ETV Bharat / state

ଚାଷୀଙ୍କ ସମସ୍ୟା ନେଇ ଗର୍ଜିବ ନବ ନିର୍ମାଣ କୃଷକ ସଙ୍ଗଠନ, ବାଲେଶ୍ୱରରେ ପଡ଼ି ରହିଛି ୬୦ ପ୍ରତିଶତ ଧାନ

ମାର୍ଚ୍ଚ ୨୨ରୁ କେନ୍ଦୁଝର ଘଟଗାଁରୁ ଏକ ପଦଯାତ୍ରା ଆରମ୍ଭ କରିବ ନବନିର୍ମାଣ କୃଷକ ସଂଗଠନ । ମାର୍ଚ୍ଚ ୨୨ରୁ ବାହାରି ମାର୍ଚ୍ଚ ୩୧ରେ ଭୁବନେଶ୍ୱରରେ ପହଞ୍ଚିବ ।

ଚାଷୀଙ୍କ ସମସ୍ୟା ନେଇ ଗର୍ଜିବ ନବ ନିର୍ମାଣ କୃଷକ ସଙ୍ଗଠନ, ବାଲେଶ୍ୱରରେ ପଡ଼ି ରହିଛି ୬୦ ପ୍ରତିଶତ ଧାନ
ଚାଷୀଙ୍କ ସମସ୍ୟା ନେଇ ଗର୍ଜିବ ନବ ନିର୍ମାଣ କୃଷକ ସଙ୍ଗଠନ, ବାଲେଶ୍ୱରରେ ପଡ଼ି ରହିଛି ୬୦ ପ୍ରତିଶତ ଧାନ (ETV BHARAT ODISHA)
author img

By ETV Bharat Odisha Team

Published : February 28, 2026 at 10:01 PM IST

2 Min Read
Choose ETV Bharat

ରିପୋର୍ଟ- ଜୀବନ ଜ୍ୟୋତି ନାୟକ

ବାଲେଶ୍ୱର: ମାର୍ଚ୍ଚ ୨୨ରୁ କେନ୍ଦୁଝର ଘଟଗାଁରୁ ଏକ ପଦଯାତ୍ରା ଆରମ୍ଭ କରିବ ନବନିର୍ମାଣ କୃଷକ ସଂଗଠନ । ମାର୍ଚ୍ଚ ୨୨ରୁ ବାହାରି ମାର୍ଚ୍ଚ ୩୧ରେ ଭୁବନେଶ୍ୱରରେ ପହଞ୍ଚିବ । ଭୁବନେଶ୍ୱରରେ ଦୁଇ ଲକ୍ଷ କୃଷକ ନିଜର ହକ୍ ପାଇଁ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କୁ ଘେରିବେ । ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ପାଇଁ ଏହି ଆନ୍ଦୋଳନର ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ଚାଷୀଙ୍କ ପେନସନ ପାଇଁ ଏଥର ସଂଗଠନ ଜୋରଦାର ଲଢେଇ କରିବ ।

ଚାଷୀଙ୍କ ସମସ୍ୟା ନେଇ ଗର୍ଜିବ ନବ ନିର୍ମାଣ କୃଷକ ସଙ୍ଗଠନ, ବାଲେଶ୍ୱରରେ ପଡ଼ି ରହିଛି ୬୦ ପ୍ରତିଶତ ଧାନ (ETV BHARAT ODISHA)

ରାଜ୍ୟ ବଜେଟରୁ ଏକ ଭାଗ ସରକାରୀ ଚାକିରିଆ ଅଧେ ଅର୍ଥ ନେଇ ଚାଲିଯାଉଛନ୍ତି ତେବେ ରାଜ୍ୟରେ ୭୦ ଭାଗ ଚାଷୀ କାହିଁକି ପେନସନ ନେବେ ନାହିଁ ବୋଲି ଦାବି କରିଛି ସଂଗଠନ । ସେହିଭଳି ନିର୍ବାଚନ ପୂର୍ବରୁ ବରିଷ୍ଠ ନାଗରିକଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ୩୫୦୦ କରିବାକୁ କହିଥିଲେ, କିନ୍ତୁ ଲୋକଙ୍କୁ ଭଣ୍ଡେଇ ଦେଲେ ସରକାର । ଚାଷୀର ମଣ୍ଡିରେ କଟଣୀ ଛଟଣି ବନ୍ଦ୍ କରାଯିବା ଭଳି ଦାବି କରି ରାଜ୍ୟ ସରକାରଙ୍କୁ ଘେରିବ ନବନିର୍ମାଣ କୃଷକ ସଂଗଠନ । ଏହାସହ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସୋସାଇଟି ଏବଂ ସେଥିରେ ଅନଲାଇନ କରି ମଧ୍ୟ ଧାନ ବିକ୍ରି କରି ପାରି ନଥିବା ଅଭିଯୋଗ ହୋଇଛି । ନୀଳଗିରି ବ୍ଲକରେ ଥିବା ବିଭିନ୍ନ ସୋସାଇଟି ଚାଷୀଙ୍କ ଠାରୁ ଧାନ କିଣିବାରେ ବିଫଳ ହେବା ଯୋଗୁଁ ଅନେକ ଚାଷୀଙ୍କ ଟୋକନ ଅବଧି ସରି ଯାଇଛି । ଯାହାଦ୍ୱାରା ଚାଷୀଟିଏ ଧାନ ବିକ୍ରି କରି ନପାରି ହତାଶ ହୋଇ ବସିଛି । ଏମିତି କି ମିଲରମାନଙ୍କ ମାନମୁଖୀ କାର୍ଯ୍ୟକଳାପ ପାଇଁ ମଧ୍ୟ ଚାଷୀକୁଳ ହଇରାଣ ହେଉଥିବା ଅଭିଯୋଗ ଉଠିଛି ।


