ETV Bharat / state

ମହାରାଷ୍ଟ୍ରକୁ ଚାଲିଥିଲା 400 କେଜି ଗଞ୍ଜେଇ ଚାଲାଣ: ଓଡ଼ିଶା-ଛତିଶଗଡ ସୀମାରେ ମାଡି ବସିଲା ପୋଲିସ, 5 ଗିରଫ

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଡ଼ି ବସିଲା ଛତିଶଗଡର ଦେବଭୋଗ ଥାନା ପୋଲିସ । ଚାରି କୁଇଣ୍ଟାଲ ଗଞ୍ଜେଇ ସହ ନଗଦ ୬ ଲକ୍ଷ ୫୦ ହଜାର ଟଙ୍କା ଜବତ । ରିପୋର୍ଟ-ମୋତିଲାଲ ବାଗ୍‌

400 kg ganja seized
ଚାରି କୁଇଣ୍ଟାଲ ଗଞ୍ଜେଇ ଜବତ (ETV Bharat Odisha)
author img

By ETV Bharat Odisha Team

Published : August 25, 2026 at 3:40 PM IST

1 Min Read
Choose ETV Bharat

ନୂଆପଡ଼ା/ଗରିଆବନ୍ଦ: ଓଡ଼ିଶା ଏବଂ ଛତିଶଗଡ଼ ସୀମାନ୍ତରେ ପୋଲିସକୁ ମିଳିଛି ବଡ଼ ସଫଳତା । ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ଛତିଶଗଡ଼ ପୋଲିସ । ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ସହ ପାଞ୍ଚ ଜଣ ଅଭିଯୁକ୍ତ ଗିରଫ୍ କରାଯାଇଛି । ଓଡ଼ିଶାରୁ ମହାରାଷ୍ଟ୍ରକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ଦେଭୋଗ ଥାନା ପୋଲିସକୁ ମିଳିଛି ଏହି ବଡ଼ ସଫଳତା । ଏହାସହ ସେମାନଙ୍କ ଠାରୁ ନଗଦ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।

ଚାରି କୁଇଣ୍ଟାଲ ଗଞ୍ଜେଇ ଜବତ (ETV Bharat Odisha)

ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ:

ଗରିଆବନ୍ଦ ଏସପି ବେଦବ୍ରତ ସିରମୋରଙ୍କ ସୂଚନା ଅନୁଯାୟୀ,"ଗତକାଲି (ସୋମବାର) ରାତିରେ ଦେବଭୋଗ ଥାନା ପୋଲିସ ଖୁଟଗାଁ ଚେକ୍‌ଗେଟ ସମ୍ମୁଖରେ ଅତର୍କିତ ଚଢ଼ାଉ କରି ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ଚାରି କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ନଗଦ ୬ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।ଏହି ଘଟଣାରେ ପଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦେବଭୋଗ ପୋଲିସ । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ରର ସନ୍ତୋଷ ଅନନ୍ତ ମୋହିତେ, ସୁମିତ ସୁବାଷ ଥୋବଡ଼େ, ପଙ୍କଜ ଅନନ୍ତ ମୋହିତେ, କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅଞ୍ଚଳର ଜଳନ୍ଧର ଖମାରୀ ଓ ଆମପାଣି ଥାନା ଅଞ୍ଚଳର ବିନୋଦ ଦିଶାରୀ ବୋଲି ଜଣାପଡିଛି ।"

ସେମାନଙ୍କ ଠାରୁ ଗୋଟିଏ ଚାରି ଚକିଆ ଗାଡ଼ି, ଗୋଟିଏ ବାଇକ ଓ ୩ଟି ମୋବାଇଲ ଫୋନକୁ ମଧ୍ୟ ଜବତ କରିଛି ପୋଲିସ । ଏମାନେ ଓଡ଼ିଶାରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ବୋଲି ଗରିଆବନ୍ଦ ଏସପି ବେଦବ୍ରତ ସିରମୋର ସୂଚନା ଦେଇଛନ୍ତି ।

ସେହିପରି ଗତ 22 ତାରିଖ ଦିନ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଏକ ଟ୍ରକରୁ ୧୦ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ ହୋଇଥିଲା । ଗଞ୍ଜେଇ ଉପରେ କାଜୁ ବସ୍ତା ପକାଇ ଲୁଚାଇଥିଲେ ଗଞ୍ଜେଇ ମାଫିଆ । କନ୍ଧମାଳରୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଆଦି ରାଜ୍ୟରୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା ବୋଲି କହିଥିଲେ ଏସ୍‌ପି ରାମେନ୍ଦ୍ର ପ୍ରସାଦ ।

ଏହା ମଧ୍ୟ ପଢନ୍ତୁ...ବୌଦ୍ଧ ପୋଲିସ-ଗଞ୍ଜେଇ ବେପାରୀ ଫୋନ କଥାବାର୍ତ୍ତା ଅଡିଓ ଭାଇରାଲ୍‌ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜ

ଏହା ମଧ୍ୟ ପଢନ୍ତୁ... କନ୍ଧମାଳରୁ କାଜୁ ବସ୍ତା ଭିତରେ ନୀଳ ଜହର ଚାଲାଣ, ୧୦ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା, ଇଟିଭି ଭାରତ