ଧାନ କିଣାରେ ଅବ୍ୟବସ୍ଥା ନେଇ କୁଚିଣ୍ଡାରେ ଚାଷୀ ଆନ୍ଦୋଳନ
ମିଲରଙ୍କ ଆନ୍ଦୋଳନ ପ୍ରତ୍ୟାହାର ପରେ ମଧ୍ୟ କୁଚିଣ୍ଡାରେ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ, ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ l


Published : January 10, 2026 at 7:36 AM IST
ସମ୍ବଲପୁର: ମିଲରଙ୍କ ଆନ୍ଦୋଳନ ପ୍ରତ୍ୟାହାର ପରେ ମଧ୍ୟ ସମ୍ବଲପୁର କୁଚିଣ୍ଡାରେ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ, ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ l ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛି କୁଚିଣ୍ଡା ସମଲେଶ୍ୱରୀ ଆଞ୍ଚଳିକ କୃଷକ ଏକତା ମଞ୍ଚ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ଧାନ ମଣ୍ଡିରେ ଅଚଳଳାବସ୍ଥା ସୃଷ୍ଟି ହୋଇଥିବା ବେଳେ, ଖୋଲା ଆକାଶ ତଳେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ। ମଣ୍ଡିରୁ ଧାନ ନ ଉଠିବା, 150 କ୍ବିଣ୍ଟାଲରେ ସୀମିତ ନରଖି ସମସ୍ତ ପଞ୍ଜିକୃତ ଚାଷ ଜମିର ବଳକା ଧାନକୁ ଟୋକନ ବ୍ୟବସ୍ଥା କରି ସରକାର କିଣନ୍ତୁ ବୋଲି ଦାବୀ କରିଛନ୍ତି ଚାଷୀ । ଏମଏସପିର ବର୍ଦ୍ଧିତ 69 ଟଙ୍କା ଦିଆଯିବା, କଟନି ଛଟନୀ ବନ୍ଦ କରିବା, ଟୋକନ ଆସିନଥିବା ଚାଷୀଙ୍କୁ ଟୋକନ ତୁରନ୍ତ ଦିଆଯିବା ଆଦି ଦାବି ନେଇ ଚାଷୀମାନେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସହକାରୀ ଜିଲ୍ଲପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ କୃଷକ ଏକତା ମଞ୍ଚର ଚାଷୀ ସଦସ୍ୟ ସହିତ କୁଚିଣ୍ଡାର ପୂର୍ବତନ ବିଜେଡି ବିଧାୟକ କିଶୋର ଚନ୍ଦ୍ର ନାଏକ ଓ କୁଚିଣ୍ଡାର କଂଗ୍ରେସ ବିଧାୟକ ପ୍ରାର୍ଥୀ କେଦାରନାଥ ବରିହା ମଧ୍ୟ ସାମିଲ ହୋଇଥିଲେ ।
ଏହି ଅବସରରେ କୁଚିଣ୍ଡା ବକ୍ସମା ଅଞ୍ଚଳର ଚାଷୀ ବିକାଶ ପୃସେଟ କହିଛନ୍ତି ଯେ, "ଆଜି ସମଲେଶ୍ୱରୀ କୃଷକ ଏକତା ମଞ୍ଚର ଆହ୍ୱାନରେ ଆନ୍ଦୋଳନ କରୁଛୁ l କେନ୍ଦ୍ର ସରକାର ଯେଉଁ 69 ଟଙ୍କା ବୃଦ୍ଧି କରିଛନ୍ତି ତାହା କିପରି ଚାଷୀଙ୍କୁ ମିଳିବ, ମଣ୍ଡିରେ ହେଉଥିବା କଟନୀ ଛଟନୀ ବନ୍ଦ କରିବା, ମଣ୍ଡି ଗୁଡିକରେ ପଡି ରହିଥିବା ଧାନ ଉଠାଇବା ଆଦି ଦାବୀ ନେଇ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛୁ l ଏହି ସରକାର କ୍ଷମତାକୁ ଆସିବା ପୂର୍ବରୁ କଟନୀ ଛଟନୀ ବନ୍ଦ କରିବେ ବୋଲି ପ୍ରତିଶୃତି ଦେଇ ଆଜି ଭୁଲି ଯାଇଛନ୍ତି", ବୋଲି ଚାଷୀ ଶ୍ରୀଯୁକ୍ତ ପୃସେଟ କହିଛନ୍ତି l