ଏସମସ୍ତ ପ୍ରସଙ୍ଗକୁ ବିସ୍ତାର ଭାବେ ଉଠାଇ ନିଜର ପ୍ରତିକ୍ରିୟାରେ ନବ ନିର୍ମାଣ କୃଷକ ସଙ୍ଗଠନର ବାଲେଶ୍ୱର ଜିଲ୍ଲା ସଭାପତି ରଞ୍ଜିତ ପଟ୍ଟନାୟକ କହିଛନ୍ତି ଯେ," ଯେଉଁ ବଜେଟ ହୋଇଛି ତିନି ଲକ୍ଷ ଦଶ ହଜାର କୋଟି ଟଙ୍କା, ସାତ ଭାଗରୁ ଗୋଟିଏ ଭାଗ ଚାଷୀ ମାନଙ୍କ ପାଇଁ ଦିଆଯାଉ । ଯଦି ଭାଗ ଚାକିରିଆ ବଜେଟରୁ ଅଧା ନେଇକି ଚାଲି ଯାଉଛନ୍ତି ତା ହେଲେ ଚାଷୀ କାହିଁକି ବଜେଟରୁ ଅଧା ନେବେ ନାହିଁ ଆମେ ସରକାରଙ୍କୁ ପଚାରିବାକୁ ଚାହୁଁଛୁ । ଦ୍ଵିତୀୟ କଥା ହେଲା ବାଲେଶ୍ୱରରେ ଯେଉଁଭଳି ଭାବେ କଟନୀ ଛଟଣୀ ଚାଲିଛି, ପ୍ରତ୍ୟକ ମଣ୍ଡିରେ ୧୫ ପ୍ରତିଶତ କଟନୀ ପର୍ଯ୍ୟନ୍ତ ଚାଲି ଗଲାଣି । ମିଲର ମାନେ ସିଧା ସଳଖ ଚାଷୀମାନଙ୍କୁ ଧମକ ଦେଲେଣି ଯଦି ୧୫ ପ୍ରତିଶତ କଟନୀ ନ ଦେବ ତେବେ ଆମେ ମଣ୍ଡିକୁ ଗାଡ଼ି ପଠାଇବୁ ନାହିଁ । ଜଳେଶ୍ୱର ବ୍ଲକରେ ହାରାହାରି ୭୦ ଜଣ ଚାଷୀଙ୍କ ଟୋକନ ଅବଧି ସରିଯାଇଛି । ୧୪ ଶହ କ୍ୱିଣ୍ଟାଲ ଧାନ ରହିଗଲା, ଧାନ ବିକ୍ରି ହୋଇ ପାରିଲା ନାହିଁ । ଏଥିପାଇଁ ଏଠାକାର ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି । ଏଠି ଯିଏ ସାଂସଦ ଅଛନ୍ତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଯେତେବେଳେ ବିଜେଡି ସରକାର ଥିଲା ସେତେବେଳେ ସେ ମିଲର ମାନଙ୍କୁ ଧମକାଇ, ମଣ୍ଡିକୁ ଯାଉଥିଲେ । କିନ୍ତୁ ବର୍ତ୍ତମାନ ଯେତେବେଳେ ତାଙ୍କର ଡବଲ ଇଞ୍ଜିନ ସରକାର ଆସିଲା ନନା ପୁରା ନୀରବ ହୋଇ ଯାଇଛନ୍ତି । ବହୁତ ମିଲର ବାହାରୁ ୧୪/୧୫ଶହ ଟଙ୍କାରେ କିଣି ମିଲରେ ଭର୍ତ୍ତି କରିଦେଇଛନ୍ତି ଆଉ ଜାଗା ନାହିଁ । ସେଥିପାଇଁ କହୁଛନ୍ତି ଆମେ ବହୁତ ଧାନ ଉଠେଇ ଦେଇଛୁ । ଆଜି ବି ବାଲେଶ୍ୱର ଜିଲ୍ଲାରେ ମାତ୍ର ୪୦ ପ୍ରତିଶତ ଧାନ ଉଠିଛି ବାକି ଧାନ ସେମିତି ପଡ଼ି ରହିଛି । ଏ ଯେଉଁ ଟୋକନ ଅବଧି ସରୁଛି ୟା ପାଇଁ ଏ ଡବଲ ଇଞ୍ଜିନ ସରକାର ଦାୟୀ ରହିବେ ନା ଜିଲ୍ଲା ପ୍ରଶାସନ ଦାୟୀ ରହିବ। ଏ ତମାମ ୨୧ ଦଫା ଦାବି ନେଇ ଯେଉଁ ପଦଯାତ୍ରା ହେବ ଆମେ ବାଲେଶ୍ୱରରୁ ପ୍ରାୟ ୨ ହଜାର ଚାଷୀ ପଦଯାତ୍ରାରେ ସାମିଲ ହୋଇ ୩୧ ମାର୍ଚ୍ଚରେ ଭୁବନେଶ୍ୱରରେ ୨ ଲକ୍ଷ ଚାଷୀ ଘେରାଉ କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ- ନବ ନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ: ଅଖ-ଚକ ଜାମ, ଏସବୁ ଜିଲ୍ଲାରେ ପ୍ରଭାବହୀନ

ଏହା ମଧ୍ୟ ପଢ଼ନ୍ତୁ- କାଲି ଓଡିଶା ବନ୍ଦ; ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା, ବିଜେଡି-କଂଗ୍ରେସର ସମର୍ଥନ

ଇଟିଭି ଭାରତ, ବାଲେଶ୍ବର