ପୁଣି ବାଣ ବିସ୍ଫୋରଣରେ ଥରିଲା ବୌଦ୍ଧ; 5 ମାସ ତଳ ଘଟଣାର ପୁନରାବୃତ୍ତି, ଭୟରେ ଅଞ୍ଚଳବାସୀ
ପୁଣି ଥରେ ବାଣ ଗୋଦାମରେ ନିଆଁ ଲାଗି ସମାନ ଶୈଳୀରେ ବୌଦ୍ଧ ଜିଲ୍ଲା ପୁରୁଣା କଟକରେ ହୋଇଛି ବାଣ ବିସ୍ଫୋରଣ । ଆତଙ୍କିତ ହୋଇପଡିଛନ୍ତି ଅଞ୍ଚଳବାସୀ ।


Published : February 21, 2026 at 7:31 PM IST
ବୌଦ୍ଧ: ପୁଣି ବାଣ ଗୋଦାମ ବିସ୍ଫୋରଣରେ ଥରିଲା ବୌଦ୍ଧ । 5 ମାସ ତଳ ଘଟଣାର ହେଲା ପୁନରାବୃତ୍ତି । ପୁଣି ଥରେ ବାଣ ଗୋଦାମରେ ନିଆଁ ଲାଗି ସମାନ ଶୈଳୀରେ ବୌଦ୍ଧ ଜିଲ୍ଲା ପୁରୁଣା କଟକରେ ହୋଇଛି ବାଣ ବିସ୍ଫୋରଣ । ପୁରୁଣା ଘଟଣାର ପୁନରାବୃତ୍ତିକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଅଞ୍ଚଳବାସୀ । ବାରମ୍ବାର ସମାନ ଘଟଣା ଘଟିବା ପରେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିସ୍ଫୋରଣ ପରେ ଜଣଙ୍କୁ ଅଟକ ରଖି ତନାଘନା ଚଳାଇଛି ପୋଲିସ ।

ଅଭିଯୁକ୍ତ ଆଲୋକ ଘରେ ପୁନର୍ବାର ବିସ୍ଫୋରଣ:
ଆଜି (ଶନିବାର) ଅପରାହ୍ନ ପ୍ରାୟ ସାଢେ 3ଟା ସମୟରେ ପୁରୁଣା କଟକର ଏସବିଆଇ କଲୋନୀରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ସ୍ଥାନୀୟ ଅଧିବାସୀ କେହି କିଛି ବୁଝିବା ଆଗରୁ ପୁଣି ବିଗତ ବିସ୍ଫୋରଣ ଘଟଣା ମନେ ପକାଇ ଆତଙ୍କିତ ହୋଇପଡିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ଚାରିଛକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିଲା । 5 ମାସ ତଳେ ଘଟିଥିବା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତର ଘରର ଉପର ମହଲାରେ ଆଜି ପୁନର୍ବାର ଭୟାବହ ବିସ୍ଫୋରଣ ଘଟିଥିବାର ଜଣାପଡିଥିଲା । ଏହା ପରେ ପୁରୁଣା କଟକ ପୋଲିସ ଅଭିଯୁକ୍ତ ଆଲୋକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଜେଲରୁ ଫେରି ପୁଣି କରୁଥିଲା ବାଣ ବ୍ୟବସାୟ:
ତେବେ କିଭଳି ଓ କେଉଁ ପରିସ୍ଥିତିରେ ବାଣ ଗୋଦାମରେ ପୁଣି ନିଆଁ ଲାଗି ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଅଦ୍ୟାବଧି କେତେ କଣ କ୍ଷୟ କ୍ଷତି ଘଟିଛି ତାର ସୂଚନା ମଧ୍ୟ ମିଳିପାରିନାହିଁ । ଆଜକୁ ସଠିକ 5 ମାସ ପୂର୍ବରୁ ବୌଦ୍ଧ ଜିଲ୍ଲା ପୁରୁଣା କଟକରେ ହୋଇଥିଲା ବାଣ ବିସ୍ଫୋରଣ । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିବା ସହ ବହୁ କ୍ଷୟ କ୍ଷତି ହୋଇଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବାଣ ବ୍ୟବସାୟୀ ଆଲୋକଦତ୍ତ କାନ୍ତିଙ୍କୁ ପୋଲିସ ଗିରଫ କରିଥିଲା । ବର୍ତ୍ତମାନ ଜେଲରୁ ମୁକୁଳିବା ପରେ ଅଭିଯୁକ୍ତ ପୁଣି ସେହି ବ୍ୟବସାୟ କରୁଥିବାର ଅଭିଯୋଗ ହୋଇଛି ।

ମନରୁ ଲିଭିନି ପୂର୍ବ ଘଟଣାର ଭୟାବହତା:
5 ମାସ ତଳେ ବାଣ ବିସ୍ପୋରଣରେ ଥରିଉଠିଥିଲା ବୌଦ୍ଧ ଜିଲ୍ଲାର ଜିଆକଟା ଗାଁ । ବେଇଆନ ବାଣ ଗୋଦାମରେ ନିଆଁ ଲାଗି ହୋଇଥିଲା ଭୟଙ୍କର ବିସ୍ପୋରଣ । ଏଥିରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: |
ଇଟିଭି ଭାରତ, ବୌଦ୍ଧ