ଅନ୍ୟପଟେ କୁଚିଣ୍ଡାର କଂଗ୍ରେସ ନେତା କେଦାରନାଥ ବରିହା କହିଛନ୍ତି ଯେ, "କୁଚିଣ୍ଡା ଉପଖଣ୍ଡର ସବୁ ମଣ୍ଡିରେ ବହୁ ପରିମାଣର ଧାନ ପଡିକି ରହିଛି l ଦ୍ଵିତୀୟରେ ବହୁ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ଟୋକନ ମିଳିନାହିଁ l ତୃତୀୟରେ କଟନୀ ଛଟନୀ ନାଁ ରେ ବର୍ତମାନ କ୍ୱିଣ୍ଟାଲ ପ୍ରତି 7 କେଜି ପର୍ଯ୍ୟନ୍ତ ଧାନ ର ଓଜନ କାଟି ଦିଆଯାଉଛି l ଏହା ସହ କେନ୍ଦ୍ର ସରକାର ଘୋଷଣା କରିଥିବା 69 ଟଙ୍କା ଚାଷୀ ଙ୍କୁ ମିଳୁନାହିଁ l ଏହି ସବୁ ସମସ୍ୟା ନେଇ ଆମେ ଆନ୍ଦୋଳନକୁ ଓହ୍ଲେଇଛୁ", କହିଛନ୍ତି ଶ୍ରୀଯୁକ୍ତ ବରିହା l

ଅନ୍ୟପଟେ କୁଚିଣ୍ଡାର ପୂର୍ବତନ ବିଜେଡି ବିଧାୟକ କିଶୋର ଚନ୍ଦ୍ର ନାଏକ ମଧ୍ୟ ଚାଷୀ ଭାବେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ l ଏହି ଅବସର ରେ ସେ କହିଥିଲେ ଯେ, "କୁଚିଣ୍ଡା ଅଞ୍ଚଳର ଲୋକଙ୍କ ମୂଖ୍ୟ ବୃତ୍ତି ହେଉଛି ଚାଷ ତେବେ ଆଜି କୁଚିଣ୍ଡା ଉପଖଣ୍ଡର ସବୁ ମଣ୍ଡିରେ ଲକ୍ଷ ଲକ୍ଷ ବସ୍ତା ଧାନ ପଡି ରହିଛି l ମୋର ତଥା ସ୍ଥାନୀୟ ଚାଷୀଙ୍କ ଜାଣିବାରେ ପୂର୍ବରୁ ଏମିତି ଅସୁବିଧା କେବେ ହୋଇନଥିଲା l ବର୍ତମାନ ଚାଷୀଙ୍କୁ 800 ଟଙ୍କାର ବୋନସ ନଦେବା ପାଇଁ ସରକାର ଓ ମିଲରମାନେ ମିଳିମିଶି ଏହିଭଳି ବ୍ୟବସ୍ଥା କରୁଛନ୍ତି l ବର୍ତମାନ ସରକାର ଜଣେ ଚାଷୀଠାରୁ ମାତ୍ର 150 କ୍ୱିଣ୍ଟାଲ ଧାନ କିଣିବାର ଯୋଜନା କରୁଛନ୍ତି, ଫଳରେ ଚାଷୀ ବାକି ଧାନ କୁ ବିକ୍ରି କରିବାରେ ହଇରାଣ ହେଉଛି l ଆଉ କେତେକ ଚାଷୀ ଙ୍କୁ ମୋଟାମୋଟି ଟୋକନ ହିଁ ମିଳିନାହିଁ," ବୋଲି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ନାଏକ କହିଛନ୍ତି l

ତେବେ ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା କହିଛନ୍ତି ଯେ, "ବର୍ତମାନ ସୁଦ୍ଧା ଜିଲ୍ଲାରେ 30 ଲକ୍ଷ 50 ହଜାର କ୍ୱିଣ୍ଟାଲ ଧାନ କ୍ରୟର ଟାର୍ଗେଟ ଆସିଛି, ଏଥିରୁ 25 ଲକ୍ଷ 38 ହଜାର କ୍ୱିଣ୍ଟାଲର ଧାନ କିଣା ସରିଛି l ଆଗକୁ ମଧ୍ୟ ଧାନ କିଣା ଯାଉଛି l" ତେବେ କଟନୀ ଛଟନୀ ନେଇ ଶ୍ରୀଯୁକ୍ତ ହୋତା କହିଛନ୍ତି ଯେ, କେବଳ ଉନ୍ନତ ମାନର ଧାନ ମାନେ FAQ ମାନର ଧାନ ପାଇଁ କ୍ୱିଣ୍ଟାଲ ପ୍ରତି 2369 ଟଙ୍କା ଦେବାର ପ୍ରାବଧାନ ରହିଛି l ତେବେ ଧାନର ମାନ ଭଲ ନଥିଲେ ଚାଷୀ ଓ ମିଲରଙ୍କ ଆପୋଷ ବୁଝାମଣାରେ ଧାନ କିଣା ବିକା ହେଉଛି l
ଏହା ମଧ୍ୟ ପଢ଼ନ୍ତୁ- ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ବିବାଦ, ଧାନ କିଣିବାକୁ ମନା କରିଦେଲେ ମିଲର୍ସ
ଏହା ମଧ୍ୟ ପଢ଼ନ୍ତୁ- କଳାହାଣ୍ଡି ଜିଲ୍ଲାର ଅଧିକାଂଶ ମଣ୍ଡିରେ ଅଖା ସଙ୍କଟ; ଶୋଷଣର ଶୀକାର ଚାଷୀ
ଇଟିଭି ଭାରତ, ସମ୍ବଲପୁର

