ETV Bharat / state

ମହାପ୍ରଭୁଙ୍କ ପ୍ରସିଦ୍ଧ ଦୋଳଯାତ୍ରା ଆରମ୍ଭ, ଅବିର ରଙ୍ଗରେ ଏକାକାର ହୁଅନ୍ତି ଭକ୍ତ-ଭଗବାନ

ଶ୍ରୀମନ୍ଦିରର ତିନି ବାଡ଼ରେ ଝିମିରି ଫଗୁ ଲାଗି ହୋଇଛି । ଫାଲଗୁନ ମାସ ଦଶମୀ ତିଥି ଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଏହି ନୀତି ଚାଲୁ ରହିବ ।

Famous Dola yatra begins in Puri deities special rituals performed
ମହାପ୍ରଭୁଙ୍କ ପ୍ରସିଦ୍ଧ ଦୋଳଯାତ୍ରା ଆରମ୍ଭ, ଅବିର ରଙ୍ଗରେ ରଙ୍ଗିଲା ଜଗନ୍ନାଥବଲ୍ଲଭ (ETV Bharat Odisha)
author img

By ETV Bharat Odisha Team

Published : February 27, 2026 at 3:43 PM IST

2 Min Read
Choose ETV Bharat

ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର

ପୁରୀ: ଶ୍ରୀମନ୍ଦିରରେ ଫଗୁ ଦଶମୀରୁ ଆରମ୍ଭ ହୋଇଯାଇଛି ଦୋଳ ଉତ୍ସବ । ମହାପ୍ରଭୁଙ୍କ ବିଶେଷ ଦ୍ବାଦଶ ଯାତ୍ରା ମଧ୍ୟରେ ଦୋଳଯାତ୍ରା ଅନ୍ୟତମ । ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି ଯାତ୍ରା ଆରମ୍ଭ ହୋଇଛି । ମହାପ୍ରଭୁ ଚାଚେରୀ ବେଶରେ ଫଗୁ ଖେଳିବେ । ଏନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସମ୍ପାଦିତ ହୋଇଛି । ଫାଲଗୁନ ମାସ ଦଶମୀ ତିଥିଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଏହି ନୀତି ଚାଲୁ ରହିବ ।

ମହାପ୍ରଭୁଙ୍କ ପ୍ରସିଦ୍ଧ ଦୋଳଯାତ୍ରା ଆରମ୍ଭ, ଅବିର ରଙ୍ଗରେ ରଙ୍ଗିଲା ଜଗନ୍ନାଥବଲ୍ଲଭ ମଠ (ETV Bharat Odisha)

ମହାପ୍ରଭୁଙ୍କ ଚାଚେରୀ ବେଶ:
ଗତକାଲି (ଗୁରୁବାର) ଫଗୁ ଦଶମୀଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦୋଳଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ମହାପ୍ରଭୁଙ୍କ ନିକଟରେ ଚାଚେରୀ ଭୋଗ ଲାଗି ସହିତ ଚାଚେରୀ ବେଶ ସମ୍ପନ୍ନ କରାଯାଇଥିଲା । ବଡ଼ ଦେଉଳରେ ଚତୁର୍ଦ୍ଧାମୂର୍ତ୍ତି ଲାଲ୍ ବସ୍ତ୍ର ପରିଧାନ କରି ବହୁ ମୂଲ୍ୟ ଅଳଙ୍କାରରେ ଭୂଷିତ ହୋଇଥାନ୍ତି । ଏହି ବେଶରେ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି ହୁଏ । ଶ୍ରୀମନ୍ଦିରରେ ଦୋଳ ଉତ୍ସବରେ ରାଧାକୃଷ୍ଣଙ୍କ ପରିବର୍ତ୍ତେ ପ୍ରଭୁ ଦୋଳଗୋବିନ୍ଦ ଭୂଦେବୀ ଓ ଶ୍ରୀଦେବୀ ପୂଜା ପାଆନ୍ତି ।

Mahaprabhu's Chacheri besha
ମହାପ୍ରଭୁଙ୍କ ଚାଚେରୀ ବେଶ (ETV Bharat Odisha)


ଭକ୍ତ ଓ ଭଗବାନ ଏକାକାର:
ଦୋଳ ଉତ୍ସବ ଅବସରରେ ପ୍ରଭୁ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଜଗନ୍ନାଥବଲ୍ଲଭ ମଠରେ ବିଜେ ହୋଇଛନ୍ତି । ସେଠାରେ ଦୋଳପର୍ବ ନୀତି ସମାପନ ହୋଇଛି । ମହାପ୍ରଭୁଙ୍କ ଏହି ଦିବ୍ୟ ଲୀଳା ଏବଂ ନୀତିକାନ୍ତି ଦର୍ଶନ ପାଇଁ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଭକ୍ତଙ୍କ ଭିଡ଼ ଜମିଥିଲା । ଭକ୍ତ ଓ ଭଗବାନ ଅବିର ରଙ୍ଗରେ ଏକାକାର ହୋଇଛନ୍ତି । ଏହି ରଙ୍ଗ ଉତ୍ସବ ଓ ନୀତିକାନ୍ତି ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ ।

