍ଧାରଣ କରାଯାଇଛି ।’

ଯାତ୍ରୀ ଦିଅନ୍ତୁ ଧ୍ୟାନ:
ଘନ କୁହୁଡି ପାଇଁ କେବଳ ଭୁବନେଶ୍ବର ନୁହେଁ ଉତ୍ତର ଭାରତରେ ମଧ୍ୟ ବିମାନ ଚଳାଚଳ ବାଧା ହେଉଛି । ତେଣୁ ଘରୁ ବାହାରିବା ଆଗରୁ ବିମାନ ସମୟ କେତେବେଳେ ଅଛି, ସମୟ କେତେବେଳେ ପରିବର୍ତ୍ତନ ହେଇଛି ସବୁ ଯାଞ୍ଚ କରି ଆସିବା ପାଇଁ ପରାମର୍ଶ ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।
ଏହା ମଧ୍ୟ ପଢନ୍ତୁ: ଘନ କୁହୁଡି ପାଇଁ 5 ବିମାନର ଗତିପଥ ପରିବର୍ତ୍ତନ, ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରିବାକୁ ଅନୁରୋଧ |
ଦୈନିକ କେତେ ଯାତ୍ରୀ ଯାତ୍ରା କରୁଛନ୍ତି ?
ସେ ଆହୁରି ମଧ୍ୟ କହିଛନ୍ତି, ‘ଘନ କୁହୁଡି ଓ ଇଣ୍ଡିଗୋ ବିମାନର ସମସ୍ୟା ପାଇଁ ଚଳିତ ବର୍ଷ ବିମାନ ଯାତ୍ରା କମିଛି । ପିକନିକ ସମୟରେ ଅଧିକ ଯାତ୍ରୀ ବାହାରକୁ ବୁଲିବା ପାଇଁ ଯାଇଥାନ୍ତି । ଚଳିତ ବର୍ଷ ପିକ୍ ସିଜନରେ ପ୍ରଭାବ ପଡିଛି । ଡିସେମ୍ବର ମାସରେ ଅନେକ ପର୍ଯ୍ୟଟକ ଆସନ୍ତି କିନ୍ତୁ ଇଣ୍ଡିଗୋ ବିମାନର ସମସ୍ୟା ପାଇଁ ପ୍ରଭାବ ପଡିଛି । ଭୁବନେଶ୍ବର ବିମାନ ବନ୍ଦରରୁ ଦୈନିକ 14 ହଜାର 500 ରୁ 16 ହଜାର ପର୍ଯ୍ୟନ୍ତ ଯାତ୍ରୀ ଯାତାୟତ କରୁଛନ୍ତି ।’
ଇଟିଭି ଭାରତ, ଭୁବନେଶ୍ବର

