ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା: ବିରଳ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ପହିଲାରୁ କଟକଣା
ବିରଳ କଇଁଛଙ୍କ ସୁରକ୍ଷା ପାଇଁ ଚଳିତବର୍ଷ ନଭେମ୍ବର ୧ ତାରିଖରୁ ଆସନ୍ତାବର୍ଷ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ଉପରେ କଟକଣା ଲାଗୁହେବ ।

Published : October 23, 2025 at 10:48 PM IST
ପୁରୀ: ଆଗକୁ ଆସୁଛି ଅଲିଭ ରିଡ଼ଲେ କଇଁଛଙ୍କର ପ୍ରଜନନ ଋତୁ । ସମୁଦ୍ରରେ ମାଛ ଧରିବା ନେଇ ଲାଗିବ କଟକଣା । ଆସନ୍ତା ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡରେ ଯେପରି କଇଁଛ ମୃତ୍ୟୁ ନହୁଏ, ଏନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ । ସମୁଦ୍ର କୂଳରେ ଅଣ୍ଡା ଦେଉଥିବା ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନ ନେବ ଏପରି ପଦକ୍ଷେପ ।
ପ୍ରଶାସନ ସଜାଗ:
ଚଳିତବର୍ଷ ନଭେମ୍ବର ୧ ତାରିଖରୁ ଆସନ୍ତାବର୍ଷ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା କଟକଣା ଲାଗୁହେବ । ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ୭ ମାସ ଧରି ଲାଗୁ ହେବ। ନଭେମ୍ବର ମାସରେ ବିରଳ ଅଲିଭ ରିଡ଼ଲେ କଇଁଛ ବଙ୍ଗୋପସାଗର ଉପକୂଳରେ ପ୍ରଜନନ ପାଇଁ ଏକତ୍ରିତ ହୋଇଥାନ୍ତି । ଏଣୁ ସୁରକ୍ଷା ଦୃଷ୍ଟିରୁ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡରେ ଯେଭଳି ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ନ ହୁଏ, ଏଥିପାଇଁ ପ୍ରଶାସନ ସଜାଗ ରହିଛି ।

ନିଷିଦ୍ଧାଞ୍ଚଳ ଘୋଷଣା:
ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ପୁରୀ ଦେବୀ ନଦୀ ଓ କେଳୁଣି ନଦୀ ମୁହାଣରୁ ୫ କିଲୋମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ କୌଣସି ଡଙ୍ଗା, ଟ୍ରଲର ଆଦି ଚଳାଚଳ ପାଇଁ ଅନୁମତି ଦିଆଯାଇନାହିଁ । ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଟ୍ରଲର ଚଳାଚଳ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ହେଲେ କେତେକ ଟ୍ରଲର ଚାଳକ ଏହି ନିୟମ ଉଲଘଂନ କରି ନିଷିଦ୍ଧ ଅଞ୍ଚଳରେ ମାଛ ମାରୁଥିବାରୁ ଅନେକ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି । ଏନେଇ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ସଠିକ ଭାବରେ ସମୁଦ୍ର ଭିତରେ ପେଟ୍ରଲିଂ କରୁନଥିବା ହେତୁ ଅଲିଭ ରିଡ଼ଲେ ଅସମୟରେ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି ।
ସୁରକ୍ଷା ପାଇଁ ପ୍ରସ୍ତୁତି ବୈଠକ:
ଚଳିତ ବର୍ଷ କିଭଳି ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁକୁ ରୋକାଯାଇପାରିବ ଏନେଇ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ମେରାଇନ୍ ପୋଲିସ, ସାଗର ମିତ୍ରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କିଭଳି ସାମୁଦ୍ରିକ ପେଟ୍ରୋଲିଂ ସଠିକ ଭାବେ ହୋଇ ପାରିବ, ବେଆଇନ ଟ୍ରଲର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, କଇଁଛଙ୍କ ଅଣ୍ଡାକୁ କିଭଳି ସୁରକ୍ଷା ଦିଆଯିବ ଏନେଇ ବିଶେଷ ଆଲୋଚନା ହୋଇ ଯାଇଛି ।