The famous Dola Yatra of Lord Mahaprabhu begins.
ମହାପ୍ରଭୁଙ୍କ ପ୍ରସିଦ୍ଧ ଦୋଳଯାତ୍ରା ଆରମ୍ଭ (ETV Bharat Odisha)
ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି:

ବିଧି ଅନୁଯାୟୀ ଶ୍ରୀମନ୍ଦିରରେ ଫଗୁଦଶମୀରେ ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା । ତିନି ବାଡ଼ରେ ଝିମିରି ଫଗୁ ଲାଗି ହୋଇଛି । ବଡ଼ଦାଣ୍ଡ ସ୍ଥିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ମଧ୍ୟ ଦେବଦେବୀଙ୍କ ଫଗୁ ଅଞ୍ଜଳି, ପ୍ରସାଦ ଲାଗି, ବନ୍ଦାପନା, ଚାମର ଓ ପତି ଭୋଗ ଅର୍ପଣ ନୀତି ନୀତି ସମ୍ପାଦିତ ହୋଇଛି । ବିମାନବଡୁ ସେବକମାନେ ସୁସଜ୍ଜିତ ବିମାନରେ ଠାକୁରଙ୍କୁ ନେଇ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠରେ ବିଜେ ହୋଇଥିଲେ । ଦଶମୀ ତିଥିଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଚାଚେରୀ ବେଶରେ ଦର୍ଶନ ଦେବେ । ଏହା ସହିତ ଚାଚେରୀ ଭୋଗ, ଫଲ୍‌ଗୁ ଅଞ୍ଜଳି ପ୍ରଦାନ ଓ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା ବିଧି ଅନୁଷ୍ଠିତ ହେବ । ସିନ୍ଦୁର, ମୁଥା, ଅଙ୍କରାତି, ଶତାବରୀ, ପାଳୁଅର ସମ୍ମିଶ୍ରଣରେ ଠାକୁରଙ୍କ ଝିମିରି ଫଗୁ ପ୍ରସ୍ତୁତ ହୋଇଥାଏ ।

The devotee and the Lord have become one in the color of amber.
ଭକ୍ତ ଓ ଭଗବାନ ଅବିର ରଙ୍ଗରେ ଏକାକାର ହୋଇଛନ୍ତି । (ETV Bharat Odisha)
ଶ୍ରୀମନ୍ଦିରର ଭିନ୍ନ ପରମ୍ପରା:ଶ୍ରୀମନ୍ଦିର ଚୂନରା ସେବାୟତ ଶରତ ମହାନ୍ତି କହିଛନ୍ତି, "ଶ୍ରୀମନ୍ଦିରରେ ଦୋଳ ଉତ୍ସବ ମହାପ୍ରଭୁଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରେ ଅନ୍ୟତମ । ଦୋଳ ପୂର୍ଣ୍ଣିମାରେ ଏହି ଯାତ୍ରା ଶେଷ ହୁଏ । ଦୋଳ ଯାତ୍ରାରେ ସର୍ବତ୍ର ରାଧାକୃଷ୍ଣଙ୍କ ପୂଜା କରାଯାଇଥାଏ । ହେଲେ ଶ୍ରୀମନ୍ଦିରରେ ଏନେଇ ସମ୍ପୂର୍ଣ୍ଣ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । ଶ୍ରୀମନ୍ଦିରରେ ଦୋଳ ଉତ୍ସବରେ ରାଧାକୃଷ୍ଣଙ୍କ ପରିବର୍ତ୍ତେ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ପ୍ରଭୁ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କୁ ପୂଜା କରାଯାଏ । ମହାପ୍ରଭୁଙ୍କ ଏହି ଦୋଳ ଉତ୍ସବକୁ ନିଜ ଚର୍ମ ଚକ୍ଷୁରେ ଦେଖିବାର ସୁଯୋଗ ପାଉଥିବା ଲୋକ ଅନେକ ପୂଣ୍ୟ ପାଇଥାନ୍ତି।
The devotee and the Lord have become one in the color of amber.
ଭକ୍ତ ଓ ଭଗବାନ ଅବିର ରଙ୍ଗରେ ଏକାକାର ହୋଇଛନ୍ତି । (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସଅଳ ହେବ ମହାପ୍ରଭୁଙ୍କ ନୀତିକାନ୍ତି

ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଛାମୁ ମେଲଣ



ଇଟିଭି ଭାରତ, ପୁରୀ