ନକଲି ପୋଲିସ ଅଧିକାରୀଙ୍କ ମାଡ଼ରେ ଅସଲି ପୋଲିସ ଆହତ
ପୋଲିସ ପରିଚୟ ଦେଇ ବସରେ ଲୋକଙ୍କୁ କରୁଥିଲେ ଆତଙ୍କିତ । ତେବେ ସେତିକିରେ ଅଟକିନଥିଲେ । ପୋଲିସ ପହଞ୍ଚିବା ପରେ ମଧ୍ୟ ଅଧିକ ରୋବାବ ଦେଖାଇଥିଲେ ଦୁଇ ଉତୁପାତିଆ ।


Published : January 10, 2026 at 11:04 PM IST
ଖୋର୍ଦ୍ଧା: ନକଲି ପୋଲିସ ଅଧିକାରୀଙ୍କ ମାଡ଼ରେ ଅସଲି ପୋଲିସ ଆହତ । ଏଭଳି ଶିରୋନାମା ଯେତିକି ମଜାଦାର ସେତିକି ରୋଚକ... । ଦୁଇଜଣ ଯୁବକ ନିଜକୁ ପୋଲିସ ଅଧିକାରୀ ଭାବେ ପରିଚୟ ଦେଇ କିଭଳି ବେଗୁନିଆ ଥାନାର ପୋଲିସକୁ ଆକ୍ରମଣ କରି ବନ୍ଧା ହୋଇଛନ୍ତି ତାକୁନେଇ ଏବେ ବେଗୁନିଆ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ବେଗୁନିଆ ଥାନା ଅଧିକାରୀ କାଁହୁ ଚରଣ ସ୍ୱାଇଁଙ୍କ ସୂଚନା ଅନୁଯାୟୀ, "ଶୁକ୍ରବାର ଭୁବନେଶ୍ୱରରୁ ନାଇଟ କୋଚ ଦୀଲଦାର ବସ ଯାତ୍ରୀ ନେଇ ସିନାପାଲ୍ଲୀ ଅଭିମୁଖେ ଯାଉଥିଲା । ସେହି ବସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକରୁ ଦୁଇଜଣ ଯୁବକ କଳାହାଣ୍ଡି ଜିଲ୍ଲା ନର୍ଲା ଯିବାକୁ ଚଢ଼ିଥିଲେ । ବସ ଭିତରେ ଦୁଇ ଯୁବକ ସିଗାରେଟ ଟାଣିଥିଲେ ଯାହାକୁ ତାଙ୍କ ପାଖ ସିଟରେ ବସିଥିବା ଜଣେ ବ୍ୟକ୍ତି ବିରୋଧ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ଉଚବାଚ ହୋଇଥିଲା ଏବଂ ଉଭୟ ଯୁବକ ଜଣେ ଖୋର୍ଦ୍ଧା ଜିଲ୍ଲାର ଡ଼ିଏସପି ଓ ଅନ୍ୟଜଣେ ଅତିରିକ୍ତ ଏସପି ଭାବେ ପରିଚୟ ଦେଇ ବିରୋଧ କରୁଥିବା ଯୁବକ ଏବଂ ବସରେ ଥିବା ଯାତ୍ରୀ ମାନଙ୍କୁ ଭୟଭୀତ କରିଥିଲେ । ପରିସ୍ଥିତି ଜଟିଳ ହେବାରୁ ନିଜକୁ ଅସୁରକ୍ଷିତ ମନେକରି ବିରୋଧ କରୁଥିବା ଯୁବକ ଜଣକ ସରକାରଙ୍କ ଜରୁରୀ ସେବା ୧୧୨କୁ ଫୋନ କରି ଅବଗତ କରିଥିଲେ । ୧୧୨ କଲ ପାଇ ବେଗୁନିଆ ପୋଲିସ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଗଡ଼ତରା ଠାରେ ବସକୁ ଅଟକାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ପୋଲିସର ପରିଚୟ ପାଇ ମଧ୍ୟ ଉଭୟ ଯୁବକ ନିଜକୁ ପୋଲିସ ଅଧିକାରୀ ଭାବେ ପରିଚୟ ଦେଇ ବେଗୁନିଆ ପୋଲିସକୁ ଗାଳି କରିବା ସହ, ଜୀବନରୁ ମାରିଦେବା ଧମକ ଦେଇ ଆକ୍ରମଣ କରିଥିଲେ । ଯେଉଁଥିରେ ଜଣେ ସବ ଇନ୍ସପେକ୍ଟର ଜଗନ୍ନାଥ ସେଠି ଆହତ ହୋଇଥିବା ବେଳେ ୧୧୨ ଗାଡି ଚାଳକ ମୀରାଜ ଖାଁ ମୁଣ୍ଡ ପଛପଟେ ଆଘାତ ଲାଗି ଗୁରୁତର ହୋଇଥିଲେ ।"

ପରେ ବେଗୁନିଆ ଥାନାରୁ ଆଉ ଏକ ଟିମ ପହଞ୍ଚି ଗୁରୁତର ଆହତଙ୍କୁ ମେଡିକାଲ ପଠାଇବା ସହ ଆକ୍ରମଣକାରୀ ଦୁଇ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ । ଉଭୟ ଦୁଇଜଣ ଦୁଇ ଭାଇ କାହ୍ନୁ ସାବତ(୩୦) ଓ ତୋଫାନ ସାବତ(୨୭) ସେମାନଙ୍କ ଘର ଖୋର୍ଦ୍ଧା ସଦର ଥାନା ନନ୍ଦପୁର ପଞ୍ଚାୟତ ଦୁର୍ଗାପୁର ଗ୍ରାମର ବୋଲି ଜଣା ପଡିବା ସହ ପୋଲିସର ମିଛ ପରିଚୟ ଦେଇ ଆତଙ୍କ ଖେଳାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ବେଗୁନିଆ ଥାନାର ମହିଳା ସବ ଇନ୍ସପେକ୍ଟର ପ୍ରଦୀପ୍ତା ରାଉତରାୟଙ୍କ ଅଭିଯୋଗ କ୍ରମେ ବେଗୁନିଆ ଥାନାରେ କେସ ନଂ ୧୭/୨୦୨୬ ଏବଂ ବିଏନଏସ ଧାରା ୧୨୬(୨), ୨୯୬, ୧୧୫(୨), ୧୨୧, ୧୦୯(୧), ୧୩୨, ୩୫୧(୨), ୩(୫)ରେ ସଂଗୀନ ଦଫା ଲଗାଇ ବେଗୁନିଆର ଅତିରିକ୍ତ ଥାନା ଅଧିକାରୀ ଅନିଲ କୁମାର ନାୟକ ଘଟଣାର ତଦନ୍ତ କରି ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରିଛନ୍ତି ।
ଏହା ବି ପଢନ୍ତୁ- ନକଲିକୁ ବାନ୍ଧିଲା ଅସଲି ପୋଲିସ, ହୋମଗାର୍ଡ ଚାକିରି ନାଁରେ ଠକେଇ ଉଦ୍ୟମ
ଇଟିଭି ଭାରତ, ଖୋର୍ଦ୍ଧା