ମତ୍ସ୍ୟଜୀବୀ ପରିବାରକୁ କ୍ଷତିପୁରଣ:
ପୁରୀ ଜିଲ୍ଲା ସାମୁଦ୍ରିକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ କହିଛନ୍ତି, "ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନଭେମ୍ବର ୧ ରୁ ଆସନ୍ତା ବର୍ଷ ମେ ମାସ ୩୧ ପର୍ଯ୍ୟନ୍ତ କଇଁଛଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କଇଁଛଙ୍କ ସୁରକ୍ଷା ପାଇଁ ଜଏଣ୍ଟ ପେଟ୍ରୋଲିଂ, ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ଦ୍ବାରା ହେବ । କଇଁଛଙ୍କ ସୁରକ୍ଷା ପାଇଁ ଆମେ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ସଚେତନ କରୁଛୁ । ଯେଉଁ ମାନେ ନିୟମ ଉଲଘଂନ କରି କଇଁଛଙ୍କ ସୁରକ୍ଷାକୁ ବିପନ୍ନ କରିବେ, ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଯେଉଁ ଅଞ୍ଚଳରେ କଟକଣା ରହିଛି ସେହି ଅଞ୍ଚଳରେ ପ୍ରଭାବିତ ହେଉଥିବା ମତ୍ସ୍ୟଜୀବୀ ପରିବାରକୁ ବିଭାଗ ପକ୍ଷରୁ ୧୫ ହଜାର ଟଙ୍କା କ୍ଷତି ପୂରଣ ରାଶି ପ୍ରଦାନ କରାଯାଉଛି ।"
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି:
ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ସୁରକ୍ଷା ଦାୟିତ୍ଵରେ କର୍ମଚାରୀ ଓ ବ୍ୟକ୍ତି ବିଶେଷଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥାଏ । ପୁରୀର ବାଲୁଖଣ୍ଡ, ବ୍ରହ୍ମଗିରି, କୋଣାର୍କ ଓ ଅସ୍ତରଙ୍ଗ ବନାଞ୍ଚଳରେ ହାଚେରି ପ୍ରସ୍ତୁତ କରାଯାଇଥାଏ । କଇଁଛଙ୍କ ସୁରକ୍ଷା ପାଇଁ ୨ ଟି ଟିମ୍ ମୁତୟନ କରାଯାଇଥାଏ । ୫ ଜଣ ୱାଚର୍ ମଧ୍ୟ ଦାୟିତ୍ବରେ ରୁହନ୍ତି । ସମୁଦ୍ରରେ ପେଟୋଲିଂ ପାଇଁ ବୋଟର ବ୍ୟବସ୍ଥା ରହିଛି । ଓଡ଼ିଶା ମେରାଇନ ଫିସରି ରେଗୁଲେଟରି ଆକ୍ଟ ଅନୁଯାୟୀ ବେଆଇନ ଟ୍ରଲରକୁ ଜବତ କରାଯିବା ସହ ମାଛକୁ ଜବତ କରାଯାଇ ନିଲାମ କରାଯାଏ । ବନ ବିଭାଗ ସୂଚନା ଅନୁଯାୟୀ ଗତ ବର୍ଷ ୨୦୨୪-୨୫ରେ ୧୭୦ କଇଁଛଙ୍କ ମୃତ୍ୟୁ ହୋଇଥିଲା । ୨୦୨୩-୨୪ ରେ ୫୬୮, ୨୦୨୨-୨୩ ରେ ୮୯୮ କଇଁଛଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ତଥ୍ୟକୁ ଗ୍ରହଣ କରିନାହାନ୍ତି ପରିବେଶବିତ୍। ପରିବେଶବିତଙ୍କ ଅଭିଯୋଗ ବନ ବିଭାଗ ନିଜର ବିଫଳତାକୁ ଲୁଚାଇବାକୁ ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚାଉଛି ।

ଶିକାର ପାଲଟୁଛନ୍ତି କଇଁଛ:
| ମସିହା | ମୃତ ଅଲିଭ ରିଡ଼ଲେଙ୍କ ସଂଖ୍ୟା |
| ୨୦୨୪-୨୫ | ୧୭୦ |
| ୨୦୨୩-୨୪ | ୫୬୮ |
| ୨୦୨୨-୨୩ | ୮୯୮ |

କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ:
ପରିବେଶବିତ୍ ସରୋଜ କୁମାର ଜେନା କହିଛନ୍ତି, "ଆମ ସମୁଦ୍ର ଉପକୂଳରେ ଅଲିଭ ରିଡ଼ଲେ କଇଁଛ ପ୍ରଜନନ ପାଇଁ ଆସୁଥିବା ଗର୍ବର କଥା । ଏହି କଇଁଛଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ପୁରୀରେ ବେଶ୍ ଭିଡ଼ ଜମିଥାଏ । କିନ୍ତୁ କଇଁଛ ଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭାଗର ଅବହେଳା ଆମେ ଦେଖି ଆସୁଛୁ । ଅଲିଭ ରିଡ଼ଲେ କଇଁଛ ଆସୁଥିବା ଅଞ୍ଚଳକୁ ସଫା କରାଯାଉନାହିଁ। ନିଷିଦ୍ଧ ଅଞ୍ଚଳରେ ବେଆଇନ ଟ୍ରଲରର ପ୍ରବେଶ ଯୋଗୁଁ ଅନେକ କଇଁଛଙ୍କ ମୃତ୍ୟୁ ହେଉଛି । ହେଲେ ବେଆଇନ ଟ୍ରଲର ବିରୋଧରେ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଅନେକ ଟ୍ରଲର ଠାରୁ ଅର୍ଥ ନେଇ କର୍ମଚାରୀମାନେ ଖସାଇ ଦେଉଛନ୍ତି । କଇଁଛଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ହେଉଥିବା ବୈଠକରେ କଇଁଛଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ, ଗ୍ରାମବାସୀଙ୍କୁ ସାମିଲ କରାଯାଉନାହିଁ । କେବଳ କାଗଜ କଲମରେ ପ୍ରସ୍ତୁତି ହେଉଛି । ବନ ବିଭାଗ ପ୍ରକୃତରେ କଇଁଛଙ୍କ ମୃତ୍ୟୁ ସଂଖ୍ୟା ଲୁଚାଉଛି । ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀ କ୍ଷେତ୍ର ପରିଦର୍ଶନ ପାଇଁ ଯାଉ ନାହାନ୍ତି । ଫଳରେ ସଠିକ୍ ଢଙ୍ଗରେ କଇଁଛଙ୍କ ସୁରକ୍ଷା କାର୍ଯ୍ୟ ହୋଇ ପାରୁନି । ପ୍ରତିବର୍ଷ କଇଁଛଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଦେଉଥିବା ବେଳେ ଏହାକୁ ବାଟ ମାରଣା କରୁଛନ୍ତି ଅଧିକାରୀମାନେ। ଏଣୁ ସରକାର ଏହାର କଡା ଅନୁଧ୍ୟାନ କରନ୍ତୁ । ନଚେତ୍ କଇଁଛଙ୍କ ମୃତ୍ୟୁରେ ରୋକ୍ ଲାଗିବା ପରିବର୍ତ୍ତେ ଏହା ବଢ଼ି ଚାଲିବ।"

ସରକାର ସହାୟତା ରାଶି ବଢାଇବା ଆବଶ୍ୟକ:
ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ମହାସଂଘ ସଭାପତି ବାବୁଲା ପ୍ରସାଦ କହିଛନ୍ତି, "ବେଆଇନ ଟ୍ରଲରକୁ ଧରିବା ପାଇଁ ମେରାଇନ ଥାନାରେ ଆବଶ୍ୟକ ଭିତ୍ତିଭୂମି ନାହିଁ । ସେମାନଙ୍କ ନିକଟରେ ସ୍ପିଡ ବୋଟ ନାହିଁ । କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ଦିଆଯାଇନାହିଁ । ଫଳରେ ସମୁଦ୍ର ଭିତରେ ବେଆଇନ ଟ୍ରଲରକୁ ଧରାଯାଇପାରୁନି। ଏଣୁ ସମୁଦ୍ର ଭିତରେ ପେଟ୍ରୋଲିଂ ପାଇଁ ଆଧୁନିକ ଭିତ୍ତିଭୂମି ବ୍ୟବସ୍ଥା ହେବା ଆବଶ୍ୟକ । ପୁରୀ ଜିଲ୍ଲାରେ ୫୦ ହଜାର ମତ୍ସ୍ୟଜୀବୀ ଅଛନ୍ତି । ଦେବୀ ନଦୀ ମୁହାଣରେ ମାଛ ମାରିବାକୁ କଟକଣା ଥିବାରୁ ସେଠାରେ ରହୁଥିବା ମତ୍ସ୍ୟଜୀବୀଙ୍କୁ ସରକାର ମାତ୍ର ୧୦ ହଜାର ଟଙ୍କା ୬ ମାସ ପାଇଁ କ୍ଷତି ପୂରଣ ଦେଉଛନ୍ତି । ଯାହାକି ପର୍ଯ୍ୟାପ୍ତ ନୁହେଁ । ଏଣୁ ଏହି ସହାୟତା ରାଶି ସରକାର ୩୦ ହଜାର ଟଙ୍କା କରିବାକୁ ଆମେ ଦାବି କରିଛୁ । ଏଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ । ଗରିବ ମତ୍ସ୍ୟଜୀବୀମାନେ ଏହା ଦ୍ଵାରା ଉପକୃତ ହୋଇ ପାରିବେ ।
ଇଟିଭି ଭାରତ, ପୁରୀ

